Unknown

 

 

 

 

 

 

 

 

 

୧୭୫ତମ ସଂଖ୍ୟା କୋଣାର୍କ ୨୦୧୫

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ଵତ ମୁଖପତ୍ର

 

ଉପଦେଷ୍ଟା

ଶ୍ରୀ ସାତକଡ଼ି ହୋତା

 

ସମ୍ପାଦକମଣ୍ଡଳୀ

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଡକ୍ଟର ଅରବିନ୍ଦ ରାୟ

 

ପରିଚାଳନା ସମ୍ପାଦକ

ଶ୍ରୀ ଅଶ୍ୱିନୀ କୁମାର ମିଶ୍ର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର

 

ଏକାଡେମୀକର୍ତ୍ତୃକ ସର୍ବସ୍ଵତାଧିକାର ସରଂକ୍ଷିତ । ରଚାନରେ ପ୍ରକାଶିତ ମତାମତ ଲେଖକଂକ ନିଜସ୍ଵ

 

ସୂଚୀ

ସମ୍ପାଦକୀୟ

୧.

ତୁଳନାତ୍ମକ ସାହିତ୍ୟ – ପ୍ରସଙ୍ଗ

 

ଡକ୍ଟର ସନ୍ତୋଷ ତ୍ରିପାଠୀ

୨.

କବି କୁଞ୍ଜବିହାରୀଙ୍କ କବିତା ଜଗତ

 

ଡକ୍ଟର ନିତ୍ୟାନନ୍ଦ ଶତପଥୀ

୩.

କବି ମାୟାଧର ମାନସିଂହଙ୍କ ମହାକାବ୍ୟ ‘କମଳାୟନ’ରେ ଚିଲିକା

 

ନିର୍ମଳା କୁମାରୀ ମହାପାତ୍ର

୪.

ରୁଦ୍ରସୁଧାନିଧି ପ୍ରାଚୀନ ସାହିତ୍ୟର ଏକ ବିସ୍ମୟ

 

ଅଜିତ କୁମାର ଦାସ

୫.

ପ୍ରଥମ ଓଡ଼ିଆ ପାଠ୍ୟପୁସ୍ତକର ଲେଖକ ପଣ୍ଡିତ ବିଶ୍ୱମ୍ବର ବିଦ୍ୟାଭୂଷଣ(ମହାପାତ୍ର)

 

ଡକ୍ଟର ମନୀନ୍ଦ୍ର ମହାନ୍ତି

୬.

ଉପେନ୍ଦ୍ର ଭଞ୍ଜଙ୍କ ରସଚାତୁରୀ

 

ଡକ୍ଟର ଶରତ ଚନ୍ଦ୍ର ପରିଡ଼ା

୭.

କାନ୍ଦଣ ଗୀତରେ ପଲ୍ଲୀପ୍ରାଣର ଝଙ୍କାର

 

ଡକ୍ଟର ଲକ୍ଷ୍ମଣ ମେହେର

୮.

ପଣ୍ଡିତ ମୃତଞ୍ଜୟ ରଥଙ୍କ ‘ମୂଳଶବ୍ଦବୋଧିକା’ର ମୌଳିକ ତାତ୍ପର୍ଯ୍ୟ

 

ଡକ୍ଟର ରବୀନ୍ଦ୍ର କୁମାର ଦାସ

୯.

ଜାତୀୟ ତରଙ୍ଗର ରୂପକାର: ବାଞ୍ଛାନିଧି ମହାନ୍ତି

 

ରବୀନ୍ଦ୍ର କୁମାର ବେହୁରିଆ

୧୦.

ସ୍ୱାଧିନତା ପୂର୍ବ ଓଡ଼ିଆଗଳ୍ପ ଓ ଲକ୍ଷ୍ମୀକାନ୍ତ ମହାପାତ୍ର

 

ସନ୍ତୋଷ କୁମାର ବେଜ୍

୧୧.

କବି ଅନନ୍ତ ପଟ୍ଟନାୟକଙ୍କ ସୃଷ୍ଟି :

ଏକ ଆକଳନ

 

ଅଶ୍ୱିନୀ କୁମାର ମିଶ୍ର

***

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

ଶ୍ରୀ ଅଶ୍ୱିନୀ କୁମାର ମିଶ୍ର

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୮.

ସମ୍ପାଦକଙ୍କ ନାମ

ଶ୍ରୀ ଅଶ୍ୱିନୀ କୁମାର ମିଶ୍ର

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟ କୁମାର ନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ଶ୍ରୀ ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ସମ୍ପାଦକୀୟ

ଓଡ଼ିଆ ଭାଷାର ବିକାଶରେ

ସମ୍ବାଦପତ୍ରର ଭୂମିକା

 

ଭାଷା ହେଉଛି ଭାବର ବାହକ । ଭାଷା ମାଧ୍ୟମରେ ମଣିଷ ନିଜକୁ ଚିହ୍ନିତ କରେ । ବ୍ୟକ୍ତିର ବ୍ୟକ୍ତିତ୍ୱ ଭାଷାରୁ ହିଁ ଜଣାପଡ଼େ । ତେଣୁ ଭାଷାକୁ ବ୍ୟକ୍ତିର ଆତ୍ମା କହିଲେ ଯଥାର୍ଥ ହେବ । ମାତୃଭାଷା ବ୍ୟକ୍ତିର ଅଭିବୃଦ୍ଧି ସହିତ ଆତ୍ମିକ ଭାବରେ ଜଡ଼ିତ । ଭାଷାର ଶକ୍ତି ପ୍ରଭାବଶାଳୀ । ତେଣୁ ସମାଜ, ଦେଶ ଓ ଜାତି ଗଠନରେ ଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭାଷା ମଧ୍ୟ ଗୋଟିଏ ଜାତିକୁ ପରିଚିତ କରାଏ । ଭାଷା ମାଧ୍ୟମରେ ଜାତୀୟଚେତନା ଓ ସ୍ୱାଭିମାନ ପ୍ରତିଫଳିତ ହୋଇଥାଏ । ଭାଷାର ବିକାଶ ସାଧିତ ହେଲେ ବ୍ୟକ୍ତିର ବିକାଶ ସହଜ ହେବ । ବ୍ୟକ୍ତିର ଉନ୍ନତି ହେଲେ ସମାଜ ଓ ଦେଶର ପ୍ରଗତି ସମ୍ଭବ ହେବ । ବ୍ୟକ୍ତିତ୍ୱର ପ୍ରତିଫଳନ କେବଳ ଭାଷାରେ ଘଟିନାହିଁ, ଭାଷା ହିଁ ବ୍ୟକ୍ତିର ସ୍ଵରୂପକୁ ଉନ୍ମୋଚନ କରେ । ଭାଷା ତେଣୁ ଜୀବନ ଜଗତ ଓ ସମାଜ ପାଇଁ ଅମୂଲ୍ୟ ସମ୍ପଦ । ଭାଷାର ଯଥାର୍ଥ ଅର୍ଥ ହେଉଛି ମନୋଭାବର ପରିପ୍ରକାଶ । ଅର୍ଥାତ୍ ମନ ଓ ହୃଦୟର ଭାବ ଠିକ୍ ଭାବରେ ଭାଷା ମାଧ୍ୟମରେ ଉନ୍ମୋଚିତ ହୋଇଥାଏ । ଭାଷା ଏକତା ଓ ସଂହତିର ସୂତ୍ର । ଭାଷା ଦେଇଥାଏ ମଣିଷକୁ ଏକ ପରିଚୟ । ଭାଷା ମାଧ୍ୟମରେ ସାହିତ୍ୟର କୋଣାର୍କ ମନ୍ଦିର ନିର୍ମିତ ହୋଇପାରେ । ଭାଷା ସମୃଦ୍ଧ ହେଲେ ସାହିତ୍ୟ ବିକଶିତ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ହୋଇଥାଏ । ତେଣୁ ସମାଜିକ ବିକାଶ ଓ ଦେଶର ଅଗ୍ରଗତି ପାଇଁ ଭାଷାର ଯେ ଏକ ପ୍ରମୁଖ ଦାୟିତ୍ୱ ରହିଛି, ତାହାକୁ ଅସ୍ୱୀକାର କରିହେବ ନାହିଁ । କାରଣ ମନୁଷ୍ୟ ଜୀବନ ସହିତ ଭାଷାର ସମ୍ପର୍କ ଅତୀବ ନିବିଡ଼ ।

 

ସମକାଳରେ ଭାରତ ବର୍ଷରେ ପ୍ରାଚୀନ ଭାଷା ବା ମାତୃଭାଷା ବିଭିନ୍ନ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେଉଛି । ଆନ୍ତର୍ଜାତିକ ସ୍ତରରେ ଗ୍ରହଣୀୟ ଭାଷା ସମ୍ପ୍ରତି ଏହି ବିପର୍ଯ୍ୟୟର କାରଣ ହୋଇଛି । ଇଂରାଜୀ ଭାଷା ସମଗ୍ର ପୃଥିବୀର ଆଞ୍ଚଳିକ ଭାଷାର ବିକାଶରେ ବାଧକ ହୋଇଛି । ଜନସାଧାରଣ ଏହି ଭାଷାକୁ ଆନ୍ତର୍ଜାତିକ ସମ୍ପର୍କର ଭାଷା ବୋଲି ଭାବୁଛନ୍ତି । ସ୍ଵକୀୟ ଭାଷା ବା ମାତୃଭାଷା ବ୍ୟକ୍ତିଟିକୁ ଯେପରି ପ୍ରଭାବିତ କରିବା କଥା କରିପାରୁ ନାହିଁ । ଫଳତଃ ମାତୃଭାଷା ଅବହେଳାର ଶିକାର ହେଉଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ କଥାକଥାକେ ଇଂରାଜୀ ଓ ଅନ୍ୟାନ୍ୟଭାଷାର ବ୍ୟବହାର, ପ୍ରୟୋଗଦ୍ୱାରା ମାତୃଭାଷା ଓଡ଼ିଆ ବିଭିନ୍ନ ପ୍ରତିବନ୍ଧରେ ସମ୍ମୁଖୀନ ହେଉଛି ଆବଶ୍ୟକତା ନ ଥାଇ ମଧ୍ୟ ବିଭିନ୍ନ ସ୍ଥାନରେ ଅଯଥାରେ ମାତୃଭାଷା ବ୍ୟତୀତ ଅନ୍ୟଭାଷା ଆମେ ବ୍ୟବହାର କରିଥାଉ । ଏପରିକି ଗାଁ ଗହଳିରେ, ପୂଜା ପାର୍ବଣରେ ନିମନ୍ତ୍ରଣ ପତ୍ର ଇଂରାଜୀରେ ଛପା ଯାଉଛି । ତୋରଣମାନଙ୍କରେ ମାତୃଭାଷା ବଦଳରେ ଅନ୍ୟଭାଷା ବ୍ୟବହାର ହେଉଛି । ଏହା ବ୍ୟକ୍ତିର ଆବଶ୍ୟକତା ନୁହେଁ, ବରଂ ଆତ୍ମବଡ଼ିମାକୁ ପ୍ରକାଶ କରିବାର ଏକ ମାଧ୍ୟମ ପାଲଟିଛି । ଏହା ସୁଲକ୍ଷଣ ନୁହେଁ । ଜନସଚେତନତା ସୃଷ୍ଟି କରିବା ଓ ମାତୃଭାଷାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେବା ସେଥିପାଇଁ ଜରୁରୀ ହୋଇପଡ଼ିଛି । ସାଧାରଣ ଲୋକଙ୍କୁ ମାତୃଭାଷାର ଉପଯୋଗକୁ ବୁଝାଇବା ଓ ମାତୃଭାଷା ଯେ ଜଣେ ବ୍ୟକ୍ତିର ଶ୍ରେଷ୍ଠ ସମ୍ପଦ, ତାହା ଜଣାଇବା ପାଇଁ ଉଦ୍ୟମ ହେବା ବାଞ୍ଛନୀୟ ।

 

ସମ୍ବାଦ ପତ୍ର ଜନସାଧାରଣକୁ ପ୍ରଭାବିତ କରିବାରେ ସମକାଳରେ ଏକ ଶ୍ରେଷ୍ଠ ମାଧ୍ୟମ ହୋଇଛି । ଯାହା ଦେଖାଦେଉଛି ପ୍ରତିଦିନ ଓଡ଼ିଶାରେ ଲକ୍ଷଲକ୍ଷଲୋକେ ସମ୍ବାଦ ପତ୍ର ପଢ଼ୁଅଛନ୍ତି । ଏହା ଏକ ଶୁଭଲକ୍ଷଣ । ଓଡ଼ିଶାରେ ପ୍ରାୟ ଦୈନିକ ସତୁରୀରୁ ଉର୍ଦ୍ଧ୍ୱ ଦୈନିକ ଖବର କାଗଜ ପ୍ରକାଶିତ ହେଉଅଛି । ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ, ତେଜରାତି ଦୋକାନଠାରୁ ଆରମ୍ଭ କରି ଜଳଖିଆ ଦୋକାନ ପର୍ଯ୍ୟନ୍ତ ସବୁଠି ସମ୍ବାଦ ପତ୍ର ଶୋଭାପାଉଛି ଓ ଗ୍ରାହକମାନେ ସେସବୁର ମଧ୍ୟ ଉପଯୋଗ କରୁଛନ୍ତି । ଓଡ଼ିଆ ଖବର କାଗଜ ପ୍ରତି ଜନସାଧାରଣଙ୍କ ଆଗ୍ରହ ଆମ ଭାଷା ସାହିତ୍ୟର ଉନ୍ନତ ଭବିଷ୍ୟତର ସୂଚନା ଦିଏ । ମାଟିର ମହାକବି ଜଗନ୍ନାଥ ଦାସଙ୍କ ‘ଭାଗବତ’ ଯେପରି ନିରକ୍ଷର ଓଡ଼ିଆଙ୍କୁ ଅକ୍ଷର ଶିଖାଇଥିଲା, ସେହିପରି ଆଜିର ସମ୍ବାଦପତ୍ର ଓଡ଼ିଶାର ନାଗରିକମାନଙ୍କୁ ସଚେତନ ଓ ଜ୍ଞାନଦୀପ୍ତ କରାଇବ । ଏହି ଆଗ୍ରାହ ଭାଷାର ସମ୍ପ୍ରସାରଣ ଓ ବିକାଶରେ ଯଥେଷ୍ଟ ସହାୟକ ହେବ । ଏବେ ପ୍ରାନ୍ତୀୟ ଭାଷାମାନଙ୍କ କ୍ଷେତ୍ରରେ ଦେଖା ଯାଉଥିବା ସଙ୍କଟକୁ ଏଡ଼ାଇବାରେ ସମ୍ବାଦପତ୍ର ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରୁଅଛି । ତେଣୁ ସମ୍ବାଦପତ୍ର ଭାଷାର ବିକାଶ ପାଇଁ ଏକ ମାଧ୍ୟମ ବୋଲି ବିଚାର କରାଯାଇପାରେ । ଠିକ୍ ଭାଷାର ବ୍ୟବହାର ଓ ପାଠକ ଉପଯୋଗୀ ସକାରାତ୍ମକ ସମ୍ବାଦ ପରିବେଷଣ ପାଠକ ସଂଖ୍ୟା ବୃଦ୍ଧିରେ ସହାୟକ ହେବା ସହିତ ଏବଂ ଭାଷାର ବିକାଶ ଓ ପ୍ରସାରଣରେ ସମ୍ବାଦପତ୍ର ମହୌଷଧିର ଭୂମିକା ସମ୍ପାଦନ କରିପାରିବ । ସମ୍ବାଦପତ୍ରମାନେ ଏବେ ଏକ ପ୍ରଭାବଶାଳୀ ଗଣମାଧ୍ୟମ ଭାବରେ ଆମମାନଙ୍କ ନିକଟରେ ଉଭା ହୋଇଛନ୍ତି । ଜନସାଧାରଣଙ୍କ ବିଶ୍ୱାସ ମଧ୍ୟ ଏହି ସମ୍ବାଦପତ୍ରମାନଙ୍କ ଉପରେ ରହିଅଛି ।

 

ଅତୀତରେ ଓଡ଼ିଆ ଭାଷାର ବିପତ୍ତିବେଳେ ସମ୍ବାଦପତ୍ରମାନେ ହିଁ ଭାଷା ସୁରକ୍ଷା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନକୁ ପ୍ରତିହତ କରିବାରେ ସମ୍ବାଦପତ୍ରମାନଙ୍କ ନେତୃତ୍ୱ ଥିଲା ଅଗ୍ରଗଣ୍ୟ । କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରତିଷ୍ଠିତ ‘ଉତ୍କଳ ଦୀପିକା’, ଦେବାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ‘ଉତ୍କଳପୁତ୍ର’, ‘ସମ୍ବଲପୁର ହିତୈଷିଣୀ’, ସମ୍ବାଦବାହିକା’ ପ୍ରଭୃତି ଓଡ଼ିଆ ଭାଷାର ବିପର୍ଯ୍ୟୟବେଳେ ରକ୍ଷାକବଚ ଭାବରେ ପ୍ରତୀୟମାନ ହୋଇଥିଲେ । ଏହିସବୁ ପତ୍ରପତ୍ରିକା ଓଡ଼ିଆ ଭାଷାର ସ୍ଵରୂପ, ଐତିହ୍ୟ, ପରମ୍ପରା ଓ ଗୌରବମୟ ଇତିହାସକୁ ପ୍ରଚାର କରିବା ସହିତ ଗଣସଚେତନତା ସୃଷ୍ଟି କରିବାରେ ଯଥେଷ୍ଟ ନେତୃତ୍ୱ ଗ୍ରହଣ କରିଥିଲେ । ସମ୍ବାଦପତ୍ର ଓ ପତ୍ରପତ୍ରିକାମାନଙ୍କର ଏହି ଜାତୀୟ କାର୍ଯ୍ୟ ସମ୍ପାଦନ କରିବା କେତେ ଜରୁରୀ, ତାହା ଏଥିରୁ ହିଁ ପ୍ରମାଣିତ ।

 

ଓଡ଼ିଶାରେ ପ୍ରକାଶିତ ହେଉଥିବା ସମ୍ବାଦପତ୍ରଗୁଡ଼ିକର ଭାଷା ହେଉଛି ଓଡ଼ିଆ । ଅର୍ଥାତ୍ ଓଡ଼ିଆ ଭାଷା ହିଁ ଓଡ଼ିଶାରେ ପ୍ରକାଶିତ ସମ୍ବାଦପତ୍ରର ପ୍ରାଣସତ୍ତା । ଓଡ଼ିଆ ଭାଷା ଯଦି ଦୁର୍ବଳ ହେବ, ତେବେ ଓଡ଼ିଶାରେ ପ୍ରକାଶ ପାଉଥିବା ଓଡ଼ିଆ ସମ୍ବାଦପତ୍ରମାନଙ୍କ ଭବିଷ୍ୟତ ମଧ୍ୟ ଆଶଙ୍କାପୂର୍ଣ୍ଣ ହୋଇଯିବ । କାରଣ, ଭାଷାର ସ୍ଥିତି ହିଁ ସମ୍ବାଦପତ୍ର ଜୀବନ ନାଟିକା । ଏହି କଥାକୁ ସମ୍ବାଦପତ୍ରର କର୍ତ୍ତୃପକ୍ଷ ଭଲ ଭାବରେ ହୃଦୟଙ୍ଗମ କରିବା ଉଚିତ । ନଚେତ୍ ଓଡ଼ିଆ ସମ୍ବାଦପତ୍ରମାନଙ୍କର ଭବିଷ୍ୟତ ସଙ୍କଟମୟ ହୋଇପଡ଼ିବ । ଏଣୁ ସମ୍ବାଦପତ୍ରର କର୍ମକର୍ତ୍ତାମାନେ ଓଡ଼ିଆ ଭାଷାର ବିକାଶପାଇଁ ନିଷ୍ଠାପର ଉଦ୍ୟମ କରିବା ଆବଶ୍ୟକ । ଓଡ଼ିଆ ଭାଷାର ଅଭିବୃଦ୍ଧି ପାଇ ଓଡ଼ିଶାର ସମ୍ବାଦପତ୍ରମାନେ ସମ୍ମିଳିତ ଉଦ୍ୟମ ଆରମ୍ଭ କରନ୍ତୁ, ବିଧିବଦ୍ଧ ଖସଡ଼ା ପ୍ରସ୍ତୁତ କରନ୍ତୁ ଏବଂ ଜନସାଧାରଣଙ୍କୁ ଭାଷା ବିକାଶ ଆନ୍ଦୋଳନରେ ସମ୍ପୃକ୍ତ କରାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତୁ ।

 

 

ବିଜୟାନନ୍ଦ ସିଂହ

ସମ୍ପାଦକ

 

***

 

ତୁଳନାତ୍ମକ ସାହିତ୍ୟ – ପ୍ରସଙ୍ଗ

ଡକ୍ଟର ସନ୍ତୋଷ ତ୍ରିପାଠୀ

 

।। ଏକ ।।

 

ଭାଷା ଅଞ୍ଚଳର ଓ ଗୋଷ୍ଠୀର; ମାତ୍ର ଭାଷାର ନିର୍ଦ୍ଦିଷ୍ଟ ଅର୍ଥ ନିଷ୍ପତ୍ତିକର ସଂରଚନାକୁ ମାନି ନିର୍ମିତ ହୋଇଥିବା ସାହିତ୍ୟ ସକଳପ୍ରକାର ସ୍ଥାନୀୟତାକୁ ନେଇ ପୁନଶ୍ଚ ସ୍ଥାନୀୟ ଅସ୍ମିତାର ଅଭାସଗୁଡ଼ିକ ଡେଇଁ ନିଖିଳମାନବର ଚିରାୟତ ଭାବନାର ହୋଇଯାଏ । ଦେଶ, ଜାତି, ଗୋଷ୍ଠୀ, କାଳ, ପାତ୍ର, ବସ୍ତୁସତ୍ତା, ପ୍ରକୃତି, ଲୋକାଚାର, ଈଶ୍ୱର, ମାନବତ୍ୱ, ପ୍ରେମ, ଯୁଦ୍ଧ, କାରୁଣ୍ୟ ଓ ଚରିତାର୍ଥ- ଅଚରିତାର୍ଥ ବାସନାର ବୈଚିତ୍ର୍ୟକୁ ନେଇ ମହତମାନେ ଭାଷାଶୃଙ୍ଖଳାରୁ ମୁକ୍ତ ହୋଇ ଏକାଭଳି ଭାବନ୍ତି, ଅଭିନ୍ନତା ପ୍ରଦର୍ଶନ କରନ୍ତି, ସମଠାଣିରେ ପ୍ରସଙ୍ଗ ଗଢ଼ନ୍ତି- ଏ ପ୍ରକାର ନବନ୍ୟାୟିକ ବିଚାରବତ୍ତାକୁ ଆଧାର କରି, ବିଶ୍ୱସାହିତ୍ୟର ସମଭାଷିତା ତଥା ସାଧାରଣୀକିରଣ ମହିମାକୁ ଘେନାକରି ତୁଳନାତ୍ମକ ସାହିତ୍ୟର ଉନ୍ମେଷ ଓ ପ୍ରସାର ସାଧିତ ହୋଇଛି । ଅଲଗା ଅଲଗା ଭାଷାର ଲେଖକ ଓ ଲେଖା ଭିତରେ ସାଦୃଶ୍ୟ, ସମାବେଦନ ସ୍ପଷ୍ଟାସ୍ପଷ୍ଟ ହୋଇରହିଛି ଓ ପ୍ରତ୍ୟେକ ମଧ୍ୟରୁ ସର୍ବଜନୀନ ବିଶ୍ୱାସର ଆତ୍ମାକୁ ଅନୁସନ୍ଧାନ କରାଯାଇ ମାନବୀୟ ଚିନ୍ତାଧାରାର ସମରୂପତାକୁ ସ୍ୱୀକାର କରି ବିଶ୍ଵବ୍ୟାପୀ ଲିଖିତ ସାହିତ୍ୟକୁ ଗୋଟିଏ ମାତ୍ର ସାହିତ୍ୟ- ମାନବ- ସାହିତ୍ୟ ବିଶ୍ୱସାହିତ୍ୟ ରୂପେ ଦେଖିବା, ଲୋଡ଼ିବା ଓ ବିଚାରିବାର ଯଥାର୍ଥ୍ୟକୁ ତୁଳନାତ୍ମକ ସାହିତ୍ୟ ପରିଭାଷାରେ ଏବେ ସୁନିର୍ଦ୍ଦିଷ୍ଟ କରାଯାଉଛି ।

 

ଏକାଭଳିଆ ଉପାଦାନଟିଏ ପାଇଯାଇ ଏକାଧିକଙ୍କ ଭିତରେ ତୁଳନାତ୍ମକ ସାହିତ୍ୟ ନୁହେଁ-। ଦୁଇରୁ ଅଧିକ ଲେଖା ଓ ଲେଖକଙ୍କ ମଧ୍ୟରେ ପ୍ରଭାବ, ଅନୁକରଣ, ଉତ୍କର୍ଷ, ଅପକର୍ଷ, ସାଦୃଶ୍ୟ, ବୈସାଦୃଶ, ବାଛିବସିବା ତୁଳନାତ୍ମକ ସାହିତ୍ୟ ନୁହେଁ । ତୁଳନାତ୍ମକ ସାହିତ୍ୟର ଏସବୁ ଗୋଟିଏ ଗୋଟିଏ ପଠନ ଜନିତ ପ୍ରତିକ୍ରିୟା ଓ ତୁଲ୍ୟାକଳନଯୋଗ୍ୟ ଉପାୟ ମାତ୍ର । ତୁଳନାତ୍ମକ ସାହିତ୍ୟ ଏହାଠୁ ଅଧିକା । ଅଧିକାଟି ହେଉଛି- ସାହିତ୍ୟକୁ ବ୍ୟକ୍ତି- ଅଞ୍ଚଳ- ଧର୍ମ- ବ୍ୟବସ୍ଥା- ରାଜନୀତି-ଲୋକାଚାରର ପରିଧି ଭିତରେ ନ ଦେଖି ଏକପାଖିଆ ବିସାଦଣ୍ଡରେ ନ ମାପି ଉଦାର ପାଠକୀୟତା ଭିତ୍ତିରେ ସର୍ବୋତମୁଖୀଚେତନାର ଅଂଶଭାବରେ ସ୍ୱୀକାର କରି ପ୍ରସାରିତ ଜୀବନଶୈଳୀର ପ୍ରେରଣାଭାବେ ଗ୍ରହଣ କରିବା । ବିଶ୍ୱସାହିତ୍ୟର ଅମଳିନ ଦୃଷ୍ଟାନ୍ତ ଭାବରେ ତିଷ୍ଠି ପାରିଥିବା ବିଭିନ୍ନ ଭାଷାର ମହତ ଲେଖାରେ ଥିବା ସାବ୍ୟକାଳିକ ସତ୍ୟସର୍ବସ୍ଵ ସର୍ବୋତମୁଖୀ ଓ ବିଶ୍ୱତୋମୁଖୀ ଚେତନାର ସମାବେଦନ, ସମସୌନ୍ଦର୍ଯ୍ୟ ଓ ସମାନ ଭାବବୋଧକୁ ଏକପ୍ରକାରର ତୁଲ୍ୟଦେହୀ ନିଷ୍ପାଦନ ଭାବରେ ଦେଖାଇ ଦେବା ଓ ସକଳପ୍ରକାରର ଲେଖାରେ ତୁଲ୍ୟ କଳ୍ପନାର ହୋଇ ଶାଶ୍ୱତ ଆବେଗ ପରିପୂର୍ଣ୍ଣ ରହିଛି- ଏ ପ୍ରକାର ନିର୍ଣ୍ଣୟ କରିବା ହିଁ ତୁଳନାତ୍ମକ ସାହିତ୍ୟ । ତଥ୍ୟ, ପ୍ରସଙ୍ଗ, ଚରିତ୍ର, ଘଟଣା ଓ ଶୈଳୀ ସମାନ ରହିଛି- ଏ ପ୍ରକାର ଏକାଭଳିଆକୁ ସାଉଁଟି ଅଙ୍ଗୁଳି ଦେଖାଇ ଚିହ୍ନେଇ ବସିବା ମାନସିକତା ଦିଗରୁ ନୁହେଁ, ବରଂ ବିଶ୍ୱସାହିତ୍ୟ ଭଣ୍ଡାରର ମୂଲ୍ୟବାନ୍ ଓ ଭଲ ଗ୍ରନ୍ଥସମୂହକୁ ଏକକ ଭାବରେ ପଢ଼ି ତହିଁ ସବୁରୁ ଜୀବନଧର୍ମର ସମଭାଗିତା, ସହଭାଗିତା ଓ ସହଯୋଗିତାର ଉପାଦାନଗୁଡ଼ିକୁ ସମଗ୍ରତା ଦୃଷ୍ଟିରୁ କଳନା କରିବସିବାଦ୍ୱାରା ବିଶ୍ୱାତ୍ମକ ତୁଳନାତ୍ମକ ସାହିତ୍ୟଟିର ଅର୍ଥ ଓ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଉଠେ । ସବୁଲେଖା ଭିତରେ ମାନବ ନିୟତି ତିଷ୍ଠି ରହିଛି- ଏ ପ୍ରକାର ଏକ ସମରୂପାତ୍ମକ ବିଶ୍ୱରୂପରେ ସାହିତ୍ୟକୁ ମାନିନେବା ମାତ୍ରେ ହିଁ ତୁଳନାତ୍ମକ ସାହିତ୍ୟର ପରିଭାଷାଟି ସାର୍ଥକ ହୋଇଉଠେ । ବିଶ୍ୱ ଏକ ଓ ବିଶ୍ୱର ମାନବୀୟ ମୌଳଧାରଣାଗୁଡ଼ିକ ଏକପ୍ରକାର ଏବଂ ବିଶ୍ୱର ସତେଜ ପାରିପାର୍ଶ୍ୱିକତା ଓ ମଣିଷକୁ ଛାଡ଼ି ସାହିତ୍ୟ ନାହିଁ- ଏପରି ଭାବିବସିବା ମାତ୍ରେ ଅଖଣ୍ଡ ବିଶ୍ୱମାନବର ସାହିତ୍ୟ ପାଠଯୋଗ୍ୟ ହୋଇ ଉଭା ହୋଇଉଠେ । ସୁତରାଂ ପ୍ରତ୍ୟେକ ଲେଖା (ଭାଷା ଅଭିନ୍ନ ବା ଭିନ୍ନ ହୋଇପାରେ ) ତୁଲ୍ୟଦେହୀ; ତେଣୁ ସେମାନଙ୍କର ଭାବକ୍ରିୟା, ଅନ୍ତଃକ୍ରିୟା ଓ ପ୍ରକଟନଧର୍ମର କ୍ରିୟା ତୁଲ୍ୟକଳ୍ପୀ- ଏପରି ଏକ ସାହିତ୍ୟ ନିର୍ମାଣ ଓ ଅଧ୍ୟୟନ ହିଁ ‘ତୁଳନାତ୍ମକ ସାହିତ୍ୟ’ ପରିଚିତି ନେଇ ପ୍ରଭା ବିସ୍ତାର କରିଛି । ଉପନିବେଶବାଦୀ ମନୋଭାବର କ୍ରମବିଲୟ ଓ ବିଶ୍ୱଯୁଦ୍ଧଜନିତ ଭାବାତ୍ମକ ଅଭାବ ତଥା ଅଭାବିତ ଅବୁଝାମଣା ବିଂଶଶତକର ଚତୁର୍ଥ ଦଶକ ପରେ ପରେ ବିଶ୍ୱବ୍ୟାପୀ ଘନୀଭୂତ ହୋଇଉଠିଛି । ଆଞ୍ଚଳିକ ଲକ୍ଷଣାଶ୍ରିତ ଦେଶୀବୋଧର ସାହିତ୍ୟ ହେଉକି ଜାତୀୟ ସାହିତ୍ୟ ହେଉ, ଧାର୍ମିକ ସାହିତ୍ୟ ହେଉ କି ହେତୁବାଦୀ ସାହିତ୍ୟ ହେଉ, ପୂର୍ବ ଭୂଗୋଳର କି ପଶ୍ଚିମ ଭୂଗୋଳର ସାହିତ୍ୟ ହେଉ, ପରାଧୀନ ଭୂଭାଗର ଅଥବା ସଶକ୍ତ ଭୂଭାଗର ସାହିତ୍ୟ ହେଉ- ଉତ୍ତମ ସାହିତ୍ୟ ସାଧାରଣ ପ୍ରକୃତି, ସତ୍ୟ ଓ ସୁନ୍ଦରର ରୂପ ଦେଇଥାଏ । ତେଣୁ ପ୍ରତ୍ୟେକ ଭଲ ଲେଖା ତୁଲ୍ୟଦେହୀ ।

 

୧୯୦୩ରେ କ୍ରୋଚେ ତୁଳନାତ୍ମକ ସାହିତ୍ୟକୁ ପ୍ରଭାବସୂତ୍ରୀ, ଅଣବିଷୟୀ ଓ ପ୍ରଶଂସାର ଭେଦକାରୀ କହି ଏହାର ଭୂମିକାକୁ ନାପସନ୍ଦ କରିଥିଲେ । ମାତ୍ର ଆମେରିକୀୟ ତୁଳନାଶାସ୍ତ୍ରୀ ମାର୍କସ ଗେଲେ ଦର୍ଶାଇଲେ । ମହାନ୍ ଲେଖକଙ୍କ ଜୈବିକ ଶକ୍ତି ଧରି ରଖିଥିବା ବିଶ୍ୱମାନବର ଐକ୍ୟଙ୍କୁ ଅନୁସନ୍ଧାନ କରି ସମସ୍ତଙ୍କ ପାଖରେ ଈର୍ଷାହୀନ ଭାବରେ ଉଭାକରାଇ ଦେବା ହିଁ ତୁଳନାତ୍ମକ ସାହିତ୍ୟର ମୁଖ୍ୟ ଭୂମିକା । ଏହା ଗୋଷ୍ଠୀବାଦୀ ସାହିତ୍ୟର ସଂକୀର୍ଣ୍ଣ ପରିଧିକୁ ଭାଙ୍ଗିଦେଲା । ୧୯୭୪ରେ ଏହି କଥାକୁ ପ୍ରସାରିତ ରୂପଦେବକୁ ଯାଇ ଫ୍ରାଙ୍କୋସ୍ ଜୋଷ୍ଟ ତୁଳନାତ୍ମକ ସାହିତ୍ୟ ଏକାଧିକ ସାହିତ୍ୟର ସମାଜିକ ପଠନଦ୍ୱାରା ପ୍ରତୀକିତ ବିଶ୍ୱ-ମାନବତାବୋଧର ନମୁନା ବୋଲି ଅଭିହିତ କଲେ ।

 

କାରୀ, ରେନେୱେଲକ, ଏଚ୍.ଏଚ୍.ଏଚ୍ ରିମାକ୍ ଓ ଏନ.ଗୁହଙ୍କ ବିଚାର ଆନ୍ତର୍ଜାତିକ ତୁଳନାତ୍ମକ ସାହିତ୍ୟ ସଙ୍ଗଠନ, ଆଇ.ସି.ଏଲ୍.ଏ ପୃଷ୍ଟଭୂମିରେ ତୁଳନାତ୍ମକ ସାହିତ୍ୟକୁ ଏକ ସମୀକ୍ଷା ପଦ୍ଧତି ଭାବରେ ବିଚାର କରାନଯାଇ ବିଶ୍ୱବିଶ୍ୱାସ ଓ ବିଶ୍ୱମାନବୀୟ ଚେତନା ଦୃଷ୍ଟିର ପଠନ ଜନିତ ଉପଲବ୍ଧି ରୂପେ ଗ୍ରହଣ କରାଗଲା । ବିଶ୍ୱସ୍ତରରେ ଆନ୍ତଃସାଂସ୍କୃତିକ ସହ ବନ୍ଧନ ଓ ସହସମ୍ପର୍କ ନିର୍ମାଣ କ୍ଷେତ୍ରରେ ତୁଳନାତ୍ମକ ସାହିତ୍ୟକୁ ଏକ ଉପକାରକ ବ୍ୟାପାର ଓ ମାଧ୍ୟମ ରୂପେ ବିନିଯୋଗ କରାଗଲା ।

 

୧୭୮୯ ମସିହାରେ କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳଂକୁ ଇଂରାଜୀରେ ଅନୁବାଦ କରାଗଲା । ଏହାକୁ ଅନୁଧ୍ୟାନ କରି ଉଇଲିୟମ୍ ଜୋନ୍ସ ପ୍ରତିପାଦନ କଲେ – ‘ଭଲ ଲେଖାର ଭାବ ଆନ୍ତଃଭୂଖଣ୍ଡୀୟ ସୀମାକୁ ଡେଇଁ ପାରିଥାଏ । ଭାରତର କାଳିଦାସଙ୍କୁ ସେକ୍ସପିୟରଙ୍କ ଭଳି ବିଚାର କରାଯାଇପାରେ । ଅପରପକ୍ଷରେ ଜର୍ମାନ କବି ଗୋଥେ ‘ୱାଲତ ଲିତେରାତୁ’ ଶବ୍ଦଟିକୁ କାଳିଦାସଙ୍କ କବିତ୍ୱ କଳନା ଭିତ୍ତିରେ ଅନୁଭବ କରି ଉପସ୍ଥାପନ କଲେ । ୱାଲତ ଲିତେରାତୁ ପାରିଭାଷିକ ଶବ୍ଦଭିତରେ ସତ୍ୟଟିଏ ଉଙ୍କିମାରିଲା ଭଲ ରଚନା ସକଳ ବିଶ୍ୱମଣିଷର ଅନୁଭବ ଓ ସମ୍ପତ୍ତି । ୧୮୪୮ରେ ଏକ ପତ୍ରରେ ମାଥ୍ୟୁ ଆରନୋଲଡ ତୁଳନାତ୍ମକ ସାହିତ୍ୟ (କଂପାରେଟିଭ୍ ଲିଟେରଚର) ଶବ୍ଦଟି ପ୍ରଥମେ ବ୍ୟବହାର କରି ସିଦ୍ଧାନ୍ତଟିଏ ସାହିତ୍ୟ ଚେତନାର ଖେତରେ ଏହିପରି ରୋପଣ କଲେ- ବିଶ୍ୱବ୍ୟାପୀ ମାନବମନ ଓ ମାନବୀୟ ଧାରଣା ଏକ ଅନୁରୂପକତା ଭିତରେ ସୁ-ସମ୍ବନ୍ଧିତ ହୋଇ ରହିଛି । ତୁଳନାତ୍ମକ ସାହିତ୍ୟ ଜଣେଇପାରିଛି ନାନାଭିନ୍ନତା ସତ୍ତ୍ୱେ ପୃଥିବୀର ମଣିଷମାନଙ୍କ ଭିତରେ ସାମ୍ୟ ସହଜ ଲକ୍ଷ୍ୟଣୀୟ ।

 

୧୯୦୬ ଓ ୧୯୦୭- ଏହି ଦୁଇଟି ମସିହା ଭାରତୀୟ ସାରସ୍ଵତ ଚେତନା ଓ ବିଶ୍ୱତୁଳନାତ୍ମକ ସାହିତ୍ୟ ନିମନ୍ତେ ଖୁବ୍ ସ୍ମରଣୀୟ । ୧୯୦୬ରେ ଯାଦବପୁରଠାରେ ଜାତୀୟଶିକ୍ଷା ପରିଷଦରେ ରବୀନ୍ଦ୍ରନାଥ ଠାକୁର ଅଭିଭାଷଣ ଛଳରେ ବିଶ୍ୱସାହିତ୍ୟ ପ୍ରସଙ୍ଗ ଉତ୍ଥାପନ କଲେ । ତାଙ୍କ ବିଚାରରେ ବିଶ୍ୱସାହିତ୍ୟର ବିତର୍କ ଓ ମହତ୍ତ୍ୱ ଚାରୋଟି ଦିଗ ଉପରେ ପ୍ରତିଷ୍ଠିତ । ଯଥା-

 

୧.

ସାହିତ୍ୟ ପଢ଼ିବାବେଳେ, ବିଚାରିବାବେଳେ ଓ ଘେନିବାବେଳେ ସଂକୀର୍ଣ୍ଣ ପ୍ରାଦେଶିକତା ଓ ଜାତୀୟତାର ବାଡ଼କୁ ଡେଇଁବାକୁ ହେବ ।

୨.

ଗୋଟିଏ ନିର୍ଦ୍ଦିଷ୍ଟ ଜାତୀୟତାର ପରିଧିରୁ ସାରତ୍ୱ ଗ୍ରହଣ କରି ଥିଲେବି ସଫଳ ସାହିତ୍ୟ ସୃଷ୍ଟିରେ ସମଗ୍ର ମାନବଜାତିର ସ୍ପନ୍ଦନକୁ ସମଗ୍ର ରୂପେ ଦେଖିବାକୁ ହେବ ।

୩.

ଉତ୍ତମ ଓ ବଳିଷ୍ଠ ସାହିତ୍ୟକୃତିରେ ଲେଖକର ସୃଜନୀଶକ୍ତି ସାର୍ବଜନୀନ ସତ୍ୟ, ବିଶ୍ୱାସ, ପ୍ରବୃତ୍ତିକୁ, ଅଭିବ୍ୟକ୍ତ କରିଥାଏ ।

୪.

ଯେଉଁଥିରେ ସମଗ୍ର ମାନବଜାତିର ସାର୍ବଜନୀନ ସୃଜନୀଶକ୍ତିର ପ୍ରତିଫଳନ ଘଟିଛି ସେହି ସାହିତ୍ୟ ସୃଷ୍ଟିଟି କୌଣସି ଭାଷା, ଲେଖକ ବା ଗୋଷ୍ଠୀର ସାହିତ୍ୟ ନୁହେଁ ତାହା ବିଶ୍ୱସାହିତ୍ୟ ।

 

୧୯୦୭ରେ ବିଶ୍ୱସାହିତ୍ୟର ଭାବନାଟି ଅଧିକ ସ୍ଵଚ୍ଛ ଓ ବିତର୍କରହିତ ସିଦ୍ଧାନ୍ତ ଭାବରେ ପ୍ରସାର ଲାଭ କରିଛି । ରବିନ୍ଦ୍ରନାଥ ଉତ୍ତମ ସାହିତ୍ୟରେ ବିଶ୍ୱମାନବର ସାଂସ୍କୃତିକ ସମରୂପତାକୁ ଅନୁଭବ କରିହୁଏ- ଏପରି ଏକ ଦୃଢ଼ବିଶ୍ୱାସ ସ୍ଥାପନ କରିଛନ୍ତି । ବିଶ୍ୱର ଯେକୌଣସି ଭାଷାର ସାହିତ୍ୟର ତୁଳନାତ୍ମକ ସମରୂପତାକୁ ଅଧ୍ୟୟନ କ୍ରମେ ଦେଖିବାଟାକୁ ସେ ତୁଳନାତ୍ମକ ସାହିତ୍ୟ ଭାବେ ବିଚାରି ବସିଛନ୍ତି । ଏହାଦ୍ୱାରା ବିବିଧ ଭାଷା, ଧର୍ମ, ବିଚାରକୁ ନେଇ ବହୁଭାଗୀ ହୋଇ ରହିଥିବା ଭାରତର ମାନବଜ୍ଞାନ ଓ ଉପଲବ୍ଧିରେ ଏକ୍ୟରୂପତାକୁ ଦେଖିବା ଉପରେ ଗୁରୁତ୍ୱ ବଢ଼ିଲା-। ସାହିତ୍ୟ ପଠନ ସଂକୀର୍ଣ୍ଣ ସ୍ଥାନୀୟତା ଠାରୁ ବିଚ୍ଛିନ୍ନ ହୋଇଗଲା ଓ ନିଖିଳ ମାନବର ଆନନ୍ଦମୟ ଭାବସତ୍ତା ଓ ଦରଦୀ ଆତ୍ମସତ୍ତା ସହିତ ସଂଯୁକ୍ତ ହୋଇଗଲା ।

 

ତୁଳନାତ୍ମକ ସାହିତ୍ୟ- ଶାସ୍ତ୍ରୀ ଇନ୍ଦ୍ରନାଥ ଚୌଧୁରୀ ଏହି ସାରସ୍ଵତ ବିମର୍ଶଟିକୁ ଅଧିକ ବିତର୍କଯୋଗ୍ୟ କରି ଦେଇ ସାହିତ୍ୟର ମୂଲ୍ୟାୟନ ଅପେକ୍ଷା ଏହାର ବିଶ୍ୱାୟିତ ପଠନ ଓ ବୋଧନ ଉପରେ ଗୁରୁତ୍ୱପ୍ରଦାନ କରିଛନ୍ତି । ତାଙ୍କ ମତରେ ଭାରତର ଯେତେ ମହାନ ଗ୍ରନ୍ଥଗୁଡ଼ିକ ବିଶ୍ୱପାଠକ ପ୍ରୀତିରଞ୍ଜକ ହୋଇପାରିଛି । ତାହା କେବଳ ସେସବୁରେ ଥିବା ମାନବୀୟ ଅଭିପ୍ସାର ସାର୍ବକାଳିକ ଓ ସର୍ବସ୍ତରୀୟ ସାର୍ଥକ ରୂପାୟତା ହେତୁ ସମ୍ଭବ ହୋଇପାରିଛି (କମ୍ପାରେଟିଭ୍ ଇଣ୍ଡିୟାନ ଲିଟେରଚର ସମ୍ ପରସ୍ପେକ୍ଟିଭସ- ପୃ-୩୩- ୪୯ ପଠନ ଦ୍ରଷ୍ଟବ୍ୟ) । ସାହିତ୍ୟ ସାହିତ୍ୟ ଓ ଲେଖକ-ଲେଖକ ମଧ୍ୟରେ ଐତିହାସିକ (ସମୟ, କ୍ଷମତା, ଶାସନ), ସାମାଜିକ (ସାଂସ୍କୃତିକ ବିଚାର ବୋଧର ବିବିଧ ଅଙ୍ଗ) କଳାତ୍ମକ (ଶୈଳୀ, ସଂରଚନାତ୍ମକ ସାଦୃଶ୍ୟ, ରୂପୟତାର ସମାନ୍ତରାଳ ଭାଷିକ ବ୍ୟବସ୍ଥା ଇତ୍ୟାଦି) ଦିଗରୁ ସାହିତ୍ୟ-ସାହିତ୍ୟ ଭିତରେ ତୁଳନା କରିବା ଅର୍ଥ ଲେଖାଲେଖା ଭିତରେ ଥିବା ସାମଞ୍ଜସ୍ୟ ଓ ସମାବେଦନଙ୍କୁ ପାଠ କରି ତାହା ବିଷୟରେ କେବଳ ମାନବ ସାହିତ୍ୟ ରୂପେ ରାୟ ବା ସିଦ୍ଧାନ୍ତ ଦେଇ ବସିବା । ଏହାଦ୍ୱାରା ଗୋଟିଏ କଥା ଘେନିବା ଯୋଗ୍ୟ ହୋଇଥାଏ । ମୋର ରଚନା, ତୁମର ରଚନା ଏବଂ ତାଙ୍କ ରଚନା-ଏମିତି ମାପକାଠିରେ ସାହିତ୍ୟକୁ ମନାଯାଏ ନାହିଁ । ସାହିତ୍ୟକୁ ବିଶ୍ୱମାନବର ଛାୟା ରୂପରେ ଦେଖି ହୋଇଯାଏ (ରବୀନ୍ଦ୍ରନାଥ) । ଏପରି ଦେଖିବାଟା ହିଁ ତୁଳନାତ୍ମକ ସାହିତ୍ୟ । ‘ରାମାୟଣ’ ସମ୍ପର୍କରେ ମତ ଦେଉ ଦେଉ ବିଶ୍ୱକବି ରବୀନ୍ଦ୍ରନାଥ ଆଦିକବି ବାଲ୍ମୀକିଙ୍କ ସର୍ଜନଶୀଳ ସାମର୍ଥ୍ୟ ବିଷୟରେ କହୁଛନ୍ତି ମହାକବି ବାଲ୍ମୀକିମାନେ ଆପଣାର ଅଭିଜ୍ଞତା ଭିତରେ ବିଶ୍ୱମାନବର ଚିରନ୍ତର ହୃଦୟାବେଗକୁ ବଜାଇ ଦେଇଥା’ନ୍ତି । ତାଙ୍କ ବାଜଣାଟିରେ ମାନବର ଶାଶ୍ୱତ ଜୀବନର ଉପାଦାନ ଭରି ରହିଥାଏ ।’

 

ଗଦ୍ୟ, ପଦ୍ୟ, ସମୀକ୍ଷା, ବିଚାର, ତଥ୍ୟ; ବିଷୟ ଉର୍ଦ୍ଧ୍ୱରେ ଭଲ ସାହିତ୍ୟ ମଣିଷର ସାହିତ୍ୟ-। ଭାରତୀୟ ବିଚାରଧାରାରେ ପ୍ରଥମେ ରବିନ୍ଦ୍ରନାଥ ବୁଝି ବୁଝାଇ ଦେଇଥିଲେ ଭଲ ସାହିତ୍ୟର ଭାଷା ନାହିଁ, ସମୟ- ସ୍ଥାନ-ବ୍ୟକ୍ତିର ସମ୍ପୃକ୍ତି ନାହିଁ ସକଳ ସୀମାକୁ ଟପି ତାହା କେବଳ ସନାତନୀ ସତ୍ୟ ଓ ସୁନ୍ଦରର କଥା କହିଥାଏ । ପୃଥିବୀ ଓ ଆକାଶର କଥାକୁ ବଖାଣିଥାଏ । ଇଲିୟଟଙ୍କ ଭାଷାରେ ଭଲ ଲେଖାରେ ବ୍ୟକ୍ତିଟିଏ ଥାଏ; ମାତ୍ର ତାହାର ଅନୁଭବ ତା’ଠୁ ବିଚ୍ୟୁତ ହୋଇ ବ୍ୟକ୍ତି ନିରପେକ୍ଷ ସାର୍ବସ୍ତରୀୟ ମଣିଷର ହୋଇଥାଏ । ମାଥ୍ୟୁ ଆର୍ନୋଲଡ଼୍ ମଧ୍ୟ ଅନୁରୂପ ଅନୁଭବ ସହିତ ସମ୍ପୃକ୍ତ ତାଙ୍କ ମତରେ ଜୀବନକୁ ନେଇ ସାହିତ୍ୟ ନୂଆରୂପରେ ଲେଖି ହୋଇଯାଇଥିଲେ ତାହା ଯେକୌଣସି କାଳର ମଣିଷର ହୃଦୟର ସମପ୍ରକାର ଭାବାଂଶ ସହିତ ସୂତ୍ରାୟିତ ହୋଇ ଛନ୍ଦି ହୋଇଯାଏ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ- ବିଶ୍ୱର ପ୍ରଭାବଶାଳୀ ଆବେଦନର ସାହିତ୍ୟକୃତିଗୁଡ଼ିକ ସୂକ୍ଷ୍ମରୂପରେ ସାର୍ବକାଳିକ ମଣିଷର ସ୍ପନ୍ଦନକୁ ହିଁ ଚିତ୍ରିଥାଏ । ଗୋଟିଏ କାଳରେ ହୁଏତ ଲେଖାଟି ଲେଖାଯାଇଥାଏ । ଲେଖାଟିରେ ଲେଖକ ନିଜର ସମକାଳ ଓ ପୂର୍ବକାଳର ଅନୁଭୂତିକୁ ବିତରି ଥାଇପାରନ୍ତି । ମାତ୍ର ତହିଁରେ ଏମିତି ସତ୍ୟଟିଏ ସୂକ୍ଷ୍ମାତିସୂକ୍ଷ୍ମ ହୋଇ ରହିଥାଏ ଯେ ତାହା ପରବର୍ତ୍ତୀ କାଳର ପାଠକର ଚିତ୍ତଭୂମିକୁ ସଦ୍ୟତମ ଆବେଦନରେ ଉର୍ବରା କରିଦିଏ । ଏ କାରଣରୁ ଏବେବି ଇଲିୟାର୍ଡ଼, ଅଡ଼ିଶୀ, ଡିଭାଇନ କମେଡ଼ି, ରାମାୟଣ, ମହାଭାରତ ଭାଗବତ ନବାର୍ଥରେ ଓ ନବନ୍ୟାୟିକା ଦୃଷ୍ଟିରେ ବିଘଟିତ ହୋଇଚାଲିଛି । ପାଠକକୁ ଦେଶକାଳର ବ୍ୟବଧାନ ଉର୍ଦ୍ଧ୍ୱରେ ତୁଳନାତ୍ମକ ପଦ୍ଧତିରେ ଅତୀତ ସାହିତ୍ୟରୁ ନିଜର ବର୍ତ୍ତମାନ ବିଶ୍ୱାସପାଇଁ ଦୃଷ୍ଟାନ୍ତ ଖୋଜି ସମଭଙ୍ଗୀରେ ମିଶାଇ ଆପଣାକୁ ଚିହ୍ନିବାକୁ ଅନୁପ୍ରେରିତ କରୁଛି । ତୁଳନାତ୍ମକ ସାହିତ୍ୟ ଏ ସହବୋଧକୁ ଆକଳନ କରିବାର ଏକ ମାଧ୍ୟମ ଓ ପଦ୍ଧତି ।

 

॥ ଦୁଇ ॥

 

୧୯୬୦ରେ ମସ୍କୋଠାରେ ଆୟୋଜିତ ଆଇ.ସି.ଏଲ୍.ଏର ବିଶେଷ ଅଧିବେଶନ ପୂର୍ବରୁ ଚାପେଲ ହିଲରଙ୍କ ଅଭିମତକୁ (ପ୍ରତ୍ୟେକ ଗଣବୋଧୀ ଲେଖା ଲେଖକର ଜୀବନାନୁଭୂତି ଓ ଅନ୍ୟାନ୍ୟ ପ୍ରତିକ୍ରିୟା ସହିତ ସେ ପଡ଼ିଥିବା ପୂର୍ବର ବହୁକୃତି ସହିତ ଜଡ଼ିତ । ତାହାକୁ ଖୋଜି ବିଚାର କରିବା ତୁଳନାତ୍ମକ ସାହିତ୍ୟର ଉଦ୍ଦେଶ୍ୟ) ଅସ୍ୱୀକାର କରି ଆର୍.ଏମ୍.ସେମାରିନ୍ ବନ୍ଧୁ ଏନ୍. ପୋଟୋଏଭାଙ୍କୁ ଚିଠିରେ ଲେଖିଥିଲେ- “ପଢ଼ିଲାଭଳି ସାହିତ୍ୟ ସବୁକାଳର ମଣିଷପାଇଁ ମାନବୀୟ ଆଚରଣଗତ ଅଭିଳାଷ, ଐଶ୍ୱର୍ଯ୍ୟ ଓ ଆନନ୍ଦକୁ କଦାପି ଲଙ୍ଘନ କରି ନ ଥାଏ । ମଣିଷର ମହିମାବୋଧକୁ ପରଖି ଗ୍ରହଣ କରିନେବାକୁ ତହିଁରୁ ବେଶ୍ ଉପାଦାନ ସବୁଶ୍ରେଣୀର ସବୁସ୍ତରର ପାଠକକୁ ମିଳିଥାଏ । କେବଳ ଭାଷାର ପାଚେରିଟିକୁ ଭାଙ୍ଗି ଦେବାର ଅଛି ।” ଏଥିରୁ ଗୋଟିଏ କଥା ବାରିହୋଇ ପଡ଼େ ଯେ ସର୍ବଦେଶ ଓ ସର୍ବକାଳର ଶ୍ରେଷ୍ଠ କବି ଓ ଲେଖକଙ୍କ ମଧ୍ୟରେ ଜୀବନ-ଜଗତ, ପ୍ରକୃତି-ରହସ୍ୟ ସମ୍ବନ୍ଧୀୟ ପ୍ରାଣରସ ପ୍ରାୟେ ସାଦୃଶ୍ୟଧର୍ମରେ ଆକୃତି ପାଇଥାଏ । ତୁଳନାତ୍ମକ ସାହିତ୍ୟଶାସ୍ତ୍ରୀ ଏଚ୍.ଏମ୍. ପୋସନେଟ୍ ମଣିଷକୁ ମର୍ଯ୍ୟାଦା ଦେଉଥିବା ଦିଗରୁ ସେକ୍ସପିୟର, ଦସ୍ତୋଭସ୍କି, ମାୟକୋଭସ୍କି, ଟଲଷ୍ଟୟ, ବର୍ଣ୍ଣାଡ଼, ଜୟେସ୍, ମାଲାର୍ମେ, ହୁଇଟମାନ୍..... ଏପରି ନିତ୍ୟକାଳିକ ଲେଖକମାନଙ୍କୁ ଏକାଠି ମିଳାଇ ପଢ଼ିଲେ ବିଶ୍ୱର ପୁର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ ମେରୁ ଭିତ୍ତିକ ଭୂଗୋଳର ଯେକୌଣସି ପାଠକର ହୃଦୟ ଖୋଲିଯାଏ ଓ ସାରାଜଗତଟା ଏକାପ୍ରକାର ଦୃଶ୍ୟରେ ସେଠି ମିଶିଯାଆନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଯାହା ଯାହା କଳ୍ପନା, ଅତିକଳ୍ପନାରେ ଲେଖି ବସିଲେବି ଭଲ ଲେଖକର ଶବ୍ଦ ସଜାଣରେ ତାହା ତାହା ଆସି କେବଳ ମଣିଷ ପାଖରେ ଠପ୍ କିନା ଅଟକିଯାଏ । ଆମ ଭାରତୀୟ ମହାଭାବର ଶାବ୍ଦିକ ଭାଷ୍ୟକାର ରବୀନ୍ଦ୍ରଙ୍କ ଭାଷାରେ- “ବିଶ୍ୱବ୍ୟାପି ଭଲ ସାହିତ୍ୟକୁ ଲୋଡ଼ିବସିଲେ ଦେଖାଯିବ ସର୍ବତ୍ର ମହାମାନବର ଆକର୍ଷଣ ଭରି ରହିଛି ।” ଏ ଦିଗରୁ ତୁଳନାତ୍ମକ ସାହିତ୍ୟ ଦୁଇ-ଚାରିଜଣ ଲେଖକ ଓ ଲେଖାଙ୍କୁ ମିଶାଇ ତହିଁରେ କେତେ କ’ଣ ମିଶିପାରୁଛି ତାଙ୍କୁ ଠାବ କରିବାର ଏକ ଆଲୋଚନାତ୍ମକ ପ୍ରକ୍ରିୟା ନୁହେଁ; ବରଂ ଏକ ବୃହତ୍ତର ପରିମଣ୍ଡଳର ସମ ଆବେଦନର ଅଂଶ ରୂପେ ସାହିତ୍ୟଗୁଡ଼ିକ ମଧ୍ୟରେ ଛପି ରହିଥିବା ସମ-ଭାବକୁ ନିର୍ବିରୋଧ ଦେଖିଦେଖାଇ ବସିବା ହେଉଛି ତୁଳନାତ୍ମକ ସାହିତ୍ୟର ବୈଶିଷ୍ଟ୍ୟ । ରବୀନ୍ଦ୍ରନାଥ ସାହିତ୍ୟ ମାଧ୍ୟମରେ ବୃହତ୍ତର ପୃଥିବୀ ମଧ୍ୟକୁ ଏକ ତୀର୍ଥଯାତ୍ରା କରିବା ଭଳି ସର୍ଜନଶୀଳ ହେବା ଅବସ୍ଥାରେ ଅନୁଭବ କରୁଥିଲେ । (୧) ରବୀନ୍ଦ୍ରଙ୍କ ସମକାଳରେ ଟଲଷ୍ଟୟ ଲେଖିବା କାର୍ଯ୍ୟକୁ ନିଖିଳ ମାନବ ଆତ୍ମାର ଆହ୍ୱାନ ଭାବରେ ପ୍ରକାଶ କରିଥିଲେ । ମଣିଷର ଚେତନା କୌଣସି ଜାତିର କି ସଂସ୍କୃତିର ଏକଚାଟିଆ ପ୍ରସଙ୍ଗ କେବେ ନୁହେଁ- ଏହା ନିଖିଳର । ଅନୁରୂପ ଭାବରେ ନିଜର ପ୍ରସିଦ୍ଧ ନୋବେଲ ବକ୍ତବ୍ୟରେ ରବୀନ୍ଦ୍ର ଉଲ୍ଲେଖ କରିଥିଲେ- “ସାହିତ୍ୟ ଭିତରେ ଥିବା ଭାବ ଓ ସମସ୍ୟା କୌଣସି ବ୍ୟକ୍ତି ଲେଖକର ବା ତା’ଜାତି ଓ ତା’ ସମକାଳର ନୁହେଁ । ତାହା ସମଗ୍ର ମାନବ ଜାତିର । x x x ଏମିତି ଭାବନା ଭରି ରହିଥିବା ଅନେକ ଅମୂଲ୍ୟଗ୍ରନ୍ଥ ଆମେ ବିଶ୍ୱମଣିଷ ଆମର ପୂର୍ବପୁରୁଷଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଛୁ । ତାଙ୍କୁ ଏବେ ଆମ ଅନୁସାରେ ଲେଖୁଛୁ ।” (୨)

 

ରବୀନ୍ଦ୍ରନାଥଙ୍କ ଏହି ଭାବନାଟି ମିଶି ଯାଉଛି ଭାରତୀୟ ତୁଲ୍ୟକଳ୍ପୀ ସାହିତ୍ୟଶାସ୍ତ୍ରୀ, ଭାମହ, ଦଣ୍ଡୀ ଓ ସର୍ବୋପରି ଆଚାର୍ଯ୍ୟ ଆନନ୍ଦବର୍ଦ୍ଧନ ଓ ତାଙ୍କ ପ୍ରଶିଷ୍ୟ ରାଜଶେଖରଙ୍କ ସହିତ । ଏ ଉଭୟ ଘେନନ୍ତି ଯେ- ସାହିତ୍ୟ ଅଖଣ୍ଡ ଓ ନିରନ୍ତର ସ୍ରୋତର ନମୁନା ଓ ତହିଁରେ ମାନବୀୟ ଲୀଳାରାଜି ନୂଆ ନୂଆ ଭଳିକାରେ ଭାସି ଚାଲିଛନ୍ତି । ଲେଖିବାର ତରିକା, ଶାବ୍ଦିକ ସଜାଣ ଓ ପ୍ରକାଶନୀୟ ଭଙ୍ଗୀ ଅଲଗା; ମାତ୍ର ପ୍ରତିଭାର ସଞ୍ଚାର ବିଳାସ ଓ ସତ୍ୟାଙ୍କନ ଦାୟିତ୍ୱ ଏକା ପ୍ରକାରର-। ଏ ପ୍ରକାରଟି ହେଉଛି- ବ୍ୟକ୍ତିଜୀବନ ସହିତ ଲୋକ ଜୀବନର ସଂଯୋଗକରଣ ।

 

ସବୁଯୁଗର ଲୋକଭାବନା ଏକସୂତ୍ରୀୟ- ଏକଥାଟିକୁ ମାନିଥିବା ଲେଖକ ତା’ର ବ୍ୟୁତ୍ପତ୍ତିଗତ ପାଣ୍ଡିତ୍ୟ ବଳରେ ଅତୀତର ମହାଗ୍ରନ୍ଥଙ୍କ ସହିତ ବନ୍ଧୁତା କରିଥାଏ । ଏହାର ଅନ୍ୟତମ ଭାବକରଣ ପାଇଁ ବହୁଦର୍ଶିତାର ସାମର୍ଥ୍ୟ ଯୋଗାଣ । ଅତୀତ ସାହିତ୍ୟରୁ ନୂଆଯୁଗର ପ୍ରତିଭାଟି ଏ ସାମର୍ଥ୍ୟକୁ ପ୍ରଖର କରିବା ପାଇଁ ଜୀବରସ ସଂଗ୍ରହ କରି ସେବନ କରିଥାଏ । ତୁଳନାତ୍ମକ ବିଚାର ବୁଝେଇଦିଏ ଯେ ବିଶ୍ୱର ମହାପ୍ରତିଭାଧରଙ୍କ ଲେଖାର ନବୟନୀକରଣ ହିଁ ଘଟିଚାଲିଛି । ବର୍ତ୍ତମାନର ଅଗ୍ରସଂଚାରୀ ସର୍ଜନଶକ୍ତିର ଦୃଷ୍ଟିଭଙ୍ଗୀ, ଅନୁଚିନ୍ତା ଓ ବିଭାବନଶୀଳ ବାଚନିକତା ଭିତରେ ଅତୀତର ବହୁ ଲେଖା ଓ ଲେଖକଙ୍କ ଆଶିଷ ଓ ବିଭୂତି ଲେସି ହୋଇରହିଛି । ସଗୋତ୍ରୀ ଅଥବା ଭିନ୍ନଗୋତ୍ରୀ ଯେକୌଣସି ଭାଷାର ପୂର୍ବସୂରୀଙ୍କ ଲେଖାକୁ ପଢ଼ି, ମାନି, ବୋଧି ତହିଁରୁ ଇଙ୍ଗିତ ଆଣି ନିଜମତେ ସ୍ଵୀକରଣ କରିବାକୁ ପ୍ରାଚ୍ୟ ସାହିତ୍ୟଶାସ୍ତ୍ରୀ ଏ ସମ୍ବାଦ ଭାବରେ ବିବେଚନା କରିଛନ୍ତି । ଜଣଙ୍କ ଲେଖାରେ ଅନ୍ୟଜଣଙ୍କର କଥାର ସାଦୃଶ୍ୟ ବୃତ୍ତି ଘଟିଲେ ତାହା ପ୍ରତିବିମ୍ବାତ୍ମକ ପ୍ରଭାବସୂତ୍ରୀ ସର୍ଜନଶୀଳତା ହୋଇଯାଏ । ବର୍ତ୍ତମାନ ଲେଖାରେ ପୂର୍ବଲେଖାର ଛାୟା ସମଧିକ ଥିଲେ ତାହା ‘ପ୍ରଭାବ’ ହୁଏ ଏବଂ ପୂର୍ବଲେଖାର ଛାୟାକୁ ଆଣି ବର୍ତ୍ତମାନର ଲେଖକ ନିଜ ତରିକାରେ ନିଜ ଦେଶକାଳ ପାତ୍ରାନୁସାରେ ରୂପାୟତା ତାହା ‘ସାଦୃଶ୍ୟ’ ସମ୍ବାଦ ଭାବେ ବିବେଚିତ ହୁଏ । (୩) ଏ କ୍ଷେତ୍ରରେ ଆହରଣକାରୀ ଲେଖକୀୟତା ନିଜର ଦୃଢ଼ ନବୀକରଣ ସାମର୍ଥ୍ୟକୁ ଖଟେଇ ପୁରୁଣାଙ୍କୁ ନେଇ ନବାୟନୀ କରିଥାଏ । ନିଜ ସମୟ ଓ ବିଚାର ଭାଗ-ମାପ ଅନୁସାରେ ଆଣିଥିବା ଯୋଜନାରେ ନୂଆ ପରିପାଟର ସ୍ଵାଦିଷ୍ଟ ବ୍ୟଞ୍ଜନ ପରଶି ପାରିଥାଏ । ସ୍ୱାଦଗ୍ରହଣକାରୀ ସହୃଦୟ ତହିଁରୁ ପୁରୁଣାକୁ ନୁହେଁ, ବରଂ ପୁରୁଣା ଭଳି ଭିନ୍ନପ୍ରକାର ନୂଆ ମାଧୁର୍ଯ୍ୟଙ୍କୁ ଭୋଗ କରିଥାଏ । ଏଠାରେ ସଂଗ୍ରହ ଜନିତ ଉପାଦାନ ନୂତନ ମୌଳିକତାର ମହିମାରେ ଝଲସି ଉଠେ । ବାଲ୍ମୀକି କାଳିଦାସ ଓ କାଳିଦାସ ଗଙ୍ଗାଧର ହୋଇ ବିଳସି ଉଠନ୍ତି । ସାମୁଏଲ ଜନସନଙ୍କ ଭାଷାରେ- “ମିଲିଟନ ଓ ସେକସପିୟରଙ୍କୁ ୟୁରୋପୀୟ ଲେଖକମାନେ ଚର୍ବଣା କରନ୍ତି ମାତ୍ର ସେମାନେ ନିଜସ୍ଵ ନବାଲୋକର ଲେଖକୀୟତାକୁ ବି ପ୍ରଦର୍ଶନ କରନ୍ତି । ଆକର୍ଷଣୀୟ କରିବାର ଉପାୟଟି ହେଉଛି ପ୍ରଦର୍ଶନୀୟ ଶୈଳ୍ପିକ ଚାତୁରୀର ନବାୟନୀ କରଣ ।” ସୁତରାଂ ଗୋଟିଏ ପିଢ଼ି ଅପସରିଯିବା ବିଧିସମ୍ମତ ଓ କାଳସମ୍ମତ । ମାତ୍ର ପରପିଢ଼ିର ଦୃଷ୍ଟିଭଙ୍ଗୀରେ ପୂର୍ବପିଢ଼ିର ଛାୟାପତନର ଲୀଳା ବାରଣୀୟ ନୁହେଁ । ପୂର୍ବପିଢ଼ିରୁ ଭାବ ପରପିଢ଼ି ସାଉଁଟେ । କେହି ବି ପରସ୍ଵରୀ କହିପାରିବେନି- ମୁଁ ଷୋଳ ଅଣାଖାଣ୍ଟି । ଯେହେତୁ ବିଶୁଦ୍ଧ ଲେଖା ନାହିଁ, ସେହେତୁ ଜଣେ ପୂର୍ବବର୍ତ୍ତୀ ଲେଖକର ଭାବନା ବାଡ଼ିରେ ପ୍ରବେଶ କରି ଅଉଲ ଅଉଲ ରସୋପାଦନ ସଂଗ୍ରହ କରେ-। ଜଣଙ୍କ କ୍ଷେତ୍ରରେ ପ୍ରବେଶ କରି ତହିଁରୁ ସାର ଆଣି ନିଜକ୍ଷେତର ଅନୁଭୂତି ରୂପକୁ ଚାରାକୁ ଫଳପୁଷ୍ପ ମଣ୍ଡିତ କରାଇବା ଦୋଷାବହ ନୁହେଁ । ତୁଳନାତ୍ମକ ବିଦ୍ୟା ଏହାକୁ ସମ୍ବାଦସୂତ୍ର ଭାବରେ ବିଚାର କରେ । ଅର୍ଥାତ୍ ଦୁଇ ବା ତହିଁରୁ ଅଧିକଙ୍କ ଲେଖାରେ ସମସାଦୃଶ୍ୟ ରହିବାପରେ ଅସ୍ୱାଭାବିକତା କି ଚମତ୍କାରିତା ନାହିଁ । ଏମିତି କୁହାଯାଇପାରିବ ନାହିଁ । ସର୍ଜନଶୀଳତା ଏକ ଖୋଜାଣ, ଗ୍ରହଣ ଓ ମିଶ୍ରଣର ମଧୁକୋଷ କୀର୍ତ୍ତିଘେନା କାର୍ଯ୍ୟ । ମହୁମାଛି ପରି ଲେଖକ ପୂର୍ବବର୍ତ୍ତୀ ଲେଖକଙ୍କ ସୁରଭିତ ଭାବପୁଷ୍ପର ବାଟିକାରୁ ଭାବରସ ସଂଗ୍ରହ କରି ସର୍ଜନଶୀଳତାର ମଧୁର ମଧୁକୋଷ ଗଠନ କରିଥାଏ । ମହୁମାଛି ପରି ଲେଖକ ପୂର୍ବର ମହିମାମୟ ଲେଖାରୁ ଭାବୋପାଦନ ସାଉଁଟି ନିଜ ଭାବକ୍ଷେତରେ ବୁଣିଥାଏ । ଆଚାର୍ଯ୍ୟ ଭାମହ ରଚନାତ୍ମକତାକୁ ମାଲ୍ୟାକାର ବୃତ୍ତିଭାବରେ ବିବେଚନା କରନ୍ତି (୪) ମାଳ ରଚନାର କଳାଟି ପୂର୍ବସୂରୀଙ୍କଠାରୁ ମାଲ୍ୟାକାର ଶିଖିଥାଏ । ଅନେକଙ୍କ ଭାବ ପ୍ରସ୍ତୁତ ଉପବନରୁ ପସନ୍ଦର ଫୁଲ ଆଣି ସେ ନିଜସ୍ୱ ରୀତିରେ ମାଳାଗୁନ୍ଥନ କରିଥାଏ । ଗୁନ୍ଥନ ଚାତୁରୀରେ ବିଭାବନଶୀଳ ବିରଚନା ଲକ୍ଷଣ ଥାଇପାରେ । ମାତ୍ର ତା’ର ମାଳଯୋଗ୍ୟ ଭାବଫୁଲଟି ପୂର୍ବବର୍ତ୍ତୀ ଲେଖକର ସ୍ୱାତନ୍ତ୍ର୍ୟଟି ପୂର୍ବସୂରୀର ସଶ୍ରଦ୍ଧ ଭାବର ଅନୁକରଣ ଓ ତା’ର ବିଭାବିତ ସ୍ୱୀକରଣ ମାଧ୍ୟମରେ ପ୍ରତିଷ୍ଠା ପାଇଥାଏ । (୫) ଏଠାରେ କବି ବୃତ୍ତି ମାଲ୍ୟକାର ପ୍ରବୃତ୍ତିବତ୍ । ପୂର୍ବରୁ ମାଳାରଚନା ପଦ୍ଧତି ଥାଏ । ନୂଆ ମାଳିଟି ତହିଁରେ କିଛି ନୂଆପ୍ରକାରର ଚାତୁରୀ (ପଦ ଖଞ୍ଜାଣର କୌଶଳ) ଯାହା ଦେଖାଇଥାଏ । ଯାହାକୁ ଓଡ଼ିଆ କବି ଅଭିମନ୍ୟୁ ସାମନ୍ତସିଂହାର ସର୍ବସୁମନା ସୁରସର ଏକତ୍ରବିଧାନ ଭାବେ ସାରସ୍ଵତ ଶାସ୍ତ୍ରୀ ବେନ୍ ଜନସନ୍ କବି ପ୍ରବୃତ୍ତିର ଅନ୍ୟତମ ଶ୍ରେଷ୍ଠ ଲକ୍ଷଣ ଭାବରେ ‘ଇମିଟେସିଓକୁ ଗୁରୁତ୍ୱ ଦେଇ ପ୍ରଚୁର ଅଧ୍ୟୟନ ବଳରେ ଭଲ ଲେଖକ ସାଉଁଟା ଭାବ ସୌନ୍ଦର୍ଯ୍ୟକୁ ନିଜମତେ ଅଭିନବ କଳା-ଐଶ୍ୱର୍ଯ୍ୟରେ ରୂପାନ୍ତରିତ କରିଥିବାର ଯୁକ୍ତି ଛାଡ଼ି ଯାଇଛନ୍ତି । ଭଲ କବିତ୍ୱ ପ୍ରଥମେ ସଂଗ୍ରହଶୀଳ ଉପାଦାନର ଏକାଠିକୁ ମାନେ ଓ ପରେ ସେ ଉପାଦାନକୁ ନବୀକରଣ କରେ । ଏ ଦିଗରୁ ଜଣେ ଲେଖକର ସର୍ଜନଶୀଳ ସାମର୍ଥ୍ୟରେ ତା’ପୂର୍ବର ଓ ତା’ଅଗ୍ରଜସ୍ତରର ବହୁ ପ୍ରତିଭାଙ୍କ ଛାୟା ସଞ୍ଚାର ଘଟିଥାଏ । ଏମିତି ଘଟିବା ମନ୍ଦକଥା ନୁହେଁ । ସାହିତ୍ୟ କ୍ଷେତ୍ରରେ ଏହାକୁ ସାମ୍ୟବୋଧର ମହିମା କୁହାଯାଏ । ଏଠାରେ ପୁରାତନ ବୋଲି କିଛି ନାହିଁ । ନୂତନ ବୋଲି କିଛି ଆକାଶତୋଳା କୁସୁମ ନାହିଁ । ପୁରୁଣା ଭିତରେ ଥିବା ଚିରନ୍ତନୀ ସୌନ୍ଦର୍ଯ୍ୟ ଆଧାରଶୀଳା ହୋଇଉଠେ ଏବଂ ତା’ଉପରେ ନୂତନ ଭାବଶ୍ରୀ ଚମକି ଉଠେ । ଅନ୍ୟ ସ୍ତରୀୟ ବା ପ୍ରାଚୀନ ହେଲେ ବି ଯେଉଁଭାବର ଅନନ୍ତ ଆବେଦନ ରହିଛି ତା’ର ଇତି ନାହିଁ । ସେହିଭାବ କିଛିନା କିଛି ନୂତନତାକୁ ଘେନାକରି ପରବର୍ତ୍ତୀ କବି ଭାବନାରେ ପ୍ରତିବିମ୍ବକଳ୍ପୀ ହୋଇ ଆତ୍ମପ୍ରକାଶ କରିଥାଏ । ଭାରତୀୟ କାବ୍ୟଶାସ୍ତ୍ରୀଏ ଜଣେ କବିର ଭାବକୁ ସାଦୃଶ୍ୟ ଓ ସାମ୍ୟ ଢଙ୍ଗରେ ଅନ୍ୟ ଜଣେ ପରବର୍ତ୍ତୀ କବିର ସୃଷ୍ଟିକରଣ କ୍ଷମତା ଭିତରେ ଲକ୍ଷ୍ୟ କରି ଏହାକୁ ଭାବସେବନ ବା କାବ୍ୟାନୁଭୂତିର ସମ୍ବାଦୀକାରଣ ବ୍ୟାପାର ଭାବେ ସ୍ଵୀକୃତି ଦେଇଛନ୍ତି । ମେଧାବିନ୍ ପ୍ରତିଭାବନ୍ତ ବୁଦ୍ଧିବାଦୀ କବିଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ଘଟିଥାଏ ଓ ସେମାନଙ୍କ ନିର୍ମିତରେ ସାମ୍ୟ ଦୃଷ୍ଟିଗୋଚର ହୁଏ । ରାଜଶେଖର ପଣ୍ଡିତେ ଏହି ଧରଣର କାବ୍ୟକରଣଙ୍କୁ ଅନ୍ୟ ଯୋନି କାବ୍ୟସର୍ଜନ ଭାବେ ବିଚାରିଛନ୍ତି । ଜଣେ କବି ତା’ର ପୂର୍ବସୂରୀର କାବ୍ୟ ଭାବନାର ଭଣ୍ଡାରରେ ପ୍ରବେଶ କରି ସେ ଭାବବସ୍ତୁ ସଂଗ୍ରହ କରେ ବା ନିଜ ସୁବିଧା ଦେଖି ନେଇଆସେ । କବି ପ୍ରତିଭା ସାମାନ୍ୟ ହୋଇଥିଲେ ସେ ତହିଁରେ କେବଳ ପ୍ରକାଶଭଙ୍ଗୀ ଦିଗରୁ ଈଷତ୍ ଭିନ୍ନତା ଦେଖାଦେଇଥାଏ । ଏଥିରେ ପ୍ରତିବିମ୍ବତୁଲ୍ୟ ଅଣଉତ୍କର୍ଷ ଭାବଟିଏ କେବଳ ଥାଏ । ତୁଳନାତ୍ମକ ଦିଗରୁ ଏ ପ୍ରକାର ପୂର୍ବପର ଲେଖାକୁ ମିଳାଇ ବସିଲେ ପରବର୍ତ୍ତୀ ଲେଖାଟି ପୂର୍ବଲେଖାର ଅସ୍ପଷ୍ଟ ଓ କ୍ଷୁଦ୍ର ଛାୟାଟେ ପରିବୋଧ ହୁଏ । କାବ୍ୟଶାସ୍ତ୍ରୀ ଆନନ୍ଦବର୍ଦ୍ଧନ ଏ ପ୍ରକାର, ସମଭାବାତ୍ମକ ଓ ଅଭିନ୍ନ ସାଦୃଶ୍ୟ ଥିବା ଲେଖାକୁ ପ୍ରତିବିମ୍ବତୁଲ୍ୟ ରଚନା ଭାବେ ନିର୍ଣ୍ଣୟ କରିଛନ୍ତି । (୬) ବିଷୟର ପ୍ରକାଶଭଙ୍ଗୀରେ ଭିନ୍ନତା ଥାଇ ପ୍ରତିପାଦ୍ୟ ଆବେଦନରେ ସାଦୃଶ୍ୟ ଥିଲେ ଅଥବା ବସ୍ତୁକଳ୍ପରେ ଭେଦିଥିଲେ ବି ରଚନା ଭଙ୍ଗୀରେ (ବୃତ୍ତି- ଭାବାର୍ଥାକରଣ-ଅଳଙ୍କାର- ଛନ୍ଦାନ୍ଦି) ନିକଟତର ସାଦୃଶ୍ୟ ଦୃଷ୍ଟିଗୋଚର ହେଲେ ସେହିପ୍ରକାର ରଚନାକୁ ତୁଲ୍ୟଦେହୀ ତୁଲ୍ୟ ସର୍ଜନଶୀଳତାର ପରିଣାମ ଭାବରେ ବିବେଚନା କରାଯାଇପାରେ । (୭) ମାତ୍ର ତୁଲ୍ୟଦେହୀତୁଲ୍ୟ ସାଦୃଶ୍ୟ ଭାବ-ବାଚ୍ୟ-ବାର୍ତ୍ତା ଯୋଜନା ଯଦି ଚମତ୍କାର ସ୍ଵାତନ୍ତ୍ର୍ୟରେ ରସବ୍ୟଞ୍ଜକ ହୋଇ ପ୍ରକାଶ ପାଇଥାଏ ତେବେ ଲେଖା କି ଲେଖକ ଭିନ୍ନ ଭିନ୍ନ ହୋଇଥିଲେ ବି ରଚନାର ମହିମା ତୁଳନାତ୍ମକ ଭାବେ ପ୍ରଶଂସାଯୋଗ୍ୟ ହୋଇଥାଏ । ଅପରପକ୍ଷରେ ସ୍ଵାତନ୍ତ୍ର୍ୟରେ ରହିତ ହୋଇ ପରାନୁକରଣର ବଶବର୍ତ୍ତୀ ହୋଇ ଯଦି ଜଣଙ୍କ ରଚନାର ଭାବସମ୍ବାଦଟି ଅବିକଳ ଆଲେଖ୍ୟର ହୋଇ ଆଉଜଣଙ୍କ ଲେଖାରେ ପ୍ରତିଫଳିତ ବା ଆଶ୍ରିତ ହୋଇଯାଏ ତାହାକୁ ତୁଳନାତ୍ମକ ତର୍କଣାରେ ବିଚାର କରି ଧ୍ଵନ୍ୟାଲୋକକାର ଆଲେଖ୍ୟାକାର ତୁଲ୍ୟଦେହୀ ରଚନାଭାବେ ଅଭିହିତ କରିଛନ୍ତି । ରାଜଶେଖର ଏପ୍ରକାର ରଚନାବୃତ୍ତିର ରଚୟିତାଙ୍କୁ ପରପୁର ପ୍ରବେଶକାରୀ କାବ୍ୟାର୍ଥକାରକ ଭାବେ ପରିଭାଷିତ କରିଛନ୍ତି । ଏମାନଙ୍କ ବୃତ୍ତି ନ୍ୟୁନମାନର ଓ ତୁଚ୍ଛାତ୍ମ । ଆଚାର୍ଯ୍ୟ ଆନନ୍ଦବର୍ଦ୍ଧନ ଅବିକଳ ଆଲେଖ୍ୟସାମ୍ୟ ରଚନାତ୍ମକତାକୁ ବର୍ଜନ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି । (୮)

 

ଏଥିରୁ ସ୍ପଷ୍ଟ ହୁଏ ଯେ ଭାରତୀୟ ପ୍ରାଚୀନ କାବ୍ୟତର୍କଣାରେ ତୁଳନାତ୍ମକ ରଚନାବୃତ୍ତି ଉପରେ ବିତର୍କ ଥିଲା । ଗୋଟିଏ ଲେଖା ଉପରେ ଅନ୍ୟ ଲେଖାର ସାଦୃଶ୍ୟମୂଳକ ପ୍ରଭାବକୁ ବି ପ୍ରାଚ୍ୟ ଆଳଙ୍କାରିକମାନେ ବିଶ୍ଳେଷଣ କରିଥିଲେ । ପୂର୍ବବର୍ତ୍ତୀ କବିଙ୍କଦ୍ଵାରା ସର୍ଜିତ ଓ ବ୍ୟବହୃତ ବସ୍ତୁ, ଭାବ, ରଚନାଭଙ୍ଗୀର ସାଦୃଶ୍ୟଯୁକ୍ତ ଅନୁସରଣକୁ ଭାରତୀୟ ସାହିତ୍ୟଶାସ୍ତ୍ରୀ ଏ ଦୋଷ ବୋଲି ମାନି ନ ଥିଲେ । (୯) ଭାବର ସୂକ୍ଷ୍ମସତ୍ତାଟି ସମାନ ହୋଇ ବି ଯଦି ତା’ର ସ୍ରୂଳ ରୂପାୟଣରେ ସ୍ଵାତନ୍ତ୍ର୍ୟ ଥାଏ ଓ ରଚନାଭଙ୍ଗୀରେ ମନୋହାରିତା ଥାଏ ତେବେ ମେଳ ଓ ସମ୍ବାଦ- ସାଦୃଶ୍ୟ ଘଟୁଥିଲେ ବି ସମାବେଦନର ପ୍ରତ୍ୟେକ ପୂର୍ବାପର ଓ ସମକାଳର ରଚନାକୁ ସ୍ଵତନ୍ତ୍ର ଓ ମୌଳରଚନା ରୂପେ ବିଚାରିବାକୁ ହେବ- ଏ ପ୍ରକାର ସିଦ୍ଧାନ୍ତ ଦୃଢ଼ ରହିଛି । (୧୦) ମୋଟ୍ ଉପରେ ତୁଲ୍ୟଦେହୀ ତର୍କଣା ବଳରେ ଏକାଧିକ ଲେଖାରେ ଥିବା ଭାବ ସମାନତା ଓ ସାଦୃଶ୍ୟକୁ ରଚନାସମ୍ବାଦ ଭାବରେ ଭାରତୀୟ ପ୍ରାଚୀନ ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ମାନି ନିଆଯାଇଥିଲା । ଏହା ସାମ୍ପ୍ରତିକ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ସହିତ ପାଖାପାଖି ସମଗୋତ୍ରୀ ଏଥିରେ ଭିନ୍ନମତ ହେବାର ଅବକାଶ ନାହିଁ ।

 

ଅନୁସରଣ, ଅନୁକରଣ, ତୁଲ୍ୟଦେହୀ ଆଲେଖ୍ୟକରଣ, ତୁଲ୍ୟକଳ୍ପୀ ସର୍ଜନା, ଅନ୍ୟର ପ୍ରଭାବକୁ ବରଣ କରିନେବା ଓ ଅନ୍ୟଠାରୁ ଭାବ ଆଦାନ କରିବା ସାହିତ୍ୟ ସର୍ଜନ ଓ ଆକଳନ କ୍ଷେତ୍ରରେ ହତାଦରର ବିଷୟ ନୁହେଁ । ଅନୁରାଗ, ବିରାଗ, ଆକର୍ଷଣ, ବିକର୍ଷଣ, କ୍ରିୟାନୁଗଢ଼, ପ୍ରତିକ୍ରିୟାଶୀଳ, ଯେକୌଣସି ମାନସିକତାରୁ ଜଣେ ଆଉଜଣଙ୍କୁ ଲୋଡ଼େ, ଗ୍ରହଣ କରେ ଓ ତା’ର ପ୍ରଭାବକୁ କଷା କି ପିତା କହିପାରେନାହିଁ । ଟଲଷ୍ଟୟ ଗୋଟିଏ ପତ୍ରରେ ଉଲ୍ଲେଖ କରିଛନ୍ତି- ମୋ ପୂର୍ବର ଓ ମୋ ସମକାଳର ଅନେକଙ୍କ ଲେଖାର ଅନେକ ଅଂଶ ମୋର ଭାବନକୁ କ୍ରିୟାଶୀଳ ଅଥବା ପ୍ରତିକ୍ରିୟାଶୀଳ କରିଦେଇଛି । ସେଗୁଡ଼ିକ ମୋ ଲେଖା ଭିତରେ ମୋ ଇଚ୍ଛା ମୁତାବକ ପୋଷକ ପିନ୍ଧି ତିଷ୍ଠି ରହିଛନ୍ତି । ଆମ ଭାରତୀୟ ସାହିତ୍ୟରସିକ ରାଜଶେଖର ଜଣେ ଆଉଜଣଙ୍କ ଲେଖାକୁ ମାତ୍ରାଧିକ ପାଣ୍ଡିତ୍ୟ ହେତୁ ପଢ଼ି ଅନାଗ୍ରହୀ ତର୍କ ଓ ଆନୁଗ୍ରାହୀ ତର୍କରେ ତହିଁର ଭାବକୁ ବିଚାର କରିଥାଏ ବୋଲି ଦର୍ଶାଇଛନ୍ତି । ଅନ୍ୟକାବ୍ୟ ପଠନ ଓ ତା’ର ମାଧୁର୍ଯ୍ୟର ପ୍ରଲୋଭନ ଖୁବ୍ ଲୋଡ଼ାଣର ହୋଇପଡ଼ିଥାଏ । ଏଥିରୁ ପଣ୍ଡିତମନା କବିର ନିସ୍ତାର ନ ଥାଏ । ଏଥିପାଇଁ ତ କବି ଉପେନ୍ଦ୍ର କାଳିଦାସ, ହନୁମାନଙ୍କ ଠାରୁ କୃପାସିନ୍ଧୁ ବଳରାମଦାସଙ୍କ ପର୍ଯ୍ୟନ୍ତ କାହିଁ କେତେ କବିଙ୍କ ଭାବଛାୟାକୁ ମଥାପାତି ବନ୍ଦନା କରିଛନ୍ତି ଓ ତହିଁସବୁ ଉତ୍ତମ ଭବ ଆହରଣ କରିବାକୁ ଲଜ୍ଜାବୋଧ କରିନାହାନ୍ତି । ରବିନ୍ଦ୍ରନାଥ ମୁକ୍ତକଣ୍ଠରେ ସ୍ଵୀକାର କରିଛନ୍ତି ଭାବଚିନ୍ତା ଓ ସୌନ୍ଦର୍ଯ୍ୟ ଗଢ଼ଣ ଦିଗରୁ ତାଙ୍କ ଉପରେ ବାଲ୍ମୀକି-କାଳିଦାସଙ୍କଠାରୁ ଆରମ୍ଭ କରି ଭାରତବର୍ଷର ଅଗଣିତ କବିଙ୍କ ଭାବନାର ଆଶିଷ ଢାଳିହୋଇ ପଡ଼ିଛି । ବିଂଶ ଶତକର ମହାନ୍ ଚିନ୍ତାନାୟକଙ୍କ ରସେଲ ନିଜ ବୋଧନ ଭାବପିଣ୍ଡରେ ଦେକାର୍ତ୍ତ ମାକିଆଭେଲିଙ୍କଠାରୁ ମାର୍କସ, କ୍ରୋଚେଙ୍କ ପର୍ଯ୍ୟନ୍ତ ବହୁ ମନିଷୀଙ୍କ ଚେତନାର କ୍ରିୟା-ପ୍ରତିକ୍ରିୟାତ୍ମକ ଖେଳକୁ ସମର୍ଥନ କରି କହିଛନ୍ତି- “ଏମାନେ ନ ଥିଲେ ମୁଁ କାହିଁ ? ତୁଲି ବସିଲେ ମୋ ଭାବନା ବିଚାର ସେମାନଙ୍କ କାନ୍ଧ ଉପରେ କଅଁଳ ଶିଶୁବତ୍ ବସିଛି ମାତ୍ର ।” ସୁତରାଂ ପୂର୍ବବର୍ତ୍ତୀଙ୍କ ଅନୁକରଣ ଓ ପରବର୍ତ୍ତୀଙ୍କ ଦ୍ଵାରା ଅନୁସୃତ ବା ଆଦୃତ ଯୋଜନାର ସ୍ଵୀକରଣ ସବୁବେଳେ ଘଟୁଥାଏ । ଏହି କଥାଟିକୁ ତଉଲି ବସିବା ଓ ତୁଲି ସାରିବା ପରେ ମହତଲେଖାମାନେ ଅନନ୍ତ ଭାବନାର ବୋଲି ଘୋଷଣା କରିବା ହିଁ ସାହିତ୍ୟାଲୋଚନାରେ ଅଭିନବ ମାର୍ଗ ରୂପେ ବିଂଶ ଶତକର ତୃତୀୟ ପାଦ ବେଳକୁ ପ୍ରସିଦ୍ଧି ଲାଭ କରିଛି । ଏଠାରେ ପ୍ରତିପାଦନ ଯୋଗ୍ୟ ଯେ ନୂଆ କରିବା, ଅଲଗା କରି କିଛି ଲେଖିବା, ସ୍ଵତନ୍ତ୍ର ହୋଇ ଦିଶିବା ପାଇଁ କେହି କେବେ କାହାଠାରୁ କିଛି ଆହରଣ କରି, ଲୁଚେଇକରି ନେଇଆସେନି କି ପ୍ରଭାବିତ ହୁଏନାହିଁ । ଯାହାର ଅନନ୍ତ ଦ୍ୟୋତନା ଅଛି ସେହି ଲେଖା, ସେହି ଲେଖକ ପ୍ରଲୁବ୍ଧକର ହୋଇଉଠେ ଏବଂ ଆଉଜଣଙ୍କ ସର୍ଜନଶୀଳତାରେ ସାଧର୍ମ୍ୟ ଓ ସମସୌନ୍ଦର୍ଯ୍ୟରେ ବର୍ତ୍ତମାନ ହୋଇଯାଏ ।

 

ତୁଳନାତ୍ମକ ସାହିତ୍ୟ ଏ ପ୍ରକାର ସମାନ ଆଦର୍ଶକୁ ଆକଳିଥାଏ । ସପ୍ରମାଣେ ଏହି ଆକଳନ ପଦ୍ଧତିରେ ଆକଳନ ଘୋଷଣା କରିବାରେ ସମର୍ଥ ହୁଏ ଯେ ମାନବର ମହାନଭାବାନୁଚିନ୍ତାକୁ ନେଇ ବିଶ୍ଵର ପ୍ରତ୍ୟେକଭାଷାର ସୃଷ୍ଟିଗୁଡ଼ିକ ପ୍ରାୟ ଏକାଭଳି । ସବୁକାଳର ଆନନ୍ଦ ସଞ୍ଚାରକର ବ୍ୟାପରକୁ ସବୁ ପ୍ରକାର ସାହିତ୍ୟ ସର୍ବଦା ଆଦର କରିଥାଏ । ବିଶିଷ୍ଟ ତୁଳନାଶାସ୍ତ୍ରୀ ଏସ୍.ଏସ୍. ପ୍ରୋରଙ୍କ ଭାଷାରେ ସଙ୍କୁଚିତ ଖସଡ଼ାକୁ ଛାଡ଼ିଦେଇ ପୃଥିବୀର ଯେକୌଣସି ଭୂଭାଗର କାବ୍ୟ, କବିତା ଆଦି, ଉପନ୍ୟାସ, ନାଟକାଦି ସାହିତ୍ୟ ପ୍ରଜାତି କୌଣସି ଦିଗରୁ ଉପାର୍ଜନ ପ୍ରସଙ୍ଗ ହେବାପାଇଁ ସୃଷ୍ଠି ହୋଇ ନ ଥାଏ । ଅନ୍ତନକାଳର ମୁଗ୍ଧ ଅନୁଭବକୁ କେବଳ ଧାରଣ କରିଥାଏ । ତୁଳନାତ୍ମକ ସାହିତ୍ୟ ପ୍ରେମୀଟିଏ ବିଶ୍ଵସାହିତ୍ୟକୁ ବିଶ୍ଵାସ କରେ ଓ ତହିଁରୁ ଏହି ମୁଗ୍ଧଅନୁଭବକୁ ଚିହ୍ନାଇଦେବାକୁ ପ୍ରଯତ୍ନ କରେ । (୧୧) ମହିମଭଟ୍ଟ ଧ୍ଵନିର ଭେଦ-ଉପଭେଦ ଅପେକ୍ଷା କଲ୍ୟାଣନନ୍ଦଙ୍କୁ ନେଇ ସାହିତ୍ୟ ଭିତରେ ଥିବା ସାଦୃଶ୍ୟ ଓ ପ୍ରତିଭାବକୁ ମାନୁଛନ୍ତି । କୌଣସି ରଚନାର ଗୁଣୀଭାବ କାହାର ଉପସର୍ଜନାତ୍ମକ ନୁହେଁ । ପରୋକ୍ଷରେ ସେ କୌଣସି ଲେଖାକୁ ଅନ୍ୟଲେଖାଠୁ ଉତ୍କର୍ଷ-ଅପକର୍ଷ ଭାବେ ବିଚାରିବସିବା ଅପେକ୍ଷା ପ୍ରତ୍ୟେକ ଲେଖାର ମୂଳାଭିପ୍ରାୟ ଭିତରେ ଥିବା ସମପୂରତାକୁ ମାନିଛନ୍ତି । ସମପୂରତା ଦର୍ଶନ ଏକପ୍ରକାରର ତୁଲ୍ୟକଳ୍ପୀ ତର୍କଣା । ତାଙ୍କ ବିଚାରରେ କାବ୍ୟରଚନା କ୍ଷେତ୍ରରେ ଅନୁକରଣ, ଆହରଣ, ସମନ୍ଵୟୀକରଣ ଅନ୍ୟତମ କବିଯୁକ୍ତ ବ୍ୟାପାର । ଏହା ପ୍ରମାଣକରେ ପାଶ୍ଚାତ୍ୟୟିତ ତୁଳନାତ୍ମକ ସାହିତ୍ୟର ଉନ୍ମେଷ ହେବାର ଶହ ଶହ ବର୍ଷପୂର୍ବରୁ ଭାରତୀୟ କାବ୍ୟାନୁଶୀଳନଧାରାରେ ସାଦୃଶ୍ୟ-ବୈସାଦୃଶ୍ୟ କାବ୍ୟବୋଧର ତର୍କଣା ପ୍ରଚଳିତ ଥିଲା । ଆରିଷ୍ଟୋଟଲଙ୍କ ଅନୁକରଣ ତତ୍ତ୍ଵ ଏହାର ଅନୁରୂପ । ‘ଚନ୍ଦ୍ରାଲୋକ’ର ଆଚାର୍ଯ୍ୟ ଜୟଦେବ ଭାବକୁ ସର୍ବଦା ଏକରୂପତା ବୋଲି ଦର୍ଶାଇଛନ୍ତି । କବି- କବି ଓ କାବ୍ୟକାବ୍ୟ ମଧ୍ୟରେ ତାଙ୍କ ମତରେ ଅଳଙ୍କାରର ସାହାଯ୍ୟରେ ଭେଦସୂଚିତ ଓ ସ୍ଥିରୀକୃତ ହୋଇଥାଏ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ବୁଝାପଡ଼େ- ବଳିଷ୍ଠ ଓ ଉତ୍ତମ ସର୍ବଦା ଅନୁକରଣୀୟ । ମାତ୍ର ନୂଆ ନିର୍ମାଣ ସାମର୍ଥ୍ୟ ତାକୁ ଅଳଙ୍କାରାଦି ପ୍ରକରଣ ସାହାଯ୍ୟରେ ଭିନ୍ନରୁଚିରେ ଆକୃତି ପ୍ରଦାନ କରିଥାଏ । ଚତୁର୍ଦ୍ଧଶ ଶତାବ୍ଦୀ ବେଳକୁ ଭାରତୀୟ କାବ୍ୟଶାସ୍ତ୍ରୀୟ ବିଚାରରେ ସାମ୍ୟବୋଧାତ୍ମକ କାବ୍ୟତର୍କଣା ପ୍ରସାର ଲାଭ କରିସାରିଛି । ଅନ୍ୟର ବଳିଷ୍ଠ ଭାବନାକୁ ପ୍ରତିଭାବବୃତ୍ତି (ତଦନୁରୂପ କରି ବଣ୍ଟିବା) ବଳରେ ‘ସ୍ଵୀକରଣ’ କରିବା ଅନ୍ୟତମ କବିବୃତ୍ତି ଭାବେ ସମର୍ଥନ ଲାଭ କରିଛି । ଭାମହଙ୍କ ନିମନ୍ତେ ଏହି ସ୍ଵୀକରଣ ବୃତ୍ତି ମାଲ୍ୟାକାର ବୃତ୍ତିବତ୍ ନିର୍ଦ୍ଦୋଶ ଓ ସଠଣାର ପ୍ରସଙ୍ଗ । ସର୍ଜନଶୀଳ ପରମ୍ପରାରେ ଏହି ପ୍ରସଙ୍ଗକୁ କୁମ୍ଭାଳଙ୍କ କବିବୃତ୍ତି ଭାବରେ ନିର୍ଣ୍ଣୟ କରାଯାଇଛି । ଅନ୍ୟର ଭାବମହିମାକୁ ଆଣିବା ଓ ତାହାଙ୍କୁ ନିଜମତେ ନିଜ ସୃଷ୍ଟିରେ ନବାର୍ଥଙ୍କର ଶବ୍ଦ- ଶାବଲ୍ୟରେ ସଜ୍ଜାଇଦେବା ଏ ପ୍ରକାର କବିବୃତ୍ତିର ଧର୍ମ । ଯଦି ମହାନ କବିବୃତ୍ତି ଏ ସ୍ଵଭାବର; ତେବେ ମହାନ ଲେଖା ଭିତରେ ସମୁତ୍ସାହିତ ସାଦୃଶ୍ୟ ରହିବା ଖୁବ୍ ଗୋଟେ ବିଚିତ୍ର କଥା ନୁହେଁ । ଏହାକୁ ଅସତ୍ ଭାବର ବିଷୟ ରୂପେ ବି ଧରାଯାଇ ନ ପାରେ । ଅତଏବ ବ୍ୟାସ-ସାରଳା-ସୀତାକାନ୍ତ-ରମାକାନ୍ତ-ସୌରୀନ୍ଦ୍ର-ହରପ୍ରସାଦ-ହୃଷିକେଶ-ଶତ୍ରୁଘ୍ନଙ୍କ ଭିତରେ ସୂକ୍ଷ୍ମତଃ ସାଧର୍ମ ଓ ସାନୁରୂପତା ରହିବା ଏବଂ ଏମାନଙ୍କ ଲେଖାକୁ ତୁଲ୍ୟକଳ୍ପୀତର୍କଣା ଭିତ୍ତିରେ ନିରୁପଣ କରିବା ଏବଂ ତହିଁରେ ମୂଳଭାବବୋଧର ଅର୍ଥସୌନ୍ଦର୍ଯ୍ୟଙ୍କୁ ଅଧ୍ୟୟନ କରି ସହୃଦୟ-ବାସନା ପୂରଣ କରିବା ହିଁ ଏକପ୍ରକାର ତୁଲ୍ୟଦେହୀ ପାଠାକୀୟତା । ଏହି ଗୁଣର ପାଠକୀୟତା ହିଁ ଆଧୁନିକ ତୁଳନାତ୍ମକ ସାହିତ୍ୟାଧ୍ୟୟନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ।

 

ଅପ୍ରତ୍ୟକ୍ଷ ଭାବରେ ଆମଦେଶୀୟ କାବ୍ୟ ଦର୍ଶନରେ ତୁଳନାତ୍ମକ କାବ୍ୟସମ୍ବାଦ ରହିଥିଲା-। ଭଲ କାବ୍ୟଟିଏ ବି ନିର୍ମାଣ ପାଇଁ ପୂର୍ବବର୍ତ୍ତୀ ଭଲ ଲେଖାର ନିମଜ୍ଜନଙ୍କର ଲକ୍ଷଣଙ୍କୁ ପରବର୍ତ୍ତୀ ଲେଖକ ପରଖି ଗ୍ରହଣ କରୁଥିଲେ ଓ ତହିଁରେ ନବୀଭବନ ଘଟାଉଥିଲେ । ତୁଳନାତ୍ମକ ସାହିତ୍ୟତତ୍ତ୍ଵବିତ୍‍ମାନେ ଏକମତ ହୁଅନ୍ତି- ନୂଆ ପ୍ରକାରେ ଭାବ ନିର୍ମାଣ କରିବା, ପୁରୁଣାକୁ ଆଣି ନୂଆକରି ଗଢ଼ିବା ଓ ଯୁଗାନ୍ତର ସଂଘଟନା କରିବାର ମାନସିକତାକୁ ନେଇ କବିଏ ପୁରୁଣା କବି କର୍ମକୁ ଆଶ୍ରୟ କରି ତହିଁରେ ନୂଆସ୍ଵର ଓ ନୂଆପ୍ରକାର ସଂଯୋଗ କରିଥାନ୍ତି । ଏହି ମର୍ମରେ ନୂଆ ଭିତରେ ପୁରୁଣାକୁ ଖୋଜି ସୂଚେଇଦେବାକୁ ଅନୁକରଣାତ୍ମକ ଓ ପ୍ରଭାବସୂତ୍ରୀୟ ତୁଳନା ଭାବରେ ସମ୍ପ୍ରତି ବିଚାର କରାଯାଉଛି । ଏ ବିଚାର ସହିତ ଧ୍ଵନ୍ୟାଲୋକଙ୍କର ଆନନ୍ଦବର୍ଦ୍ଧନଙ୍କ କାବ୍ୟସମ୍ବାଦ ଓ ତୁଲ୍ୟଦେହୀତୁଲ୍ୟ ସର୍ଜନ-ବ୍ୟାପାର ପାଖାପାଖି ସହସମ୍ବନ୍ଧ ରକ୍ଷାକରୁଛି । ବାମନାଚାର୍ଯ୍ୟ, ରାଜଶେଖର ଓ ବିଶ୍ଵନାଥ କବିରାଜ ବିଶ୍ଵାସ କରନ୍ତି- ଉତ୍ତମ କବି କର୍ମରେ ସମ୍ପାଦିତ ପଦସଂଘଟନାରେ ପୂର୍ବବର୍ତ୍ତୀ କବିମାନଙ୍କର ବଚନବୃତ୍ତି ଉପସ୍ଥିତ ଥାଏ । ଏହା ଜଣାଇଦିଏ ପାଶ୍ଚାତ୍ୟ ଜଗତରେ ତୁଳନାତ୍ମକ ଭାଷାଚର୍ଚ୍ଚା-ସାହିତ୍ୟଚର୍ଚ୍ଚା-ସଂସ୍କୃତିଚର୍ଚ୍ଚା ଘଟିବାର ବହୁଆଗରୁ ପ୍ରାଚ୍ୟ କାବ୍ୟଶାସ୍ତ୍ରୀୟ ବିଚାରରେ ଲେଖା-ଲେଖା ଭିତରେ ସମାନ ଓ ଅସମାନ ଅଧ୍ୟୟନ କ୍ରମେ ଦେଖିବା ଓ ବିତର୍କ କରିବାର ଅବକାଶ ସୃଷ୍ଟି ହୋଇ ସାରିଛି । ପୂର୍ବବର୍ତ୍ତୀ ପରବର୍ତ୍ତୀ ଆକର୍ଷଣ କରେ । ଆକର୍ଷଣ କରିବାର ଉପାୟଟି ହେଉଛି- ସମସାଂସ୍କୃତିକ ଭାବନାର ଉତ୍ସ ଓ ତା’ର ଶୈଳ୍ପିକ ନବାୟନଧର୍ମ । ପୂର୍ବସୂରୀଙ୍କ ଭାବୋଦ୍ୟାନରୁ ସାଉଁଟି ଆଣିଥିବା ଭାବକୁ ପରବର୍ତ୍ତୀ ସଜାଡ଼ିଦିଏ । କୌଣସି ପରସୂରୀ କହିପାରିବେନି ମୁଁ ପୂର୍ବଜଙ୍କଠାରୁ ବିଚ୍ୟୁତି ଓ ଷୋଳ ଅଣା ଖାଣ୍ଟି । ସୁନାରେ ଅଳଙ୍କାର ପାଇଁ ଖାଦମିଶେ । ଉତ୍ତମ ସାହିତ୍ୟ କୃତିଟିଏ ନୂଆପ୍ରକାର ଶୋଭାରେ ଚମକିତ ହେବାବେଳେ ପୂର୍ବବର୍ତ୍ତୀ ସାହିତ୍ୟକୁ ଯେପରି ତିରସ୍କାର କରେ ସେହିପରି ତହିଁରୁ ସାର୍ବତ୍ରିକ ଭାବରସ ଗ୍ରହଣ କରି ନବୟନୀଧର୍ମର ହୋଇଥାଏ । ପୂର୍ବବର୍ତ୍ତୀ କବି ପ୍ରସିଦ୍ଧିକୁ ବିରାଗ ବଶତଃ ଅସ୍ଵୀକାର କରିବା ଅଥବା ଅନୁରାଗ ହେତୁକ ବରଣ କରିବା ମଧ୍ୟରେ ବିଭାବିତ କବିତ୍ୱର ଖେଳ ପରବର୍ତ୍ତୀ କବି ଖେଳିଥାନ୍ତି । ଗୋଟିଏ ପୂର୍ବସୂରୀୟ ଭାବ ପରସୂରୀୟ ଚିନ୍ତାକୁ ପ୍ରଭାବିତ କରିବା ସହଜ ଓ ଏହାକୁ ଭାରତୀୟ କାବ୍ୟଶାସ୍ତ୍ରରେ ସର୍ଜନଶୀଳ ସମ୍ବାଦ କୁହାଯାଏ । କବି ପ୍ରଭାବିତ ହୋଇଥାଏ ଅଥବା ପୂର୍ବବର୍ତ୍ତୀ କବିଧର୍ମ ଓ କବିକର୍ମଙ୍କୁ ସକୃଷ୍ଟ ଅନୁସରଣ କରି ତହିଁରେ ଭାବ ଆଦାନ କରିଥାଏ । ଏ ଦିଗରୁ ଏକାଧିକ ଭିନ୍ନ ଭିନ୍ନ ସମୟର କବିଙ୍କ କାବ୍ୟରସରେ ସାଦୃଶ୍ୟ ତୁଳନାତ୍ମକ ଭାବରେ ବିଚାରି ବସିଲେ ଦେଖି ହୋଇଯାଏ ।

 

ଏ ଦିଗରୁ ଆନନ୍ଦବର୍ଦ୍ଧନ ଓ ରାଜଶେଖରଙ୍କ ସାହିତ୍ୟଶାସ୍ତ୍ରୀୟ ସିଦ୍ଧାନ୍ତ ବେଶ୍ ଉଲ୍ଲେଖନୀୟ । ଆନନ୍ଦବର୍ଦ୍ଧନଙ୍କ ପ୍ରତିବିମ୍ବତୁଲ୍ୟ ଓ ତୁଲ୍ୟଦେହୀ- ଆଲେଖ୍ୟ ତୁଲ୍ୟ କାବ୍ୟବୋଧର ସାଦୃଶ୍ୟ କଳନା ପରୋକ୍ଷରେ ସୂଚାଇଦିଏ ତୁଳନାତ୍ମକ ତର୍କଣା ବଳରେ ପୂର୍ବବର୍ତ୍ତୀ ଲେଖା ଓ ଲେଖକଙ୍କୁ ପରବର୍ତ୍ତୀ ଲେଖକ କେତେଦୂର ଅଧମର୍ଣ୍ଣ ସ୍ଵଭାବବଶତଃ ବିନିଯୋଗ ଓ ସ୍ଵୀକରଣ କରିଛି ତାହାକୁ ତୁଲ୍ୟସମ୍ବାଦୀମୀମାଂସକ ଠିକ୍ ଭାବେ ବିଚାରିଥା’ନ୍ତି । ସଂକ୍ଷେପରେ ଭାରତୀୟ ବିଚାରରେ ପ୍ରଭାବସୂତ୍ରୀୟ ତୁଳନା ପ୍ରତିଷ୍ଠା ପାଇଛି ।

 

।। ତିନି ।।

 

ଉନବିଂଶ ଶତାବ୍ଦୀର ଶେଷଭାଗ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗ ବେଳକୁ ପାଶ୍ଚାତ୍ୟଜଗତର ପ୍ରାଚ୍ୟବିଦ୍ୟାବିତ୍ ଏସୀୟ ଓ ଭାରତୀୟ ସାହିତ୍ୟରେ ସମଭାବନା ଓ ବିଷମଭାବନାର ଭେଦାଭେଦ ଦେଖାଇବସିଲେ । ବିଶ୍ଵକବି ରବିନ୍ଦ୍ରନାଥ ଏହି ଧାରଣାକୁ ନୂଆମୋଡ଼ଦେଇ ବିଶ୍ଵସାହିତ୍ୟର ପରିକଳ୍ପନା କରିଛନ୍ତି । ତାଙ୍କ ମତରେ- ମହାନୁଭବ ଭାବନାର କବିମାନଙ୍କ ଲେଖାରେ ଦେଶକାଳପାତ୍ର ନ ଥାଏ, ଥାଏ ମାନବର ଚିରନ୍ତନ ଭାବବୋଧର ଶୁଭଗ ସାମଗ୍ରୀ । ଏମାନଙ୍କ ରଚନା ଏଇଥିପାଇଁ ମହତ ଯେ ତହିଁରେ ପାଠକ ରମିବସିଲେ ଜାଣିପାରେ ତାହା କୌଣସି ବ୍ୟକ୍ତି ବିଶେଶର ରଚନା ନୁହେଁ । ତାହା ସମଗ୍ର ଦେଶର, ସମଗ୍ର ଜାତିର ଓ ସାରାସଂସାରର ଅଭିଜ୍ଞତାକୁ ବ୍ୟକ୍ତ କରିଛି (୧୨) । ବାସ୍ତବିକ ବିଶ୍ଵର ଯେକୌଣସି ଶ୍ରେୟବୋଧର କବିଙ୍କ ରଚନାକୁ ପଢ଼ି ବସିଲେ ତାହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ସମୟ ଖଣ୍ଡ ଓ ଭୁଭାଗର କଥା କୁହେନାହିଁ । ତାହାର ବ୍ୟାପକତା ଓ ଗଭୀରତା ଭିତରେ ମହାମାନବର ସ୍ଵରହିଁ କେବଳ ଶୁଭୁଥାଏ । ରବିନ୍ଦ୍ରନାଥଙ୍କ ବିଶ୍ଵସାହିତ୍ୟ ବିଚାରରୁ ଜଣାଯାଏ – ତୁଳନାକରି ବସିଲେ ଶାଶ୍ଵତ ରଚନା ଭିତରେ ଚିରକାଳର ଅନୁଭବର ଇତିହାସୀକରଣ ହୋଇଥାଏ । ମାଥ୍ୟୁ ଆରନୋଲଡ଼ଙ୍କ ତୁଳନାତ୍ମକ ସାହିତ୍ୟ ଅଥବା ଗେଟେଙ୍କ ୱାଲତ୍ ଲିତେରାତୁ କଥାଟି ବି ସ୍ଵୀକାର କରେ- ମଣିଷର ଜୈବିକ ଭାବ ସାର୍ବତ୍ରିକ ଭାବେ ସମସ୍ଵରର ଓ ସ୍ଵଧର୍ମର । ବିଶ୍ଵସାହିତ୍ୟର ଚିରନ୍ତନୀ ଗ୍ରନ୍ଥମାନେ କେବଳ ସମଢଙ୍ଗରେ ମନ୍ୟୁଷର, ଜୀବନର, ସୌନ୍ଦର୍ଯ୍ୟର ପ୍ରକୃତିର ଚରମ ଆଦର୍ଶକୁ ହିଁ ଚିତ୍ରାୟିତ ଓ ଚିରୟିତ କରିପାରିଛନ୍ତି । ମାନବୀୟ ପରିପୂର୍ଣ୍ଣତା ପ୍ରତି ସାଂସ୍କୃତିକ ଭେଦସତ୍ତ୍ଵ ମହାନ ବିଶ୍ଵଗ୍ରନ୍ଥମାନେ ଚରମ ଆକାଙ୍‍କ୍ଷାକୁ ଘୋଷଣା କରିଚାଲିଛନ୍ତି । ଏ କାରଣରୁ ସେକସପିୟରଙ୍କ ‘ଟେମ୍ପେଣ୍ଟ୍’ ଓ କାଳିଦାସଙ୍କ ‘ଶକୁନ୍ତଳା’ ଭିତରେ ରବିନ୍ଦ୍ରନାଥଙ୍କ ଗୀତାଞ୍ଜଳି ଓ ଲକ୍ଷ୍ମୀକାନ୍ତଙ୍କ ଜୀବନସଙ୍ଗୀତ ଭିତରେ ଭାବଗତ ଐକ୍ୟ ଓ ଜୀବନାନୁଭବର ଅଭିନ୍ନତା ରହିଛି । ମୋଟଉପରେ ତୁଳନାତ୍ମକ ସାହିତ୍ୟ ସଂସ୍କୃତି-ସଂସ୍କୃତି, କାଳ-କାଳ, ଭୂଖଣ୍ଡ-ଭୂଖଣ୍ଡର ପାଚେରିକୁ ତାଡ଼ିଭାଙ୍ଗି ସୂଚେଇ ଦେଇଛି- ଶାନ୍ତି ଓ ସୌନ୍ଦର୍ଯ୍ୟ ସହିତ କଲ୍ୟାଣ ଓ ସମଭାଗିତା ସାରାପୃଥିବୀର ବିବିଧ ଭାଷାର ସାହିତ୍ୟକୁ କେବଳ ଗୋଟିଏ ଶୀର୍ଷକରେ ପରିଚିତି କରାଇଛି ତାହା ହେଉଛି- ମଣିଷର ସାହିତ୍ୟ । ମଣିଷର ସାହିତ୍ୟ ମଙ୍ଗଳମୟ ହୁଏନାହିଁ । ବରଂ ମଙ୍ଗଳକର ହେବାକୁ ଦୃଷ୍ଟାନ୍ତ ଯୋଗାଇଦିଏ । ଏହି ମଙ୍ଗଳମୟତାର ସମସ୍ପନ୍ଦନକୁ ଆଧୁନିକ ଭାରତରେ ପ୍ରଥମେ ରବିନ୍ଦ୍ରନାଥ ହିଁ ଚିହ୍ନି ଚିହ୍ନାଇ ଦେଇଥିଲେ । ସମଗ୍ର ଭାରତର ସାହିତ୍ୟକୁ ଗୋଟିଏ ତୁଳନାତ୍ମକ ନିକିତିରେ ତଉଲି କାହାକୁ ସାନବଡ଼ ନ କରି ସାଂସ୍କୃତିକ ବୁଝାମଣାର ଅଭିନ୍ନ ବୀଜମନୁ ଭାବରେ ଭାରତୀୟ ସାହିତ୍ୟକୁ ଚିହ୍ନେଇ ସେ ଘୋଷଣା କରିଥିଲେ- “ଏକ ଦିଗରେ ଗୃହଧର୍ମର କଲ୍ୟାଣବନ୍ଧନ ଓ ଅନ୍ୟଦିଗରେ ନିର୍ଲିପ୍ତ ଆତ୍ମାର ବନ୍ଧନମୋଚନ ଏ ଦୁଇଟିଯାକ ଭାରତୀୟ ସାହିତ୍ୟର ବିଶେଷ ଭାବ-। ଏହି ଭାବକୁ ତୁଳନା କରି ବସିଲେ ଦେଖାଯିବ ବ୍ୟାସ- ବାଲ୍ମୀକିଙ୍କଠାରୁ ଆଜିଯାଏ ଭାରତୀୟ କବିମାନେ ଏକତାନରେ ବଖାଣି ଆସିଛନ୍ତି । (୧୩) ନିଜର ନୋବେଲ ଅଭିଭାଷଣର କବି ଠାକୁର ଯାହା ଶୁଣାଇଥିଲେ ତାହା ଏଠାରେ ସନିଷ୍ମର୍ଷ ପ୍ରତିପାଦନ କରାଯାଉଛି ।

 

 

ରବିନ୍ଦ୍ରନାଥଙ୍କ ସହିତ ତାଳଦେଇ ପରବର୍ତ୍ତୀ କାଳରେ ଭାରତରେ ଓ ଭାରତ ବାହାରେ ସମବୋଧନରେ ବିଶ୍ଵ ସାହିତ୍ୟକୁ ଗ୍ରହଣ କରିବା ପାଇଁ ତୁଳନାତ୍ମକ ସାହିତ୍ୟର ପ୍ରଚାର ଓ ପ୍ରସାର ଘଟିଛି । ୧୯୬୨ ମସିହାରେ ବିଶିଷ୍ଟ ତୁଳନାଶାସ୍ତ୍ରୀ ଡବ୍ଲୁ.ପି.ସ୍ମିଥ୍ ଅନୁରୂପ ଢଙ୍ଗରେ ଦର୍ଶାଇଛନ୍ତି- ଏ ପୃଥିବୀରେ କେଉଁଠି ବି ଜୀର୍ଣ୍ଣତା, ଅପୂର୍ଣ୍ଣତା ଓ କୁତ୍ସିତତା ନାହିଁ ଓ ନ ରହୁ; ଏପରି କଥା ଯେଉଁ ଲେଖାରେ ନାହିଁ ତାହା ତୁଳନାତ୍ମକ ବିଶ୍ଵ ସାହିତ୍ୟର ଅଂଶ ନୁହେଁ । ସୁତରାଂ ପ୍ରକୃତ ତୁଳନାତ୍ମକ ସାହିତ୍ୟ ସାମ୍ୟ-ବୈଷମ୍ୟର ତୁଳନାଜନିତ ଅଧ୍ୟୟନକୁ କମ୍ ବୁଝାଏ, ବେଶୀ ବୁଝାଏ-ଅଖଣ୍ଡମାନବର ମହତଚେତନାର ମେଳିକୁ । (୧୫)

 

।। ଚାରି ।।

 

ଭାରତୀୟ ସାହିତ୍ୟରେ ତୁଳନା ବା ତର୍କଣା ଥିଲା କାବ୍ୟ ବ୍ୟାଖ୍ୟାର ଅନ୍ୟତମ ଆଦର୍ଶ । କେବଳ ଶବ୍ଦ ଓ ଅର୍ଥାଳଙ୍କାର ଭିତ୍ତିରେ କାବ୍ୟ ବର୍ଣ୍ଣନାରେ ଗୁଣ, କ୍ରିୟା, ରୂପ ଓ ଉତ୍କର୍ଷ- ଅପକର୍ଷକାତ୍ମକ ପ୍ରକାର ନିରୂପଣକୁ ତୁଳନାତ୍ମକ ପଦ୍ଧତିର ତର୍କଣା ଭାବେ ବିଚାର କରାଯାଉଥିଲା, କାବ୍ୟର ବର୍ଣ୍ଣନୀୟ ବସ୍ତୁ ଓ ତା’ର ଚାରୁତ୍ଵ, ଚମତ୍କାରିତା, ଆନୁରୂପ୍ୟ, ଉତ୍କର୍ଷ, ଅପକର୍ଷ, ସାମଞ୍ଜସ୍ୟ କଥନକୁ ସାଦୃଶ୍ୟ କଥନ ବା ତୁଳନା ଭାବେ ବିବେଚନା କରାଯାଉଥିଲା । ‘ତୁଳନା’କୁ ସାଧର୍ମ୍ୟ ନିର୍ଣ୍ଣୟ ବା ସାଦୃଶ୍ୟ କଥନ ବା ନିର୍ଦ୍ଧାରଣ ରୂପେ ଅର୍ଥନିଷ୍ଠ କରାଯାଉଥିଲା । ଦୁଇ ବା ତହିଁରୁ ଅଧିକ କାବ୍ୟ ଉପାଦାନ ଭିତରେ ସାଦୃଶ୍ୟ ନିର୍ଦ୍ଧାରଣ କରାଯାଉଥିଲା । ଭାମହ ସାଦୃଶ୍ୟକୁ ମାଲ୍ୟକାରର ଅଭେଦ ଗ୍ରନ୍ଥନ-ଧର୍ମ ରୂପେ ଅର୍ଥନିଷ୍ଠ କରିଥିବା ବେଳେ ତାଙ୍କ ପୂର୍ବରୁ ବାତ୍ସାୟନ ଏହାକୁ ‘ଅନୁପୂରତା’ ଭାବେ ପରିଭାଷିତ କରିଥିଲେ । ଭାମହଙ୍କ ପରେ ସମାନ ଧର୍ମ ଥିବା ଆଳଙ୍କାରିକ ଅର୍ଥନିଷ୍ପତ୍ତିକରଣ ଚାତୁରୀକୁ ସାଦୃଶ୍ୟ କଥନ କୁହାଗଲା । ତର୍କଣା, ଅଭେଦକଥନ, ଆଧିକ୍ୟ-ଅନାଧିକ୍ୟ ତର୍କଣା ଆରୋପଣାତ୍ମକ ଉତ୍କର୍ଷ-ଅପକର୍ଷବୋଧନ, ତୁଳନା ଇତ୍ୟାଦି ସାଦୃଶ୍ୟ କଥନର ଉପାୟ ରୂପେ କବିପ୍ରସିଦ୍ଧ ପାଇଲା । ୟୁରୋପୀୟ ତୁଳନାତ୍ମକ ଅଧ୍ୟୟନର ସାଦୃଶ୍ୟାଧ୍ୟୟନ ପଦ୍ଧତିର (Study of Similarity) ଏକ ସମପଯ୍ୟାୟକରି ଶବ୍ଦ ହେଉଛି ‘ସାଦୃଶ୍ୟକଥନ’ । ପ୍ରଭେଦ ଏତିକି-ଭାରତୀୟ ସାଦୃଶ୍ୟକଥନ ଏକ ଆଳଙ୍କାରିକ ଅର୍ଥକରଣ ବିଧାନ ସହିତ ସଂପୃକ୍ତ । ମାତ୍ର ପାଶ୍ଚାତ୍ୟବୋଧର ସାଦୃଶ୍ୟାଧ୍ୟୟନ ଏକାଧିକ ଭିନ୍ନଭାଷୀ ଓ ଭିନ୍ନ ସଂସ୍କୃତି ସଂଯୁକ୍ତ ଲେଖା ଭିତରେ ବିଷୟଗତ, ବସ୍ତୁ ବିନ୍ୟାସମୂଳକ, ସଂରଚନାତ୍ମକ, ଦୃଷ୍ଟିଭଙ୍ଗୀମୂଳକ, ଆବେଦନାତ୍ମକ ଓ ରୂପଗତ ତାରତମ୍ୟ ସହିତ ସମଧର୍ମିତାକୁ ତୁଳନା କରିବାକୁ ପ୍ରାଧାନ୍ୟ ଦିଏ ।

 

୧୫୯୮ ମସିହାରେ କାବ୍ୟ-ସର୍ଜନ ସମ୍ପର୍କରେ ଲାଟିନ ଆମେରିକା ଓ ୟୁରୋପ ଭୂଖଣ୍ଡରେ ଥିବା ପ୍ରତୀତକୁ ଦେଖାଇବାକୁ ଯାଇ ପ୍ରଥମେ ଫ୍ରାନ୍ସିସ୍ ମରିସ୍ ‘କଂପାରେଟିଭ୍’ ଶବ୍ଦଟିକୁ ବ୍ୟବହାର କରିଥିଲେ । ସେ ଏହି ଶବ୍ଦଟିକୁ ସାଦୃଶ୍ୟାତ୍ମକ ତୁଳନା ଅର୍ଥରେ ବ୍ୟବହାର କରି ନିଜ ପ୍ରବନ୍ଧର ଶୀର୍ଷକ ରଖିଥିଲେ “ଏ କଂପାରେଟିଭ୍ ଡିସ୍‍କୋର୍ସ ଅଫ୍ ଆୱାର ଇଂଗ୍ଲିସ୍, ଗ୍ରୀକ୍, ଲାଟିନ ଆଣ୍ଡ ଇଟାଲିୟାନ ପୋଏଟସ୍” । ଏସବୁ ଭୂଭାଗର କବିମାନଙ୍କର କାବ୍ୟନିର୍ମାଣର ଧାରଣା ସମ୍ପର୍କରେ ସେ ଭେଦ ଓ ଅଭେଦକୁ ସଂକ୍ଷେପରେ ଦର୍ଶାଇଥିଲେ । ଏହାର ଠିକ୍ ୨୫୦ ବର୍ଷ ପରେ ୧୮୪୮ରେ କଂପାରେଟିଭ୍ ସହିତ ଲିଟେରଚର ଶବ୍ଦକୁ ଯୋଡ଼ି ମାଥ୍ୟୁ ଆରନୋଲଡ଼ ଦର୍ଶାଇଲେ- କବିକବିଙ୍କ ଭିତରେ ସାମ୍ୟ ଥାଏ ପୁଣି ତାରତମ୍ୟ ଥାଏ । ଏହା ସତ୍ତ୍ଵେ ବିଶ୍ଵର ବହୁ କବି ଅଛନ୍ତି ଯେଉଁମାନଙ୍କ ଲେଖାପଢ଼ିଲେ ଜଣାଯାଏ- ଜୀବନକୁ ସମକ୍ଷିତ କରି ଲେଖୁଥିବା କବିମାନଙ୍କ ଭାଷା ଅଲଗା; ମାତ୍ର ଭାବରେ ଥାଏ ସମବୋଧନ । ୧୮୫୨ ମସିହାରେ ପ୍ରସିଦ୍ଧ ମାର୍କିନକବି ୱାଲଟ ହୁଇଟିମାନ୍ ନିଜ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ- ଆମର ଭଲ କବିତା ଅଛି । ଏହାର ଅର୍ଥ କେବଳ ଆମର ନୁହେଁ, ଆହୁରି ଅନେକ ଭାଗର ମଣିଷଙ୍କର ବି କବିତା ଅଛି । ଆମର ଭଲ ଏହା କେବଳ ସେହି ଅନେକ ଭାଗର କବିତା ସହିତ ମିଶାଇ ସାଦୃଶ୍ୟ ଧର୍ମର ନିକିତରେ ପକାଇ ଆମକୁ ତଉଲିବାକୁ ପଡ଼ିବ । ଦେଖିବା ଯେଉଁ କବିତା ମଣିଷର ମର୍ମକୁ ଧରି ରଖିବ ସେ କବିତା ଭଲ ଓ ପ୍ରାୟତଃ ଭାଷା ବ୍ୟବଧାନ ଉର୍ଦ୍ଧ୍ୱରେ ସେମାନେ ସମସ୍ତେ ସମାନ ସହାନୁଭୂତିରେ ମାନବର ମନକଥା କୁହନ୍ତି । ଏହାର ୬୮ ବର୍ଷପରେ ଟି.ଏସ୍.ଇଲିୟଟ୍ ସାହିତ୍ୟକୃତିର ମୂଲ୍ୟାୟନକୁ ଅନ୍ୟ ସାହିତ୍ୟକୃତି ସହିତ ତୁଳନା କରି ପ୍ରକୃତରେ ନିର୍ଦ୍ଦିଷ୍ଟ କରାଯାଇପାରେ ବୋଲି ମତ ଦେବା ଭିତରେ (୧୬) ତୁଳନାତ୍ମକ ସାହିତ୍ୟାଧ୍ୟୟନ ପ୍ରସଙ୍ଗଟି ବଳିଷ୍ଠ ରହିଛି । ୧୮୮୬ରେ ଏଚ୍.ଏମ୍.ପୋସ୍ନେତ ତୁଳନାତ୍ମକ ସାହିତ୍ୟକୁ ଏକ ‘ବିଦ୍ୟା’ ଭାବରେ ବିଚାରିଲେ । ସାଦୃଶ୍ୟାଧ୍ୟୟନ ଓ ପ୍ରଭାବାଧ୍ୟୟନ ବଳରେ ବିଭିନ୍ନ ଭାଷାର ସାହିତ୍ୟ ସାହିତ୍ୟ ମଧ୍ୟରେ ଥିବା ସାମଞ୍ଜସ୍ୟର ସୂକ୍ଷ୍ମ ଚିହ୍ନଟକୁ ଦେଖାଇ ବିଶ୍ଵମାନବତାବୋଧର ସାହିତ୍ୟ ଭିତରେ ଐକ୍ୟବୋଧ ପ୍ରତିଷ୍ଠା କରିବା ଉପରେ ସେ ପ୍ରାଧାନ୍ୟ ଦେଲେ । ଏଇଠୁ ଆରମ୍ଭ ହେଲା ତୁଳନାତ୍ମକ ସାହିତ୍ୟ ଅଧ୍ୟୟନର ପରମ୍ପରା । ସାହିତ୍ୟ-ସାହିତ୍ୟ ଭିତରେ ସମ୍ପର୍କ ସୂତ୍ର ଆବିଷ୍କାର ଏହାର ମୁଖ୍ୟ ଉଦ୍ଦେଶ୍ୟ । ପରେ ଦେଖାଗଲା ସମ୍ପର୍କ ସୂତ୍ର ଅପେକ୍ଷା ତୁଳନାତ୍ମକ ଉପାୟରେ ଗୋଟିଏ ସହିତ ଆଉ ଗୋଟିଏ କୃତିକୁ ତଉଲି ତାରତମ୍ୟ ତର୍କଣା କରିବାର ପ୍ରୟାସ ବଳିଷ୍ଠ ହୋଇଉଠିଛି । ପ୍ରକୃତ ତୁଳନା ଭବ ଓ ଶୈଳୀଦିଗରୁ ନ୍ ହୋଇ ତର୍କଣା ବଳରେ ଗୋଟିଏ ଠାରୁ ଆଉ ଗୋଟିଏର ଉତ୍କର୍ଷ-ଅପକର୍ଷ ବିଚାର ପ୍ରାଧାନ୍ୟ ପାଉଛି । ଇଟାଲୀ ଓ ଫ୍ରାନ୍ସର ଉଚ୍ଚଶିକ୍ଷାଧାରାରେ ପୁଣିଥରେ ଗୋଥେ (୧୭୪୦ - ୧୮୩୨)ଙ୍କ ବିଶ୍ଵସାହିତ୍ୟ (ୱାଲତ୍ ଲିତେରାତୁ) ପ୍ରତୀତି ପ୍ରତି ଆସ୍ଥାସ୍ଥାପନ କରାଗଲା । ପ୍ରକୃତ ତୁଳନା ହେଉଛି ବିଶ୍ଵସାହିତ୍ୟର ମହାନ୍ କୃତିଗୁଡ଼ିକ ମଧ୍ୟରେ ସମସାଦୃଶ୍ୟ (ବିଷମ ସାଦୃଶ୍ୟ ନୁହେଁ) ଖୋଜି ସମଗ୍ର ବିଶ୍ଵ ଜୀବନବୋଧକୁ ସାହିତ୍ୟ ମାଧ୍ୟମରେ ପ୍ରତିଷ୍ଠା ଦେବା । ପ୍ରଥମ ବିଶ୍ଵଯୁଦ୍ଧ ପରେ ଏହି ସମଗ୍ର ବୋଧ କଥାଟି ଆନ୍ତର୍ବିଦ୍ୟା ଅଧ୍ୟୟନ ରୂପେ ଏବଂ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଆନ୍ତଃ ସାଂସ୍କୃତିକ ସମ୍ପର୍କ ସ୍ଥାପନର ସାହିତ୍ୟବୋଧ ରୂପେ ମାନ୍ୟତା ପାଇଛି । ସାହିତ୍ୟକୁ ଆଧାର କରି ବିଭିନ୍ନ ଜାତିର ଐତିହାସିକ, ପାରିପାର୍ଶ୍ଵିକ ଓ ସାଂସ୍କୃତିକ ମହିମାକୁ ବ୍ୟାଖ୍ୟା କରି ପ୍ରତ୍ୟେକ ଭିତରେ ଆନ୍ତଃସାଦୃଶ୍ୟ ସୂଚିତ କରିବା । ପ୍ରତ୍ୟେକ ଭୁଖଣ୍ଡର ମାନବୀୟ ଆଶା- ନୈରାଶ୍ୟ, ପ୍ରବୃତ୍ତି ଓ ଆଚରଣ ଭିତରେ ଏକରୂପତା ନିରୂପଣ କରିବା ଏବଂ ମାନବୀୟ ମୂଲ୍ୟବୋଧର ନାସ୍ତିବାଚକ- ଅସ୍ତିବାଚକ ଦିଗର ସମାନ ବିବର୍ତ୍ତକୁ ଉପଲବ୍ଧି କରିବା ସାଦୃଶ୍ୟାଧ୍ୟୟନମୂଳକ ତୁଳନାତ୍ମକ ସାହିତ୍ୟର ବିଶେଷତ୍ଵ ହୋଇଛି । ସମଉପାଦାନର ସନ୍ଧାଣ ହିଁ ସାଦୃଶ୍ୟାଧ୍ୟୟଣର ମୁଖ୍ୟ ଲକ୍ଷଣ ହୋଇଛି ।

 

।। ପାଞ୍ଚ ।।

 

ତୁଳନାତ୍ମକ ସାହିତ୍ୟ କ୍ଷେତ୍ରରେ ପ୍ରଭାବ ସୂତ୍ରୀୟ ତର୍ଜମା ଅନ୍ୟତମ ପଦ୍ଧତି ଭାବେ ଗୃହୀତ-। ବିଶ୍ଵସାହିତ୍ୟ କଥା କହୁଥିବା ବିଶ୍ଵକବି ରବିନ୍ଦ୍ରନାଥ ବି ସାହିତ୍ୟ ସର୍ଜନଶୀଳତା କ୍ଷେତ୍ରରେ ପ୍ରଭାବସୂତ୍ରର ଭୁମିକାକୁ ମାନିଛନ୍ତି । ତାଙ୍କ ମତରେ ପ୍ରତ୍ୟେକ ଭାରତୀୟ ଭାଷାଭାଷୀଙ୍କ ଲେଖା ଭିତରେ ଗ୍ରନ୍ଥଗୌରବତ୍ରୟୀ (ରାମାୟଣ-ମହାଭାରତ-ଭାଗବତ)ର ପ୍ରଭାବ ରହିଛି । କାଳିଦାସ, ମାଘ, ବାଣଭଟ୍ଟଙ୍କ ଛାୟାରୁ ଭାରତୀୟ ରଚନାତ୍ମକ ମନ ମୁକ୍ତ ନୁହେଁ । ବେଦ ଓ ଉପନିଷଦର ଇନ୍ଦ୍ରିୟ ଓ ଇନ୍ଦ୍ରିୟୋତ୍ତର ଚେତନା ସହିତ ବୈଷ୍ଣବ ଓ ବୌଦ୍ଧ ଦର୍ଶନର ନିସର୍ତ୍ତ ପ୍ରୀତିବୋଧର ଭାବନା ଭାରତୀୟ ଲେଖକଙ୍କ ନିର୍ମାଣ ସାମର୍ଥ୍ୟରେ ଗୋତ୍ରସ୍ମରଣ କ୍ରମେ ପ୍ରଭାବଶାଳୀ ହୋଇ ରହିଥାଏ । ଇଂରେଜ- କର୍ତ୍ତୃକ ଭାରତର ଲେଖକମାନେ ମିଲଟନ, ସେକସପିୟର, ୱାଡ଼ସ୍ୱାର୍ଥ ପ୍ରମୁଖ ଦରିଆପାରି କବିଙ୍କ ପ୍ରଭାବକୁ ଅପ୍ରୀତିଜନକ ଭାବନ୍ତି ନାହିଁ । ଏହାପରି ଯୁକ୍ତି ବା ଅଭିମତ ଶୁଣିବାକୁ ପିତା ଲାଗିପାରେ ମାତ୍ର ସତ୍ୟ ଓ ଯଥାର୍ଥ ।

 

ସାଧାରଣତଃ ଗୋଟିଏ ସାହିତ୍ୟ ଉପରେ ଅନ୍ୟ ଏକ ବା ଏକାଧିକ ସାହିତ୍ୟର ଭାବଗତ, ରଚନାଶୈଳୀଗତ ପ୍ରଭାବକୁ ସମନ୍ୱତ କରି ତୁଳନାତ୍ମକ ସାହିତ୍ୟ ତା’ର ମୌଳିକ ଉତ୍ସ ଦେଖେଇଦିଏ । ଯେମିତି ଗଙ୍ଗାଧର ସାହିତ୍ୟରେ ବାଲ୍ମୀକି, କାଳିଦାସ, ବ୍ୟାସ ଭବଭୂତିଙ୍କ ସ୍ଵରର ପ୍ରଭାବ ଓ ରାଧାନାଥଙ୍କ ଲେଖାରେ ମିଲିଟନ, ଦାନ୍ତେ, ଓଭିଡ଼ (ଓଭିଡ଼ିୟାସ୍ ପାବିଲିଆସ୍ ଲାସୋ) ମାଇକେଲ୍ ମଧୁସୂଦନ, କାଳିଦାସ, କୀଟସ୍, ଟେନିସନ, ସ୍କଟଙ୍କ ଲେଖାର ଉପାଦାନର ଉପସ୍ଥିତି ରହିଛି । ପ୍ରଭାବଶାଳୀ ସାହିତ୍ୟରୁ ପ୍ରଭାବିତ ଲେଖକ ଉପାଦାନକୁ ଆହରଣ କରିଥା’ନ୍ତି ଏବଂ ତାହାକୁ ନିଜ ଦେଶ-କାଳ-ପାତ୍ର ସହିତ ମିଶାଇ ସେସବୁରେ ଆରୋପଣ କରି ନିଜସ୍ୱ ଢଙ୍ଗରେ ଅଭିନବ-ମୌଳିକତା ପ୍ରଦର୍ଶନ କରିଥା’ନ୍ତି । ତୁଳନାତ୍ମକ ସାହିତ୍ୟ ଅଧ୍ୟୟନଧାରାରେ ପ୍ରଭାବସୂତ୍ରୀୟ ତୁଳନା ଦୁଇଟି ଦିଗରୁ ମୁଖ୍ୟତଃ ପ୍ରାଧାନ୍ୟ ଲାଭ କରିଛି । ଗୋଟିଏ ହେଉଛି ବିଜିତ ଜାତିର ସାହିତ୍ୟ ସର୍ବଦା ପରାଜିତ ଜାତିର ପ୍ରତିଭାଙ୍କ ଦ୍ଵାରା ଆଦୃତ ହୋଇଥାଏ । ବିଜିତ ଜାତିର ସାହିତ୍ୟ-ସାମର୍ଥ୍ୟ ସମକକ୍ଷ ହେବାର ମାନସିକତାରୁ ପରାଜିତ ଜାତିର ଲେଖକ ଉପାଦାନ ଆହରଣ କରି ତଦନରୂପ ଆବେଦନର ସାହିତ୍ୟବୋଧ ନିଜ ସାହିତ୍ୟ-ପରିମଣ୍ଡଳରେ ସୃଷ୍ଟି କରିଥାଏ । ଏ ଦୃଷ୍ଟିରୁ ଭାରତରେ ଇଂରେଜୀ ସାହିତ୍ୟର ପ୍ରଭାବ ସୁଦୂର ପ୍ରସାରୀ ହୋଇଯାଇଛି । ଅନ୍ୟପ୍ରକାର ପ୍ରଭାବଟି ହେଉଛି ଗୋଟିଏ ଜାତିର ଭାଷା-ସାହିତ୍ୟ-ସଂସ୍କୃତି-ସଭ୍ୟତାର ଆସକ୍ତ ଦିଗ ଓ ଉପାଦାନ ପ୍ରତି ଅନ୍ୟ ଏକ ଜାତିର ଲେଖକ ଅନୁରାଗ ସଂଘାତ ଭାବୁକତା ହେତୁ ଆକୃଷ୍ଟ ହୁଏ । ଆକୃଷ୍ଟ ଉପାଦାନ ଦ୍ଵାରା ଯଦି ସେ ଅନୁରୂପ ଭାବଚିତ୍ର ଅଙ୍କନ କରି ତା’ଜାର୍ତିର ମାନବୀୟ (ଜୀବନଶୈଳୀ, ଆଚରଣ, ବିଶ୍ଵାସ) ଧାରଣା ପାଇଁ ସମାନୁପାତିକ ଧର୍ମର ଦୃଷ୍ଟାନ୍ତ ତିଆରି କରିବା ଉଚିତବୋଧ କରେ ତେବେ ସେ ଅନ୍ୟର ପ୍ରଭାବକୁ ଭାବଶିଷ୍ୟବତ୍ ବରଣ କରେ । ଓଡ଼ିଆ ସାହିତ୍ୟରେ ରାଧାନାଥ ଓଭିଡ଼୍‍କୁ, ସଚ୍ଚିଦାନନ୍ଦ ୱାଲଟ୍ ହୁଇଟିମାନଙ୍କୁ, ସବୁଜପନ୍ଥାଏ ରବୀନ୍ଦ୍ରନାଥଙ୍କୁ ଓ ଗୁରୁପ୍ରସାଦ ଟ.ଏସ୍.ଇଲିୟଟଙ୍କୁ ଏହି କାରଣରୁ ଭାବଗୁରୁଭାବେ ବରଣ କରିଥିଲେ । ଗଙ୍ଗାଧର- ଜୟ ବେଦବ୍ୟାସ ଜୟ କାଳିଦାସ ଭାରତୀ ପ୍ରିୟନନ୍ଦନ ବୋଲି ସମର୍ଥନ କରି ସେମାନଙ୍କ ଯାତ୍ରାପଥରେ ନିଜକୁ ଚଳେଇ ନେଇଥିଲେ । କାଳିନ୍ଦୀଚରଣ ଓ ଅନ୍ନାଦାଶଙ୍କରଙ୍କ ଭାଷାରେ ‘ରବୀନ୍ଦ୍ର ଆମ ସମକାଳରେ ସମଗ୍ର ଭାରତବର୍ଷର କବିତା କ୍ଷେତ୍ରରେ ଆଦର୍ଶ । ସର୍ବତ୍ର ରବିରଶ୍ମିର ପ୍ରଭାବ ପ୍ରତିଫଳିତ । ସେ ଆଦର୍ଶର ପ୍ରଭାବକୁ ସବୁଜ କବିଏ ମାନିଥିଲେ । ମୋଟ୍ ଉପରେ ତୁଳନାତ୍ମକ ସାହିତ୍ୟ ପ୍ରଭାବସୂତ୍ରୀୟ ଅଧ୍ୟୟନକୁ ଗୁରୁତ୍ଵ ଦିଏ । ଗୁରୁତ୍ଵର ଦୁଇଟି ଦିଗ ଏହିପରି :

 

(କ)

ପ୍ରଭାବଶାଳୀ ଓ ପ୍ରଭାବିତ ଲେଖକଙ୍କ ଲେଖାକୁ ଅନୁଶୀଳନ କରି ମାନବୀୟ ଭାବନାର ଐକ୍ୟପ୍ରସଙ୍ଗ କିପରି ପ୍ରଭାବୀ ଧର୍ମରେ ଉଭୟ ଲେଖାରେ ଉପସ୍ଥିତ ରହିଛି ତାହାକୁ ପ୍ରମାଣ କରିଦେବା ।

(ଖ)

ଗୋଟିଏ ଭାଷାର କବି ଆଉ ଗୋଟିଏ ଭାଷାର ବଳିଷ୍ଠ କବିଙ୍କ ଲେଖାରୁ କେଉଁ ପ୍ରସଙ୍ଗ ଓ ଚିତ୍ର ଆହରଣ କରିଛି ଓ ତାହାକୁ ସ୍ଵୀକରଣ କରି କିପରି ବିଭାବନଶୀଳ ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ କରିଛି ତାହା ନିରୂପଣ କରିବା ।

 

ଏ ପ୍ରକାର ପ୍ରଭାବସୂତ୍ରୀୟ ଅଧ୍ୟୟନ (ଇନଫ୍ଲୁଏନସେ ଷ୍ଟଡ଼ି)କୁ ଆହରଣ (ବରୋଇଂ) ଓ ସ୍ଵୀକରଣ ଜନିତ ମୌଳିକତା (ଅରଜିନାଲିଟି) ଭାବରେ ଗ୍ରହଣ କରାଯାଏ । ଓଡ଼ିଆ କବିତାର ସବୁଜ ଆନ୍ଦୋଳନଧାରାରେ ରବିନ୍ଦ୍ରନାଥଙ୍କ ଠାରୁ ପ୍ରତ୍ୟେକ କବି ଆହରଣ କରିଛନ୍ତି ମାତ୍ର ବୈକୁଣ୍ଠନାଥ ଓ ମାୟାଧର ବେଶ୍ ସର୍ଜନଶୀଳ ସାମର୍ଥ୍ୟ ଦେଖାଇ ତହିଁରେ ସ୍ଵକୀୟା ମୌଳିକତା ପ୍ରଦର୍ଶନ କରିପାରିଛନ୍ତି । ଏ କ୍ଷେତ୍ରରେ ତୁଳନାତ୍ମକ ସାହିତ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷୀ ଲେଖକଙ୍କ ଭିତରେ ତୁଳନାକୁ ନାପସନ୍ଦକରେ ଓ ଔଚିତ୍ୟ ରହିତ ବିଚାରଭାବେ ବିବେଚନା କରେ ।

 

।। ଛଅ ।।

 

‘ତୁଳନାତ୍ମକ ସାହିତ୍ୟ’ ଆଉ ଗୋଟିଏ ଲକ୍ଷଣ ହେଉଛି- ସମାନ୍ତରାଳ ଅଧ୍ୟୟନ (ପାରାଲେଲ୍ ଷ୍ଟଡ଼ି) । ସ୍ଥାନ-କାଳ-ପାତ୍ର-ଭାଷା-ଧର୍ମ ଇତ୍ୟାଦିର ବ୍ୟବଧାନ ସତ୍ତ୍ଵେ ଭିନ୍ନ ଭିନ୍ନ ଲେଖକଙ୍କ ଦୃଷ୍ଟିଭଙ୍ଗୀ ଓ ସାହିତ୍ୟ ରସବୋଧ ତଥା ପ୍ରକରଣ ଚାତୁରୀରେ ସମଧର୍ମର ସଞ୍ଚାରକୁ ତୁଳନା କରିବାକୁ ସମାନ୍ତରାଳ ଅଧ୍ୟୟନ ଭାବରେ ପରିଭାଷିତ କରାହୋଇଛି । ତୁଳନାତ୍ମକ ସାହିତ୍ୟ ବା କଂପାରେଟିଭ୍ ଲିଟେରଚରର ମୂଳଶବ୍ଦ କଂପୋରାରିଓ ଏକ ଲାଟିନ ଶବ୍ଦ । ଏହାର ଅର୍ଥ ସମାନ୍ତରାଳ ଭାବେ ବୁଝାପଡ଼ୁଥିବା ପାରସ୍ପରିକ ସମାନତା (ମିଉଚୁଆଲି ଇକୁଆଲ୍) । ତୁଳନାଶାସ୍ତ୍ରୀ ପାଖରେ ନିଜ ମାତୃଭାଷାର ଲେଖା ପ୍ରଥମକ୍ଷେତ୍ରୀୟ ଲେଖା । ତା’ସହିତ ତୁଳନା ହେବାକୁ ଗୃହୀତ ହୋଇଥିବା ଅନ୍ୟଭାଷାର ଲେଖାଟି ଦ୍ଵିତୀୟ କ୍ଷେତ୍ରରଲେଖା । ପ୍ରଥମ କ୍ଷେତ୍ର ଓ ଦ୍ଵିତୀୟ କ୍ଷେତ୍ରର ଲେଖା ମଧ୍ୟରେ ମନସ୍ତାତ୍ତ୍ଵିକ, ସାଂସ୍କୃତିକ, ସାମାଜିକ, ଆଧ୍ୟାତ୍ମିକ, ମାନବିକ, ଆବେଗିକ, ନୈତିକ ଓ ସମୟୋଚିତ ସମାନ୍ତରାଳଭଙ୍ଗୀର ସମଭାବନା ବା ଦୃଷ୍ଟିଭଙ୍ଗୀର ଏକରୂପତାର ସନ୍ଧାନ ଓଏକଢ଼ଙ୍ଗର ସଞ୍ଚାରଶାଳୀନତାକୁ ଅନୁଶୀଳନ କରି ତୁଳନାଯୋଗ୍ୟ ଲେଖାଲେଖା ମଧ୍ୟରେ ସମବୋଧ ଆବିଷ୍କାର କରିବା ହେଉଛି ସମାନ୍ତରାଳ ଅଧ୍ୟୟନର ବିଶେଷତ୍ଵ ।

 

ସମଗ୍ର ବିଶ୍ଵମାନବର ଚିନ୍ତାରାଜ୍ୟରେ ଯୁଦ୍ଧ, ପ୍ରେମ, ବିଶ୍ଵାସ, ଦୁଃଖ, ସୁଖ ଆନନ୍ଦ ଆଦି ମାନବୀୟ ଦୃଷ୍ଟିଭଙ୍ଗୀକୁ କେନ୍ଦ୍ରକରି ଆନ୍ତଃସାଂସୃତିକ ଓ ଆନ୍ତଃସମ୍ବେଦୀ ସାମଞ୍ଜସ୍ୟ ରହିଛି । ଏହି ସମ୍ପର୍କ ସମାନ୍ତରାଳ ଧର୍ମର । ଜାତୀୟ ସାହିତ୍ୟ ହେଉ କି ଆଞ୍ଚଳିକ ସାହିତ୍ୟ ହେଉ, ମାର୍କିନ ସାହିତ୍ୟ ହେଉ କି ଭାରତୀୟ ସାହିତ୍ୟ ହେଉ ତୁଳନାବାଦୀ ଉଦାରମନା ପାଠକର ଅଧ୍ୟୟନ ବୃତ୍ତି ଯଦି ସମାନ୍ତରାଳ ଭାବରେ ଅତିକ୍ରମରେ ଦୁଇଟି ଭିନ୍ନଭାଷୀ ଲେଖା ଭିତରେ ସମବୋଧକ ସ୍ପନଦନକୁ ମୂଲ୍ୟାୟନ କରିପାରିଲେ ସେଇଠାରେ ହିଁ ସମାନ୍ତରାଳ ଅଧ୍ୟୟନ ଫଳପ୍ରଦ ହୁଏ । ସମାନ୍ତରାଳ ଅଧ୍ୟୟନ କରୁଥିବା ପାଠକ ବିଦ୍ଵାନଙ୍କ ବିଚାରକ୍ରମେ ବିଭିନ୍ନ କ୍ଷେତ୍ରର ସାହିତ୍ୟ ଭିତରେ ଥିବା ସାମଞ୍ଜସ୍ୟକୁ ନେଇ ଏକ ବିଶ୍ଵମୟ-ସାହିତ୍ୟ-ଅବବୋଧର ମାନକ ଖସଡ଼ାଟିଏ ସୃଷ୍ଟି ହୋଇପାରିବ । ମାତ୍ର ୧୯୭୦ ମସିହାପରେ ଉତ୍ତର ଉପନିବେଶବାଦୀ ସିଦ୍ଧାନ୍ତ ବିଶ୍ଵାସୀ ଚିନ୍ତାବିତମାନେ ତୁଳନା କରିବା ନାଁରେ ସମଗ୍ର ବିଶ୍ଵକୁ ଭାଗଭାଗ କରି ବଡ଼ସାନ, ଉନ୍ନତ-ଅନୁନ୍ନତ, ପ୍ରଭାବିତ- ପ୍ରଭାବଶାଳୀ ଦେଖିବାର ସମାନ୍ତରାଳ ଅଧ୍ୟୟନ ସାହିତ୍ୟର ମହିମାକୁ ଖଣ୍ଡନ କରୁଛି । ଗୋଟିଏ ସାହିତ୍ୟର ବଳିଷ୍ଠତା ପାଖରେ ଅନ୍ୟ ସାହିତ୍ୟର ଗୁଣନୀୟତା ଉଣା ହୋଇ ଏହାଦ୍ଵାରା ଦେଖି ହୋଇଯାଏ । ଏହା ସତ୍ତ୍ଵେ ତୁଳନାଶାସ୍ତ୍ରୀମାନେ (ଇନ୍ଦ୍ରନାଥ ଚୌଧୁରୀ, ହେନେରୀ ରିମାକ୍, ଭାନ୍ ତେଗହାଁ, ଗାୟାର୍ତ, ଆନନା ସୈତା, ଥର୍ଲବାଏ, ରେନ୍ ୱେଲଟେ) ବିସ୍ତାରମନା ନିରପେକ୍ଷ ଅଧ୍ୟୟନ ବୃତ୍ତି ପାଖରେ ଅନ୍ୟକୁ ଲୋଡ଼ିବା, ଅନ୍ୟ ସହିତ ଯୋଡ଼ିବା, ଅନ୍ୟଠୁ ସମର୍ଥ ମଣିବା, ଅନ୍ୟସହିତ ସମବୋଧୀ ହୋଇ ଚିହ୍ନାଯିବା, ଅନ୍ୟକୁ ପ୍ରେରଣା ଦେବା ଓ ଅନ୍ୟଠୁ ପ୍ରେରଣା ଗ୍ରହଣ କରିବା ଗୋଟେ ଅପମାନିଆ ଓ ଅପକୀର୍ତ୍ତିଆ କଥା ନୁହେଁ । ବରଂ ଏହାଦ୍ୱାରା ତୁଲ୍ୟକଳ୍ପୀ ବିଶ୍ଵବୋଧଟିଏ ବୃଦ୍ଧିପାଏ । ଗୋଟିଏ କ୍ଷୁଦ୍ରସ୍ଥାନର ସାହିତ୍ୟ ବି ବିଶ୍ଵସାହିତ୍ୟର ମର୍ଯ୍ୟାଦା ଓ ଆଲୋକରେ ଉଦ୍ଭାସିତ ହୋଇଉଠେ ।

 

ଏଥିପାଇଁ ପୋସନେଟଙ୍କ ବିଚାରଟିକୁ ଶୁଣାଯାଉ ସାହିତ୍ୟ ସହିତ ସାହିତ୍ୟକୁ ମିଳାଇ ପଢ଼ିବା ଦ୍ଵାରା ଭିନ୍ନ ଭିନ୍ନ ଜାତିଙ୍କ ଭିତରେ ସର୍ଜନାତ୍ମକ ଭାବର ସେତୁଟିଏ ତିଆରି ହୋଇପାରିଥାଏ-। ବିଶ୍ଵର ପ୍ରତ୍ୟେକ ସ୍ଥଳର ଭାବନାର ସମାନ୍ତରାଳ ଅଧ୍ୟୟନକୁ ନିର୍ବିବାଦୀୟ ପଦ୍ଧତି ରୂପେ ମାନିଛନ୍ତି-। ତୁଳନାତ୍ମକ ସାହିତ୍ୟ ସମାଲୋଚକ ପଲ୍ ଭାନ୍ ତେଗହାଁଙ୍କ ଅଧ୍ୟୟନ ଜନିତ ପ୍ରତିପାଦ୍ୟଟିକୁ ଲକ୍ଷ୍ୟ କରାଯାଉ- “ସ୍ଥାନୀୟ ଓ ଜାତୀୟ ସାହିତ୍ୟର ସୀମାରୁ ଡେଇଁ ବିସ୍ତୁତ ମାନବୀୟ ଭାବଜଗତ ସହିତ ସାହିତ୍ୟକୁ ସମୀକୃତ କରିଦେବାର ଉଦ୍ଦେଶ୍ୟ ସମାନ୍ତରାଳ ଅଧ୍ୟୟନ ଭିତରେ ନିହିତ ଥାଏ । ଏକାଧିକ ସ୍ରଷ୍ଟାଙ୍କ ଦୃଷ୍ଟିଭଙ୍ଗୀର ସାର୍ବଜନୀନତା ପ୍ରମାଣିତ ହୋଇଥାଏ ।” ସମାନ୍ତରାଳ ସିଦ୍ଧିପ୍ରାପ୍ତ ସାହିତ୍ୟକୃତିର ଭିନ୍ନ ଭିନ୍ନ ଭାଷାରେ ଅନୁବାଦ ଘଟିବାଦ୍ୱାରା ସମଗ୍ର ମାନବ ଜାତିର ସାହିତ୍ୟ ଭିତରେ ଏକ ସାଧାରଣ ଆବେଦନକୁ ସମର୍ଥନ ସମାଜରେ ମିଳିଥାଏ । ସମାନ୍ତରାଳ ଅଧ୍ୟୟନ ଏକାଧିକ ସ୍ଥାନ ଓ କାଳର ସ୍ରଷ୍ଟାଙ୍କ ଭିତରେ ସାଧାରଣ ଦୃଷ୍ଟିଭଙ୍ଗୀଟିଏ (କମନ ନୋସନ୍) ସ୍ଥିର ହୋଇପାରିଥାଏ । ଏ କାରଣରୁ ଆମେ ଆନ୍ତଃସାଂସ୍କୃତିକ ସମ୍ବନ୍ଧକୁ ଆଧାର କରି ରବିନ୍ଦ୍ରା-କବିତା ସହିତ ୧୯୧୫-୨୦ ମସିହା ପରବର୍ତ୍ତୀ ସମଗ୍ର ଭାରତୀୟ ସାହିତ୍ୟର (ବିଭିନ୍ନ ଭାଷାକ୍ଷେତ୍ରୀୟ କବିତା) ସମାନ୍ତରାଳ ଅଧ୍ୟୟନ କରି ଭାରତୀୟ-ଭାବଚେତନା-ନିର୍ମାଣର ଏକ ରୂପତାକୁ ଲକ୍ଷ୍ୟକରି ପାରିଥାଏ । ପ୍ରଥମ ବିଶ୍ଵଯୁଦ୍ଧପରବର୍ତ୍ତୀ ତିନିଦଶନ୍ଧି ଓ ଦ୍ଵିତୀୟ ବିଶ୍ଵଯୁଦ୍ଧୋତ୍ତର ଦଶନ୍ଧିରେ ରାଜନୀତିକ-ଦାର୍ଶନିକ, ଭାବଧାରଣା ପୃଷ୍ଠଭୁମିରେ ସମଗ୍ର ବିଶ୍ୱ-ସାହିତ୍ୟ-ସର୍ଜନଧାରାରେ ସାମ୍ୟବାଦ, ମାନବତାବାଦ, ବାସ୍ତବତାବାଦର ଲହରକୁ ସମାନ୍ତରାଳ ଭାବରେ ଅନୁଭବ କରିହୋଇଥାଏ । ଏ ମର୍ମରେ ପରଜା, ଗୁଡ଼ଆର୍ଥ, ମାଟିର ମଣିଷ, ହିଡ଼ମାଟି, ଗୋଦାନ, ଗଣଦେବତା ଭିତରେ ସ୍ଵରସାମ୍ୟ ସମାନ୍ତାରାଳରୀତିରେ ଅନୁସୃତ ହୋଇଥିବାର ଲକ୍ଷ୍ୟ କରିବା ତୁଳନାତ୍ମକ ସାହିତ୍ୟର ସମାନ୍ତରାଳ ପଠନ ପଦ୍ଧତିରେ ଅନ୍ୟତମ ଦୃଷ୍ଟାନ୍ତ ହୋଇପାରିବ ।

 

ସମାନ୍ତରାଳ ଅଧ୍ୟୟନ ସମୟରେ ତୁଳନାବିଶ୍ଵସ୍ତ ପାଠକ ପାଠ-ପାଠ ଭିତରେ ସମଭାବ ଓ ତା’ର ସମଭଙ୍ଗୀର ସଞ୍ଚାର ଲକ୍ଷଣକୁ ତୁଲି ବସିଥାଏ । ବିଷମ ଭାବକୁ ସେ ପ୍ରତ୍ୟାଖ୍ୟାନ କରିଥାଏ । ସମକାଳର ଓ ସମଗୁଣର ବ୍ରାହ୍ମଧର୍ମର ବିଶେଷତାକୁ ନେଇ କବିତା-ବସ୍ତୁର ଅପୂର୍ବ ନିର୍ମାଣରେ କ୍ଷମ ମଧୁସୂଦନ (ଓଡ଼ିଆ) ଓ ରବୀନ୍ଦ୍ରନାଥ (ବଙ୍ଗଳା) ସମାନ୍ତରାଳ ଅଧ୍ୟୟନକ୍ରମେ ତୁଲ୍ୟକଳ୍ପୀ ହୋଇପାରନ୍ତି ଓ ସେମାନଙ୍କ କବିତା ସଂସାର ତୁଲ୍ୟଦେହୀ ବିବେଚିତ ହୋଇପାରିଥାଏ-। ସମାନ୍ତରାଳଧର୍ମୀ ତୁଳନାତତ୍ତ୍ଵ ବିଶ୍ଵାସ କରେ ଯେ ଭିନ୍ନ ଭିନ୍ନ ପର୍ଯ୍ୟାବରଣୀୟ ଶୃଙ୍ଖଳା ଓ ପରିପାର୍ଶ୍ଵକ ବାସ୍ତବତା ଭିତରେ ଲାଳିତ-ପାଳିତ-ବର୍ଦ୍ଧିତ ଭାବନା ଅନୁକରଣପ୍ରିୟ ପ୍ରତିଭାଙ୍କ (ଇମିଟେଟିଭ୍ ଟାଲେଣ୍ଟ) ଦ୍ଵାରା ଅବିକଳ ଆଧାରିତ ହୁଏ ନାହିଁ । ଅନ୍ୟାନୁକରଣ ଅବସ୍ଥାରେ ଅନୁକରଣକାରୀ ନିଜ ପରିବେଶ ସହିତ ଖାପଖାଇବା ଭଳି ଓ ଆପଣାର ସାମୂହିକ ସାଂସ୍କୃତିକ-ସମାଜିକ ଅବିକଳତାକୁ ପ୍ରବୋଧିତ କରିବାଭଳି ଉପାଦାନକୁ ଆଣିଥାଏ ଓ ତାକୁ ସଂମାର୍ଜିତ ଆପଣାଭୂଖଣ୍ଡମତେ କରି ସାହିତ୍ୟପ୍ରତିମାରେ ରୂପାନ୍ତରିତ କରିଥାଏ । ଆରୋପଣ, ଯୋଡ଼ାଣ ଓ ଅନୁରୂପକରଣ ଏଠାରେ ନିର୍ମାଣଭଙ୍ଗୀର ଉପାୟ ହୋଇଥାଏ । ଏ ଉପାୟରେ ସୂକ୍ଷ୍ମତାଟି ହେଉଛି-ମୂଳ ଲେଖାର ବା ଅନୁକରଣଯୋଗ୍ୟ ପାଠର ଅନେକ ମୂଳଉପାଦାନଙ୍କୁ ଅନୁକରଣକାରୀ ଅଦରକାରୀ ମଣି ପରିହାର କରିଥାଏ । ତେଣୁ ଅନୁକରଣୀୟ ଓ ଅନୁକୃତ ଉଭୟ ସାହିତ୍ୟକୃତିର ସମାନ୍ତରାଳ ଅଧ୍ୟୟନ ବେଳେ ଆହୃତ ଓ ପ୍ରତ୍ୟାଖ୍ୟାତ ଉପାଦାନ ପ୍ରତି ତୁଳନାତ୍ମକ ପାଠକମାନେ ଧ୍ୟାନନିଷ୍ଠ ରହିବା ଉଚିତ । ଏହାଦ୍ଵାରା ପ୍ରକୃତି ଦୃଷ୍ଟିଭଙ୍ଗୀ ଓ ଭବବୀଜ ମଧ୍ୟରେ ସାଦୃଶ୍ୟ ନିରୂପଣମୂଳକ ସମାନ୍ତରାଳ ତୁଳନା ସମ୍ଭବ ହୋଇପାରିଥାଏ । ଏ ଧରଣର ଅଧ୍ୟୟନ ଓ ଆକଳନରେ ଏକାଧିକ ଲେଖକଙ୍କ ଭାବନାର ପ୍ରତିପାଦ୍ୟଟି ଏକାବାଗର ଉତ୍ତାପର ହୋଇପାରିଥାଏ । ଉତ୍ସଭାଷାର ଲେଖକଙ୍କ ଲେଖକୀୟ କଳ୍ପନା ସହିତ ସମାନ୍ତରାଳ ଧାର ରଖି ଅନୁକରଣୀକାରୀ ଲେଖକଙ୍କ ସର୍ଜନସାମର୍ଥ୍ୟ ସଞ୍ଚାଳିତ ହୋଇଥାଏ । ସୁତରାଂ ମୂଳଲେଖକ ଓ ପରଲେଖକଙ୍କ ଦୃଷ୍ଟିଭଙ୍ଗୀ ସମାନ୍ତରାଳ ସୂତ୍ରରେ ତୁଲ୍ୟକଳ୍ପୀ । ଏଥି ଭାବଗତ ସମତା ଥାଏ । ମାତ୍ର ଆବେଦନ ଓ ସ୍ଵର ପାରିପାର୍ଶ୍ଵିକ ଓ ଲେଖକର ସାଂସ୍କୃତିକ ବାସନା କ୍ରମେ ଭିନ୍ନ ଥାଏ । ଏ କ୍ଷେତ୍ର ପ୍ରଭାବଶାଳୀ ଓ ପ୍ରଭାବିତ ଲେଖାଦ୍ଵୟ ତୁଳନା ଦୃଷ୍ଟିରୁ ସମାନ୍ତରାଳ ସୌନ୍ଦର୍ଯ୍ୟରେ ସ୍ଵକୀୟତା ଗୁଣରେ ସ୍ୱତନ୍ତ୍ର ଆବେଦନର ହୋଇଉଠେ । ଯେପରି ରୋମାନ୍ କବି ଓଭିଡ଼ିୟାସ୍ ପାବିଲିଆସ୍ ଲାସୋଙ୍କ ମେଟା ମରଫସିସ୍ କାବ୍ୟର ପ୍ରସଙ୍ଗ, ଚରିତ୍ର ଓ ଭାବାଣୁ ବା ଭାବାଂଶ ରାଧାନାଥଙ୍କ ଆହରଣଶୀଳ ପ୍ରତିଭାଦ୍ଵାରା ଗୃହୀତ ହୋଇ ପ୍ରଭାବଶୀଳ ଥାଇ ବି ଆବେଦନରେ ଉତ୍କଳୀୟ ଆଞ୍ଚଳିକ ମହିମା ଅନୁସାରେ ମୌଳିକ ଓ ସ୍ଵତନ୍ତ୍ର ହୋଇଉଠିଛି । ଏ ପ୍ରକାର ସମାନ୍ତରାଳାତ୍ମକ ବି ଓଡ଼ିଆ ସାମ୍ୟବାଦୀ ଚେତନାର ସୃଷ୍ଟିକଳ୍ପ ‘ପରଜା’ ଓ ଅସ୍ତିତ୍ଵବାଦୀ ଭାବଦର୍ଶନର ଉପନ୍ୟାସ, ନରକିନ୍ନର, ହଂସଗୀତିରେ ଦୃଶ୍ୟମାନ ହୋଇପାରିଛି । ସୁତରାଂ ଘଟଣା, ପ୍ରସଙ୍ଗ, ଚାରିତ୍ରିକତା ଓ ମାନସିକ ଉପଲବ୍ଧିକୁ ନେଇ ଏକାଧିକ ଭିନ୍ନଭାଷୀ ଲେଖାରେ ସ୍ଵରସାମ୍ୟ ଥିଲେ ବି ଆବେଦନସୁଲଭ ରଚନାବୋଧ ଗୋଟିଏ ବିନ୍ଦୁରେ ପ୍ରଭାବ-ପ୍ରଭାବିତ ସୂତ୍ରରେ ମିଳିତ ହେଉ ନାହାନ୍ତି ଏହାକୁ ଅନୁଧ୍ୟାନ କରିବା ସମାନ୍ତରାଳ- ତୁଳନାତ୍ମକ ପଦ୍ଧତିର ବିଶେଷତ୍ଵ । ଏ ଦିଗରୁ ଗୋପୀନାଥ- ଫଣିଭୂଷଣ- ତାରାଶଙ୍କର ଅଥବା ଫକୀରମୋହନ- ପ୍ରେମଚନ୍ଦ କିମ୍ବା ଶରତ ଚନ୍ଦ୍ର- କାହ୍ନୁଚରଣ, କାମାୟନୀ-କାହ୍ନୁପ୍ରିୟା-ଶ୍ରୀରାଧା-ବିଦଗ୍ଧମାଧବ ମଧ୍ୟରେ ତୁଳନା କରିବା ସମୟରେ ଆବେଦନାତ୍ମକ ଭିନ୍ନତା ନିରୂପଣ ପ୍ରତି ଧ୍ୟାନଦେବାକୁ ପଡ଼ିଥାଏ । ତୁଳନା କରିବାକୁ ହେବ ବୋଲି ଏ ପ୍ରକାର ଲେଖାମାନଙ୍କ ଭିତରେ ସମାନ୍ତରାଳ ସହିତ ପ୍ରଭାବପତନ ଓ ସାଦୃଶ୍ୟ ନିରୂପରଣକୁ ଖେଚେଡ଼ି ପାକରେ ଦେଖାଇବସିବା ହାସ୍ୟାସ୍ପଦୀ ପରିଣାମ ନେଇଥାଏ ।

 

॥ ସାତ ॥

 

ବିଶ୍ଵବୋଧର ଐକ୍ୟକୁ ସମ୍ମାନ ଦେଉଥିବା ତୁଳନାତ୍ମକ ସାହିତ୍ୟ ସୂଚେଇ ଦେଇପାରିଛି ଯେ ସମାବେଦନର ଭାବକଳ୍ପଗୁଡ଼ିକୁ ଆଶ୍ରୟ କରି ସମସ୍ୱାଦର ବିଷୟ ରଚିବା ଓ ସରସ୍ୱତୀୟ ରସସଞ୍ଚାର ତଥା ବିନିମୟ ଭିତ୍ତିରେ ଯୋଗାଯୋଗ ରଖିବା ହେଉଛି ମହନୀୟ ମାନବବିଦ୍ୟାର ଲକ୍ଷ୍ୟ । ଏ ଲକ୍ଷ୍ୟ ଭିନ୍ନ ଭାଷୀ ଭୂଖଣ୍ଡ ଭୂଖଣ୍ଡର ସାହିତ୍ୟ ସର୍ଜନଶୀଳତା ମଧ୍ୟରେ ଥିବା ସାଂସ୍କୃତିକ ଉପାଦାନର ସମପ୍ରଜାତିକ ସାଦୃଶ୍ୟ ଉପଭୋଗ କରିବାର ଚମତ୍କାର ବିଚାର ଓ ବିମର୍ଶ ଦ୍ଵାରା ବିଗ୍ରହ ପ୍ରାପ୍ତ ହୋଇଥାଏ । ପୁରୁଣା ପାଠରୁ ସ୍ଵରଚୋରି ଓ ଭାବଚୋରି କରିବାରେ ନିଦାନ ଥାଏ । ପୁରୁଣା ସତ୍ତ୍ଵେ ଯଦି ସଦ୍ୟତମ ଓ ସର୍ବକାଳର ମାନବୀୟ ଜୀବନଶୈଳୀ ତଥା ବଞ୍ଚିବାର ପଦ୍ଧତିକୁ ପୂର୍ବସୂରୀଙ୍କ କୌଣସି ଲେଖା ପରସୂରୀଙ୍କୁ ଆକୃଷ୍ଟ କଲା ତେବେ ସେଠି ଏହାକୁ ଅବଶ୍ୟାନୁକରଣୀୟ ବୋଲି ଧରିନିଆଯାଏ । ପୁରୁଣା ପାଠର ଆଦର୍ଶଗର୍ଭା ଦୃଷ୍ଟାନ୍ତଯୋଗ୍ୟ ଛାୟା ନୂଆପାଠରେ ଅନ୍ତଃଗ୍ରନ୍ଥିତ ହୋଇଯାଏ । ଏପରି ହେବା ପଛରେ ସାଂସ୍କୃତିକ ସହସମ୍ବନ୍ଧ କାରଣ ରୂପେ ବିଦ୍ୟମାନ ଥାଏ । ଏ କାରଣରୁ ପୂର୍ବଭାରତର ସାଂସ୍କୃତିକ ସାରସ୍ୱତ-ପରମ୍ପରାରେ ରାମାୟଣ, ମହାଭାରତ, ଭାଗବତ ବାରମ୍ବାର ନୂଆ ନୂଆ କଳେବରରେ ରୂପାନ୍ତରିତ ହୋଇଚାଲିଛି-। ବ୍ୟାସ, ସାରଳା ବଂଶ, ସାରଳା-କାଶୀନାଥ, ବାଲ୍ମୀକି-ବଳରାମ-ଉପେନ୍ଦ୍ର, ବ୍ୟାସ-କେ.ଏମ୍.ମୁନ୍ସୀଙ୍କ ରଚନାଗୁଡ଼ିକ ଅନୁବାଦସୂତ୍ରରେ ହେଉ କି ଅନୁକରଣ ସୂତ୍ରରେ ତୁଳି ବସିଲେ ଗୋଟିଏ ସତ୍ୟ ସ୍ପଷ୍ଟ ହୋଇଉଠିବ- ପ୍ରଭାବଶାଳୀ ପୁରୁଣାର ଛାଇ ନୂଆ ସର୍ଜନଶୀଳତା ଉପରେ ପଡ଼ିବା ସ୍ଵାଭାବିକ । ଏହି ସ୍ୱାଭାବିକତା ସମ୍ମାନର ବିଷୟ ହୋଇଉଠେ ଯେତେବେଳେ ଅନ୍ୟ ଗଠିତ ଉପାଦାନକୁ ଆଣି ନିଜମତେ ଅଥବା ନିଜର ପାରିପାର୍ଶ୍ଵିକ ଧାରଣା (ଧର୍ମ, ଇତିହାସ, ରାଜନୀତି, ଭୂଗୋଳ, ଲୋକାଚାର, ଶାସ୍ତ୍ରସଙ୍କଳ୍ପୀ ପରିପାର୍ଶ୍ଵ) ଅନୁଯାୟୀ ତାକୁ ବଦଳାଇ ତହିଁରେ ନୂତନତ୍ଵ ଆରୋପ କରି ସ୍ୱକୀୟତା ପ୍ରଦର୍ଶନ ପୂର୍ବକ କିଛି ନୂଆରୂପର କରାଯାଇପାରେ । ଆହରଣ, ଆହୃତ ଉପାଦାନର ନୂତନ ଧର୍ମରେ ଆରୋପଣ ଓ ତହିଁରେ ସ୍ଵକୀୟତା ବା ମୌଳିକତା ପ୍ରଦର୍ଶନ-ସାହିତ୍ୟରେ ଅବଚର୍ଚ୍ଚାର ପ୍ରସଙ୍ଗ ନୁହେଁ । ଆହରଣ କରିବା ଓ ଆହୃତ ଉପାଦାନକୁ ନିଜ ଦେଶ-କାଳ-ପାତ୍ରମତେ ନୂଆରୂପେ ନବ-କଳେବରର କରିଦେବା ସର୍ଜନଶୀଳତାର ଅନ୍ୟତମ ଲକ୍ଷଣ । ଏ ଦିଗରୁ ବ୍ୟାସ-ବାଲ୍ମୀକିଙ୍କ ବୃହତାଖ୍ୟାନର କଳ୍ପନାକୁ ସାରୋଳ- ଜଗନ୍ନାଥ- ବଳରାମ-ଉପେନ୍ଦ୍ର ନିଜମତେ ଓ ନିଜ-କାଳର ପାଠକୀୟ ବିଶ୍ଵାସମତେ ଅନୁସର୍ଜନ କରିଦେଇଛନ୍ତି । ଫଳରେ ସଂସ୍କୃତଭାଷାର ପ୍ରଭାବୀଶାଳୀ ମହାକବିଙ୍କ ଅନୁଗାମୀ ହୋଇ ବି ତୁଳନାତ୍ମକ ଦିଗରୁ ଓଡ଼ିଆ କବିମାନେ କମ୍ ସ୍ଵତନ୍ତ୍ର ସର୍ଜନଶୀଳତାର ପ୍ରତିଭୂ ନୁହନ୍ତି । ଆମ ସାହିତ୍ୟର ଆଧୁନିକତାର ଦୁଇଟି ସ୍ତରରେ ରାଧାନାଥ ଓ ସଚ୍ଚିଦାନନ୍ଦ- ଗୁରୁପ୍ରସାଦ ଆହରଣ ଓ ତହିଁରେ ମୌଳିକତା ପ୍ରଦର୍ଶନର କୁହୁକ ସର୍ଜନଶୀଳତା ଦେଖାଇ ପାରିଛନ୍ତି । ରାଧାନାଥଙ୍କ ରୋମାନ୍ ଓ ଇଂରେଜୀ କବିଙ୍କୁ କାବ୍ୟ ରଚନାରେ ଆଧାର କରିବା ଏବଂ ପାଶ୍ଚାତ୍ୟ ଭାବଦର୍ଶନ ଅନୁରୂପ କରି ସେହି ଆଧାରିତ ଭାବକୁ ରୂପାୟଣ କରିବା ମଧ୍ୟରେ ଓଡ଼ିଆ ସାହିତ୍ୟର ଆଧୁନିକୀକରଣ ଘଟିଛି । ଅନୁରୂପ ଭାବରେ ସଚ୍ଚିଦାନନ୍ଦଙ୍କ କବିତା ଗଢ଼ଣର ମାନସିକତା ପାଖରେ ଦାର୍ଶନିକ, ମାର୍କସ, କବି ୱାଲଟ ହୁଇଟମ୍ୟାନ, ଜୀବନାନନ୍ଦ ଦାସ, ଏଜରାପାଉଣ୍ଡ, ମାଲାର୍ମେ, ରିଲକେ ଯେପରି ସମାନ୍ତରାଳ ପ୍ରେରଣା ଓ ପ୍ରଭାବ ସୂତ୍ରରେ ଛିଡ଼ା ହୋଇ ଛାୟାବିଶ୍ଵାସ ଯୋଗାଇ ଦେଇଛନ୍ତି ସେହିପରି ଟି.ଏସ୍.ଏଲିୟଟଙ୍କ କାବ୍ୟବୋଧ ସହିତ ସାର୍ତ୍ତଙ୍କ ଭାବଦର୍ଶନ ଗୁରୁପ୍ରସାଦଙ୍କ କାବ୍ୟାନୁଭୂତିକୁ ପରିପୁଷ୍ଟର ଯୋଗାଇ ଦେଇଛି । ସାରୋଳ, ଜଗନ୍ନାଥ, ରାଧାନାଥଙ୍କଠାରୁ ଗୁରୁପ୍ରସାଦଙ୍କ ପର୍ଯ୍ୟନ୍ତ ବହୁ ଧୂରିଣ ପ୍ରତିଭା ନିଜ ନିଜର ସମକାଳର ସାହିତ୍ୟ ରସବୋଧକୁ ସ୍ଵତନ୍ତ୍ର ଉତ୍କଳୀୟ ଅସ୍ମିତାସୂତକ ଆଧୁନିକୀକରଣ ଦେବାରେ କମ୍ ନିଷ୍ଠାର ସହିତ ଭିନ୍ନଭାବୁକର, ଚେତନା, ନିଜ ସମୟର ବାସ୍ତବତା ଓ ସ୍ଥାନୀୟତାର ଐଶ୍ୱର୍ଯ୍ୟ ଏବଂ ସ୍ୱକୀୟ କଳ୍ପନାର ସଂଯୋଗ ଘଟାଇ ନାହାନ୍ତି । ତୁଳି ବସିଲେ ଏଠାରେ ଓଡ଼ିଆ କବି ଏବଂ ଭିନ୍ନଭାଷୀ ତଥା ଭିନ୍ନ ସଂସ୍କୃତି-ସମୟର କବିଙ୍କ ଭାବନାରେ ବହୁ ମେଳ ଏବଂ ବହୁ ନୂତନ-ରୂପାନ୍ତରକୁ ଭେଟିବାରେ କୌଣସି ଆଶ୍ଚର୍ଯ୍ୟ ନାହିଁ । ଏ କ୍ଷେତ୍ରରେ ତୁଳନାତ୍ମକ ସାହିତ୍ୟ ବୁଝେଇ ସୂଚେଇ ଦିଏ ଅନୁକରଣ, ଆହରଣ, ପ୍ରଭାବ, ସାଦୃଶ୍ୟ ଚୋରି ଅଥବା ଅପପ୍ରସଙ୍ଗର ଲକ୍ଷଣ ନୁହେଁ । ଏହା ପୁରାତନକୁ ବଦଳାଇ ନୂଆଧାରାର ବାହକ ହୋଇଉଠେ । ନବଚେତନାରେ ରୂପାନ୍ତରିତ ଚୋରିଭାବ ଅଥବା ପ୍ରଭାବଶାଳୀ ଛାୟାନୁଭୂତି ସାରଭାବ ରୂପରେ ଆଦରଣୀୟ ହୋଇଉଠେ । ସର୍ଜନଶୀଳ ଚିନ୍ତାବିତ୍ ଗୋଥେ ଏହାକୁ ବୁଝି ଯଥାର୍ଥରେ ଦର୍ଶାଇଥିଲେ- ଏକ ସମାନ୍ତରାଳ ଅଧ୍ୟୟନ ପାଠକୁ ନାନା ସାହିତ୍ୟର ମହତ୍ତମ ଭାବାନୁଭୂତି ସହିତ ଯୋଡ଼ିଦିଏ । ସମଗୋତ୍ରୀୟ ମହତ୍ତମ ପ୍ରେରଣା ବି ଏକାଧିକ ଭାଷାର ସାହିତ୍ୟ ପଠନରୁ ମିଳିଥାଏ । ପାଠ ସହିତ ପାଠର ମେଳକ-ପଠନ ଆମକୁ ବହୁ ଦୂର ପଥର ଯାତ୍ରୀ ହେବାକୁ ସୁଯୋଗ ଓ ଉତ୍ସାହ ଦେଇଥାଏ । ବିଶ୍ଵସାହିତ୍ୟ ଓ ବିଶ୍ଵମାନବର ସମପଥ ଦେଖି ଦେଖାଇ ଦେଇଥିବା ବିଶ୍ଵକବି ରବୀନ୍ଦ୍ରନାଥ ବି ଏକାଭଳି କଥାଟିଏ ବାଢ଼ିଛନ୍ତି । କଥାଟି ହେଉଛି- ‘ପୃଥିବୀ ମୋର, ତୁମର, ତାଙ୍କର ବ୍ୟକ୍ତିଗତ ସୁଖ-ସୌଭାଗ୍ୟର ଖେତ : ଏପରି ଭାବିବା ଗ୍ରାମ୍ୟ ସଂକୋଚନତାର ନମୁନା । ସାହିତ୍ୟକୁ ବିଶାଳ ହୃଦୟ ଦେଇ ଦେଖିବା ଉଚିତ । ସମଗ୍ର ସାହିତ୍ୟ ମଣିଷର ସାହିତ୍ୟ, ଅତଏବ ବିଶ୍ୱସାହିତ୍ୟ । ବିଶ୍ୱର ପ୍ରତ୍ୟେକ ଭାଷାର ଲେଖକର ଲେଖାରେ ବିଶ୍ୱମାନବର ସମଗ୍ରତାକୁ ଦେଖିବା, ଲୋଡ଼ିବା ଓ ତା’ରି ଭିତରେ ମାନବୋଚିତ ଗୁଣ, କ୍ରିୟା, ଭାବ ଓ ପ୍ରୟାସକୁ ପ୍ରକଟିତ ହେଉଥିବାର ଅନୁଭବ କରିବା ବଡ଼ କଥା । ବିଶ୍ୱର ମହତ ସାହିତ୍ୟ କେବଳ ମାନବର ଜୀବନଧର୍ମର ଶୁଭଗ କଥା ଏକପ୍ରକାରର କରି କୁହନ୍ତି । ସେଠି ମଣିଷ ଥାଏ, ପ୍ରକୃତି ଥାଏ, ଈଶ୍ୱର ଥାଏ ଓ ସର୍ବୋପରି ଦିଆ ନିଆର ସଂଯୋଗ କଥା ଥାଏ- ରିମାକଙ୍କ ଏହି ବିଚାର ବି ଗୋଥେ, ଆରନୋଲାଡ଼୍, ରବିନ୍ଦ୍ରନାଥଙ୍କ ପରି ସୂଚେଇ ଦିଏ ଯେ ତୁଳନାତ୍ମକ ସାହିତ୍ୟ ଗୋଟିଏ ଭାଷାର ଲେଖା- ଲେଖକଙ୍କ ସହିତ ଆଉ ଗୋଟିଏ ଭିନ୍ନ ଭାଷାର ଲେଖା-ଲେଖକଙ୍କ ମଧ୍ୟରେ ବଡ଼ସାନ, ଭଲମନ୍ଦ, ପ୍ରଭାବଶାଳୀ-ପ୍ରଭାବିତ, ଉତ୍କର୍ଷ-ଅପକର୍ଷକୁ ଦେଖି ମାପେ ନାହିଁ । ଲେଖାଲେଖା ଭିତରେ ସାଦୃଶ୍ୟ ଅଛି, ଏଥି ସେଠି (ଚରିତ୍ର, ପ୍ରସଙ୍ଗ, ସଂରଚନା, ପରିବେଶ, ବକ୍ତବ୍ୟ ଇତ୍ୟାଦିରେ) ବୈଷମ୍ୟ ରହିଛି । ସେଠାରେ ଭିନ୍ନରୂପ ଦିଆଯାଇଛି, ମୂଳକଥା ନିଜ ଭୂଗୋଳ କ୍ରମେ ବଦଳାଯାଇଛି । ତଥାପି ଉତ୍ସଭାବର ବାସନା ରହିଛି- ଏ ପ୍ରକାର ସୁଝାଣ ବୁଝାଣକୁ ନେଇ ତୁଳନାତ୍ମକ ସାହିତ୍ୟ ଅର୍ଥନିଷ୍ଠ ହୁଏ ନାହିଁ । ଏହା ଏକ ସମଗୋତ୍ରୀୟ ସାଂସ୍କୃତିକ ସଂଯୋଗବିଦ୍ୟା ଏବଂ ବିଶ୍ୱମାନବ ଚେତନାର ବାଙ୍‍ମୟ ଐକ୍ୟକୁ ପରିଭାଷା ଭାବରେ ଗ୍ରହଣ କରେ ।

 

ଏହି ମର୍ମରେ ସାହିତ୍ୟର ରସବୋଧକୁ ବିଶ୍ୱବୋଧ ବା ମର୍ତ୍ତ୍ୟପ୍ରେମର ମାନସିକ ଆସ୍ୱାଦନ ଏବଂ ଏହାହିଁ ସାହିତ୍ୟର ସୌନ୍ଦର୍ଯ୍ୟ ବୋଲି ୨୬ ମେ, ୧୯୨୧ରେ ରବୀନ୍ଦ୍ରନାଥ ଷ୍ଟର୍ବିହୋମରେ ନୋବେଲ ପୁରସ୍କାର ଗ୍ରହଣ ଅବକାଶରେ ପ୍ରକାଶ କରିବା ବେଳେ ତୁଳନାତ୍ମକ ସାହିତ୍ୟର ଗରିମା ଅଧିକ ଭାବମୟ ହୋଇଉଠିଛି । ସ୍ଥାନୀୟ ସ୍ୱାଭିମାନକୁ ଉର୍ଦ୍ଧ୍ୱାୟିତ କରି ସମଗ୍ର ମାନବ ଜାତିର ଭାବକମ୍ପନରେ ରୂପାନ୍ତରିତ କରିଦେବାର ରସସମ୍ବେଦୀ ବିଚାରଟିଏ ତୁଳନାତ୍ମକ ସାହିତ୍ୟ ସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ଯୋଡ଼ି ହୋଇଯାଇଛି । ବିଶ୍ୱର କୌଣସି ଜୀବନବିଶ୍ୱସ୍ତ ସାରସ୍ୱତ ନିର୍ମିତ ଅବିଗୁଣର ନୁହେଁ- ଏ ପ୍ରକାର ତରଙ୍ଗଟିଏ ବିଶ୍ୱାୟିତ ହୋଇ ସଂଚରି ଯାଇଛି । ମାନବୀୟ ମହାଭାବର ତରଙ୍ଗାଶଗୁଡ଼ିକ ଅଚ୍ଛିଦ୍ରସୂତ୍ରରେ ଭଲ ସାହିତ୍ୟକୃତିଗୁଡ଼ିକରେ ଅନ୍ତଗର୍ଭିତ ହୋଇ ରହିଛି । ସେହିସବୁକୁ ସମମେଳର ତୁଲ୍ୟକଳ୍ପୀ ଭାବନା ରୂପେ ଗ୍ରହଣ କରିବା ନିମିତ୍ତ ତୁଳନାତ୍ମକ ସାହିତ୍ୟ ନୂଆ-ତର୍କଣାର ଫର୍ଦ୍ଦ ସଂଯୋଗ କରିଦେଇଛି । ଏ କାରଣରୁ ନିରକିନ୍ନର, ଅମାବାସ୍ୟାର ଚନ୍ଦ୍ର, ହଂସଗୀତି, ଦାନାପାଣି, ଯୁଦ୍ଧ, କୁହୁଡ଼ି, ଆକାଶର ଇସାରା ଆଦି ଓଡ଼ିଆ ଉପନ୍ୟାସରେ କେବଳ ଓଡ଼ିଶାର ସହରୀ-ଗଳି, କୃଷକର ସ୍ଵପ୍ନ, ନୈତିକ ଅସ୍ତିତ୍ୱର ଭଙ୍ଗାଗଢ଼ାର ସୌନ୍ଦର୍ଯ୍ୟ ଉତ୍ପାଦନକର ଖେଳ ଲୁଚି ରହି ନାହିଁ, ବରଂ ଏ ସବୁରେ ଗ୍ରନ୍ଥିତ ଘଟଣା- ଚରିତ୍ର- ଦୃଷ୍ଟିଭଙ୍ଗୀରେ ବିଶ୍ୱର ଯେକୌଣସି ସ୍ତରର ନୈରାଶ୍ୟରୁ ମୁକ୍ତ ଆଶାବଦୀ ମଣିଷର ଏବଂ ତା’ର ପାରିପାର୍ଶ୍ୱିକ ଜୀବନାପରଧି, ଦୃଶ୍ୟାବୃତ୍ତ, ଘଟଣାଚକ୍ରର ଅବିକଳତ୍ୱ ଛପି ରହିଛି । ତୁଳନାତ୍ମକ ସାହିତ୍ୟବିତ୍ ଏ.ଆର୍.ମାର୍ଶଙ୍କ କଥାଟିକୁ ଏଠାରେ ଉଦ୍ଧାର କରାଯାଇପାରେ- “ବିଶ୍ୱରେ ପ୍ରତ୍ୟେକ ସତ୍ ପୁସ୍ତକର ଆଲୋକପକଦୀପ୍ତ ରୂପ ଏକ ଏକ ମନୋବଳ ସୃଷ୍ଟିକର ଶବ୍ଦ ମନ୍ଦିର । ସେହି ମନ୍ଦିରରେ ବିଶ୍ୱାସ ଶିଶୁବତ୍ ନିଷ୍ପାପ ହସ ହସି ପ୍ରତିରୂପ ଧାରଣ କରି ରହିଥାଏ । ସେ ପ୍ରତିମା ଚକିତ କରି ଦେବା ଭଙ୍ଗୀରେ ଅମୃତ, ଶ୍ରଦ୍ଧା ଓ ସୌନ୍ଦର୍ଯ୍ୟରେ ମିଶ୍ରିତ ସ୍ଵପ୍ନ ବିତରୁ ଥାଏ । ତାହାର ବେଢ଼ାରେ ଛନ୍ଦ, କପଟ, ରାଗ, ରୁଷା, ଜୟ, ପରାଜୟର ମାନୋଫାନେର କିଛି ଗୁରୁତ୍ୱ ନ ଥାଏ । ସେଠି ପୂରି ରହିଥାଏ ନୂଆରୀତିରେ କେବଳ ସଭିଙ୍କ ଭିତରେ ବାଦବିବାଦକୁ ପିଲାଖେଳ ଭଳି ଭାବି ନେଇ ବଞ୍ଚିରହିବାର ଆତ୍ମବଳ ଓ ତା’ର ମଧୁର ପ୍ରେରଣାର କୋମଳ ସ୍ପର୍ଶ ।”

 

।। ଆଠ ।।

 

ଗୁଣ ଓ କ୍ରିୟାର ସମପୂରତାକୁ ନିର୍ଣ୍ଣୟ କରିବାକୁ ଯାଇ ଭାରତୀୟ ଅଳଙ୍କାରବାଦୀ ସାହିତ୍ୟଶାସ୍ତ୍ରୀମାନେ ତୁଲ୍ୟଯୋଗିତା (ପ୍ରତିବସ୍ତୁକଳ୍ପା) ଶୀର୍ଷକରେ ଏକ କାବ୍ୟଶୋଭାକାରଙ୍କ ଅଳଂକାରର ଭୂମିକାକୁ ସମର୍ଥନ କରିଥିଲେ । ପ୍ରକୃତ କାବ୍ୟବୋଧର ଗୁଣାତ୍ମକ ଓ ରୂପାତ୍ମକ ମହିମାକୁ ଅଧିକ ଯୁକ୍ତିଯୋଗ୍ୟ କରିବାକୁ ଯାଇ ସାଦୃଶ୍ୟ- ଅଭିବ୍ୟଞ୍ଜନାର ଲକ୍ଷଣ ଥିବା ପୂର୍ବବର୍ତ୍ତୀ ଲେଖା ବା କବିପ୍ରସିଦ୍ଧି ତୁଲ୍ୟ ପ୍ରସଙ୍ଗର ଉତ୍ଥାପନକୁ ତୁଲ୍ୟଯୋଗିତା ଅଳଙ୍କାର (ଏକ ଧର୍ମାଭିସମ୍ବନ୍ଧଃ ସ୍ୟାତ୍ତଦା ତୁଲ୍ୟଯୋଗିତା) ରୂପେ ମାନ୍ୟତା ସେମାନେ ଦେଇଥିଲେ । ଏଥିରୁ ସ୍ପଷ୍ଟ ହୁଏ ପରବର୍ତ୍ତୀ ଲେଖାରେ ପୂର୍ବବର୍ତ୍ତୀ ଲେଖାର ତୁଲ୍ୟଦେହୀ ଛାୟାପତନ ପ୍ରାଚୀନ ଭାରତୀୟ କାବ୍ୟ ପରମ୍ପରାରେ ଉପସ୍ଥିତ ଥିଲା । ପାଶ୍ଚାତ୍ୟ ସାହିତ୍ୟକଳନାର ଆନ୍ତଃଗ୍ରନ୍ଥିକତାର ମେଳକ ବିନ୍ୟାସ ଠିକ୍ ଏହି ପର୍ଯ୍ୟାୟର । ମହତ ଭାବର ପ୍ରସାର ପାଇଁ ପୂର୍ବସୂରୀଙ୍କ ପନ୍ଥାର ଆଭାଧର୍ମୀୟ ଉପସ୍ଥାପନା ପରବର୍ତ୍ତୀ ଲେଖାରେ ଦୁଷ୍ପ୍ରାପ୍ୟ ନୁହେଁ । ଏହା ସୌନ୍ଦର୍ଯ୍ୟ ବୃଦ୍ଧିର ଓ ସଂସ୍କାରୋଚିତ ବାସନା କ୍ରମେ ସାହିତ୍ୟବୋଧନର ଅନ୍ୟତମ ମାଧ୍ୟମ । ବିଶ୍ୱସାହିତ୍ୟ ବା ତୁଳନାତ୍ମକ ସାହିତ୍ୟ ଏହାକୁ ବ୍ୟାପକ ଭାବେ ସମର୍ଥନ କରେ । ସମଗ୍ରତାବୋଧକ ବିଶ୍ୱସାହିତ୍ୟ ଚେତନାଟିଏ ଗଢ଼ିବା ପାଇଁ ଉଦାର ସୌନ୍ଦର୍ଯ୍ୟଗର୍ଭକ ତୁଳନାତ୍ମକ ସାହିତ୍ୟର ଆବଶ୍ୟକତା ସାର୍ବକାଳିକ ସତ୍ୟ ଉପରେ ପ୍ରତିଷ୍ଠିତ ଏଥିରେ ଆନମନା ହେବାର ନାହିଁ । ମୋଟ ଉପରେ ବିଶ୍ୱର ଭଲଗ୍ରନ୍ଥମାନେ ଏକପ୍ରକାର ତୁଲ୍ୟଦେହୀ ଓ ତୁଲ୍ୟକଳ୍ପୀ । ଏହା ଏକ ଉପଯୋଗୀ ସାହିତ୍ୟବିଦ୍ୟା ଭାବରେ ଘୋଷଣା କରିଛି ଯେ-

 

 

ଭାଷା, କାଳ, ଅଞ୍ଚଳକୁ ଟପି ବାଲ୍ମୀକି, ହୋମର, କାଳିଦାସ, ସେକ୍‍ସପିୟର, ରବୀନ୍ଦ୍ର, ବୈକୁଣ୍ଠନାଥ, ଟଲଷ୍ଟୟ, ଗୋପୀନାଥ, ହୋମିଙ୍ଗୱେ, କିଶୋରୀଚରଣଙ୍କ ଭିତରେ ସମାବୋଧକ ଅନୁଭବ ଭରି ରହିଛି ଏବଂ ଏମାନଙ୍କ ମଧ୍ୟରେ ଥିବା ସମତାକୁ ନିର୍ମଳ ପାଠାକୀୟତା ଭିତରେ ଧରି ରଖିବା ହିଁ ତୁଳନାତ୍ମକ ସାହିତ୍ୟ- ଏହାହିଁ ଏ ଆଲୋଚନାର ପ୍ରତିପାଦ୍ୟ ନିଷ୍କର୍ଷ ।

 

ସହାୟକ-ସଙ୍କେତ ସୂଚୀ

 

ଆଲୋକର କବି ରବୀନ୍ଦ୍ରନାଥ-ସଂ, ପ୍ରଫୁଲ୍ଲଚନ୍ଦ୍ର ଦାସ, ୧୯୬୧, ପଠନ- ଦ୍ରଷ୍ଟବ୍ୟ ।

ନୋବେଲ ଅଭିଭାଷଣ, ରବୀନ୍ଦ୍ରନାଥ ଠାକୁର, ୧୯୬୧ : ଦ୍ରଷ୍ଟବ୍ୟ ।

(କ) ଧ୍ୱନ୍ୟାଲୋକ, ଆନନ୍ଦବର୍ଦ୍ଧନ, ୪ର୍ଥ ଉଦ୍ୟୋତଃ, ୧୨-୧୫ଶ୍ଲୋକ-ପଠନୀୟ ।

 

(ଖ) ଆଲେକଜାଣ୍ଡାର ଲିଣ୍ଡେ- ପ୍ଲାଗାରିଜମ୍ ଆଣ୍ଡ ଅରିଜିନାଲିଟି ୧୮-୨୪ ପୃଷ୍ଠା-ପଠନଯୋଗ୍ୟ ।

କାବ୍ୟାଳଙ୍କାର ଆଚାର୍ଯ୍ୟ ଭାମହ, ୧- ୫୯/୬୦ (ମାଳାକାରୋ ରଚୟତି ଯଥା ସାଧୁ ବିଜ୍ଞାୟମାଳା˚ x x x) ପଠନୀୟ ।

ସୁଜନେ ଆଦତ୍ୱ ମିତ୍ର ପରି ଏ କବିର / ସର୍ବସୁମନାସୁରସ କରିଛି ଏକତ୍ର / ସରଘା ପରାୟେ ଅଳ୍ପବୁଦ୍ଧି ଶକ୍ତିହୀନ / ସଂସାରେ କେବଳ ମଧୁକୋଷ କୀର୍ତ୍ତିଘେନ- (ଅଭିମନ୍ୟୁ, ବିଦଗ୍ଧ ଚିନ୍ତାମଣି, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶିତ)

ଧ୍ୱନ୍ୟାଲୋକ- ୪ର୍ଥ ଉଦ୍ୟୋତଃ, ପଠନଯୋଗ୍ୟ ।

ଆଲୋଖ୍ୟାକାରବତ୍ ତୁଲ୍ୟ ଦେହିବଚ ଶରୀରିଣାମ୍ x x x କାବ୍ୟବସ୍ତୁନା ସାଦୃଶ୍ୟଂ-ଧ୍ୱନ୍ୟାଲୋକ ଆନନ୍ଦବର୍ଦ୍ଧନ, ୪ର୍ଥ ଉଦ୍ୟୋତ, ୧୨ ଶ୍ଲୋକ ।

ରାଜଶେଖର, କାବ୍ୟମୀମାଂସା- ୧୨ଶ ଅଧ୍ୟାୟ, ପାଠଯୋଗ୍ୟ,

କାବ୍ୟାଳଙ୍କାର ସୂତ୍ରବୃତ୍ତି- ୩ୟ ଅଧ୍ୟାୟ, ପଠନୀୟ ।

୧୦

ଯସ୍ୟରସାଦେରାଶ୍ରୟାଦୟଂ କାବ୍ୟମାର୍ଗଃ ପୁରାତନୈଃ କବିଭିଃ / ସହସ୍ର ସଂଖ୍ୟୈର୍ବା ବହୁପ୍ରକାରଂ କ୍ଷୁଣ୍ଣତ୍ୱାତ୍ ମିତୋପ୍ୟନନ୍ତତା ମେତି । - ଧ୍ୱନ୍ୟାଲୋକ- ୪/୮ ।

୧୧

କଂପାରେଟିଭ୍ ଲିଟେରାରୀ ଷ୍ଟଡିଜ୍ : ଆନ୍ ଇନଟ୍ରୋଡେସନ୍- ଲଣ୍ଡନ ୧୯୭୩, ପୃ- ୩୭- ୪୦ ପଠନୀୟ ।

୧୨

ଇନ୍ଦ୍ରନାଥ ଚୌଧୁରୀ- ତୁଳନାତ୍ମକ ସାହିତ୍ୟକୀ ଭୂମିକା/ସ୍ଵପନ ମଜୁମଦାର- କଂପାରେଟିଭ୍ ଲିଟେରଚର, ଇଣ୍ଡିଆନ ଡାଇମେନ୍‍ସନ୍‍ସ/ରବୀନ୍ଦ୍ରରଚନାବଳୀ- ୬ଷ୍ଠଭାଗ, ୩୭୨-୩୮୭ ପୃଷ୍ଠା ପଠନୀୟ ।

୧୩

ପ୍ରାଚୀନ ସାହିତ୍ୟ – ରବୀନ୍ଦ୍ରନାଥ ଠାକୁର, ଦ୍ରଷ୍ଟବ୍ୟ ।

୧୪

ଗୀତାଞ୍ଜଳି- ପରିଶିଷ୍ଟ- ୧୯୨୪ ମୁଦ୍ରଣ ପଠନୀୟ ।

୧୫

(କ) କଂପାରେଟିଭ୍ ଲିଟେରଚର- ଭଲ୍ୟୁମ୍-୧, ପ୍ରୋସିଡିଂସ୍- ଆଇ.ସି.ଏଲ୍.ଏ, ଡବ୍ଲୁ.ସି. ଫ୍ରିଡ଼େ-ପେଜ୍ XXII, III, IV ପଠନୀୟ ।

 

(ଖ) ଦ କଂପାରେଟିଭ୍ ଷ୍ଟଡ଼ି ଅଫ୍ ଲିଟେରଚର- ଏ ଆର୍. ମାର୍ଶ, ଲଣ୍ଡନ, ପେଜ୍- 165-166-167 ପଠନୀୟ ।

୧୬

ସିଲେକ୍ଟେଡ଼ ଏସେଜ୍ ଟି.ଏସ୍.ଇଲିୟଟ୍, ଲଣ୍ଡନ ପେଜ୍ 18-24 ପଠନୀୟ ।

 

 

ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର

***

 

Unknown

କବି କୁଞ୍ଜବିହାରୀଙ୍କ କବିତା ଜଗତ

ଡକ୍ଟର ନିତ୍ୟାନନ୍ଦ ଶତପଥୀ

 

କୁଞ୍ଜବିହାରୀଙ୍କ କବିତା ଜଗତ ଖୁବ୍ ବିଶାଳ, ବୈଚିତ୍ର ବିମଣ୍ଡିତ ଏବଂ ବିବିଧ ମଧ୍ୟ । ଆଧୁନିକ ଓଡ଼ିଆ କବିତାର ପ୍ରୟୋଗବାଦୀ ଆଭିମୁଖ୍ୟ ଠାରୁ ଯଥାସମ୍ଭବ ଦୂରତା ରକ୍ଷା କରି ଜାତୀୟତା, ପ୍ରକୃତିପ୍ରାଣତା, ପଲ୍ଲୀ ଜୀବନାନୁଭୂତି ଓ ମାନବିକତାବୋଧର ଏକ ଅବ୍ୟାହତ ନିଜସ୍ଵ ଧାରାରେ ଏହା ଗରିମାବନ୍ତ । ୧୯୩୨-୩୩ ଠାରୁ ୧୯୭୪-୭୫ ପର୍ଯ୍ୟନ୍ତ ପ୍ରାୟ ଚାଳିଶବର୍ଷ ଧରି ତାଙ୍କ କାବ୍ୟଚେତନାର ବହୁ ଧାରା ଓ ବିଭାବକୁ ସ୍ପର୍ଶ କରି ଲେଖନୀ ଚାଳନା କରି ଆସିଥିଲେ ବି ସେ କେତେବେଳେ କ୍ଲାନ୍ତି ଅନୁଭବ କରିନାହାନ୍ତି । ବୟସର ବୃଦ୍ଧି ସହିତ ତାଙ୍କ କାବ୍ୟଶିଳ୍ପର ମାନ, ଶିଳ୍ପଧର୍ମ ଓ ବିଶ୍ୱାସ ବଦଳି ଥିଲେ ମଧ୍ୟ ତାଙ୍କ କବିତାପରୀକ୍ଷା ନାମରେ ଅଯଥା ବୁଦ୍ଧିବାଦଦ୍ୱାରା ଆକ୍ରାନ୍ତ ହୋଇନାହିଁ । ମନ ଓ ହୃଦୟର ଅନୁଭବ ତଥା ଆବେଗ ହିଁ ତାଙ୍କ ରଚନାର ମୁଖ୍ୟରହସ୍ୟ । ତେଣୁ ନିଜସ୍ଵ ଶୈଳୀରେ ଏହା ସମୃଦ୍ଧ । ଏହାର ମୁଖ୍ୟ କାରଣ ସ୍ଵରୂପ ତାଙ୍କ କାବ୍ୟଧାରାରେ ଲୋକସାହିତ୍ୟ ଓ ସଂସ୍କୃତସାହିତ୍ୟର ପ୍ରଭାବ ଲକ୍ଷ୍ୟ କରାଯିବ । ଗୋଟିଏ ପଟେ ମହାନ୍ ପ୍ରାଚ୍ୟ ସଂସ୍କୃତି, ସଂସ୍କୃତ ସାହିତ୍ୟର ରୁଚି ଓ ପରମ୍ପରା, ଅପର ପକ୍ଷରେ ଅତୀତ ଓଡ଼ିଶାର ଗ୍ରାମ୍ୟ ଜୀବନ ଭିତରେ ଇତସ୍ତତଃ ବିଚ୍ଛୁରିତ ଅନାବନା ରାଶି ରାଶି ପଲ୍ଲୀ କବିତା- ଯାହା ଗ୍ରାମ୍ୟ ଓଡ଼ିଆ ପ୍ରାଣର ମୁଖର ବାଙ୍‍ମୟ ପ୍ରକାଶ- ଏହି ଦୁଇଟିରୁ ସେ ଆହରଣ କରିଛନ୍ତି ଅଜସ୍ର ସମ୍ପଦ ଓ ତଦନୁଯାଯୀ ତାଙ୍କ କାବ୍ୟଶୈଳୀ ନିୟନ୍ତ୍ରିତ ମଧ୍ୟ ତେଣୁ ବିଦେଶୀ ଭାବଧାରାଦ୍ୱାରା ତାଙ୍କ କବିତାର ଆତ୍ମା ଓ ଅଙ୍ଗ ସଂକ୍ରମିତ ନ ହୋଇଥିବା ସ୍ୱାଭାବିକ । କବି ନିଜ ସମ୍ପର୍କରେ ସ୍ପଷ୍ଟ କହିଛନ୍ତି “ପ୍ରଗତି ବ ପରମ୍ପରା, କେଉଁଟି ମୋର ଅବହେଳାର ବସ୍ତୁ ନୁହେଁ । ନୂତନକୁ ଭଲପାଏ, କିନ୍ତୁ ତା’ନିକଟରେ କେବେ ଆତ୍ମସର୍ପଣ କରିନାହିଁ । ସେହିପରି ପ୍ରାଚୀନ (ସମ୍ଭବତଃ ରୀତିଯୁଗର କାବ୍ୟକବିତା) କେବେ ମୋର ଆରାଧ୍ୟ ହୋଇନାହିଁ । ଯଦିବା ନମସ୍ୟ । ତେଣୁ ନ ଭାବି ନଚିନ୍ତି କେବଳ ନୂତନତାର ମୋହରେ ଯେକୌଣସି ଅପାଙକ୍ତେୟ ଶବ୍ଦ ବା ଦୁର୍ବୋଧ୍ୟ ଚିତ୍ରକଳ୍ପ ବ୍ୟବହାର କରିବାର ସାହସ କରିନାହିଁ ?”(କୁଞ୍ଜବିହାରୀ ସଂଚୟନ ୧ମ ଭାଗର ମୁଖବନ୍ଧ ପୃ ଖ) ତାଙ୍କ କବିତାର ତେଣୁ ନିଜସ୍ଵ ଭାବଚେତନା ସହିତ ଗଣଜୀବନର ଛୋଟବଡ଼ ଅସଂଖ୍ୟ ଚିତ୍ରର କଳାଗତ ଯୋଗାଯୋଗ ସ୍ଥାପିତ ହୋଇପାରିଛି । ନିକଟତମ ଅନୁଭୂତି ଯେତେ ଛୋଟ ବା ଅପାଙ୍‍କ୍ତେୟ ହେଲେ ବିତାକୁ କବି ସୁଲଭ ଦରଦ, ସହାନୁଭୂତି ଓ ଆତ୍ମମଗ୍ନତାରେ ତାଙ୍କ କବିତାର ଉତ୍ସଭାବେ ସାଉଁଟି ନେଇଛନ୍ତି-। ସେଠି ତେଣୁ ବିଶ୍ୱଜନୀନ ସ୍ରୋତ ସମ୍ଭାରରେ ଭାସିଯିବାର ପ୍ରଲୋଭନ ନାହିଁ ବା ଅତ୍ୟାଧୁନିକ କାବ୍ୟଚିନ୍ତନ ଦୃଷ୍ଟିରୁ ବାଛବିଚାର କରିବାର ପ୍ରଶ୍ନ ଉଠିନାହିଁ । ଏହି କ୍ରମରେ ତାଙ୍କ କବିତାରେ ମନନଶୀଳତା ଅପେକ୍ଷା ସମ୍ବେଦନାର ସ୍ଵର ଉଚ୍ଚତର ବୋଲି କୁହାଯାଇପାରିବ । ତାଙ୍କ ସୃଜନର ଆଦ୍ୟାସ୍ଵର ହେଉଛି କବିତା ଯହିଁରେ ଦୁଇଟି ପ୍ରଭାବ ପରିଲକ୍ଷିତ ହୁଏ । ଗୋଟିଏ ରାଧାନାଥ ଓ ରୋମାଣ୍ଟିକ୍ କବିମାନଙ୍କ ପ୍ରଭାବ ଓ ଦ୍ୱିତୀୟଟି ସତ୍ୟବାଦୀ ଯୁଗର ପ୍ରଭାବ । ତାଙ୍କ କବିତାର ପ୍ରକୃତି ଚର୍ଯ୍ୟା ଓ ସ୍ଵପ୍ନବିଳାସ ପାଇଁ ରୋମାଣ୍ଟିକ୍ ଯେ କଳ୍ପନାଶ୍ରିତ । ୧୯୪୩ରେ ଏ ବହିଟି ପ୍ରକାଶ ପାଇଥିଲେ ବି ସମ୍ପାଦକ ବାଳକୃଷ୍ଣ କରଙ୍କ ଭାଷାରେ ଏହାର କବିତାଗୁଡ଼ିକ ଏତେ ସ୍ଵପ୍ନାବିଷ୍ଟ (Romantic) ସେ ସମସାମୟିକ କବିତାରେ ଶୁଣାଯାଉଥିଲା ତୂରୀ ଭେରୀର ନିନାଦ ବା ମାର୍କସୀୟ କାବ୍ୟଚେତନାଠାରୁ ଏହା ଦୂରବର୍ତ୍ତୀ ତେଣୁ ବିପ୍ଲବ ରହିତ ଓ ପାରମ୍ପରିକ । ପାଠକ ପ୍ରାଣରେ ଏ କବିତା ଭୟ ବିସ୍ମୟର ରୋମାଞ୍ଚ ଜାତ କରେ ନାହିଁ । ଜନ୍ମାଏ ଭକ୍ତି ଓ ପ୍ରୀତିର ପୁଲକ । ତାଙ୍କ ପ୍ରାରମ୍ଭିକ କାବ୍ୟସ୍ଵରରେ ଭଗବତ୍ ଅନୁଚିନ୍ତା, ସ୍ଵପ୍ନ ବିଳାସ, ପ୍ରକୃତି ଉପାସନା, ଦରଦୀ ମାନବବାଦୀ ସ୍ଵର ଓ ରୋମାଣ୍ଟିକ୍ ଭାବାଳୁତାର ମାତ୍ରା ଅଧିକ । ଭକ୍ତ କବି ମଧୁସୂଦନ ପରି ପ୍ରକୃତିର ବିପୁଳ ବୈଭବ ମଧ୍ୟରେ ସେ ବେଳେବେଳେ ଏକ ଅଦୃଶ୍ୟ ହାତର ବିଚିତ୍ର କରମତି ଉପଲବ୍ଧି କରିଛନ୍ତି ଓ ଶିଶୁ ସୁଲଭ ଭୀତି ଓ ବିହ୍ୱଳତାରେ ତା’ପାଖରେ ଆତ୍ମସମର୍ପଣ କରିଛନ୍ତି । ଏହି ଭାବନାରୁ ବେଳେବେଳେ ସେ ରହସ୍ୟବାଦୀ ମଧ୍ୟ ହୋଇ ଉଠିଛନ୍ତି । କିନ୍ତୁ ପରେ ପରେ ପ୍ରକୃତିର ବିପୁଳ ସୌନ୍ଦର୍ଯ୍ୟକୁ ସମଗ୍ର ଇନ୍ଦ୍ରିୟ ଦେଇ ଉପଭୋଗ କରିଛନ୍ତି ।

 

‘ମଳୟ ସୁରଭିଶ୍ୱାସେ ତୁମରି ହୃଦୟା

ଆଘ୍ରାଣିଛି ବହୁବାର ତୁମରି ପ୍ରତିଶୟ

ପ୍ରାଣରୂପେ ଦେହେ ଦେହେ ଫୁଟେ ଫୁଲ ଫଳେ

ତୁମ କୃପାଧାର ବହେ ସରିତେ ସାଗରେ’

 

ପୁଣି ଉପମା ପ୍ରୟୋଗରେ ତାଙ୍କ କବିତାର ନିଆରା ସ୍ପନ୍ଦନ ବାରି ହୋଇଯାଏ । ଉଦାହରଣ ସ୍ଵରୂପ ଦୁର୍ଦ୍ଦିନ ମେଘମେଦୁର ଆକାଶକୁ ଚାହିଁ ସେ କହନ୍ତି-

 

ବେଳେବେଳେ ଦିଗତଳେ ଜଳଇ କୁହୁଳି

ରୋଗୀ ହାସେ ସମ ଚଲା ବାଦଲେ ବିଜୁଳି ।

(ଦୁର୍ଦ୍ଦିନ ପ୍ରକୃତି)

 

ପାରମ୍ପରିକ ଉପମାକୁ ପରିହାର କରି ଏପରି ଚିତ୍ର ଦେବାରେ କବି ଦାଶଙ୍କ ଚିନ୍ତାର ଏକ ଭିନ୍ନ ଦିଗ ଉଦଘାଟିତ ହୁଏ । ତଥାପି ଏ ସଙ୍କଳନର ଅନେକ କବିତା ଏତେ ରୋମାଣ୍ଟିକ ଯେ କାଳିଦାସଙ୍କ ‘ମେଘଦୂତ’ର ମିଳନ ଓ ବିରହ ଭାବନା ସହିତ ବେଳେବେଳେ ସାମ୍ୟସ୍ଥାପନ କରି ବସେ । ଆଶା ଓ ନୈରାଶ୍ୟର ବହୁ ମାନବସୁଲଭ ଭାବନାରେ ବହୁ ସନେଟର ଭାବଧାରା ନିର୍ଜିତ । ମୋଟ୍ ଉପରେ ‘ପ୍ରଭାତୀ’ ଯେ ତାଙ୍କ ପରବର୍ତ୍ତୀ କାବ୍ୟ ଚେତନାର ଏକ ନିର୍ଭୁଲ ମାନଚିତ୍ର ପ୍ରକାଶ କରେ- ଏଠାରେ ସନ୍ଦେହର ଅବକାଶ ନ ଥାଇପାରେ ।

 

ଏହି ସମୟରେ ସେ ଦୁଇଟି କାବ୍ୟ ମଧ୍ୟ ଲେଖିଛନ୍ତି । ପାଷାଣ ଚରଣେ ରକ୍ତ (୧୯୪୫) ଓ ଚାରଣିକା (୧୯୩୮) । ପ୍ରଥମ ପର୍ଯ୍ୟାୟର ଏ କାବ୍ୟରେ ସୁଦୂର ଅତୀତର କଳିଂଗର ଭାବମୂର୍ତ୍ତି ବିରାଜିତ । ଅଶୋକଙ୍କ କଳିଙ୍ଗ ଯୁଦ୍ଧର ପୃଷ୍ଠଭୂମିରେ ଏହା ଲିଖିତ । କଙ୍କାଳର ଲୁହ ଖଣ୍ଡକାବ୍ୟଟି ସମକାଳୀନ ସମାଜ ନଗର ଓ ଗ୍ରାମ ତଥା କୃଷି ସଭ୍ୟତା ଓ ଯନ୍ତ୍ରଶିଳ୍ପର ସଂଘାତମୟ ପଟ୍ଟଭୂମିରେ ରଚିତ । ତାଙ୍କ କଞ୍ଚା ହାତରେ ଏ କାବ୍ୟଗୁଡ଼ିକ ସତ୍ୟବାଦୀର ପ୍ରଭାବରେ ମାନବବାଦୀ ଆକୁଳତା ପ୍ରକାଶ କରିଥିଲେ ବି କଳାକୃତି ଭାବରେ ଏହା ଉତ୍ତୀର୍ଣ୍ଣ ହୋଇପାରିନାହିଁ, ବରଂ ଆଖ୍ୟାନମୂଳକତାରେ ହିଁ ରହିଯାଇଛି । ତଥାପି ଏ ଆଖ୍ୟାଣ କାବ୍ୟ ଦୁଇଟି ତାଙ୍କ ଜୀବନବୋଧ ଓ ସାହିତ୍ୟିକ ରୁଚିର ଆଦ୍ୟପ୍ରକାଶ ଭାବେ ମାନ୍ୟତା ପାଇବ । ଏହି କାବ୍ୟରେ ଅତୀତର ସ୍ପର୍ଦ୍ଧା ସହିତ ବର୍ତ୍ତମାନର ଦୁର୍ଦ୍ଦଶାରେ ଅସହାୟ ଚିତ୍ର, ଭାରତୀୟ ମୁକ୍ତି ଆନ୍ଦୋଳନର ଉଦ୍ଦୀପନା ପୁଣି ଭାବିଷ୍ୟତ ପାଇଁ ଆଶାବାଦ- ଏହାକୁ ଜାତୀୟବାଦ ନାଟ୍ୟକାବ୍ୟର ମର୍ଯ୍ୟାଦା ପ୍ରଦାନ କରିଛି । ୧୯୪୮ରେ ପ୍ରକାଶିତ ଚାରଣିକା ଓ ୧୯୪୯ରେ ପ୍ରକାଶିତ ‘କଙ୍କାଳର ଲୁହ’ ଏହି ‘ପାଷାଣଚରଣେ ରକ୍ତ’ ନାଟ୍ୟକାବ୍ୟର ପରିପୂରକ ମାତ୍ର । ଜାତୀୟ ଦୁର୍ଗତିର ଶୋଚନୀୟତାରେ ବ୍ୟଥିତ କବି ହୃଦୟ ଜାତିର ଏକଦା ଗୌରବାବହ କୋଣାର୍କ ମନ୍ଦିରରେ ଗର୍ବର ସ୍ମାରକୀ ଖୋଜିବାରେ ବ୍ୟଗ୍ର ହୋଇପଡିଛି । ୨ୟ ନାଟ୍ୟକାବ୍ୟ ‘ଚାରଣିକା’ରେ ଗୋପବନ୍ଧୁଙ୍କ ରଚିତ ‘ଧର୍ମପଦ’ କାବ୍ୟର ଚରିତ୍ରମାନେ ଦ୍ୱିଜତ୍ୱ ଲାଭ କରିଛନ୍ତି । ‘ପାଷାଣେ ଚରଣେ ରକ୍ତ’ ନାଟ୍ୟକାବ୍ୟରେ ଅଶୋକ ନୁହନ୍ତି ଶୀମୁକ ପୁତ୍ର ଚିତ୍ରହିଁ ଜାତୀୟବାଦୀ ଆକର୍ଷଣୀୟ ଚରିତ୍ର ଚାରଣିକାରେ ସେହିପରି ରାଜା ନରସିଂହ ନୁହନ୍ତି ସ୍ଥପତି ବିଶୁ ଓ ଧର୍ମପଦ ହିଁ ଅଧିକ ଆକର୍ଷଣୀୟ । ବିଶୁ ଚରିତ୍ରରେ ପିତୃତ୍ୱର ସ୍ଵାଭାବିକ ଚିରନ୍ତନ ଆବେଗ ପୁଣି ଜାତିପାଇଁ ତ୍ୟାଗର ଚରମ ପରୀକ୍ଷା ସୁନ୍ଦର ଭାବେ ରୂପାୟିତ । ପୁତ୍ରସ୍ନେହ ଓ ଜାତିପାଇଁ କର୍ତ୍ତବ୍ୟବୋଧର ଦ୍ୱନ୍ଦ୍ୱ ଏ କାବ୍ୟର ଆତ୍ମାକୁ ପରିପୁଷ୍ଟ କରିଛି । ସେକ୍‍ସପିୟରଙ୍କ Mid Summer Nights dream ର ଓବେରନ୍ ଓ ଟିଟାନିଆ ଓ ପରୀମାନଙ୍କ ଲୀଳାବିଳାସ, ମାନସିଂହଙ୍କ ‘କୋଣାର୍କ’ କବିତାବଳୀରେ ଫୁଟି ଉଠିଥିବା ଲାସ୍ୟମୟୀ ନୃତ୍ୟରତ ଅପସରାମାନଙ୍କ ପରିକଳ୍ପନା ପରି କୁଞ୍ଜବିହାରୀଙ୍କ ଚାରଣିକାରେ ସାଗର ସୈକତରେ ଉର୍ବଶୀ ରମ୍ଭା, ମେନକା, ଚିତ୍ରଲେଖାର ଆର୍ବିଭାବ ଅତିକଳ୍ପନା ମାତ୍ର । ତରଣୀରେ ଆସି ସେମାନଙ୍କ ସହିତ ଯୋଗଦେଇଛି ସାଗର ସମ୍ଭୁତା ସାଗରିକା । ହାତରେ ତା’ର ଧର୍ମପଦର ମୂର୍ତ୍ତି । ସେହି ଅପସରାମାନଙ୍କ ଲୀଳା- ଲୋଳ ଦୃଷ୍ଟିରେ ଖେଳିଯାଇଛି ଅତୀତର ଏକ ରହସ୍ୟ ଓ ଅତିମାନବିକ ପରିକଳ୍ପନା ମଧ୍ୟରେ । ଅଦୂରରେ ଦେଖାଦେଇଛି କୋଣାର୍କ ମନ୍ଦିର । ତେଣୁ ପରିକଳ୍ପନାରେ ଏହି ଜାତୀୟ ଚିତ୍ର ସହିତ ଅନେକ ଅତି ଲୌକିକ ଚିତ୍ରକୁ ଯୋଡ଼ିଦେଇ ରାଧାନାଥଙ୍କ କାବ୍ୟ ବା ନୀଳକଣ୍ଠଙ୍କ ‘ମାୟାଦେବୀ’ ପରି ଇତିହାସ ଓ ଅତିକଳ୍ପନାର ସମନ୍ୱୟ ରକ୍ଷା କରିଛନ୍ତି । ଏହି ସାଗରିକା ହିଁ ଚାରଣିକା । ଜାତୀୟତା ଓ ବିଶ୍ୱମାନବବିକତାର ସେ ପ୍ରତୀକ । କବି Suinburn ଙ୍କ ଆଫ୍ରୋଡ଼ାଇଟ୍ ବା ରବୀନ୍ଦ୍ରନାଥଙ୍କ ଉର୍ବଶୀ ପରି ରୁଦ୍ର ଓ ସୁନ୍ଦରର ସମନ୍ୱୟରେ ତା’ର ଜନ୍ମ । ଯେକୌଣସି ନାଟକର ସୂତ୍ରଧର ପରି ଏଠି ଚାରଣିକା ମଧ୍ୟ ସୂତ୍ରଧର- ହୋଇପାରେ ନୀଳକଣ୍ଠଙ୍କ ଚାରଣ (ଯେ ବୀଣାଧରି ଅତୀତ ବିଷୟରେ ଗାନ ପରିବେଷଣ କରୁଛି) ମଧ୍ୟ ।

 

କିନ୍ତୁ ଆଖ୍ୟାନ କାବ୍ୟଭାବେ ‘ମାଟି ଓ ଲାଠି’ ଯେ ଅତୁଳନୀୟ ଏହା ସ୍ୱୀକାର କରିବାରେ ମୋର କୁଣ୍ଠା ନାହିଁ । ସ୍ୱଧୀନତା ଉତ୍ତର କାଳରେ ଭାରତରୁ ଅସମାନତା, ଶୋଷଣ, ବେଠିବେଗାରୀ, ସାମାଜିକ ବ୍ୟବଧାନ ଦୂର କରିବାକୁ ମାର୍କସବାଦୀ ବା ଗାନ୍ଧୀବାଦୀ- କେଉଁ ରାସ୍ତାରେ ଯିବାକୁ ହେବ ତାର ଏକ ଦ୍ୱନ୍ଦ୍ୱାତ୍ମକ ଚିତ୍ର ଏ କାବ୍ୟରେ ପ୍ରଦତ୍ତ । ଯଦି ଶୋଷକ ଶ୍ରେଣୀର ଚିତ୍ତରେ ପରିବର୍ତ୍ତନ ନ ଆସେ ତେବେ କ୍ରୁଦ୍ଧ ଜନତା ଯେକୌଣସି ସମୟରେ ହିଂସ୍ର ହୋଇ ଉଠିବେ, ଅସମାନତାର ମୂଳ ଉତ୍ସକୁ ତାଡ଼ିଦେବାକୁ ଉଦ୍ୟମ କରିବେ- ଏହିପରି ଏକ ସମ୍ଭାବନାକୁ ଅହିଂସ ହୋଇ ମାର୍ଗରେ ସାମ୍ନା କରିବାକୁ କାବ୍ୟର ନାୟକ ସତ୍ୟବାଦୀର ଉଦ୍ୟମ ସୁନ୍ଦର ଭାବେ ଏଥିରେ ବର୍ଣ୍ଣିତ । ସ୍ୱାଧୀନତାପରେ ଗାନ୍ଧି ପ୍ରଦର୍ଶିତ ଅହିଂସା ମାର୍ଗ ପ୍ରତି ଲୋକମାନଙ୍କ ମନରେ ଆଉ ଉତ୍କଣ୍ଠା ନ ଥିଲାବେଳେ, ନେତାମାନେ ଗାନ୍ଧିବାଦୀର ଦୁରୂପଯୋଗ କରୁଥିବାବେଳେ ଏ କାବ୍ୟରେ ବାସ୍ତବତାର ଚିତ୍ର ଅଛି କିନ୍ତୁ ସମାଧାନର ସୂତ୍ର ନାହିଁ । ସମାଧାନ ସମ୍ଭାବନା ଭିତରେ ରହିଯାଇଛି । ତେଣୁ କାବ୍ୟ ନାୟକ ସତ୍ୟବାଦୀ ମୁହଁରେ କବି ଯେଉଁ ଆଦର୍ଶର ସ୍ଵର ଶୁଣାଇଛନ୍ତି, ତାହା ଅତ୍ୟନ୍ତ ଶ୍ଲାଘ୍ୟ ଓ ବରଣୀୟ ହେଲେ ବି ଉନ୍ମତ୍ତ ଜନତା ସେ ପଥରୁ ବିଚ୍ୟୁତ ହୋଇଯିବା ଅସମ୍ଭବ ନୁହେଁ, ଏ କାବ୍ୟରେ କବିଙ୍କ ବୈପ୍ଲବିକ କାବ୍ୟମାନସର ଦ୍ୱନ୍ଦ୍ୱ ଅତି ନାଟକୀୟ ଭାବେ ଶିଳ୍ପୋନ୍ନତ । ବସ୍ତୁତଃ ଭାରତୀୟ ସ୍ୱାଧୀନତା ଉତ୍ତର କାଳରେ ସମଗ୍ର ବିଶ୍ୱର ଭାବ ରାଜ୍ୟରେ ବିପ୍ଳବର ଯେଉଁ ଦୁଇଟି ଆପାତଃ ବିରୋଧୀ ମାନଚିତ୍ର ପ୍ରକାଶ ପାଇଛି ତାର କାବ୍ୟରୂପରେ ‘ମାଟି ଓ ଲାଠି’ ଏକ କାଳଜୟୀ ସୃଷ୍ଟି- ଏଥିରେ ସନ୍ଦେହ ନାହିଁ । ପରିକଳ୍ପନାର ମୌଳିକତାରେ, ବର୍ଣ୍ଣନାର ସ୍ୱାଭାବିକତାରେ, ସହର ଓ ପଲ୍ଲୀ ଜୀବନର ସଂଘର୍ଷରେ, ଉପସ୍ଥାପନାର ଚମତ୍କାରିତାରେ ଉତ୍ତର- ପଚାଶ କାଳ ଖଣ୍ଡରେ ଏହା ଯେ ଏକ ଅନବଦ୍ୟ କାବ୍ୟ- ବିନାଦ୍ୱିଧାରେ ଏହି ସ୍ୱୀକାର କରିବାକୁ ହେବ । ପଲ୍ଲୀରେ ଜମିଦାର ଓ ସହରରେ କାରଖାନା ମାଲିକ ମୂଲିଆ ଓ ଶ୍ରମିକଙ୍କ ରକ୍ତ ଶୋଷଣ କରେ । ସତବାଜି ବିପ୍ଲବ ପାଇଁ ଆହ୍ୱାନ ଦେଇ କହେ-

 

‘ସତବାଜି କହେ ସିଧା ଆଙ୍ଗୁଠିରେ ଘିଅ କି ବାହାରେ

କଂସାରୀ ଘରର ପାଲାକୁଲା ଢାଉଁ ଢାଉଁ ଶବ୍ଦ କେବେ କାନ ପାରେ ?’

କିମ୍ବା,

‘କୁଆଁତାରା ଦପଦପ ପାହିଆସେ ରାତି

ବାଟୁଆଙ୍କୁ ଅନୁକୂଳ ବୁଧେଇ ପାହାନ୍ତି ।

ଅତୀତର କି ଅକୁହା ଶୋକେ ମ୍ରିୟମାଣ

କପୋତୀ କାନ୍ଦଇ ‘ପୁତା ପୂରିଲା ଯେ ମାଣ !’

 

ଏ ହେଲା କବିଙ୍କ କାବ୍ୟ ଶୈଳୀ- ଯାହାକୁ ଆଗରୁ ପଲ୍ଲୀ ଓ ଅଭିଜାତ ମଣିଷର ବିଦଗ୍ଧ ଭାଷା ଭାବେ ପ୍ରତିପାଦିତ କରାଯାଇଛି । ଏ ଶୈଳୀ କେଡ଼େ ସୁନ୍ଦର ଓ ପ୍ରଭାବଶାଳୀ ଅଧିକ କହିବା ବାହୁଲ୍ୟ ମାତ୍ର ।

 

ସଚ୍ଚିବାବୁଙ୍କ କାବ୍ୟସ୍ଵରରୁ ବୈପ୍ଳବିକ ଭାବନା ନିସ୍ପନ୍ଦ ହୋଇଗଲା ପରେ ପରେ ଉତ୍ତର-ପଚାଶରେ କୁଞ୍ଜବିହାରୀଙ୍କ କବିତାରେ ଏଇ ବାମପନ୍ଥୀ ଭାବନା ଯେଉଁ ସମ୍ଭାବନା ସୃଷ୍ଟି କରିଛି ‘ସେ ଏକ ଲୋମଶ ନୀଳହାତ’ କବିତାରୁ ଉଦ୍ଧୃତଟିଏ ଦେଇ ପ୍ରତିପାଦନ କରାଯାଇପାରେ –

 

‘ସେଇ ହାତ/ କୃଷକ ଆଉ କୁଲୀ ଦେହରୁ କାଢ଼ିନିଏ ବସ୍ତ୍ରା

ଉଦରରୁ ଅନ୍ନ/ ହାତରୁ ହତିଆର/ ନିଏ ଦ୍ରୌପଦୀର ଇଜ୍ଜତ ।

ପଠାଏ ଦୁର୍ଭିକ୍ଷ ଓ ମହାମାରୀ/ ଯୁଦ୍ଧ ଆଉ ବିଭୀଷିକା/ ଇନ୍ଦ୍ରଜିତ୍ ସମ/

ପୃଥିବୀକୁ ନଗଫାଶରେ ରଖିଛି ବାନ୍ଧି/ଯେତେକ ଆଇନକାନୁନ୍ !

ଦୁର୍ବୃତ୍ତ କଳ୍ପନାରୁ ଫାନ୍ଦି ସେ ଏକ ଲୋମଶ ନୀଳହାତ

ଶାନ୍ତ ଏ ଧରଣୀ ପରେ ସୃଷ୍ଟିକରେ । ଯୁଗେ ଯୁଗେ ରକ୍ତାକ୍ତ ଉତ୍ପାତ ।”

(୧୯୫୧ରେ ରଚିତ)

 

ଏଇ ଲୋମଶ ନୀଳ ହାତ ହିଁ ତେଣୁ ଏକ ଆତତାୟୀ ସାମ୍ରାଜ୍ୟବାଦୀ, ଫାସିଷ୍ଟ ବା ପୁଞ୍ଜିବାଦୀର ହିଂସ୍ରବଶ୍ୟତା ନାମରେ ନାମିତ କରାଯାଇପାରିବ । କାରଣ ଯୁଗେ ଯୁଗେ ଏହା ନିରୀହ ଓ ଶାନ୍ତିକାମୀ ମଣିଷର ବେକ ଆଡ଼କୁ ପ୍ରସାରିତ ହୋଇଆସିଛି । ତାରି ଲୁହ ଓ ଲହୁରେ ଯେତେ ସୌଖୀନ ସ୍ଵପ୍ନର ମିନାର ମୁଣ୍ଡ ଟେକିଛି, ତାରି ରକ୍ତରେ ପୁଞ୍ଜିର ଅଟ୍ଟାଳି ଗଢ଼ା ହୋଇଛି ।

 

ଏହି ସମୟରେ ଶ୍ରୀଯୁକ୍ତ ଦାଶଙ୍କ କାବ୍ୟମାନସରେ ସମାଜର ଆର୍ଥନୀତିକ ବୈଷମ୍ୟ ପ୍ରତି ଯେଉଁ ବିକ୍ଷୁଚ୍ଧ ବେଦନାର ସ୍ଵର ଗୁଞ୍ଜରି ଉଠିଛି ଓ କାବ୍ୟରୂପ ନେଇଛି ତାହା ସମାଲୋଚନାର ସୂକ୍ଷ୍ମ ଦୃଷ୍ଟିକୁ ଆକର୍ଷଣ କରି ନ ଥିବା ଘୋର ପରିତାପର ବିଷୟ । ସେ ବେଦନା ଓ ବିପ୍ଳବର କାବ୍ୟତ୍ୱର ଯେ କେତେ ଶାଣିତ ‘ରାସ୍ତାର ମଣିଷ’, ‘ହେ ମୋର କବିତା’, ‘ଧନୀ ଦରିଦ୍ର’, ‘ରିକ୍ସାବାଲା’, ‘ଏକି ନୁହେଁ ତୁମରି ପ୍ରାର୍ଥନା’, ‘ଲାଞ୍ଛନା’, ‘ବାଉରି ସାହିରେ ସନ୍ଧ୍ୟା’, ‘ଝଡ଼ର ସହସ୍ର ପଦଧ୍ୱନି,’ କବିତାଗୁଡ଼ିକ ପଢ଼ିଲେ ଜଣାଯିବ । ‘ମାଟି ଓ ଲାଠି’ (୧୯୫୫) ଆଖ୍ୟାନ କାବ୍ୟ ଏହାର ପରିଣତି ମାତ୍ର ।

 

‘ପ୍ରକୃତି ଓ ପରମ୍ପରା’ : କବି କୁଞ୍ଜବିହାରୀଙ୍କ କାବ୍ୟ ପ୍ରୟାସର ଏକ ମୁଖ୍ୟଭାଗ ପ୍ରକୃତି ଓ ପରମ୍ପରାକୁ ଅବଲମ୍ବନ କରି ପ୍ରକାଶିତ । ଏହା ଯୁଦ୍ଧ ପରବର୍ତ୍ତୀ ମାନସିକ ସଙ୍କଟ ମଧ୍ୟରୁ ପ୍ରକୃତି କୋଳକୁ ଏକ ଭାବବାଦୀ ପଳାୟନ ନୁହେଁ, ବରଂ ପାରମ୍ପରିକ ଭାବରେ ପ୍ରକୃତି ସହିତ କବିଚିତ୍ତର ଏକ ସାଙ୍ଗୀକରଣ (Identification) ବୋଲି କହିଲେ ଠିକ୍ ହେବ । ଘଟଣାକ୍ରମେ ୨ୟ ପୃଥିବୀ ମହାଯୁଦ୍ଧ କାଳରେ (୧୯୩୯-୪୫) ରଚିତ ତାଙ୍କର ଅଧିକାଂଶ କବିତାରେ ପ୍ରକୃତି ସହିତ ଏକାତ୍ମ ଭାବ ସ୍ପଷ୍ଟ ହେଲେ ମଧ୍ୟ ଏହା ଯୁଦ୍ଧ ଭୀରୁ ମନର ପଳାୟନର ଏକ ପରାହତ ସ୍ଵର ନୁହେଁ- ପ୍ରକୃତି ଚେତନାରେ ସେ ସ୍ଥିର ପ୍ରକୃତିର ରୂପରେ ଯେତିକି ମୋହାବିଷ୍ଟ, ତା’ର ରୁଦ୍ର ଓ ଭୀଷଣ ରୂପରେ ମଧ୍ୟ ସେତିକି ଆକୃଷ୍ଟ । ପ୍ରକୃତିକୁ ଆନ୍ତରିକ ଭଲପାଇବା ପାଇଁ ଯୁଦ୍ଧ ପରବର୍ତ୍ତୀ ମଣିଷର ସମୟ ନ ଥିଲାବେଳେ ଶ୍ରୀ ଦାଶ ଯେ ଦୀର୍ଘକାଳଧରି ଏହି ପ୍ରକୃତିର ନିଜର କରିପାରିଲେ- ଏହା ରହସ୍ୟାତ୍ମକ । କାଳକଳ୍ଲୋଳ (୧୯୪୭) କବିତା ସଙ୍କଳନ, ଡୁଡ଼ୁମା ଓ ବାଗ୍ରା ଖଣ୍ଡକାବ୍ୟ ଓ ତାଙ୍କର ୫ଟି ଭ୍ରମଣ କାହାଣୀରେ ଏହି ପ୍ରକୃତିର ମନୋରମ ବିଚିତ୍ର ଓ ଭୟଙ୍କର ରୂପ ଅତି ଚିତ୍ରମୟ ହୋଇଉଠିଛି । ତାଙ୍କ କବିତା ପୁସ୍ତକ ‘କଳକଲ୍ଲୋଳ’ରେ ଇଂରେଜୀ ଅଧ୍ୟାପକ ଶ୍ରୀ ତ୍ରିଲୋଚନ ମିଶ୍ର କହନ୍ତି- “ତାଙ୍କ ପ୍ରକୃତି କେତେବେଳେ ହାସ୍ୟ ଲାସ୍ୟମୟୀ ରହସ୍ୟ ପ୍ରତିମା, ମିଳନର ଆଲୋକ ନିର୍ଝର ତୀରରେ କବି ସହିତ କ୍ରୀଡ଼ାରତ : କେବେ ଅବା ପ୍ରଗଳଭ ଶିଶୁ ପରି ଚଞ୍ଚଳ ଓ ଚପଳ । ପୁଣି କେତେବେଳେ ଭୀତି ସଞ୍ଚାରିଣୀ ଭୈରବୀ, ପ୍ରଳୟଙ୍କର ସଂହାର- କର୍ମନିରତା ।” (ସହକାର-୨୭/୫ମ ସଂଖ୍ୟା)

 

ପଲ୍ଲୀକବି ନନ୍ଦକିଶୋର ପଲ୍ଲୀର ଐଶ୍ୱର୍ଯ୍ୟମୟ ବିଭୂତିର ଚିତ୍ର ଦେଖିଥିଲାବେଳେ ଶ୍ରୀ ଦାଶ ମଣିଷକୁ ପ୍ରକୃତି ସହିତ ସମନ୍ୱୟ କରି ଅନେକ ବିପର୍ଯ୍ୟୟର ଚିତ୍ର ଦେଖିଛନ୍ତି । ପ୍ରକୃତି କେତେବେଳେ ତାଙ୍କ ପାଇଁ ଦେବୀ ତ କେତେବେଳେ ଦାନବୀ, କେତେବେଳେ ସୃଷ୍ଟିର ଅଫୁରନ୍ତ ଉତ୍ସ, ପୁଣି କେତେବେଳେ ପ୍ରଳୟର ପ୍ଲାବନ, କେବେ ଚନ୍ଦ୍ରକିରଣ ପରି କମନୀୟ ଶୀତଳ ଓ କେବେ ଝଞ୍ଜାଘାତରେ ନିଶାପ୍ରାଣ ।

 

“ପ୍ରକୃତି ରାକ୍ଷସୀ/ ଧ୍ୱଂସର ଶ୍ମଶାନେ ଉଠେ ବ୍ରଜନାଦେ ହସି/

କେବେ ଦେବୀଜନନୀ ସେ କେବେ ବା ଦାନବୀ/

ଧୂମକେତୁ ପୁଚ୍ଛେ ବସି ବଜାଏ ଭୈରବୀ ।

 

ଗୁଳୁଗୁଳିକୁ ଲକ୍ଷ୍ୟ ସେ ହିଁ ଲେଖିପାରନ୍ତି-

 

ଗୁଳୁଗୁଳିକୁ/ ଗୁଳିପରି ରୁଦ୍ର ଆଉ ସୁନ୍ଦର/ ତାର ଚେହେରା/

ଆଖିର ଡୋଳା ତପ୍ତ ଲୌହ ଗୋଲକ ପରି/ ଦୀପ୍ତ ଓ ତୃପ୍ତ/

ତଡ଼ିତ ତୂଳୀରେ ଅଙ୍କିତ ତାର ଭ୍ରୁଲତା/ ଆଗ୍ନେୟ କେଶରାଶି/

ସୁବର୍ଣ୍ଣ ଶସ୍ୟପରି/ ହସୁଚି ନୀଳ ଆକାଶରେ/

ବଜ୍ର ଅଧରର ହାସ୍ୟେ ହାସ୍ୟେ/

ପୁଣି ହୋଇଯାଉଛି ଅଗ୍ନିରେଣୁ/

ଫୁତ୍କାରରେ ଧୂଳିର ଧବଳ କୁହୁଡ଼ି/

ଟାଣି ନେଉଚି ଇନ୍ଦ୍ରଜାଲ ଚନ୍ଦ୍ରାତାପ ।”

(ଆଶୀର୍ବାଦ- କଳକଲ୍ଲୋଳ)

 

ରବୀନ୍ଦ୍ରନାଥଙ୍କ ‘ବୈଶାଖ’ର ଭୟଙ୍କର ଚିତ୍ର ସହିତ ‘ଗୁଳୁଗୁଳି’ ଯୋଗ ସୂତ୍ର ସ୍ଥାପନ କରିପାରେ ।” ପ୍ରକୃତିକୁ ଭଲପାଇ ରାଧାନାଥଙ୍କ ‘ଚିଲିକା’ ଖଣ୍ଡକାବ୍ୟ ଲେଖାହେଲା ପରି ଶ୍ରୀଯୁକ୍ତ ଦାସଙ୍କ ଖଣ୍ଡକାବ୍ୟ ‘ଡୁଡ଼ୁମା’ ଓ ‘ବାଗ୍ରା’ (୧୯୪୮)ରେ ତାଙ୍କ ପ୍ରକୃତି ଚେତନାର ପରିପୂର୍ଣ୍ଣତା ଦେଖିବାକୁ ମିଳେ ।

 

ମାଛକୁଣ୍ଡ ନଦୀକୁ ପ୍ରପାତ ଡୁଡ଼ୁମାର ପ୍ରକୃତି ଭୀମ ଓ ଭୟଙ୍କର । କବି ଏହାର ଆକାଶକୁ ପିତା, କାନନକୁ ଜନନୀ, ମାଛକୁଣ୍ଡ ନଦୀକୁ ଏକ ଛଳ ଛଳ ରୂପବତୀ କିଶୋରୀ ଭାବେ ପରିକଳ୍ପନା କରିଛନ୍ତି । ପୁଣି ଏହି ନଦୀର କୂଳସ୍ଥ ଅରଣ୍ୟ ପ୍ରକୃତି କେଉଁଠି ସାପ ପରି ଉତ୍‍ଫଣ ତ କେଉଁଠି କେଶରୀ ପରି ଗର୍ଜନଶୀଳା, କେଉଁଠି ମୃଦୁ ତ କେଉଁଠି ଗେଲକରି ଗୋଲଗାଲ ଉପଳକୁ ଚୁମ୍ବନ ଦିଏ ତ କେଉଁଠି ପ୍ରିୟ ଦୟିତ କୃଷ୍ଣଶିଳାକୁ ବାହୁବେଷ୍ଟନ କରି ଆଲିଙ୍ଗନ କରେ । ଜନନୀର ବାତ୍ସଲ୍ୟପରି କେଉଁଠି ତା ଗଣ୍ଡ ସୁଗଭୀର ଏବଂ ବିମାତାର ଦେଖାଣିଆ ସ୍ନେହପରି କେଉଁଠି ତାର ଶଯ୍ୟା ସିକତଳ । ଡୁଡ଼ିମାର ବିପୁଳ ପ୍ରକୃତି ସନ୍ଦର୍ଶନରେ ଆସକ୍ତ କବି ଏକ ଭିନ୍ନ ମାନସ ରାଜ୍ୟରେ ପଦଚାଳନ କରିଛନ୍ତି । ସେ ରାଜ୍ୟ କେତେବେଳେ ଅତ୍ୟନ୍ତ ପାର୍ଥିବ ତ କେତେବେଳେ ଏକ ଅତୀନ୍ଦ୍ରିୟ ନୈରାଜ୍ୟ । ଏହାରି ମଧ୍ୟରେ ଜାତୀୟ ବେଦନାବୋଧଦ୍ୱାରା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି ଓ ଲେଖିଛନ୍ତି-

 

‘ଫେରିବାକୁ ହେବ ଏବେ ସଂସାରର ସ୍ଵାର୍ଥ କୋଳାହଳେ

ତଣ୍ଡୁଳ, ଲବଣ, ତୈଳ ଇନ୍ଧନର ଜଞ୍ଜାଳ ଗହଳେ ।’

 

କିନ୍ତୁ ବାଗ୍ରା ପ୍ରପାତକୁ ଦେଖିବାକୁ ଗଲାବେଳେ ପ୍ରବଳ ବର୍ଷା ସେଥିପାଇଁ ଅନ୍ତରାୟ ହୋଇଛି । କବି ବାଗ୍ରା ପ୍ରପାତର ପ୍ରକୃତିକୁ ଉପଭୋଗ କରି ନ ପାରି ଫେରି ଆସିଛନ୍ତି ଓ ଲେଖିଛନ୍ତି-

 

‘ଫେରିଲି ଲକ୍ଷେ ରୁଧିର ପ୍ରପାତ ଘେନି ।

ମୋ ହୃଦୟ କଣେ ।’

 

କବି ଗିରିଦୁଲାଳୀ ରୂପସୀ ବାଗ୍ରାକୁ ଉପଭୋଗ କରିପାରି ନ ଥିଲେ । ତେଣୁ ତାଙ୍କର ଏତେ ଖେଦ ଓ ଅନୁଶୋଚନା । ଏହା ପରେ ପରେ ସେ ତାଙ୍କ କର୍ମକ୍ଷେତ୍ର ପୁରୀକୁ ଫେରିଆସି କିଛିଦିନ ପରେ ପ୍ରଥମେ ବାଲେଶ୍ୱର ଓ ପରେ ୧୯୫୦ ମସିହାରେ ଶାନ୍ତି ନିକେତନ ଯାତ୍ରା କରିଛନ୍ତି । ସାଗର ତୀରରୁ ବିଦାୟ ନେଉଥିବା ଦୁଃଖରେ ରଚିତ ‘ସାଗର ବିଦାୟ’ ଏକ ସର୍ବକାଳୀନ ସୁନ୍ଦର ପ୍ରକୃତି ଚେତନାମୂଳକ କବିତା ଯାହା କବିଙ୍କ ମାନସିକ ଯନ୍ତ୍ରଣାର ସ୍ଵର ବହନ କରେ ।

 

୧୯୫୫ ରୁ ୧୯୬୫ ମସିହା ମଧ୍ୟରେ ତାଙ୍କର କବିତାର ଦୃଷ୍ଟିଭଙ୍ଗୀ ଓ ଆଙ୍ଗିକ ପ୍ରାୟ ବଦଳିଯାଇଛି । ଏହି ସମୟ ଖଣ୍ଡରେ ପ୍ରକାଶିତ ପାଞ୍ଚୋଟି କବିତା ଗ୍ରନ୍ଥ ‘ସନନ୍ଦ’, ଲୁହ ଲୋହିତ ଅପରାହ୍ନର ସ୍ଵର ଫସିଲ ଓ ଫସଲ ଆଲବମରେ ତୀବ୍ରତାର ଜୀବନ ଜିଜ୍ଞାସା, ସ୍ଥିତିବାଦୀ ଆଭିମୁଖ୍ୟ ଓ ବାସ୍ତବବାଦୀ ସ୍ଵରରେ ଖୁବ୍ ଚମକ ଆଣିପାରିଛି ଓ ତାଙ୍କୁ ସଚ୍ଚିଦାନନ୍ଦ, ଗୁରୁପ୍ରସାଦ ମହାନ୍ତି, ବିନୋଦ ନାୟକ ପ୍ରମୁଖ ଆଧୁନିକ କବିଙ୍କ ସହିତ ସମସ୍ପର୍ଦ୍ଧୀ କରିପାରିଛି । କିନ୍ତୁ କବି ସେତେବେଳେ ଶାନ୍ତି ନିକେତନରେ ଅବସ୍ଥାନ କରୁଥିବାରୁ ଓଡିଆ କବିତାର ସ୍ଵର ଓ ସ୍ୱାକ୍ଷରରେ ନେତୃତ୍ୱ ନେବା ସମ୍ଭବ ହୋଇନାହିଁ- ତଥାପି ‘ଝଙ୍କାର’ ପରି ଉନ୍ନତମାନର ସାହିତ୍ୟ ମାସିକରେ ମଝିରେ ମଝିରେ ତାଙ୍କ କବିତା ପ୍ରକାଶ ପାଇଛି, କିଛି କିଛି ଆଲୋଡ଼ନ ମଧ୍ୟ ସୃଷ୍ଟି କରିଛି । ଘୋର ଅନ୍ଧକାରାବୃତ୍ତ ଆକାଶରେ ଏକ ପଥହରା ପକ୍ଷୀ ଯେପରି ଅସ୍ପଷ୍ଟ କାକଳି କରି ଶୂନ୍ୟରେ ଉଡ଼ୁଥାଏ ସେହିପରି କବି ଯନ୍ତ୍ରଣାକାତର ଜୀବନ ନେଇ ସ୍ଥିତିର ମୁଚାଲିକା ଲୋଡ଼ିଛନ୍ତି । ସ୍ଵାଭାବିକ ଭାବେ ତାଙ୍କ ରସାଳ ପଲ୍ଲୀମୁଖୀ କାବ୍ୟମାନସର ସମାଧି ଘଟିଛି । ପରବର୍ତ୍ତୀ କାବ୍ୟଚେତନା ଜୀବନର ଲୁହଲିପି ବା ସନନ୍ଦ ହୋଇପାରେ, ହୋଇବି ପାରେ ଆଧୁନିକ କବିତାର ବିଚ୍ଛିନ୍ନତାବୋଧ, କବିର ନୈରାଶ୍ୟ ଓ ବ୍ୟର୍ଥତାର ଏକକ ସ୍ଵରଲିପି- ଯାହା ଯୁଦ୍ଧ ପରବର୍ତ୍ତୀ କବିତାର ବିଷାଦବାଦୀ କାବ୍ୟସ୍ଵର ସହିତ ଯୋଗାଯୋଗ ସ୍ଥାପନ କରେ- ଉଭୟ ଅଙ୍ଗ ଓ ଆତ୍ମାରେ । ଉଦାହରଣସ୍ଵରୂପ ନିଜ ଅତୀତର କବିମନର ସୂଚନା ନେଇ ସେ କହନ୍ତି-

 

‘ବାଦଲର ହାଲୁକା ଡେଣାରେ/

ବତାସର ଆବେଗ ହ୍ରଦରେ ଗୋଧୂଳିର ଛାଇ/

ନୀଳ ଭେଲଭେଟ୍ ଶେଯରେ ପଡ଼ିଛି ଘୁମାଇ/

ଏହିକି ମୋ ଅତୀତର କବିମନ ? x x x

ଏକ ପଥହରା ପକ୍ଷୀ

ଏବେ ଡାକି ଡାକି ଶୂନ୍ୟେ ଉଡ଼େ ।”

(ମୁଁ ଆଉ ଲେଖିବି ନାହିଁ ।)

 

ଏହିପରି ଅନେକ ଉଚ୍ଚମାନର କବିତା ଏ ସମୟରେ ସେ ଲେଖିଛନ୍ତି । ସେଥିରୁ କେତେକ ୧୯୬୪ରେ ପ୍ରକାଶିତ ‘ଆଲବମ୍’ କବିତା ସଙ୍କଳନରେ ପ୍ରକାଶିତ । ମୋଟ ଉପରେ ଚିନ୍ତାର ମୌଲିକତାରେ, ଭାବନାର ପ୍ରାଞ୍ଜଳତାରେ ତଥା ପରିଣତ ଶୈଳୀରେ ଉତ୍ତର- ଷାଠିଏର କବିତାଗୁଡ଼ିକ ଖୁବ୍ ସଫଳ ରଚନା ବୋଲି କୁହାଯାଇପାରେ । ପୁଣି ଅତ୍ୟାଧୁନିକ କାବ୍ୟ ଆଙ୍ଗିକ ପ୍ରତୀକ, ରୂପକ ଓ ରୂପକଳ୍ପ ପ୍ରୟୋଗରେ ତାଙ୍କରି ସିଦ୍ଧି ଅନାୟସ ଲକ୍ଷ୍ୟ । ତାଙ୍କ କବିତାର ଆଙ୍ଗିକ ପରୀକ୍ଷା ପ୍ରାଚୀନ-ମଧ୍ୟଯୁଗୀୟ ବଙ୍ଗଳାଶ୍ରୀ ଠାରୁ ଆଧୁନିକ ବାକରୀତି, ଗଦ୍ୟକବିତା, ପଦବନ୍ଧ ଓ ଗଦ୍ୟଗ୍ରାସ ପର୍ଯ୍ୟନ୍ତ ସମ୍ପ୍ରସାରିତ । କେତୋଟି କବିତାରେ ସେ କେବଳ ମଞ୍ଜରୀ ଭାବୁଚି ଭାବୁଛି ‘ଗୋଟାଏ ମଣିଷ କଞ୍ଚାମାଂସ ଶୀତଳ ରକ୍ତର’, ‘ସମୁଦ୍ର ମନ୍ଥନ’, ‘ନୀରବ କିନ୍ତୁ ଜ୍ୱଳନ୍ତ ତାର ଅଶ୍ରୁଗାଥା’ ଆଦି କବିତାରେ ଏ ଯେଉଁ ଗଦ୍ୟଶୈଳୀର ପରୀକ୍ଷା ସେ କରିଛନ୍ତି ତାହା ପାଠକ ବା ସମାଲୋଚକ କେହି ଆଦର କରିନାହାନ୍ତି । ତଥାପି ବାକରୀତିରେ ସେ ଅସାଧାରଣ ଦକ୍ଷତା ପ୍ରକାଶ କରିଛନ୍ତି । କବି ନିଜେ ସ୍ୱୀକାର କରିଛନ୍ତି- ‘ଏ ପର୍ଯ୍ୟନ୍ତ ଲିଖିତ ମୋର କବିତା ଗୋଟାଏ ପରୀକ୍ଷା । ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ବା ପରିଣତିରେ ପହଞ୍ଚି ପାରିନାହିଁ । କେବେ ପହଞ୍ଚିବି କହିବା ଦୁଷ୍କର-।’ ତେବେ ବୟସର ବୃଦ୍ଧି ସହିତ ତାଙ୍କ କାବ୍ୟଶୈଳୀର କ୍ରମିକ ଅଭିବୃଦ୍ଧି ସଚେତନ ପାଠକ ଲକ୍ଷ୍ୟ କରିପାରିବେ । ତାଙ୍କ କବିତା ଆଧୁନିକ ନୁହେଁ ବୋଲି ତାଙ୍କ ସମସାମୟିକ କେତେକ କବି ଓ ସମାଲୋଚକ କହିଲେ । କାରଣ ତାଙ୍କ କବିତା କହେ ବାଇଆଣୀ କଥା, ହଳିଆ ଭାଇ କଥା, କଲିକତିଆ ନଣ୍ଡା ଦେହୁରି କଥା, ଦରିଦ୍ର ରାମାର କଥା, ନିଜ ନାନୀ, ଭାଇନା, ନନା, ବୋଉ, କୋଠିଆ କଥା କିନ୍ତୁ କହେ ନାହିଁ ଯୁଦ୍ଧ ପରବର୍ତ୍ତୀ ମଣିଷର ହତାଶା, ନିଃସଙ୍ଗତା, ସ୍ଥିତିବାଦୀ ଓ ଅତି ବାସ୍ତବ ଜୀବନର କଥା । ତାଙ୍କ କବିତାରେ ଆଧୁନିକତାର ବୌଦ୍ଧିକ ଆବ୍ରୁ, ଦୁର୍ବୋଧ୍ୟ ପ୍ରୟୋଗ ଓ ପରୀକ୍ଷା ନାହିଁ । ସେଥିପାଇଁ ସେ କ’ଣ ଆଧୁନିକ କବି ଭାବେ ଗଣା ହେଲେନି ? ତାଙ୍କ କବିତାରେ T.S. Eliot, ହପକିନସ୍, ରାଁବୋ, ବଦଲେୟାର ଆଦି କବିଙ୍କ ପ୍ରଭାବ ନାହିଁ କିମ୍ବା କବି ବିନୋଦନାୟକଙ୍କ କବିତା ପରି ଦୂର ପୃଥିବୀର ଭୂଗୋଳ ନାହିଁ- ସେଥିପାଇଁ କ’ଣ ସେ ବାଚ୍ଛନ୍ଦ ହୋଇଗଲେ ? ସେ କହନ୍ତି ଓଲରା ଚାଳଘରେ ଅଲରାମୁଣ୍ଡରେ ରହୁଥିବା ଦୀନ, ଦରିଦ୍ର ନାରୀଟି କଥା । ଯାହାର-

 

“ପୋରୁହାଁ ଗାମୁଛାର ଚିରା ମେଲି ମେଲି ଯାଉଥାଏ,

ତା’ର ଲଙ୍ଗଳା ଲୋତରା ପିଲାର ପେଟରେ । ପିଳେହି

ଯେମିତି ବଢ଼ୁଥାଏ/ ବୁଢ଼ିଆଣୀ ବାନ୍ଧିଛି ବସା

କ୍ଷୁଧା, ବାଧା, ହାହାକାର ସ୍ୱାଗତ ଜଣାଏ ତାରେ

ନଳାମୁହଁର ମାଛି/ ଆଉ ଦଳଗଡ଼ିଆର ମଶା ।”

 

ଆଉ ଜଣେ ସେ ଗାଁର ଧନୀ, ମାନୀ ବଡ଼ଲୋକ । ତା’ର ଅଧିକ ଭୂ ସମ୍ପତ୍ତି, ପାଳଗଦା, ଆମର ଓ ଆଟୁଘର । କବିଙ୍କ ଭାଷାରେ-

 

‘ଆଟୁଘରେ ପୋତିଛି ଅସରପା ପ୍ରମାଣେ ଅସରପି

କରଜ ହିସାବ ସଙ୍ଗେ କୃଷ୍ଣ କୃଷ୍ଣ ମାଳା ଜପି ଜପି ।’

 

କେତେ ବାସ୍ତବବାଦୀ ଏ ଦୃଷ୍ଟିଭଙ୍ଗୀ । ତାଙ୍କ କବିତା ସେଇମାନଙ୍କ ଲୁହ ଓ ଲହୁରେ ଲୋହିତ ଯେଉଁମାନେ ଅନାଖ୍ୟାତ ଓ ଅବଜ୍ଞାତ । ସହର ଆଭିଜାତ୍ୟାଠାରୁ ଦୂରରେ ସେମାନେ ଅତି ସାଧାରଣ ଗ୍ରାମ୍ୟ ଜନତା । Urbanisation ଯଦି ଆଧୁନିକ କବିତାର ପରିଚୟ ହୁଏ, ତାହେଲେ କୁଞ୍ଜବିହାରୀଙ୍କ ରାଶି ରାଶି କବିତା ଆକଳନର ନିକିତିରେ ଘର ଶୂନ ପଡ଼ିଯିବ । କିନ୍ତୁ ମଣିଷର ଜୀବନଯାତ୍ରା ଏକମାତ୍ର ସହରର ସୀମା, ସରହଦ ନୁହେଁ । ସେମାନେ ବି ହୋଇପାରନ୍ତି ଦୁଃଖୀ, ଦରିଦ୍ର ଗ୍ରାମ୍ୟ ଜନତା ଯେଉଁମାନଙ୍କୁ କୁଞ୍ଜବିହାରୀ ଭଲ ପାନ୍ତି । ତେଣୁ ତାଙ୍କ ଜୀବନର ଟିକିନିଖି କଥାକୁ ଲେଖିବସନ୍ତି ନିଜ କବିତାରେ । ସେମାନେ ଖରା ଓ ବର୍ଷାରେ ବିଲରେ ପଡ଼ିଥାନ୍ତି-। ପିଲାଛୁଆଙ୍କ ପାଇଁ ଆହାର ଯୋଗାଡ଼ କରିବାକୁ ଦେହର ରକ୍ତ ନିଗାଡ଼ି ଦିଅନ୍ତି । କାଠକାଟି, ମାଟିବୋହି, ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜି ରହନ୍ତି । ସେମାନେ ବି ହୋଇପାରନ୍ତି ରୁଗ୍‍ଣ ଦୁଃଖୀ ରାସ୍ତାକଡ଼ର ଭିକ୍ଷାଜୀବୀ ମଣିଷ । ସେଇମାନଙ୍କ ନିତିଦିନିଆ କଥାରେ ତାଙ୍କ କବିତା ଅଶ୍ରୁସଜଳ । ଏଠି ତେଣୁ ଅଭିଜାତ ସହରୀ ମଣିଷର କଥା ବେଶୀ ନାହିଁ । ସେଇଥିପାଇଁ ତେବେ କ’ଣ ତାଙ୍କ କବିତା ଆଧୁନିକ ନୁହେଁ ବୋଲି କୁହାଯିବ ? ସେଇମାନଙ୍କ କଥା ଲେଖୁ ଲେଖୁ ନୀଳମାଷ୍ଟ୍ରାଣୀ ସମ୍ପର୍କରେ ସେ ବିଭିନ୍ନ ସମୟରେ ତିନୋଟି ଖୁବ୍ ଭଲ କବିତା ଲେଖି ବସିଛନ୍ତି । ଗାଳ୍ପିକ ଗୋଦାବରୀଶ ମହାପାତ୍ର ଲେଖିଥିଲେ ଗଳ୍ପଟିଏ ‘ନୀଳମାଷ୍ଟ୍ରାଣୀ’ ଶିରୋନାମାରେ । କୁଞ୍ଜବିହାରୀଙ୍କ କବିତାରେ ତାଙ୍କ ଗାଁର ଏହି ଝିଅଟି ପାଇଁ ଅଛି ଅସୀମ ଦରଦ ଓ କରୁଣ ଚିତ୍ର । ତା’ର ବାଲ୍ୟଜୀବନ, ବୈଧବ୍ୟ, ପାଠପଢ଼ା, ସେ ଯୁଗରେ ବ୍ରାହ୍ମଣୀ ବିଧବା ହୋଇବି ଗାଁର କୌଣସି ଯୁବକ ଧୋବା ପ୍ରତି ଆସକ୍ତି, ତା’ସହିତ ବିବାହ, ଗ୍ରାମରୁ ବାଚ୍ଛନ୍ଦ, ସମାଜରେ ନାନାଦି କଟକଣାରେ ଜୀବନଯାପନ, ସ୍କୁଲର ଶିକ୍ଷୟତ୍ରୀ ଭାବେ ଯୋଗଦାନ- ଏସବୁ ଘଟଣାର ବାସ୍ତବତାକୁ ନିଜର ସ୍ନେହ ଓ ମମତା ମେଦୁର ସହାନୁଭୂତିରେ ଜାରିତ କରି ନୀଳକୁ ଜଣେ ଆଦର୍ଶନାରୀ ଭାବେ ଉପସ୍ଥାପିତ କରିଛନ୍ତି । ସମୟର ହାତୁଡ଼ି ଯେପରି କୋଣାର୍କର ମୁଗୁନି ପଥର ମୂର୍ତ୍ତିମାନଙ୍କୁ ଭାଙ୍ଗି ପାରିନାହିଁ ନୀଳ ମଧ୍ୟ ସେହିପରି ଜୀବନ ଯୁଦ୍ଧରେ ହାରିଯାଇନାହିଁ । ଏହାହିଁ ଏ କବିତାମାନଙ୍କରେ ପ୍ରତିପାଦ୍ୟ-। ତାଙ୍କ ଆଧୁନିକ କବିତା ସମ୍ପର୍କରେ ‘ଆଲବମ୍’ କବିତା ଗ୍ରନ୍ଥରୁ ନାନା ଉଦାହରଣ ଦିଆଯାଇପାରେ-। ସତେଯେପରି କବିତାଗୁଡ଼ିକ କବିର ନିଜ ଜୀବନ ଓ ପରିପାର୍ଶ୍ୱର ଚିତ୍ରାବଳୀ, ଯେଉଁଥିରେ ନୂତନ ଚିନ୍ତା ଓ ଚେତନାର ଚମକ ଲକ୍ଷ୍ୟ କରିହୁଏ । ‘ରାଜକନ୍ୟା’ କବିତାରେ ସେ କୁହନ୍ତି ।

 

“ରାଣୀଙ୍କ ଉଦ୍ୟାନ ସରୋବରେ/ ଜମିଛି ବିଲାତି ଦଳ/

ଶଙ୍ଖ ମଲମଲ/ ସୋପାନ ପଡ଼ୁଛି ଭାଜି/

ନାହିଁ ସେ ସୁଗନ୍ଧରାଜ ଓ ହେନା/ ଗୋଲାପ, ରଜନୀଗନ୍ଧା

ହୁଙ୍କା ପରେ ଲୋଟେ ସାପକାତି/ ପୋକଶୁଙ୍ଘା ବିଛୁଆତି/

କାହିଁ ସେହି ଆଲୋକର ସ୍ତମ୍ଭେ ସ୍ଥିର/ ମୟୂରର ଚନ୍ଦ୍ରିକାରେ ରଙ୍ଗିନ ଫୁଆରା/

ମଣିକଳା ପରେ ସେହି କୁତ୍ରିମ ପ୍ରପାତ/ ନୁହେଁ ନୁହେଁ ସାଲିମାର, ନୁହେଁ ଏ ନିଶାତ୍ ।”

 

କେଡ଼େ ବାସ୍ତବ ଏ ଦୃଷ୍ଟିଭଙ୍ଗୀ ଅଧିକ କହିବାର ବାହୁଲୀ ହୋଇପାରେ ।

 

ଶେଷରେ ଏଇ ଆଲବମ୍ କବିତା ଗ୍ରନ୍ଥର କନ୍ୟା ହେଲେ କନ୍ୟାବତୀ କବିତା ସମ୍ପର୍କରେ ପଦେ ଦି’ପଦ କହି ଆଲୋଚନାକୁ ସାଙ୍ଗ କରିବି । ଏଠାରେ ନଦୀକୁ ପ୍ରତୀକଭାବେ ଗ୍ରହଣ କରି କୌଣସି ଇଚ୍ଛାମତି ନାରୀ କଥା ହିଁ କୁହାଯାଇଛି । ନଦୀ ନିଜ ତଟକୁ ଭୁଲି ପ୍ରଖରା ଓ ବନ୍ୟାବତୀ ହୁଏ ସେ ଯେପରି ତଟବାସୀମାନଙ୍କ ଦୁଃଖ ଓ ଶୋକର କାରଣ ହୁଏ, ସେହିପରି ସମାଜରେ ନାରୀଟିଏ ନିଜ ତଟରେଖାକୁ ଭୁଲି ପ୍ରଖରା ହେଲେ ଯାବତୀୟ ଦୁଃଖ ଓ ଦୁର୍ଦ୍ଦଶାକୁ ଅନ୍ତିମରେ ଡାକିଆଣେ । ପରିବାର ଓ ସମାଜପାଇଁ ପ୍ରଚଣ୍ଡ କାରଣ ହୁଏ । ନଦୀ ପ୍ରଖରା ହେଲେ ତାର ଶୋଭା ଆଉ ରହେ ନାହିଁ । ସେ ହୁଏ ଆତଙ୍କର କାରଣ । ସେହିପରି ଯେତେ ସୁନ୍ଦରୀ ହେଲେ ବି ନାରୀଟିଏ ପଥ ହୁଡ଼ିଲେ ହୁଏ ଘୃଣ୍ୟା ଓ ଅଲୋଡ଼ା ।

 

“ଯାଯାବରୀ ସଂସାର ଚାରିଣୀ ଇଚ୍ଛାବତୀ ନଦୀ

ହଠାତ୍ କିପରି ହେଲା ଜଳଧିର ବାହୁପାଶେ ବନ୍ଦୀ ?”

 

ନାରୀ ସେହିପରି ନଦୀଟିଏ ହେବା ଚାହି । ସୁନ୍ଦର ପ୍ରତୀକବାଦୀ କବିତାଟିଏ । ଏହିପରି ଅନେକ ସୁନ୍ଦର କବିତାର ସ୍ରଷ୍ଟା କୁଞ୍ଜବିହାରୀ ଏଣିକି ଅଧିକରୁ ଅଧିକ ଅଲୋଚିତ ହେବେ ବୋଲି ମୁଁ ଆଶା ରଖୁଛି ।

 

 

ଡୁପ୍ଲେକ୍ସ-୯

ଶୈଳଶ୍ରୀ ବିହାର, ଭୁବନେଶ୍ୱର

 

***

 

କବି ମାୟାଧର ମାନସିଂହଙ୍କ ମହାକାବ୍ୟ

‘କମଳାୟନ’ରେ ଚିଲିକା

ନିର୍ମଳା କୁମାରୀ ମହାପାତ୍ର

 

“କହୁଥିଲ ତୁମେ ପରା ଆମ ଏ ଚିଲିକା

କୃଷ୍ଣସିନ୍ଧୁ ଦୃଶ୍ୟ ଆଣେ ସ୍ମୃତିରେ ତୁମର

ପରିପୂର୍ଣ୍ଣ କର ସେହି ସ୍ମୃତିରେ ଚିତ୍ରଟି

XX XX            XX

ଏହି ହ୍ରଦ, ଏଇ ଗିରି, ଏହି ବେଳାଭୂମି

ରୁଷିଆର କାସ୍ପିୟାନ, କୃଷ୍ଣସିନ୍ଧୁ ପରି

ମୋ’ ଜାତି-ଚିତ୍ତର ଏକଂ ଅଂଶ ଅବିଚ୍ଛେଦ୍ୟ

କବିଜନ ବନ୍ଦିତ ଏ ଇତିହାସ ଯା’ରେ

ଯୋଗ୍ୟ ରଙ୍ଗମଞ୍ଚ ଭାବି ଯାଇଛି ଏଠାରେ

କରି କେତେ ରସବନ୍ତ ନାଟକାଭିନୟ ।.....”

 

କମଳାୟନ ମାନସିଂହ ଗ୍ରନ୍ଥାବଳୀ ପଞ୍ଚମଖଣ୍ଡ ପୃ. ୨୯୨ ଉପରେ ପ୍ରଦତ୍ତ ପଦମାନ ଥିଲା କାବ୍ୟନାୟିକା ବିଶ୍ୱମିତ୍ରାର ନାୟକ ରୁଷୀୟ ତରୁଣ ସେପ୍ଲିକୋ ପ୍ରତି ଉକ୍ତି । କବି ଡକ୍ଟର ମାନସିଂହ ତାଙ୍କର ମହାକାବ୍ୟର ଉତ୍ତର ଖଣ୍ଡରେ ନବମ ସର୍ଗ ବ୍ୟତୀତ ଆଉ ନଅଟି ସର୍ଗର ଚିତ୍ରଣରେ ଅଳ୍ପେ ବିପୁଳ ବର୍ଣ୍ଣନା ରହିଛି ଚିଲିକା ହ୍ରଦର । ସେ ଚିଲିକା ପୃଥିବୀ ପ୍ରସିଦ୍ଧ କାସ୍ପିୟାନ ହ୍ରଦ (ସାଗର) ଓ କୃଷ୍ଣସାଗର (The Black Sea) ସହ ତୁଳନାବେଳେ ବାଙ୍‍ମୟ ହୋଇପଡ଼ିଛନ୍ତି ଅବା ।

 

ମହାକାବ୍ୟ “କମଳାୟନ’ର ପୂର୍ବଖଣ୍ଡରେ ୧୧ଟି ସର୍ଗ ଓ ଉତ୍ତର ଖଣ୍ଡରେ ରହିଛି ୧୦ଟି ସର୍ଗ । ପୂର୍ବଖଣ୍ଡର ନାୟକର ଗ୍ରାମର ବର୍ଣ୍ଣନା ଥିଲେ ସେଥିରେ ‘ଚିଲିକା’ର ପ୍ରସଙ୍ଗ ନାହିଁ । ପୂର୍ବଖଣ୍ଡର ପ୍ରକାଶନ (୧୯୪୬), ଦୁଇଟି ସଂସ୍କରଣ ପରେ ଉତ୍ତରଖଣ୍ଡ ସଂଯୁକ୍ତ ହୋଇଛି ୧୯୬୨ ମସିହାରେ ହଙ୍ଗେରୀ ବିପ୍ଲବ (୧୯୫୬) ପରେ । ମୋଟ ୨୧ଟି ସର୍ଗରେ ସାରା ପୃଥିବୀର ମାନ୍ୟତାପ୍ରାପ୍ତ ବହୁ ପ୍ରକୃତିଖଣ୍ଡର ଚିତ୍ରଣ କରି କବି ସ୍ଵ-ପ୍ରତିଭାର ଉତ୍କର୍ଷ ପ୍ରତିପାଦନ କରିଛନ୍ତି । ଉତ୍ତର ଖଣ୍ଡର ଘଟଣା ପ୍ରବାହର ଆରମ୍ଭ ହୋଇଛି ଚିଲିକା ଓ ତା’ପାଖ ପାହାଡ଼ ଶିଖରରେ ଥିବା ଆବାସରୁ । ଚିଲିକା କୂଳରେ ରହିଛି ମାମୁ-ଭଣଜା ପାହାଡ଼ । ସିଂହେଶ୍ୱର ମନ୍ଦିର । ସେଇ ନାମରେ ଚିହ୍ନିତ ଆବସରେ ରହନ୍ତି କାବ୍ୟନାୟିକା ବିଶ୍ୱମିତ୍ରା । ନାୟକ ଓ ପ୍ରତିନାୟକ ଦୁହେଁ ବିଦେଶୀ ଓ ନାୟିକାଘରର ଅତିଥି । ନାୟିକା ଦୁଇ ଅତିଥିଙ୍କୁ ଚିଲିକା-କୂଳିଆ, ଆଦର୍ଶ କଲୋନି- ‘କରୁଣା କଲୋନି’ ବୁଲାଇ ନେଇଛନ୍ତି ଓ ଚିଲିକାର ମୁହାଣ ପର୍ଯ୍ୟନ୍ତ ଘୋଡ଼ ଝପଟାଇ ତିନି ହେଁ ଯାଇଛନ୍ତି । ଚିଲିକା ଆଖପାଖ ଗାଁର ପିଲା-ବାଳକ ତଥା ଅଧିବାସୀଙ୍କୁ ଚମତ୍କୃତ କରିଛନ୍ତି । ଗ୍ରାମୀଣ ରୀତିରେ ବିବାହ ରୀତି ଓ ଭୋଜି ଆସ୍ୱାଦନରେ ମଉକା ମଧ୍ୟ ମିଳିଛି ଅତିଥିମାନଙ୍କୁ । କାବ୍ୟର ପରିସମାପ୍ତି ଘଟିଛି ସେଇ ଚିଲିକା ପାଖ ପରିସରରେ । ଉତ୍ତରଖଣ୍ଡର ଶିରା-ପ୍ରଶିରାରେ ଯେପରି ଚିଲିକା ହୋଇଛି ଅନ୍ତଃସ୍ରୋତ ।

 

ମୁଖ୍ୟତଃ ଚିଲିକା ଦର୍ଶନରେ କବି ପ୍ରଭାତ, ସାୟଂକାଳ, କର୍ମମୟ ଜୀବନର ଝଲକ, ଚିଲିକାର ମୁହାଣ (ମଗର ମୁହଁ), ବେଳାଭୂମିରେ ବଡ଼ଶିଙ୍ଗିଆ ବାହୁଟିଆ (ମୃଗ)ମାନଙ୍କର ପବନବେଗରେ ଧାବନ, ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା, ନୌବିଳାସ (ନାୟକ-ନାୟିକାଙ୍କ ନୌବିହାର), ମାଳମାଳ କୃଷିକ୍ଷେତ୍ର, ତୋଟମାଳ, ନାରିକେଳ କୁଞ୍ଜତଳେ ମୌନ ତଥା ଧ୍ୟାନସ୍ଥ ଗିରିମାଳା ପାଖରେ ଚିଲିକାର ପ୍ରସାରିତ ସ୍ଥିର ଉର୍ମି, ଶୀତାଂଶୁ କିରଣରେ ଧୌତ ଶୟନା-ଧରିତ୍ରୀ ଆଦି । ଏଥି ସହିତ କବିଙ୍କ ଲେଖନୀରେ ଜିବନ୍ୟାସ ପାଇଛି ମୁହାଣ ପାଖରେ ବିକ୍ଷୁବ୍ଧ ସାଗରର ଦୋଳାୟିତ ତରଙ୍ଗମାଳା, ଦୂରଦିଗବଳୟ-ବ୍ୟାପୀ ବିପୁଳ ବାରିଧିରେ ଭାସ୍ଵର ରବିକରର ମହିମା, ଶ୍ୟାମ କୁଞ୍ଜମୟ ଦ୍ୱୀପମାଳିନୀ ଚିଲିକାର ମୁକ୍ତ ନଭକୁ ନିରୀକ୍ଷଣ, ମୃଦୁ ଅଳସଭଙ୍ଗୀରେ ଦୂର ନୀଳଗିରିମାଳାର ପ୍ରାଚୀର ନିମ୍ନରେ ସୁନ୍ଦରୀ ଚିଲିକାର ବିଶ୍ରାମ ଭ୍ରମ, ଉଚ୍ଚବାଲିବନ୍ତରେ ଗୋ-ଧନଚାରଣ, କୌତୂହଳୀ ଗୋପଳକର ଯଷ୍ଟିରେ ଭରାଦେଇ ଚାହିଁରହିବା ଆଦି । ତତ୍ସହିତ ମତ୍ସଜୀବୀମାନଙ୍କର ଜାଲମେଲିବା, ଟେଣେଇ ଆଦି ବହୁବିଧି ଚଢ଼େଇଙ୍କର କୂଜନ ଓ ଉଡ଼ାଣ, ଜ୍ୟୋତ୍ସାସ୍ନାତ ବନାନୀର ଗଭୀର ସୁଶୁପ୍ତି, ମୋହାଚ୍ଛନ୍ନ ବିଶ୍ୱମୟ ରଜନୀ ଆଦି କବି-କଳ୍ପନାରେ ପାଲଟି ଯାଆନ୍ତି ଅମରାବତୀର ସ୍ଵପ୍ନର ଇଲାକା ।

 

ଆଜି ମହାକାବ୍ୟ ‘କମଳାୟନ’ ପୃଷ୍ଠାରେ ନାୟକ-ନାୟିକାଙ୍କର ନୌବିହାର ଅବସରରେ ଚିଲିକାକୁ ନାୟକ ରୁଷିଆର କୃଷ୍ଣସାଗର ଓ କାସ୍ପିୟାନ ସାଗର ସହ ତୁଳନା କରିଛନ୍ତି । କଥା ପ୍ରସଙ୍ଗରେ ନାୟିକା ବିଶ୍ୱମିତ୍ରାର ଅନୁରୋଧ କ୍ରମେ ରୁଷୀୟ ତରୁଣ ଗାଇଛନ୍ତି, କୃଷ୍ଣସାଗରୀୟ ଧୀବରର ଗୀତଟିଏ । ଚିଲିକାର ନାବିକ ମଧ୍ୟ ଖଞ୍ଜଣିତାନରେ ଏକ ପାରମାର୍ଥିକ ସଂଗୀତ ପରିବେଷଣ କରିଛନ୍ତି । ତରୁଣୀ ନାୟିକାର କକେଇ ଓ ମାଉସୀ ଦୁଇ ବୃଦ୍ଧ-ବୃଦ୍ଧା ହାତରେ ଦୂରବୀକ୍ଷଣ ଯନ୍ତ୍ର ଧରି ସିଂହେଶ୍ୱର ପାହାଡ଼ ଉପରୁ ଏସବୁ ନିରୀକ୍ଷଣ କରୁଛନ୍ତି । ତରୁଣୀ ନାୟିକାର ଗତିବିଧି ଲକ୍ଷ୍ୟ କରିବା ଚିତ୍ରଣରେ କବି ଆମ ସଂସ୍କୃତିର ଝଲକ ଦେଇଛନ୍ତି ।

 

ଚିଲିକାର ଭୂୟସୀ ପ୍ରଂଶସାକ୍ରମରେ ଆସିଛି ଶାନ୍ତ ହେମନ୍ତର ହେମ ଅପରାହ୍ନ । ହ୍ରଦର ନୀଳ-ତରଳ-ଚତ୍ୱରରେ ତା’ର କୁଟୁମ୍ବିତ ଅନେକ ଶୈଳ, ଟଙ୍କ, ବନ, ଶତଶତ ଶ୍ୟାମଳ ଦ୍ୱୀପ । ଦ୍ୱୀପଗୁଡ଼ିକରେ ବହୁବର୍ଣ୍ଣର ସମାବେଶ । ସବୁଜ ଶ୍ୟାମଳିମା ସହ ପୁଷ୍ପଭାରାକ୍ରାନ୍ତ ବନାନୀରେ ନାନାରଙ୍ଗର ବିହଗମାନଙ୍କର ଏକତ୍ରୀକରଣ । ସେଥିରୁ ସୃଷ୍ଟ ନାନାବର୍ଣ୍ଣର ଦୃଶ୍ୟରାଜି । ଶବଳିତ ରମ୍ୟ ଦୃଶ୍ୟ ପରେ ଦୃଶ୍ୟ । ତଳେ ଉପରେ- ସବୁଆଡ଼େ ସୂର୍ଯ୍ୟଙ୍କର ଅସ୍ତମିତ କନକିତ ଆଭା । ଗୁଳ୍ମଯୁକ୍ତ ଜଟିଆ ପାହାଡ଼କୁ ମାଡ଼ିଆସେ ତା’ପରେ ସନ୍ଧ୍ୟାର ଛାୟା । ବିଶ୍ରାମ ଲିପ୍ସୁ ପକ୍ଷୀଗଣ ଚିଲିକା ଜଳରେ ଧୁଆ ପକ୍ଷ ଝାଡ଼ି ଆସି ବସିଯାଆନ୍ତି ଚଢ଼େଇହଗା ପାହାଡ଼ ଉପରେ ।

 

ଚିଲିକାର ଜଳବଳୟ ଭିତରେ ମୁଣ୍ଡ ଟେକିଛି ଚଢ଼େଇହଗା ପାହାଡ଼ । ଶ୍ୱେତ-ଶାନ୍ତ ଏଇ ଭୂଧରଟି ହେଲା ପକ୍ଷୀମାନଙ୍କର ପରମ ଆଶ୍ରୟ । ସେମାନଙ୍କର ଆହାର ସାମଗ୍ରୀ ଯଥା- ମାଛ, ଗେଣ୍ଡା, ଜଳପୋକ, ଦଳ, ଶିଉଳି, ଗୁଲ୍ମ, ଅରଚିଡ୍ ଆଦିର ଭଣ୍ଡାର ଏହି ବରଦାୟିନୀ ଚିଲିକା । ହ୍ରଦର ନୀଳଜଳ ଜଳଜୀବମାନଙ୍କର ମାତୃସ୍ତନଭାବେ କବି ବର୍ଣ୍ଣନା କରିଛନ୍ତି । ସ୍ନାନ-ସନ୍ତରଣ ପାଇଁ ପୂର୍ଣ୍ଣ ସୁଯୋଗ ଦିଏ ଏଇ ଚିଲିକା । ଏଇଠି ସୁଲଭ ପକ୍ଷୀମାନଙ୍କର ଦିନଚର୍ଯ୍ୟାରେ ପୂର୍ଣ୍ଣ ସ୍ୱାଧୀନତା ଓ ସମାତୀତ ସୁଖାନନ୍ଦ ଉପଭୋଗ । ଆନନ୍ଦର ଆତିଶଯ୍ୟରେ ସେମାନେ ସୃଜନ କରନ୍ତି କୋଳାହଳ; କୂଜନ । ପକ୍ଷୀସୁଲଭ ସଂଗୀତ । କିଚିରିମିଚିରି ଧ୍ୱନି । ଚିରିଂ ଚିରିଂ ଶବ୍ଦ । ଅତି ସ୍ୱାଭାବିକ ଢଙ୍ଗରେ ଚଢ଼େଇମାନଙ୍କର ସଂଗୀତ ଚର୍ଚ୍ଚାରେ ଆସିଯାଏ ସନ୍ଧ୍ୟା । ଏବେ ସେମାନେ ଚଢ଼େଇହଗା ସ୍କନ୍ଧରେ ବିଶ୍ରାମର ପ୍ରବନ୍ଧ ରଚନା କରନ୍ତି । ବସ୍ତୁତଃ ଚଢ଼େଇହଗାର ଶିଖର ଦୂରରୁ ଦିଶେ ଧବଳ କେବଳ ଅସଂଖ୍ୟ ପକ୍ଷୀମାନଙ୍କର ଧଳା ଧଳା ମଳ ଆସ୍ତରଣ ଯୋଗୁଁ । କବି ମାନସିଂହ ସେ ସମ୍ପର୍କରେ କହନ୍ତି-

 

‘ପ୍ରଥମ ବିଶ୍ରାମ-ଲିପ୍ସୁ ବିହଙ୍ଗମଦଳ

ପକ୍ଷ ଝାଡ଼ି ବସିଲେଣି ଚଢ଼େଇହଗାର

ଶ୍ୱେତ, ଶାନ୍ତ, ସ୍କନ୍ଧପରେ । ପକ୍ଷୀ ଦଳ ଦଳ

ଉଡ଼ୁଛନ୍ତି ମାଳାକାରେ ଅର୍ଦ୍ଧବୃତ୍ତେ ଅବା

ତଳେ ବସି ସୂମଧୁର କୋଳାହଳେ ପୁଣି

ସ୍ନେହ- ବିକମ୍ପିତ ମାତୃବକ୍ଷେ ଚିଲିକାର

ସନ୍ତରନ୍ତି ପରିପୂର୍ଣ୍ଣ ଜୀବନ- ଆନନ୍ଦେ

ତରଳ ସେ ନୀଳସ୍ତନେ, କରେ ଚକଚକ

ରବିକରେ ନୀର-ଧୌତ ପତ୍ର ତାଙ୍କର ।’୧

 

ଚିଲିକାର ଅନ୍ୟ ଦୁଇ ପ୍ରମୁଖ ଭୂଧର ହେଲେ ଭାଲେରୀ ଆଉ ଶୋଲରୀ । ସୂର୍ଯ୍ୟ ଡୁବିଯାଆନ୍ତି ଭାଲେରୀ ପାହାଡ଼ର ଉହାଡ଼ରେ । ଦ୍ରୁତପଦରେ ମାଡ଼ିଆସେ ସନ୍ଧ୍ୟାର ଛାୟା । ପର୍ବତର ଉଚ୍ଚ ତୀଖ ଡେଇଁ ଚିଲିକାର ଉପାନ୍ତରେ ପ୍ରବେଶ କରେ ପ୍ରଦୋଷର ପ୍ରଭାବ । ମାତ୍ର ସେତେବେଳକୁ ଅସ୍ତମିତ ସୂର୍ଯ୍ୟଙ୍କର ଶେଷ ସ୍ଵର୍ଣ୍ଣାଲୋକ ‘ଖଣ୍ଡାହଣା’ ନାମକ ପର୍ବତର ଚୂଳରେ ଚକ୍‍ଚକ୍‍ କରୁଥାଏ । କବି ରାଧାନାଥରାୟ ମଧ୍ୟ ଚିଲିକା କାବ୍ୟରେ ‘କରିମୁଣ୍ଡାକୃତି ଗିରି ଖଣ୍ଡାହଣା, କାନ୍ତାରେ ହୁଅନ୍ତି ପାନ୍ଥେ ଯହିଁ ବଣା’ – ବୋଲି ବର୍ଣ୍ଣନା କରିଛନ୍ତି ପ୍ରୋକ୍ତ ହାତୀମୁଣ୍ଡିଆ ପର୍ବତ ଖଣ୍ଡାହଣାକୁ ନେଇ । ଏଇ ଖଣ୍ଡହଣା ପର୍ବତ ତତ୍କାଳୀନ ଓଡ଼ିଶାର ମୋଗଲବନ୍ଦୀ ଅଞ୍ଚଳର ଥିଲା ସର୍ବୋଚ୍ଚ ପର୍ବତ । ପ୍ରକାଶଥାଉ କି ଚିଲିକା କାବ୍ୟର ପ୍ରଥମପ୍ରକାଶକାଳ ଥିଲା ୧୮୯୨ ମସିହା । ସେତବେଳେ ଏଇ ଅଞ୍ଚଳରେ ବହୁସଂଖ୍ୟାରେ କନ୍ଧ ପରିବାର ବସବାସ କରୁଥିଲେ । ତେଣୁ କବି ରାଧାନାଥ ଲେଖିଥିଲେ-

 

‘ମଧ୍ୟାହ୍ନେ ଅନ୍ଧାର ଜିଣଇ ଅଲନ୍ଦୁ

କନ୍ଧ ସୀମାନ୍ତିନୀ ବିଶ୍ରମ୍ବର ବନ୍ଧୁ ।”୨

 

କବି ମାନସିଂହ ମଧ୍ୟ ଭାଲେରୀ-ଶୋଲରୀର ବର୍ଣ୍ଣନାବେଳେ ଶୋଲରୀ ପର୍ବତର ଶିଖର ଦେଶରେ ଥିବା ଗୋଟିଏ ବୁଢ଼ାଝଙ୍କା ବରଗଛର ମସ୍ତକରେ ଅସ୍ତମିତ ସୂର୍ଯ୍ୟଙ୍କର ‘ରଶ୍ମିକୁ ଶେଷ ସ୍ଵର୍ଣ୍ଣାଲୋକ-ଶିଖା ବିଦାୟୀଦିନର’ ବୋଲି ଚିତ୍ରିତ କରି ପର୍ବତର ଶିଖ ଓ ନ୍ୟଗ୍ରୋଧ ପାଦପର ଉଚ୍ଚ ମସ୍ତକର ଗୁରୁତ୍ୱ ପ୍ରତିପାଦନ କରିଛନ୍ତି ।

 

ଅନ୍ୟ ଦୁଇ ପାହାଡ଼ ହେଲେ ଜଟିଆ ଓ କାଳିଜାଇ । ବେଶ୍ ପାଖାପାଖି । କବି-କଳ୍ପନାରେ ସେ ଦୁହେଁ ପରା ମିତଣୀ । ପ୍ରଦୋଷ-କାଳୀନ ନିଶବ୍ଦତା ଭିତରେ ସେ ଦୁହେଁ ମୟୁର, କୁକୁଡ଼ା ଆଦି ପକ୍ଷୀଙ୍କ ପରି ଗୁଲ୍ମବନରେ ନିଜନିଜର ଶଯ୍ୟାରଚନା କଲେଣି । ଚିଲିକା ହ୍ରଦର ଅନ୍ୟତମ ଦ୍ୱୀପ ପାରିକୁଦରେ ଜନ୍ମିତ କବି ମାନସିଂହ ଏଇ ଭୂଖଣ୍ଡ ସହ ଓତପ୍ରୋତ ଭାବେ ଜଡ଼ିତ । ତାଙ୍କ ଲେଖନୀରେ ଚିଲିକାରେ ସଞ୍ଜ ଆସେ ନଇଁ ନଇଁ ଭାଲେରୀ ଉହାଡ଼େ ନିମ୍ନୋକ୍ତ ଭାବେ-

 

‘ତପନ ବୁଡ଼ଇ ଧୀରେ ଭାଲେରି ଉହାଡ଼େ

ଶାନ୍ତ, ସନ୍ଧ୍ୟାଛାୟା ମାଡ଼ିଆସେଦ୍ରୁତ ପଦେ

ଗିରି ଶ୍ରେଣୀ ଭୃଗୁଡ଼େଇଁ ଚିଲିକା ଉପାନ୍ତେ

ଶେଷ ସ୍ଵର୍ଣ୍ଣାଲୋକ ଶିଖା ବିଦାୟୀ ଦିନର

ଜଳୁଛି ତଥାପି ଦୂରେ ଖଣ୍ଡାହଣା ଚୂଳେ,

ଶୋଲରୀର ପ୍ରାଚୀନ ସେ ନ୍ୟଗ୍ରୋଧ ମସ୍ତକେ

ଚିର ସେ ଶୟନାଶୟୀ ଦୁଇଟି ମିତଣୀ

ଜଟିଆ ଓ କାଳିଜାଇ, ସାନ୍ଧ୍ୟଛାୟା ତଳେ ।

କଲେଣି ବା ଆସ୍ତେ ଆସ୍ତେ ନିଦ୍ରା ଆୟୋଜନ

କେକୀ, କୁକ୍କଟଙ୍କ ପରି, ତାଙ୍କ ଗୁଲ୍ମବନେ ।’୩

 

ଅନୁରୂପ ବର୍ଣ୍ଣନା ରହିଛି କବିବର ରାଧାନାଥଙ୍କ ଚିଲିକା କାବ୍ୟରେ; ତହିଁରୁ କିଞ୍ଚିତ୍ ଉଦ୍ଧାର କରାଯିବା ଉଚିତ ମନେହୁଏ; ଯଥା-

 

ସୁନ୍ଦର ତୃପ୍ତିର ଅବସାଦ ନାହିଁ

ଯେତେ ଦେଖିଲେ ହେଁ ନୂଆ ଦିଶୁଥାଇ ।

ତୋ’ ପଶ୍ଚିମ ତୀର ଶୋଭାର ନିଳୟ,

ଦେଖି ନ ରହିବ ଲାଖି କା’ ହୃଦୟ ?

ଶ୍ୟାମଳରୁ କ୍ରମେ ନୀଳ ନୀଳତର,

ସୋପାନସ୍ଵରୂପେ ଦିଶେ ଶୈଳସ୍ତର ।

ଅଭ୍ରଙ୍କଷ ତୁଙ୍ଗ ପ୍ରତୀଚୀ-ପାଚେରି

ଶୋଭେ ଶୋଭାମୟ ଭୂଧର ଭାଲେରି

କ୍ରମନିମ୍ନ ହୋଇ ନୀଳ ଜଳରାଶି

ଭେଦିଅଛି ଯାର ସୁଶ୍ୟାମଳ ନାସି ।

ଡେରା ଡେରା ହୋଇ ପରଶିଛି ଶିଖ

ଠାବେ ଠାବେ ଯା’ର ମାର୍ଗ ଗଇରିକ ।

ସୁଶ୍ୟାମଳ ଗୁଲ୍ମ-ଜଟିଳ ଜଟିଆ

ତୀରୁ ନୀରେ ଯା’ର ହୋଇଅଛି ଠିଆ ।୪

 

କବି ରାଧାନାଥଙ୍କ ଲେଖନୀରେ ରମ୍ଭାପର୍ବତ, କାଳିଜାଈ ପାହାଡ, କାଙ୍କଡ଼ ଫଳୁଥିବା ଧଳାରଂଗର ପାହାଡ଼, ଭାଲୋରି, ଶୋଲେରି ପର୍ବତ, ମାମୁ ଭଣଜା ପାହାଡ଼, ଘଣ୍ଟଶିଳା ପାହାଡ଼, ଖଣ୍ଡାହଣା ପର୍ବତ, ସାଳିୟା ନଈ, ଗଉଣିଆ ପାହାଡ଼, ରଣପୁରର ମୈନାକ ପର୍ବତ (ବର୍ତ୍ତମାନ ଏହାକୁ ମଣିନାଗ ପର୍ବତ କୁହାଯାଉଛି) ରତ୍ନଚିରା ନଦୀ, ଦୟାନଦୀ, ଗନ୍ଧବତୀ ନଦୀ, ବାଣପୁରର ଭଗବତୀ ପୀଠ, ଏରାପକ୍ଷୀ, ଭେକ୍ଟା ମାଛ, ମତ୍ସଜୀବୀଙ୍କର ନୌବିହାର ସହ ଓଡ଼ିଶାର ଇତିହାସର ଝଲକରେ କାଞ୍ଚୀ ବିଜୟ-ପଦ୍ମାବତୀଙ୍କର ଆଗମନ, ରକ୍ତବାହୁର ନିଧନ, କବି ବଳଦେବ ତଥା ଉପେନ୍ଦ୍ର ଭଞ୍ଜଙ୍କର ଚିଲିକା ଦର୍ଶନ ଆଦି ସ୍ଥାନ ପାଇଛି । ଚିଲିକା ତୁଳନାରେ ଆଜମିର ନିକଟସ୍ଥ ପୁଷ୍କର ହ୍ରଦ କିଛି ନୁହେଁ । ଅଂଶୁପା ହ୍ରଦର ଏକଦଶମାଂଶ ବି ନୁହେଁ । ଅଥଚ ସେ ପୁଷ୍କର ପ୍ରଚାର-ପ୍ରସାର କ୍ରମେ ପୂଜାସ୍ପଦ ହୋଇପାରିଛି । ମାତ୍ର ଅଂଶୁପା ବା ସୁନ୍ଦରୀ ଚିଲିକାର ଯଥାଯୋଗ୍ୟ ଆଲୋଚନା ହୋଇ ନାହିଁ । ଏଥିପାଇଁ କବି ରାଧାନାଥ ଭାଗ୍ୟଦୋଷ ପ୍ରତି ଅଙ୍ଗୁଳୀ ନିର୍ଦ୍ଦେଶ କରି ଉପସଂହାରରେ ବାମଣ୍ଡାର ମହାରାଜ ସୁଢ଼ଳଦେବ ଓ ମୟୂରଭଞ୍ଜର ସୁଯୋଗ୍ୟ ନରପତି ଶ୍ରୀମାନ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ଅଭ୍ୟୁଦୟରେ ଉତ୍କଳର ସକଳ ସୌଭାଗ୍ୟ କାମନା କରିଛନ୍ତି । ପୁନରାୟ କବି ରାଧାନାଥ ଚିଲିକା ଓ ସର ହ୍ରଦର ନାମ ‘ମହାଯାତ୍ରା’ ମହାକାବ୍ୟରେ ପ୍ରୟୋଗ କରିଛନ୍ତି ।

 

ବକୁଳବନର କୋକିଳ କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ କବିତା କାଳିଜାଈରେ ରହିଛି ଚିଲିକା ବର୍ଣ୍ଣନା । ଅନ୍ୟତମ ଆଲୋକ ବିଳାସୀ କବି ଗୋଦାବରୀଶ ମହାପାତ୍ର । ‘ଚିଲିକା ବିହାର’ ଶୀର୍ଷକ କବିତା (୧୯୩୩)ରେ ସୁନୀଳ ଭାଲେରି ଶିଖର କୋଟି କୋଟି ଲହରିମାଳ, ଘଣ୍ଟଶିଳା ପାହାଡ଼ର ଶୀର୍ଷ, କାଳିଜାଈ ପୀଠ, ସୁରମ୍ୟ ତୀରଦେଶର ତରୁ-ଶିଳାଦିର ବର୍ଣ୍ଣନାରେ ଜୀବନର ଆଶାବାଦର ମୁଦ୍ରା ଫୁଟାଇଛନ୍ତି ଅବା; ତହିଁରୁ କିଞ୍ଚିତ୍ ନିମ୍ନରେ ପ୍ରଦତ୍ତ; ଯଥା-

 

            ‘ରହ ରହ ରହ ରହରେ ନିନିଷେ

                        ସୁନୀଳ ଭାଲେରୀ ଶିଖରେ ରବି

            ତୁମ ହେମକର ପରଶି ଚିଲିକା

                        ବହିବ ବୁକୁରେ ବିମଳ ଛବି

            ଏ ଯେ ଗୋଟି ଗୋଟି ଲହରୀ କପାଳେ

                        କୋଟି ବେଶେ ତୁମ ରଚିବ ଖେଳ

            ନ ଦିଶୁ ଗଗନେ ତାରକାମାଳିକା

                        ନ ମିଶୁ ଅନ୍ଧାରେ ବଣ ଶଇଳ ।

            ଘଣ୍ଟଶିଳା ଶିଳା ଅଳକେ ଅନାଇ

                        ପରଶ ଶାଳିଆ ପୁଳିନେ ଧୀରେ,

            ତା, ତୀର ବିହାରୀ ଚୂତ-ବନଚାରୀ

                        ଶିଶୁଏ ଖେଳିବେ ଏ ସ୍ଵର୍ଣ୍ଣ ନୀରେ

            XX            XX            XX

            ବାହିବେ ଅନ୍ଧାରେ ଏ ନାଆ ରବି ହେ

                        ଦୂରେ କାଳିଜାଈ ଭେଟିବେ ପରା

            ଜୀବନେ ବିପଦ ଅନ୍ଧାର ଘୋଟିଲେ

                        ବହେ ବୀର-ବୁକେ ସାହସ ତ୍ୱରା

XX            XX            XX

ଆଲୋକ ଅନ୍ଧାର            ଜୀବନ ଖେଳାଏ

ରହ ରହ ଚିଲିକା ସଂସାରେ ନିତି

ଦେଖୁଥାନ୍ତୁ ଶିଶୁ                  ଖେଳ ଏହିଭଳି

ତୀର ତରୁଶିଳା ଦିବସ ରାତି ।’୫

 

କବିବର ରାଧାନାଥଙ୍କ ଚିଲିକା କାବ୍ୟ (୧୮୯୨), ଗୋଦାବରୀଶ ମହାପାତ୍ରଙ୍କର ଚିଲିକା ବିହାର (୧୯୩୩ ଖ୍ରୀ.ଅ.)ର ତଥ୍ୟପୁଞ୍ଜ କବି ମାନସିଂହକୁ ମହାକାବ୍ୟ ‘କମଳାୟନ’ରେ ଚିଲିକାବର୍ଣ୍ଣନା ଖଞ୍ଜିବାର କବି ମାନସିଂହଙ୍କର ରଚନା ପାଟବ ଅତୀବ ମନୋମୁଗ୍ଧକର । ମନେହୁଏ ତାଙ୍କ ଲେଖନୀରେ ଚିଲିକାର ଚାରୁ ଚିତ୍ରପଟ ଚୈତନ୍ୟମୟ ହୋଇଯାଇଛି ଅବା ।

 

କବି ମାନସିଂହ ଓଡ଼ିଆ ସାହିତ୍ୟର ଇତିହାସରେ ପ୍ରକୃତି- ପୁରୋଧା ରାଧାନାଥଙ୍କ ଚିଲିକା ରଚନା ସମ୍ପର୍କରେ କହନ୍ତି- ‘ରାଧାନାଥଙ୍କ କବିଦୃଷ୍ଟିରେ ଚିଲିକା ହୋଇ ଉଠିଛି ଏକ ନର୍ମଦାୟିନୀ ରୂପସୀ, ତରୁଣୀ, ସଖୀ ଓ ଭାରତର ଅନ୍ୟ କୌଣସି ପ୍ରାକୃତିକ ସୁଷମା କବିଙ୍କୁ ଏ ଆତ୍ମସନ୍ତୋଷ ଦେଇପାରିନି, ଯାହା ଦେଇପାରିଛି ଲୀଳାମୟୀ ସୁନ୍ଦରୀ ଚିଲିକା । X X X ଚିଲିକା ରାଧାନାଥଙ୍କର ସର୍ବୋତ୍କୃଷ୍ଟ ପ୍ରକୃତି-କାବ୍ୟ; କିନ୍ତୁ ଅନ୍ୟ ଛୋଟ ଓ ବଡ଼ ସବୁ କାବ୍ୟରେ ମଧ୍ୟ ଆମେ ରାଧାନାଥଙ୍କର ପ୍ରକୃତି ସହିତ ଘନିଷ୍ଠ ଓ ଉତ୍ସାହଜନକ ସମ୍ପର୍କର ଚିତ୍ରଣ ପାଉଁ । ଓଡ଼ିଆ କାବ୍ୟ ସଂସାରରେ ରାଧାନାଥ ନିଃସନ୍ଦେହରେ ଶ୍ରେଷ୍ଠ ପ୍ରକୃତି ଚିତ୍ରକର ।”୬

 

ରାଧାନାଥୀୟ ଚିଲିକା କାବ୍ୟଦ୍ୱାରା ସମ୍ମୋହିତ କବି ମାୟାଧର ଚିଲିକା ଶୀର୍ଷକ କବିତା (୧୯୩୨ ମସିହାରେ ଲିଖିତ)ରେ କହନ୍ତି-

XXX XXX ନୀଳଚକ୍ରବାଳ ଧରି

ନୀଳ ଜଳରାଶି କେହ୍ନେ ଉନ୍ମୁକ୍ତ ଶୋଭାରେ

ଉତ୍ତାନେ ରହିଛି ଶୋଇ । କାନ୍ତ କବିତାରେ

ରୂପରାଧୀ ରାଧାନାଥ ରାୟ କବିବର

ବର୍ଣ୍ଣିଛନ୍ତି ଶୋଭା ଏହି ରୂପସୀ ହ୍ରଦର

ପଢ଼ିଛି ସେ କାବ୍ୟ ପ୍ରିୟାତେଣୁ କୁତୂହଳେ

ରହ ନେତ୍ର ଦୀର୍ଘନେତ୍ର କରି ଦୀର୍ଘତର

ଦେଖୁ ଶୋଭା ମୋ ପ୍ରେୟସୀ, ତା ନୀଳନୟନ

ହ୍ରଦ ନୀଳିମାରେ ମିଶୁ । ଆକାଶ ରଞ୍ଜନ

ତା’ନେତ୍ର ପଶାନ୍ତ ଜ୍ୟୋତି ଶାନ୍ତ ହେଉ କ୍ଷଣେ

ହ୍ରଦ ବକ୍ଷେ ମିଳିଯାଉ ପ୍ରକୃତି ପୂଜନେ

ପ୍ରକୃତି କୁମାରୀ ଏହି କ୍ଷୁଦ୍ର ରୂପସୀର

କୌତୂହଳ ନିକି ଶ୍ରେଷ୍ଠ ବଚନୁଁ କବିର ?”୭

 

ସେତିକି ନୁହେଁ ପୁନଶ୍ଚ କବି ମାନସିଂହ କବିବର ରାଧାନାଥଙ୍କ ଉଦ୍ଦେଶ୍ୟରେ ବ୍ୟକ୍ତ କରନ୍ତି-

 

‘ଉତ୍କଳର ନଦୀ, ବଣେ, ହ୍ରଦେ, ଗିରିମାଳେ

ଯେ ରୂପ ନ ଫୁଟି କାହା ଲେଖନୀର ଗାରେ

ଥିଲା ରହି ଯୁଗ ଯୁଗ ମୌନ ଅଭିମାନେ

ପୂଜା ସେ ପାଇଲା, ରାଧାନାଥ, ତବ ଗାନେ ।”୮

 

A History of Oriya Literature ରେ କବି ମାନସିଂହ ଲେଖନ୍ତି-

 

……… Chilika lake- the lake of beauty and wealth in Orissa- …… xxx So he says, in Chilika his loveliest nature-poem; and compares the lovely little Chilika to a coy maiden companion, in contrast with the vast seas and the mighty Himalayas, in whose over powering presence one feels one’s individual entity practically lost. And not in Chilika alone, but in his poems also, big and small, we find similar heartening and intimate touches of nature in illuminating word-pictures. Radhanath is undoubtedly. Orissa’s greatest land-scape painter in poetry…”୯

 

ବିଶିଷ୍ଟ ସମାଲୋଚକ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ‘ଚିଲିକା’ ଓ କବି ‘ରାଧାନାଥ ରାୟ’ଙ୍କ ସମ୍ପର୍କରେ କହନ୍ତି- ଚିଲିକାର ପ୍ରାକୃତିକ ପରିବେଶ ବର୍ଣ୍ଣନାରେ ଓ ବିଭିନ୍ନ ଦୃଶ୍ୟଚିତ୍ରଣରେ ରାଧାନାଥଙ୍କ ବର୍ଣ୍ଣନା ଚାତୁରୀ ଅସାଧାରଣ ନୂତନତା ପ୍ରଦର୍ଶନ କରିଅଛି । ପ୍ରକୃତିକୁ କାବ୍ୟର ନାୟିକା ରୂପେ ଗ୍ରହଣ କରି ତାହାର ମଧୁର ରୂପଶୋଭା ବର୍ଣ୍ଣନା କରିବା ଛଳରେ ଏକ ନୂତନ ଶିଳ୍ପ ସୌନ୍ଦର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କରିବା ଆଧୁନିକ ଯୁଗର ଶ୍ରେଷ୍ଠ କବି ରାଧାନାଥଙ୍କ ହିଁ ସମ୍ଭବ ହୋଇଅଛି ।୧୦

 

ଏବେ ବସ୍ତୁବାଦୀଙ୍କ ଦୃଷ୍ଟିରେ ଅତି ସଂକ୍ଷେପରେ ଚିଲିକା ଓ ତାହା ସହ ତୁଳିତ କୃଷ୍ଣସାଗର ତଥା କାସ୍ପିୟାନ ସାଗରର ରୂପରେଖ ସମ୍ପର୍କରେ ଧାରଣା ପାଇବା ।

 

ଚିଲିକା : ଭୂଗୋଳ (Globe)ରେ ଚିଲିକା ୧୯.୨୮’ରୁ ୧୯.୫୪’ ଅକ୍ଷାଂଶ ଓ ୮୫.୦୬’ରୁ ୮୫.୩୫’ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏସିଆ ମହାଦେଶର ଏହା ସର୍ବବୃହତ୍ କ୍ଷାର ଜଳଯୁକ୍ତ (Brakish Water) ହ୍ରଦ । ଭୂ-ବିଶାରଦଗଣ ଏହାକୁ ଚିଲିକା ଲାଗୁନ୍ (Chilika Lagoon)କହନ୍ତି । ସେମାନଙ୍କ ମତରେ ଏହା ଏକ ଅଙ୍ଗୁରୀୟ ହ୍ରଦ । ଏକଦା ଥିଲା ସମୁଦ୍ରର ଅଂଶ । କାଳକ୍ରମେ ବାଲିବନ୍ଧଦ୍ୱାରା ସମୁଦ୍ରଠାରୁ ବିଚ୍ଛିନ୍ନ ହୋଇପଡ଼ିଛି । ପୁନଶ୍ଚ ବହୁ ମଧୁର ଜଳର ଉତ୍ସ ଯୋଗେ ମଧୁର ଓ ଲୁଣିପାଣିର ସମ୍ମିଶ୍ରଣରେ ଏହାର ଜଳ ହୁଏ କ୍ଷାରିଆ (Brakish) । ବର୍ଷର ସବୁ ସମୟରେ ଏଇ ଜଳର ଗୁଣଧର୍ମରେ, ବିଶେଷତଃ ଲୁଣିଆ ସ୍ୱାଦରେ ସମାନାବସ୍ଥା ରହେ ନାହିଁ । ଏହାର କାରଣ ହେଲା ଚାରିଦିଗରୁ ଏଥିସହ ମିଶିଥିବା ଜଳ ଉତ୍ସ । ପୂର୍ବଦିଗରେ ଅରଖକୁଦଠାରେ ଚିଲିକା ହ୍ରଦ ସହ ବଙ୍ଗୋପସାଗର ସଂଯୁକ୍ତ । ଏଇ ମୁହାଣକୁ କୁହାଯାଏ ମଗର ମୁଖ । ପଶ୍ଚିମ ଦିଗରୁ ବାଣପୁର ଓ ରଣପୁରଆଡ଼ୁ ଆସି ମିଶିଥିବା ନଦୀଗୁଡ଼ିକ ହେଲେ ଶାଳିଆ ଓ କୁସୁମୀ । ଉତ୍ତର ଦିଗରୁ ଆସି ଚିଲିକାରେ ପଡ଼ିଥିବା ନଦୀମାନେ ହେଲେ ଦୟା, ଧନୁଆ, ଭାର୍ଗବୀ, ରତ୍ନଚିରା, ଲୁଣା ଓ କଣିଆ । ଦକ୍ଷିଣ ଦିଗରେ ଏହି ପାଲୁର କେନାଲଦ୍ୱାରା ଋଷିକୂଲ୍ୟା ନଦୀସହ ସଂଯୁକ୍ତ । ଏଥିସହ ଅନ୍ୟ ଏକ ଉପନଦୀ କଟାଝର ମଧ୍ୟ ଚିଲିକା ସହ ମିଶିଅଛି ।

 

ଚିଲିକା ହ୍ରଦର ଜୈବ ବିବିଧତାରୁ ୧୯୭୧ ମସିହାରେ ବିଶ୍ୱ ପରିବେଶ ସମ୍ମିଳନୀଦ୍ୱାରା ଏହାକୁ ରାମସର ସ୍ଥଳ (Ramsar site) ର ମାନ୍ୟତା ପ୍ରଦାନ କରାଯାଇଅଛି । ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ଏଇ ହ୍ରଦର ଇଲାକା ସୁରକ୍ଷିତ ବୋଲି ପରିଘୋଷିତ । ଚିଲିକାର ନଳବଣ ଦ୍ୱୀପଟି ପକ୍ଷୀନିବାସ ଉପଯୋଗୀ ହୋଇଥିବାରୁ ଶୀତଦିନେ ହିମାଳୟର ଲଦାଖ, ମଧ୍ୟ ଏସିଆ, କାସ୍ପିୟାନ ସାଗର, ସାଇବେରିଆ, ସୋଭିଏତ ରୁଷ, ଇରାନ, ଆଫଗାନିସ୍ଥାନ; ଏପରିକି ଗୁଜୁରାଟର କଚ୍ଛ ଉପକୂଳରୁ ଲକ୍ଷ ଲକ୍ଷ ସଂଖ୍ୟକ ପକ୍ଷୀ ଆସି ଏଠାରେ ଆଶ୍ରୟ ନିଅନ୍ତି । ନଳବଣର ଆୟତନ ୧୫.୫୩ ବର୍ଗ କିଲୋମିଟର । ସମଗ୍ର ଦ୍ଵୀପଟି ଆର୍ଦ୍ରଭୂମି କିସମର ହୋଇଥିବାରୁ ଏହାର ପଙ୍କିଳ କଡ଼ୁଆ ମାଟିରେ ନଳଜାତୀୟ ଘାସ ବଢ଼େ । ପକ୍ଷୀମାନଙ୍କର ଆହାର ସାମଗ୍ରୀ ଯଥା – ମାଛ, ଜଳପୋକ, ଶଙ୍ଖ, ଶାମୁକା, ଦଳ, ଶିଉଳି, ଅର୍ଚିଡ୍‍ ଆଦିର ପ୍ରାଚୁର୍ଯ୍ୟ ଯୋଗୁଁ ଚଢ଼େଇମାନେ ଆନନ୍ଦରେ ଏଠାରେ ରହନ୍ତି ।

 

ଏଇ ନଳବଣକୁ ଓଡ଼ିଶା ସରକାରଙ୍କକର ଚିଠି ସଂଖ୍ୟା ୨୩୪୦୩ / FFAH ତା ୧୭- ୧୨- ୧୯୮୭ ଯୋଗେ ଚିଲିକା ବିହଙ୍ଗ ଅଭୟାରଣ୍ୟ ବୋଲି ଘୋଷଣା କରାଯାଇଛି । ୧୧ ବର୍ଷକୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଚାରିଲକ୍ଷରୁ ବାଇଶ ଲକ୍ଷ ଯାଏ ହୋଇଥିବା କଥା ଗଣମାଧ୍ୟମରୁ ଜଣାଯାଏ । ଇରୱାଡ଼ି ଶିଶୁମାର ନାମକ ଏକପ୍ରକାର ସ୍ତନ୍ୟପାୟୀ ସାମୁଦ୍ରିକ ଜୀବ ଚିଲିକା ହ୍ରଦର ଅନ୍ୟତମ ଆକର୍ଷଣ । ଏଥିରେ ଶିଶୁ ବିରାଟକାୟ ସାଙ୍କୁଚ, ମଗର ଆଦି ଜଳଜୀବ ଦେଖାଯାଇଥାନ୍ତି । ସେସବୁକୁ କବି ରାଧାନାଥ ‘ଚିଲିକା’ କାବ୍ୟରେ ସ୍ଥାନ ଦେଇ ଲେଖନ୍ତି- “x x ବିଷଦିଗ୍ଧ ଶଙ୍କୁ ପ୍ରାୟେ ବହି ପୁଚ୍ଛା ଶଙ୍କା ଉପୁଯାଏ ବିକଟ ସାଙ୍କୁଚ/ ଶିଶୁମାର ଖେଳେ ତରଙ୍ଗେ ଓଲଟି/ ଉଠି ବୁଡ଼ଇ ନ ପଡ଼ୁ ନେତ୍ରେ ପଟୀ/ କଳାମୁଣ୍ଡ ଜଳେ ଛଟକେ ଦେଖାଇ/ ବୁଲଇ ମଗର ଏଣେତେଣେ ଧାଇଁ । କୋଟି କୋଟି ଜୀବେ ଲଭନ୍ତି ଜୀବିକା/ ତୋ ଦେହେ ଏ ରୂପେ ବିଚରି ଚିଲିକା ।” ବହୁବିଧ ଜଳଜୀବ, ବିହଙ୍ଗ, ଉଦ୍ଭିଦ, ବିରଳ ଔଷଧୀୟ ଗୁଳ୍ମାଦିର ଆଧାରଭାବେ ଚିଲିକାର ସୁରକ୍ଷା ସର୍ବାଦୌ ଆବଶ୍ୟକ । ଅତଏବ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ (ଅକ୍ଟୋବର ୨-୭), ବିଶ୍ୱ ବିହଙ୍ଗ ପର୍ଯ୍ୟବେକ୍ଷଣ ଦିବସ ଅକ୍ଟୋବର ୬/୭, ବିଶ୍ଵ ମତ୍ସସମ୍ପଦ ଦିବସ (ନଭେମ୍ବର-୨୧), ବିଶ୍ଵ ଜୈବ ବିବିଧତା ଦିବସ (ନଭେମ୍ବର-୨୪), ବିଶ୍ଵ ସଂରକ୍ଷଣ ଦିବସ (ଡିସେମ୍ବର-୩)ର ତାତ୍ପର୍ଯ୍ୟ ଏହି ହ୍ରଦ ସଂରକ୍ଷଣ ପାଇଁ ଲାଗୁ ହେବା ଦରକାର ।

 

ଚିଲିକା ହ୍ରଦର ଦୈର୍ଘ୍ୟ-ପ୍ରସ୍ଥ (ଆନୁମାନିକ ) ଯଥାକ୍ରମେ ୬୪ ଓ ୧୬ କିଲୋମିଟର ବୋଲି ଜଣାଯାଏ । ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ ଏହାର ଆୟତନ ୧୧୦୦ (ଏଗାର ଶହ) ବର୍ଗ କିଲୋମିଟରରୁ କମି କମି ଏବେ ୧୦୨୪ ବର୍ଗକିଲୋମିଟରରେ ପହଞ୍ଚିଲାଣି । ଏହା ବର୍ତ୍ତମାନର ପୁରୀ, ଗଞ୍ଜାମ- ତିନି ଜିଲ୍ଲାର ସୀମା ସରହଦକୁ ସ୍ପର୍ଶ କରିଛି । ଏହା ଉପର ଦେଇ ପଶ୍ଚିମ ପଟେ ଯାଇଛି ଦକ୍ଷିଣ-ପୂର୍ବ ରେଳପଥ । ପଶ୍ଚିମ ତୀରକୁ ଛୁଇଁ ଯାଇଛି ନଂ ୫ ଜାତୀୟ ରାଜପଥ ଯାହାକି ମାମୁ ଓ ଭଣଜା ପାହାଡ଼ ମଝିରେ ଲମ୍ବିତ । ପାଖାପାଖ ୧୨୨ ଖଣ୍ଡ ଗ୍ରାମ ଏହି ହ୍ରଦକୁ ଲାଗି ରହିଛି ।

 

ବିଶ୍ଵମାନ୍ୟ ପକ୍ଷୀତୀର୍ଥ ଚିଲିକାକୁ ପ୍ରାୟତଃ ବିଦେଶରୁ ଆସନ୍ତି ୯୩ ପ୍ରକାର ପକ୍ଷୀ । ପକ୍ଷୀ ସୁରକ୍ଷା ଏବେ ରାଜ୍ୟ ତଥା ଦେଶର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ । ଚିଲିକା ଭିତରେ ଥିବା ଦ୍ଵୀପଗୁଡ଼ିକ ମଧ୍ୟରୁ ପ୍ରମୁଖ ହେଲେ ପାରିକୁଦ, ମାଲୁଦ ଓ ବରକୁଦା । ପାହାଡ଼ିଆ ହୋଇଥିବା ହେତୁ ବରକୁଦା । ପ୍ରାୟତଃ ଜନଶୂନ୍ୟ । ବହୁ ଦୃଷ୍ଟିରୁ ସମୃଦ୍ଧ ପାରିକୁଦ ଓ ମାଲୁଦରେ ଜନବସତି ଦେଖାଯାଏ । ପାରିକୁଦ ସମ୍ପର୍କରେ ଏକ ଶୁଣାକଥାର ଅବତାରଣା ଏଠାରେ ଆବଶ୍ୟକ ମନେହୁଏ ।

 

ବ୍ରିଟିଶ ଶାସନ କାଳରେ ପାରିକୁଦରେ ଥିଲା ରାଜା-ରାଜୁଡ଼ା ଶାସନ । ପାରିକୁଦର ସମୃଦ୍ଧି କାହାଣୀରେ ଇଷ୍ଟଇଣ୍ଡିଆ କମ୍ପାନୀ ଆକର୍ଷିତ ହୋଇ ଆକ୍ରମଣ ଉଦ୍ଦେଶ୍ୟରେ ଆସି ହତୋତ୍ସାହିତ ହୋଇ

 

ଫେରିଯାଇଥିଲେ । କାରଣ ଶତ୍ରୁପକ୍ଷ (ପାରିକୁଦର ରାଜା) ହାତରେ ଶୃଙ୍ଖଳିତ ସୈନ୍ୟବାହିନୀ ଥିବାର ଅନୁମାନ କରିଥିଲେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ସୈନ୍ୟବାହିନୀ । ବସ୍ତୁତଃ ପାରିକୁଦ ସୀମାରେ ଦେଖାଯାଉଥିବା ଶୃଙ୍ଖଳିତ ବାହିନୀ ମାନବୀୟ ସୈନ୍ୟସାମନ୍ତ ନ ଥିଲେ ଶୀତଦିନିଆ ଅତିଥି- ଏରାପକ୍ଷୀ ଦଳ । ଏହି ଅବସରରେ ସ୍ମରଣକୁ ଆସେ ରାଧାନାଥଙ୍କ ବର୍ଣ୍ଣନା ଯଥା-

 

“x x କଳରବେ ଏରା ଉଡ଼ିଣ ହ୍ରଦରୁ

ଅରଣ୍ୟେ ଲୋଡ଼ନ୍ତି ଯେଝା ନୀଡ଼ତରୁ

ପୀତ-ଅସ୍ତକର ହେବାରୁ ପତିତ

ଡେଣା ଦିଶେ ଯେହ୍ନେ ସୁବର୍ଣ୍ଣ ମଣ୍ଡିତ ।

ରତ୍ନରାଜି ବୁଣି ବର୍ମ ଅନ୍ତରାଳେ

ବୁଡ଼ିଲେ ମିହିର ଭାଲେରି ଉଢ଼ାଳେ ।”

 

ପୁନଶ୍ଚ କବି ଚିଲିକାର ପକ୍ଷୀମାନଙ୍କକର ସଙ୍ଗୀତ ରଚନା ସମ୍ପର୍କରେ କହନ୍ତି-

 

x x ସଙ୍ଗୀତ ତୋହର ଚିର ସହଚର

ନୀଳବକ୍ଷ ତୋର ସଙ୍ଗୀତେ ମୁଖର ।

ଭାସମାନ ଶ୍ଵେତ ପ୍ରାସାଦ ଆକାରେ

ଗାଆନ୍ତି ବିହଙ୍ଗେ ତରଙ୍ଗ ଦୋଳାରେ ।

ନୀଳତର କରି ଛାୟାରେ ତୋ’ ଅଙ୍ଗ

ଉର୍ଦ୍ଧ୍ୱେ ମେଘାକାରେ ଉଡ଼ନ୍ତି ବିହଙ୍ଗ ।

ପକ୍ଷ ଝାଡ଼ି ଶୂନ୍ୟୁଁ ସ୍ଥିର ଲକ୍ଷ୍ୟ ହୋଇ

ଜଳମତ୍ସ୍ୟେ ଚିଲା ମାରନ୍ତି ଗାଙ୍ଗେଇ ।

କଳା, ନୀଳ, ପୀତ, ହରିତ, ଲୋହିତ

ବିହଙ୍ଗମ ଊର୍ମି କାହିଁ ବିମଣ୍ଡିତ ।

ଜଳଦେବୀ- ଜଳ- କିଙ୍କଣୀ- ନିକ୍ୱଣ

ପ୍ରାୟ ଶୁଭୁଥାଇ ଶରାଳି ନିଃସ୍ଵନ ।”୧୩

 

ଏପରି ସୁନ୍ଦର ହ୍ରଦ ଭିତର ପାରିକୁଦ ଦ୍ଵୀପରେ ନନ୍ଦଳା ଗ୍ରାମରେ ଜନ୍ମିତ ଡକ୍ଟର ମାୟାଧର ମାନସିଂହ (୧୯୦୫-୧୯୭୩) ହେଲେ ବିଶ୍ଵବିଖ୍ୟାତ କବି; ତାଙ୍କ ରଚିତ ମହାକାବ୍ୟ । କମଳାୟନରେ ସେ ଚିଲିକାକୁ କୃଷ୍ଣସାଗର (Black Sea) ଓ କାସ୍ପିୟାନ ସାଗର (Caspian Sea) ସହ ତୁଳନା କରିଛନ୍ତି । ଏବେ ନିମ୍ନରେ ଅତି ସଂକ୍ଷେପରେ ସେ ଦୁଇଟିର ସ୍ଵରୂପ ସମ୍ପର୍କରେ ଧାରଣା ପାଇବା ।

 

କୃଷ୍ଣସାଗର : ଇଉରୋପ ଓ ଏସିଆ ମଧ୍ୟରେ କୃଷ୍ଣସାଗର ଅବସ୍ଥିତ । ଏହାର ପାଖାପାଖି ଦେଶଗୁଡ଼ିକ ହେଲେ ଇଉକ୍ରେନ, ରୁଷିଆ, ଜର୍ଜିଆ, ତୁର୍କୀ, ବୁଲଗେରିଆ, ଇସ୍ତାନବୁଲ । ଏହି ସାଗର ବେଶ୍ ଗଭୀର । ବ୍ରିଟାନିକା ରେଡ଼ି ରେଫରେନ୍ସ ଏନସାଇକ୍ଲୋପେଡ଼ିଆ (Britanica Ready Reference Encyclopaedia, Vol II,) ପୃଷ୍ଠା ୨୧ ଅନୁସାରେ ଏହାର ସର୍ବାଧିକ ଗଭୀରତା ୨୨୧୦ ମିଟର (୭୨୫୦ ଫୁଟ୍) ବୋଲି ଆକଳନ କରାଯାଇଛି । ଏହାର ଆୟତନ ୪,୨୨,୦୦୦ ବର୍ଗ କିଲୋମିଟର । (୧୬୩,୩୦୦ ବର୍ଗମାଇଲ) । ଏହା ଆଇଜେନ ସମୁଦ୍ର, ମାରମରା ସାଗର ସହ ପ୍ରଣାଳୀ ଦ୍ଵାରା ସଂଯୁକ୍ତ ।

 

ଏହି ସାଗରକୁ ପରିପୁଷ୍ଟ କରୁଥିବା ନଦୀଗୁଡ଼ିକ ହେଲେ ଡାନ୍ୟୁବ, ନେଷ୍ଟର, ବଗ୍, ନିପ୍ପର, କୁବାନ୍, କିଜିଲ ଓ ସାକରିଆ ଆଦି । ଉତ୍ତର ଦିଗରୁ କ୍ରିମିଆନ୍ ଅନ୍ତରୀପ ଏହି ସାଗର ମଧ୍ୟକୁ ପଶିଯାଇଥିବାର ଲକ୍ଷ୍ୟ କରାଯାଏ । ପ୍ରୋକ୍ତ ଅନେକ ମଧୁର ଜଳଦାୟୀ ନଦୀଦ୍ଵାରା ପରିପୁଷ୍ଟ ହୋଇଥିବାରୁ ଏହାର ଲବଣାଂଶ ବହୁତ କମ୍ । ସାଧାରଣ ସମୁଦ୍ର ଜଳର ଲବଣ ସାନ୍ଧ୍ରତାର ପ୍ରାୟ ଅଧା । ସମଗ୍ର ବିଶ୍ୱରେ ସୌନ୍ଦର୍ଯ୍ୟପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବା କୃଷ୍ଣସାଗର ଏବେ ଖଣିଜ ତୈଳ ପାଇଁ ପୃଥିବୀର ଲୋଭନୀୟ ସ୍ଥଳ ପାଲଟିଯାଇଛି ।

 

ଏହି କୃଷ୍ଣସାଗର ଇତିହାସର ସାକ୍ଷୀ । ଏହାର ଦେଖାନ୍ତରେ ଘଟିଛି ମହାନୁଭବ ପିଟରଙ୍କର ଦୃଢ଼ ପ୍ରତିଜ୍ଞା, ରୁଷ୍‍ ଶାସକଙ୍କ ସହ ମତାନ୍ତର ଓ ମନାନ୍ତର । ଖ୍ରୀ:ଅ; ୧୭୮୮ରେ ନିକୋଲେଭ (Nikolayev)ର ପ୍ରତିଷ୍ଠା, ୧୭୯୪ରେ ଓଡ଼େସା (Odessa)ର ପ୍ରତିଷ୍ଠା, ଅଟୋମାନ (Ottoman)ରାଜଶକ୍ତିର ପରାଭବ, ରୁମନିଆ ଓ ବୁଲଗେରିଆର ସ୍ଵାଧିନତା ରୁଷ୍ ଶକ୍ତିର ଅଭ୍ୟୁଦୟ ପୁଣି ପତନ, ପ୍ୟାରିସ୍ ଚୁକ୍ତି, କ୍ରିମିଆ ଯୁଦ୍ଧ (୧୮୫୬), ବାଣିଜ୍ୟ ପାଇଁ ସଂଘର୍ଷ, ପୁଣି ୧୯୫୬ରେ ହଙ୍ଗେରୀ ବିପ୍ଲବ ଆଦି । ବିଶ୍ଵପ୍ରକୃତି ଓ ଅର୍ଥନୀତିରେ ଏହାର ସ୍ଥାନ ଅନନ୍ୟ ।

 

କାସ୍ପିୟାନ ସାଗର : ବସ୍ତୁତଃ ଚାରିପଟେ ସ୍ଥଳଭାଗ ବେଷ୍ଟିତ ଏହି ପ୍ରାକୃତିକ ବିଶାଳ ଜଳାଧାର ଏକ ହ୍ରଦ । ଏଣୁ ବିଜ୍ଞଜନେ ଏହାକୁ କାସ୍ପିୟାନ ହ୍ରଦ ବୋଲନ୍ତି । କିନ୍ତୁ ହ୍ରଦ ବହୁତ ବଡ଼ ହେଲେ ତାହାକୁ ସାଗର କହିବା ବିଧେୟ । ସେ ଦୃଷ୍ଟିରୁ ଇଉରୋପ ଓ ଏସିଆ ମହାଦେଶ ମଝିରେ ଥିବା ଏହି ଜଳଖଣ୍ଡର ଦୈଘ୍ୟ- ପ୍ରସ୍ଥ ଯଥାକ୍ରମେ ୧୨୦୦ କିଲୋମିଟର ଓ ୪୩୪ କିଲୋମିଟର । ଏହାର ଆୟତନ ପାଖାପାଖି ୩୭୧, ୪୯୫ ବର୍ଗ କିଲୋମିଟର) । ପୃଥିବୀର ସ୍ଥଳଭାଗରେ ଏହା ସବୁଠୁ ବଡ଼ ହ୍ରଦ । ବେଶ୍ ଆଖିଦୃଶିଆ । ଏହାକୁ ବେଢ଼ି ରହିଥିବା ଦେଶଗୁଡ଼ିକ ହେଲେ ଆଜାରବୈଜାନ୍, ରୁଷିଆ, ଅକତାନ, କାଜାକସ୍ଥାନ, ଇରାନ, କୁରା ଆଦି । ଏଥିରୁ ଜଳ ନିଷ୍କାସିତ ହେବାର ବାଟ ନାହିଁ । ପ୍ରାକ୍-ଆଧୁନିକ ଯୁଗରେ ବାଣିଜ୍ୟ-ବ୍ୟବସାୟ ପାଇଁ ଏହି ସାଗର (ହ୍ରଦ) ମୁଖ୍ୟ ଜଳପଥ ରୂପେ ବ୍ୟବହୃତ ହେଉଥିଲା । ଏଥିରେ ଆଜରବୈଜାନ୍ ଦେଶର ପ୍ରମୁଖ ବନ୍ଦର ବାକୁ (Baku) ଅବସ୍ଥିତ । ଏହାଛଡ଼ା ଇରାନ ଦେଶର ଅନଜାଲ ବନ୍ଦର ଓ ତୁର୍କମାନ ବନ୍ଦର ଦେଇ ପ୍ରଚୁର ପଣ୍ୟ କାରବାର ହୁଏ । ୧୪ ଏତଦ୍‍ବ୍ୟତୀତ ଅନ୍ୟ ବନ୍ଦରଗୁଡ଼ିକ ହେଲେ ମଖଚଖଲା, ଅଷ୍ଟାଖାନ୍, ଗୁରୟେବ୍, କ୍ରାସ୍‍ନୋଭସ୍କେ, ପହଲାଭି, ସର୍ବୋପରି ଇରାନର ବନ୍ଦରସାହା ।

 

ୠଷର ଲେଖକଗଣ, ପୁସ୍କିନ୍, ନିକୋଲାସ ମେଡ଼େଟର (୧୮୮୦-୧୯୫୧) ଟଟଚେଭ, ଗୋଥେ ଆଦିଙ୍କ ଲେଖନୀରେ କୃଷ୍ଣସାଗର ଓ କାସ୍ପିୟନ ସାଗରର ବହୁ ବର୍ଣ୍ଣନା ରହିଛି । ଚିଲିକା ଯେପରି କାଞ୍ଚିବିଜୟ, ପଦ୍ମାବତୀଙ୍କ ସ୍ଵାଗତ, ରକ୍ତବାହୁ ନିଧନ ଆଦି ବହୁ ଐତିହାସିକ ଘଟଣାର ସାକ୍ଷୀ, ଠିକ୍ ସେହିପରି କୃଷ୍ଣସାଗର ତଥା କାସ୍ପିୟାନ ସାଗର ବହୁ ଛୋଟ-ବଡ଼ ବିକଟ ସଂଘର୍ଷର ସାକ୍ଷୀ; ସୁଖର ତଥା ଦୁଃଖର । ଉତ୍ଥାନ ତଥା ପତନର । କବି ମାନସିଂହଙ୍କର ରୂପକଳ୍ପ ପରିଯୋଜନାର ସତେ ଅନ୍ତଃ ନାହିଁ ।

 

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ମାୟାଧର ମାନସିଂହଙ୍କର ଦୃଷ୍ଟିବଳୟ ଏତେ ପ୍ରସାରିତ ଯେ ଢିଙ୍କିଶାଳ ପ୍ରସଙ୍ଗରେ ସେ ବହୁ ତାତ୍ତ୍ୱିକ କଥାକହି ଡେନମାର୍କ ଦେଇ ତେହେରାନରେ ପହଞ୍ଚାଇ ଦେବାର ସମର୍ଥ । ତାଙ୍କର ବିପୁଳ ଅଭିଜ୍ଞତା, ଉଦାରଚେତନାମୟ ବିଶ୍ଵମୁଖୀନତା, ପ୍ରଗତିବାଦୀ ଚିନ୍ତାଧାରା ତାଙ୍କ ରଚନାଗୁଡ଼ିକୁ, ବିଶେଷତଃ ମହାକାବ୍ୟ ‘କମଳାୟନ’କୁ କରିଛି ଭାବ ଗର୍ଭକ ତଥା ଚିତ୍ରମୟ । ଏହି ମହାକାବ୍ୟ କବିଙ୍କର ପରିପକ୍ୱ ବୟସ (୧୯୬୨ ବେଳକୁ କବିଙ୍କର ବୟସ ପାଖାପାଖି ୫୬-୫୭)ର ରଚନା । ସେ ଏଥିରେ ସାରାବିଶ୍ଵର ପ୍ରମୁଖ ସହର, ନଗର, କୀର୍ତ୍ତିରାଜି, ପ୍ରାକୃତିକ ସମ୍ପଦଭରା ସ୍ଥଳ ବା ଜଳଖଣ୍ଡର ବର୍ଣ୍ଣନା ଦେଇଛନ୍ତି । ମହାକାବ୍ୟର ଉତ୍ତରଖଣ୍ଡର ସପ୍ତମସର୍ଗରେ ହଙ୍ଗେରୀର ରାଜଧାନୀ ବୁଦାପ୍ତେ (ବୁଦା ଓ ପେସ୍ତ) ନଗରଦ୍ଵୟର ବର୍ଣ୍ଣନାରେ ଦାନିଉବ୍ ନଦୀର ଦାନରେ ଗଢ଼ିଉଠିଥିବା ସଭ୍ୟତାର ଭୂୟସୀ ପ୍ରଶଂସା କରିଛନ୍ତି । ତାଙ୍କ କଳ୍ପନାରେ ପ୍ରୋକ୍ତ ନଦୀରେ ଭାସୁଥିବା ଶତ ଶତ ନୌକା ଫୁଟନ୍ତା ପଦ୍ମଫୁଲ । ସେଥିରେ ଇଉରୋପର ଶ୍ରେଷ୍ଠ ସୁନ୍ଦରୀଗଣ ବିଳାସ କରନ୍ତି । ଯେମିତି ଚିଲିକାରେ ହୁଏ ନୌବିହାର । ଦାନିଉବ୍ ନଦୀର ମାର୍ଗାରେଟ୍ ଦ୍ଵୀପର ବର୍ଣ୍ଣନାରେ ବର୍ଣ୍ଣମୟ, ଗନ୍ଧମୟ, ସୁନ୍ଦର, ଶୀତଳ ନଗରୋଦ୍ୟାନ (Park) ଗୁଡ଼ିକର ଉପସ୍ଥାପନାରେ ମାନସିଂହଙ୍କର ଉଚ୍ଚାଙ୍ଗ କାବ୍ୟଶିଳ୍ପର ପରିଚୟ ମିଳେ । ସେହିପରି ପ୍ରୋକ୍ତ ଉତ୍ତରଖଣ୍ଡର ଅଷ୍ଟମ ସର୍ଗରେ ସେ ରୁଷିଆର ଦୁଇ ପ୍ରମୁଖ ନଦୀ ନେଭା ଓ ମସ୍କୋଭାର ଚିତ୍ରଣରେ ନେଭା ତଟର ଲେନିନଗାର୍ଡ଼ ଓ ମସ୍କୋଭା କୂଳରେ ଦଣ୍ଡାୟମାନ ମସ୍କୋନଗର କଥା ଆଲୋଚନାକୁ ଆଣିଛନ୍ତି । ପୃଥିବୀର ବହୁଦେଶ ପରିଭ୍ରମଣ କରିଥିବା କବି ମାନସିଂହଙ୍କ ସୃଜନଶିଳ୍ପରେ ଉପମା, ରୂପକ, ଚିତ୍ରକଳ୍ପ ଆଦି ମହାକାବ୍ୟକୁ କରିଛି ମହିମାମଣ୍ଡିତ । କବିଙ୍କ ସୂକ୍ଷ୍ମ ଚିନ୍ତାଧାରା, ରହସ୍ୟମୟ ଆତ୍ମ-ଅନ୍ଵେଷା ଭାବିଲାବେଳେ ଅସ୍ମିତାଗର୍ଭରେ ଲୀନ ହେଲାଭଳି ଲାଗେ-। ବାସ୍ତବରେ କବି ଡକ୍ଟର ମାୟାଧର ମାନସିଂହଙ୍କ କାବ୍ୟ-କାରିଗରୀ ଏକ ବିଶାଳ ମହାସାଗର; ଆଉ ତାଙ୍କ କାବ୍ୟମାନସର ଆକଳନରେ ଲବଣ ପିତୁଳାର ସାଗରର ଗଭୀରତା ମାପିବାର ପ୍ରୟାସ ହିଁ ସାରକଥା; କାବ୍ୟସାଗରରେ ଦ୍ରବୀଭୂତ ହେବା ଓ ସବୁଦିନ ସେଇଠି ହିଁ ଘର କରି ରହିବା । ବିଶ୍ଵମୟ ମୋହାଚ୍ଛନ୍ନ ଶାନ୍ତି, ସୁପ୍ତି ତଳେ ଚିଲିକାକୁ ନିରେଖି ଚାହିଁବା । କବି ମାନସିଂହଙ୍କ ଭାଷାରେ-

 

“କେଉଁ ସେ ସୁଷମା ବିଶ୍ଵେ ଭୋଗ୍ୟ ଏକାଥରେ ?

ବାରମ୍ବାର ଆକର୍ଷଣ ସ୍ଵଭାବ ରୂପର

xx xx xx

ବାରମ୍ବାର ଏହି ସ୍ଥାନେ ଆସିବାଟି ପୁଣି

ଅନୁପମ ଏ ଶୋଭାରେ ଦେବାକୁ ସମ୍ମାନ ।’’୧୫

 

ରାଧାନାଥ ମଧ୍ୟ କହିଥିଲେ- “ଭାରତୀ-ଭକତ କେଉଁ ରୂପପାୟୀ/ତୃପ୍ତ ହେବ ଏହାଥରେ ମାତ୍ର ଧ୍ୟାୟି ?” ସତରେ ଚିଲିକାର ସୌନ୍ଦର୍ଯ୍ୟ ସ୍ଵର୍ଗୀୟ; ତାହା ଅନୁଭବୀର ଅନୁଭବ ମାତ୍ର; ଅତଏବ ଏହାର ଆଲୋଚନା ବାରମ୍ବାର ହେବା ବିଧେୟ ।

 

ସଂକେତ ସୂଚୀ :

୧.

କମଳାୟନ/ ଉତ୍ତରଖଣ୍ଡ : ପ୍ରଥମସର୍ଗ / ମାନସିଂହ ଗ୍ରନ୍ଥାବଳୀ/ ପଞ୍ଚମ ଭାଗ. ପୃ. ୨୬୫

୨.

ଚିଲିକା / ରାଧାନାଥ ଗ୍ରନ୍ଥାବଳୀ/ ପୃ. ୧୦୫

୩.

ମାନସିଂହ ଗ୍ରନ୍ଥାବଳୀ : ପଞ୍ଚମ ଭାଗ, ପୃ. ୨୮୭-୨୮୮

୪.

ରାଧାନାଥ ଗ୍ରନ୍ଥାବଳୀ/ ଚିଲିକା / ପୃ. ୧୦୫

୫.

ଗୋଦାବରୀଶ ରଚନାବଳୀ/ ପ୍ରଥମ ଭାଗ/ ପୃ. ୭୬-୭୭

୬.

ଓଡ଼ିଆ ସାହିତ୍ୟର ଇତିହାସ / ମାୟାଧର ମାନସିଂହ / ପୃ. ୨୨୪

୭.

ହେମଶସ୍ୟ/ ମାନସିଂହ ଗ୍ରନ୍ଥାବଳୀ, ପ୍ରଥମଖଣ୍ଡ, ପୃ. ୧୦୭

୮.

ମାଟିବାଣୀ / ତତ୍ରସ୍ଥ, ପୃ. ୨୮୯

୯.

A History of Orissa Literature/Mayadhara Mansingh Page. 176

୧୦.

ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ/ ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ/ ପୃ.୧୬୯

୧୧.

ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ/ ନିର୍ମଳା କୁମାରୀ ମହାପାତ୍ର / ପୃ. ୦୫

୧୨.

ରାଧାନାଥ ଗ୍ରନ୍ଥାବଳୀ/ ପୃ. ୧୦୯

୧୩.

ତତ୍ରସ୍ଥ ପୃ. ୧୦୩-୧୦୪

୧୪.

Britannica Ready Reference, Vol ll, P. 171

୧୫.

ମାନସିଂହ ଗ୍ରନ୍ଥାବଳୀ/ ପଞ୍ଚମ ଭାଗ / ପୃ ୩୩୨

 

ସହାୟକ ପୁସ୍ତକ :

୧.

ଆଚାର୍ଯ୍ୟ ବୃନ୍ଦାବନ ଚନ୍ଦ୍ର, ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ଇତିହାସ (୨୦୧୧)

 

ଗ୍ରନ୍ଥମନ୍ଦିର, ବିନୋଦବିହାରୀ କଟକ-୨

୨.

ମହାପାତ୍ର ଗୋଦାବରୀଶ, ଗୋଦାବରୀଶ ରଚନାବଳୀ (୨୦୦) ଗ୍ରନ୍ଥମନ୍ଦିର କଟକ-୨ (୨୦୧୧)

୩.

ମାନସିଂହ, ମାୟାଧର, ଓଡ଼ିଆ ସାହିତ୍ୟର ଇତିହାସ, ଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ- ୨

୪.

ମାନସିଂହ ମାୟାଧର, ମାନସିଂହ ଗ୍ରନ୍ଥାବଳୀ ପ୍ରଥମଖଣ୍ଡ (୧୯୯୭) ଗ୍ରନ୍ଥମନ୍ଦିର, କଟକ – ୨

୫.

ମାନସିଂହ ମାୟାଧାର, ମାନସିଂହ ଗ୍ରନ୍ଥାବଳୀ, ପଞ୍ଚମ ଭାଗ (୨୦୦୦) ଗ୍ରନ୍ଥମନ୍ଦିର, ବିନୋଦବିହାର, କଟକ-୨

୬.

ରାୟ ରାଧାନାଥ, ରାଧାନାଥ ଗ୍ରନ୍ଥାବଳୀ (୧୯୯୪), ଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ- ୭୫୩୦୦୨

୭.

Editors of Encyclopaedia Britanica, Britanica Ready Reference, Vol.ll (2006) G-43, Green Park, main market, New Delhi.

 

 

ସେକ୍ଟର ୨/୪୨୬

ନୀଳାଦ୍ରୀ ବିହାର, ଭୁବନେଶ୍ଵର

 

***

 

ରୁଦ୍ରସୁଧାନିଧି ପ୍ରାଚୀନ ସାହିତ୍ୟର ଏକ ବିସ୍ମୟ

ଅଜିତ କୁମାର ଦାସ

 

ରୁଦ୍ର ସୁଧାନିଧି ପ୍ରାଚୀନ ଓଡ଼ିଆ ସାହିତ୍ୟର ଏକ ଉର୍ଚ୍ଚକୋଟୀର ଗଦ୍ୟଗ୍ରନ୍ଥ । ଏ ଧରଣର ଗଦ୍ୟ ପ୍ରାଚୀନ ସାହିତ୍ୟର ଏକ ବିସ୍ମୟ । ଅପୂର୍ବ ଶିଳ୍ପ କୌଶଳ ନେଇ ଏହାର ଆତ୍ମପ୍ରକାଶ । ଯେଉଁ ସମୟରେ ଓଡ଼ିଆ ଗଦ୍ୟର କୌଣସି ନିର୍ଦ୍ଦିଷ୍ଟ ସ୍ଵରୂପ ନ ଥିଲା, ସେହି ସମୟରେ ନାରାୟଣାନନ୍ଦ ଅବଧୂତ ସ୍ଵାମୀଙ୍କ ପରି, ଅସାଧାରଣ ବ୍ୟକ୍ତିତ୍ଵ ଏ ପ୍ରକାର ଗଦ୍ୟ ରଚନା କରି ସ୍ଵ-ପ୍ରତିଭାର ପରିଚୟ ଦେଇଛନ୍ତି ।

 

‘ରୁଦ୍ର ସୁଧାନିଧି’ର ରଚୟିତା ନାରାୟଣାନନ୍ଦ ଅବଧୂତ ସ୍ଵାମୀ ଗ୍ରନ୍ଥ ଆରମ୍ଭରେ ଆପଣାର ପରିଚୟ ଦେବାକୁ ଯାଇ ଲେଖିଛନ୍ତି- ଶ୍ରୀ ଏକାମ୍ରବନ ଆଶ୍ରିତ ଶ୍ରୀ ଭୁବନେଶ୍ଵରୀ ଦେବୀର ବରପୁତ୍ର ଏହି ସାମାନ୍ୟ ସୂଚନାର ଆଧାରରେ ଡଃ କରୁଣାକର କର ଏବଂ ପରବର୍ତ୍ତୀ କାଳର ଡଃ ମାୟାଧର ମାନସିଂହ ନାରାୟଣାନନ୍ଦଙ୍କ ପରିଚୟ ପ୍ରଦାନ କରିଛନ୍ତି । ମାନସିଂହଙ୍କ ଦୃଷ୍ଟିରେ ସେ ଜଣେ ସଂସାରତ୍ୟାଗୀ ଓ ପରିବ୍ରାଜକ ତଥା କୌଣସି ମଠରେ ଅବସ୍ଥାନ କରୁଥିଲେ । ଗ୍ରନ୍ଥର ଅନ୍ତର୍ନିହିତ ବିଷୟରୁ ଜଣାପଡ଼େ ସେ ଶୈବ ଓ ବୈଷ୍ଣବ ଧର୍ମରେ ବିଶ୍ଵାସୀ ଥିଲେ । ଭୁବନେଶ୍ଵରସ୍ଥ ପ୍ରସିଦ୍ଧ ଲିଙ୍ଗରାଜ ପୀଠରେ ହରିହର ଉପାସନାର ପରମ୍ପରା । ପ୍ରଚଳିତ ଏହା ଭୌମିକର ରାଜାଙ୍କ ସମୟରୁ ପ୍ରଚଳିତ । ବୋଧହୁଏ ଏହି ଦ୍ଵୈତ ପରମ୍ପରାର ପ୍ରଭାବ ରୁଦ୍ର ସୁଧାନିଧି ଉପରେ ପଡ଼ିଥାଇପାରେ ।

 

‘ରୁଦ୍ର ସୁଧାନିଧି’ ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ ଜଗତରେ ଏକ ଅନବଦ୍ୟ ପଦ୍ୟମିଶ୍ରିତ ଗଦ୍ୟ ଏବଂ ଚୈତନ୍ୟଙ୍କ ଓଡ଼ିଶା ଆଗମନରେ ପୂର୍ବବର୍ତ୍ତୀ ରଚନା ବୋଲି ଡଃ କରୁଣାକର କର ମତବ୍ୟକ୍ତ କରିଛନ୍ତି ।

 

ନାରାୟଣା ନନ୍ଦ ଅବଧୂତ ସ୍ଵାମୀ ‘ରୁଦ୍ର ସୁଧାନିଧି’ ପରି ଏକ ଅନୁପମ ଗଦ୍ୟଗ୍ରନ୍ଥ ଲେଖିଥିଲେ ମଧ୍ୟ ନିଜର ଜନ୍ମ ସମ୍ପର୍କରେ ସବିଶେଷ ବର୍ଣ୍ଣନା କରି ନାହାନ୍ତି । ‘ରୁଦ୍ର ସୁଧାନିଧି’ର ରଚନା କାଳକୁ ନେଇ ଆଲୋଚକମାନେ ଭିନ୍ନ ଭିନ୍ନ ମତ ପ୍ରଦାନ କରିଅଛନ୍ତି ଯଥା-

 

ପ୍ରଥମତଃ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଏହି ଗ୍ରନ୍ଥକୁ ସାରଳା ମହାଭାରତ ପୂର୍ବବର୍ତ୍ତୀ ରଚନା ରୂପେ ଗ୍ରହଣ କରିଛନ୍ତି । ସେ ଏହାକୁ ଦାଣ୍ଡି ବୃତ୍ତ ରଚନାର ପୂର୍ବସୃଷ୍ଟିର ଗୌରବ ଦେଇଛନ୍ତି-। ପ୍ରାଚୀନ ଗଦ୍ୟପଦ୍ୟାଦର୍ଶର ମୁଖବନ୍ଧରେ ଆର୍ତ୍ତବଲ୍ଲଭ ମହାନ୍ତି ଏ ସମ୍ପର୍କରେ କହିଛନ୍ତି “The work is neither Poetry nor Prose. But a happy blend of both. One will be led to think that it was written at a time, when Dandi vrutta had not come into exitence.

 

୧.

ଅର୍ଥାତ୍ ଏହା ଗଦ୍ୟ ନୁହେଁ କିମ୍ବା ପଦ୍ୟ ନୁହେଁ ମାତ୍ର ଗଦ୍ୟ ଓ ପଦ୍ୟର ଏକ ମଧୁର ସମନ୍ଵୟ-। ଜଣେ ସ୍ଵତଃ ଏପରି ଭାବିପରେ ଯେ ଦାଣ୍ଡିବୃତ୍ତର ଉତ୍ପତ୍ତି ପୂର୍ବରୁ ଏହା ରଚିତ ହୋଇଥିଲା-

୨.

ଡକ୍ଟର କରୁଣାକର କର ତାଙ୍କର ‘ରୁଦ୍ର ସୁଧାନିଧି’ ଗ୍ରନ୍ଥ ସମ୍ପାଦନରେ ଏହାକୁ ପଞ୍ଚଦଶ ଶତକର ସୃଷ୍ଟି ବୋଲି ମୁଖବନ୍ଧରେ କହିଛନ୍ତି । ତାଙ୍କ ମତରେ ସାରଳାଦାସଙ୍କ ପରବର୍ତ୍ତୀ କାଳରେ ଓ ବଳରାମ ଦାସଙ୍କ ପୂର୍ବବର୍ତ୍ତୀ ସମୟରେ ଅର୍ଥାତ୍ ଚୈତନ୍ୟଙ୍କ ଓଡ଼ିଶା ଆଗମନ ପୂର୍ବରୁ ନାରାୟଣା ନନ୍ଦ ଅବଧୂତ ସ୍ଵାମୀ ଏହି ଗ୍ରନ୍ଥ ରଚନା କରିଥିଲେ ।

 

ଦ୍ଵିତୀୟତଃ ଶ୍ରୀଯୁକ୍ତ କେଦାରନାଥ ମହାପାତ୍ର ରୁଦ୍ରସୁଧାନିଧି ଉଦୟନ ଆଚାର୍ଯ୍ୟଙ୍କ ପ୍ରସଙ୍ଗ ଉତ୍ଥାପନ କରି ଏହାକୁ ଦ୍ଵାଦଶ ଶତକ ବୋଲି ପ୍ରମାଣ କରିଛନ୍ତି । ଉଦୟନ ଆଚାର୍ଯ୍ୟ ରୁଦ୍ର ସୁଧାନିଧିର ବର୍ଣ୍ଣନା ଦୃଷ୍ଟିରୁ ରୁଦ୍ର ସୁଧାନିଧିର ବିଦ୍ୟାଗୁରୁ । ସେ ପଣ୍ଡିତ । ଅପରପକ୍ଷରେ ଉଦୟନ ଆଚାର୍ଯ୍ୟ ଗଙ୍ଗବଂଶର ପ୍ରଥମ ଅନଙ୍ଗଭୀମ ଦେବଙ୍କ ସମୟରେ (୧୧୭୭-୧୧୯୮) ପ୍ରବୀଣ କବି ଓ ପଣ୍ଡିତ ଥିଲେ । ଶ୍ରୀଯୁକ୍ତ ମହାପାତ୍ର ଗଙ୍ଗବଂଶର ଉଦୟନ ଆଚାର୍ଯ୍ୟ ନିଶ୍ଚିତ ଭାବରେ ରୁଦ୍ରସୁଧାନିଧିର ଉଦୟନ ଆଚାର୍ଯ୍ୟ ତେଣୁ ରୁଦ୍ରସୁଧାନିଧିର ରଚନାକାଳ ପ୍ରଥମ ଅନଙ୍ଗଭୀମ ଦେବ ସମକାଳୀନ କିମ୍ବା କିଞ୍ଚିତ୍ ପରବର୍ତ୍ତୀ । ଅର୍ଥାତ୍ ଦ୍ଵାଦଶ ବା ତ୍ରୟୋଦଶ ଶତାବ୍ଦୀ ପରବର୍ତ୍ତୀକାଳୀନ ରଚନା ।

 

କେଦାରନାଥ ମହାପାତ୍ରଙ୍କ ଅନ୍ୟାନ୍ୟ ଯୁକ୍ତିଗୁଡ଼ିକ ଭିତରେ ରୁଦ୍ର ସୁଧାନିଧିର ଅନଙ୍ଗ ପଦ୍ମାକର ଅନଙ୍ଗଭୀମ ଦେବଙ୍କୁ ଅନୁମାନ କରି ଗୃହୀତ ହୋଇଥିବା ଅନୁମେୟ ।

 

ରୁଦ୍ରସୁଧାନିଧିରେ ନାରାୟଣାନନ୍ଦ ରାଜକୁମାରଙ୍କ ପାଠ୍ୟପୁସ୍ତକ ଭାବରେ ପ୍ରାକୃତ ପିଙ୍ଗଳ ଓ କୌତୁକ ଚିନ୍ତାମଣିକୁ ଗ୍ରହଣ କରିଛନ୍ତି । ଏହି ଗ୍ରନ୍ଥ ଦୁଇଟିର ରଚନା କାଳ ୧୪୨୫ ଖ୍ରୀଷ୍ଟାବ୍ଦ ଅର୍ଥାତ୍ ପଞ୍ଚଦଶ ଶତକ । ସେହିପରି କୌତୁକ ଚିନ୍ତାମଣିର ରଚୟିତା ପ୍ରତାପରୁଦ୍ର ଦେବଙ୍କ ସମୟ ଷୋଡ଼ଶ ଶତାବ୍ଦୀର ପ୍ରଥମ ଦଶକ । ତେଣୁ ରୁଦ୍ର ସୁଧାନିଧିର ରଚନାକାଳ ଷୋଡ଼ଶ ଶତକ ବୋଲି ଅନୁମାନ କରାଯାଏ ।

 

କେଦାରନାଥ ମହାପାତ୍ରଙ୍କ ଆଲୋଚନା ଅନୁଯାୟୀ ‘ରୁଦ୍ର ସୁଧାନିଧି’ର ରଚନାକାଳ ପୁରୁଷୋତ୍ତମ ଦେବଙ୍କ ସମୟ ।

 

ଆଲୋଚ୍ୟ ଗ୍ରନ୍ଥରେ ଦୁଇଟି ଶବ୍ଦର ବ୍ୟବହାର ଘଟିଛି । ତାହା ହେଉଛି ଭୁବନେଶ୍ଵର ଓ ମୁଗଲ । ପ୍ରଥମ କରି ପୁରୁଷୋତ୍ତମ ଦେବ ଭୁବନେଶ୍ଵର ନାମ ଏକ ଶିଳାଲେଖରେ ଖୋଦିତ କରିଛନ୍ତି ।

 

ରୁଦ୍ର ସୁଧାନିଧିରେ କନ୍ୟାସନ୍ଧାନ ପ୍ରସଙ୍ଗରେ ‘ମୁଗଲ ଶବ୍ଦକୁ ଗ୍ରହଣ କରି ଗ୍ରନ୍ଥର ରଚନାକାଳ ୧୫୨୬ର ସମକାଳୀନ ବୋଲି ଅନୁମାନ କରାଯାଏ ।

 

କୌମୁଦୀ’ ଶବ୍ଦ ଅନୁଯାୟୀ ‘ରୁଦ୍ର ସୁଧାନିଧି’ ରଚନାକାଳ ସିଦ୍ଧାନ୍ତ କୌମୁଦୀ କିମ୍ବା ପ୍ରକ୍ରିୟା କୌମୁଦୀର ସମକାଳୀନ । ୧୪୨୩ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ ସମୟରେ ରୁଦ୍ର ସୁଧାନିଧି ରଚିତ ହୋଇଥିବା ଅନୁମାନ କରାଯାଏ ।

 

‘ରୁଦ୍ର ସୁଧାନିଧି’ରେ ବର୍ଣ୍ଣିତ ନାମକୀର୍ତ୍ତନ ପ୍ରସଙ୍ଗ କେବଳ ଶ୍ରୀଚୈତନ୍ୟଙ୍କ ପ୍ରଭାବ ବ୍ୟତୀତ ଅନ୍ୟକିଛି ନୁହେଁ । ୧୫୧୦ ଖ୍ରୀଷ୍ଟାବ୍ଦରେ ଚୈତନ୍ୟ ଉତ୍କଳ ଆଗମନ କରିଥିଲେ । ତେଣୁ ରୁଦ୍ରସୁଧାନିଧିର କାଳ ୧୫୧୦ ଖ୍ରୀଷ୍ଟାବ୍ଦ ପରବର୍ତ୍ତୀ ଏହି ଷୋଡ଼ଶ ଶତକ ହିଁ ପ୍ରକୃତ ରୁଦ୍ରସୁଧାନିଧିର ରଚନାକାଳର ପ୍ରମାଣ ବୋଲି ଧରିନିଆଯାଇପାରେ । ରୁଦ୍ର ସୁଧାନିଧିରେ ବର୍ଣ୍ଣିତ ଧର୍ମଧ୍ଵଜ ରାଜା ପ୍ରସଙ୍ଗ । ଧର୍ମଧ୍ଵଜ ରାଜା ପରମ ବୈଷ୍ଣବ ଓ ପ୍ରତାପରୁଦ୍ରଙ୍କ ପରି ରାଜା । ତେଣୁ ଏହାର ରଚନାକାଳ ଷୋଡ଼ଶ ଶତକ ।

 

ମୋଟାମୋଟି ଭାବରେ ରୁଦ୍ରସୁଧାନିଧିର ରଚନାକାଳ ଷୋଡ଼ଶ ଶତକ ‘ରୁଦ୍ର ସୁଧାନିଧି’ର କାପାଳିକ ପ୍ରସଙ୍ଗ ଷୋଡ଼ଶ ଶତକର ସିଦ୍ଧ ସାଧକମାନଙ୍କର ପ୍ରସଙ୍ଗରେ ଥିବା ଘଟଣାଚକ୍ରର ସମଧର୍ମା । ଛାଇରେ ବସି ନଈପାରି, ଶୂନ୍ୟେ ଶୂନ୍ୟେ ଉଡ଼ିଯିବା ଇତ୍ୟାଦି । ଏହା ବ୍ୟତୀତ ରୁଦ୍ର ସୁଧାନିଧିର ଭଣ୍ଡ ସାଧୁପ୍ରସଙ୍ଗ ତତ୍କାଳୀନ ସମାଜର ଭଣ୍ଡ ସାଧୁଙ୍କର ପ୍ରଭାବ କୁହାଯାଇପାରେ । ଏହା ବ୍ୟତୀତ ପଞ୍ଚସଖା ଯୁଗର ହଠଯୋଗ, ବିଭିନ୍ନ ପ୍ରକ୍ରିୟା ଗୋଲାହାଟ ବଙ୍କାନାଳ, ଶ୍ରୀହଟ୍ଟପାଟଣା, ଜଳନ୍ଧର ବିଦ୍ୟା ଓ ବିଭିନ୍ନ ମନ୍ତ୍ର ତଥା ବଶୀକରଣ ବିଦ୍ୟା ପ୍ରଭୃତି ‘ରୁଦ୍ର ସୁଧାନିଧି’ରେ ବର୍ଣ୍ଣିତ ଅଛି । ତେଣୁ ରୁଦ୍ର ସୁଧାନିଧି ଷୋଡ଼ଶ ଶତାବ୍ଦୀର ରଚନା ।

 

ରୁଦ୍ର ସୁଧାନିଧି ଏକ ଗଦ୍ୟ ସୃଷ୍ଟି । ଏହାକୁ କାଦମ୍ବରୀ କିମ୍ବା କଥାସରିତ୍ ସାଗର ପାରି ଏକ କଥାଗ୍ରନ୍ଥ କହିବା ସମୀଚୀନ ହେବ । ଏଥିରେ କଥାବସ୍ତୁର ମନୋଜ୍ଞ ପରିପ୍ରକାଶ ଘଟିବା ମଧ୍ୟ ଦେଇ ଧର୍ମ ପରମ୍ପରାର ଅଭିବ୍ୟକ୍ତି ଘଟିଛି । ‘ରୁଦ୍ର ସୁଧାନିଧି’ରେ ଦେଖାଦେଇଥିବା ଧର୍ମ ପରମ୍ପରା ମୁଖ୍ୟତଃ ଦୁଇପ୍ରକାରର । ଯଥା-

 

୧. ପ୍ରଧାନ ଧର୍ମ- ଦର୍ଶନ ପ୍ରସଙ୍ଗ

            କ. ଶୈବ ଧର୍ମ ଦର୍ଶନ ମହତତ୍ତ୍ଵ

            ଖ. ଶାକ୍ତ ଧର୍ମ ଦର୍ଶନ ମହତ୍ତ୍ଵ

            ଗ. ବୈଷ୍ଣବ ଧର୍ମ ଦର୍ଶନର ମହତ୍ତ୍ଵ

୨. ଅପ୍ରଧାନ ଧର୍ମ ଦର୍ଶନ ପ୍ରସଙ୍ଗ-

            କ. ହିନ୍ଦୁ ଧର୍ମଗତ (ଷଡ଼ଦର୍ଶନ)

            ଖ. ଜୈନ ଧର୍ମଗତ

            ଗ. ନାଥ ଧର୍ମଗତ

 

ରୁଦ୍ର ସୁଧାନିଧିରେ କଥାଭାଗ ଅପେକ୍ଷା ଧର୍ମ-ଦର୍ଶନର ମହତ୍ତ୍ଵ ବର୍ଣ୍ଣନା ମୁଖ୍ୟ ହୋଇଉଠିଛି । ଏଥିରେ ଓଡ଼ିଶାର ପ୍ରଚଳିତ ଧର୍ମ ପରମ୍ପରା ପ୍ରକାଶିତ ଧର୍ମ ଦର୍ଶନ ହେଉଛି ରୁଦ୍ର ସୁଧାନିଧି ଗ୍ରନ୍ଥର ପୃଷ୍ଠଭୂମି ।

 

ରୁଦ୍ର ସୁଧାନିଧି ଗ୍ରନ୍ଥର ସମ୍ପାଦନା କରି ଡକ୍ଟର କୃଷ୍ଣଚରଣ ସାହୁ ଉଲ୍ଲେଖ କରିଛନ୍ତି ଯେ-

 

‘ଧର୍ମ ସବୁର ସବିଶେଷ ଆଲୋଚନା କରିବା ଫଳରେ କଥାର ପ୍ରବାହ ଗୌଣ ହୋଇଯାଇ ଧର୍ମ ଆଲୋଚନା ମୁଖ୍ୟ ହୋଇଯାଇଛି । ଧର୍ମ ହୋଇଛି ଏହାର ପୃଷ୍ଠଭୂମି । ଏଥିରେ ଥିବା ନାୟକ, ନାୟିକା ଓ ପ୍ରତିନାୟକ ଏକ ସମ୍ପ୍ରଦାୟର ପ୍ରତିନିଧିତ୍ଵ କରି କଥାକୁ ଗତିଶୀଳ କରିଛନ୍ତି । ତେଣୁ ‘ରୁଦ୍ର ସୁଧାନିଧି, ଗ୍ରନ୍ଥ ହେଉଛି କଥା ମାଧ୍ୟମରେ ଓଡ଼ିଶାରେ ପ୍ରଚଳିତ ଥିବା ବିଭିନ୍ନ ଧର୍ମ ପରମ୍ପରାର ଏକ ଆଲୋଚନାତ୍ମକ ଇତିହାସ । ‘ରୁଦ୍ର ସୁଧାନିଧି’ ଗ୍ରନ୍ଥରେ କଥାଭାଗଟି ଶୈବଧର୍ମ ଉପରେ ପ୍ରଥମେ ଗଢ଼ି ଉଠିଛି । ଅଭିନବ ଚୈତନ୍ୟ ନାମକ ରୁଦ୍ରଗଣ ଶିବଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ପାରି ଶିବଙ୍କ ଦ୍ଵାରା ଅଭିଶପ୍ତ ହୋଇ ପୃଥିବୀରେ ଜନ୍ମଗ୍ରହଣ କରିଛି-। ମର୍ତ୍ତ୍ୟରେ ସେହି ଅଭିଶପ୍ତ ରୁଦ୍ରଗଣ ଅଭିନବ ଚୈତନ୍ୟର ନାମ ହେଉଛି ରୁଦ୍ର ସୁଧାନିଧି ।

 

ରୁଦ୍ର ସୁଧାନିଧିରେ ଭକ୍ତି ଧର୍ମର ସୂଚନା ରହିଛି । ଶ୍ରୀଜଗନ୍ନାଥଙ୍କ ସେବକ ରୂପରେ ନିଜକୁ ଚିତ୍ରଣ କରିଛନ୍ତି ନାରାୟଣାନନ୍ଦ ଅବଧୂତ ସ୍ଵାମୀ । ଜଗନ୍ନାଥଙ୍କର ଦାସାନୁଦାସ ଭାବରେ ନିଜକୁ ପ୍ରକାଶ କରିବାରେ ଥିଲା ତାଙ୍କର ଅଶେଷ ଗୌରବ । ସେ ଏହିପରି ଭାବରେ ଜଗନ୍ନାଥ ସେବକ ରୂପେ ନିଜର ଭକ୍ତିପ୍ରାଣତାର ଦେଇଛନ୍ତି ପରିଚୟ ।

 

୩.

ଶ୍ରୀଜଗନ୍ନାଥଙ୍କର ବୈଷ୍ଣବମାନଙ୍କର ପଦାରବିନ୍ଦ ପ୍ରସାଦୁଁ କରି ତାହା ନାରାୟଣ ଦାସ ପାଇଲା ବିସରି ।”

 

‘ରୁଦ୍ର ସୁଧାନିଧି’ ଗ୍ରନ୍ଥରେ କଥାଭାଗ ଅପେକ୍ଷା ଧର୍ମ-ଦର୍ଶନର ଆଲୋଚନା ବେଶି ରହିଛି-। ଉଦ୍ଦେଶ୍ୟ ଯେମିତି ପଥଚ୍ୟୁତ ହୋଇଯାଇଛି । ତେବେ ବୈଷ୍ଣବଧର୍ମର ପ୍ରତିଷ୍ଠା ଲାଗି ‘ରୁଦ୍ର ସୁଧାନିଧି’ ପ୍ରଚେଷ୍ଟା କରିଛି । ସେଥିପାଇଁ କୁହାଯାଇଛି-

 

‘ବାସୁଦେବରେ ଶରଣ ଯା’ । ରାମ ଓ କୃଷ୍ଣ ନାମରେ ପାପ ଦୂର ହୁଏ । ଶିବଙ୍କର ପ୍ରସଙ୍ଗ ପ୍ରଥମରୁ ଆରମ୍ଭ ହୋଇଥିଲେ ମଧ୍ୟ ଶୈବମାନଙ୍କୁ ବୈଷ୍ଣବ ଧର୍ମରେ ଦୀକ୍ଷିତ କରାଇବା ପାଇଁ ରୁଦ୍ର ସୁଧାନିଧି ଚେଷ୍ଟା କରିଛି । ଏହି ଗ୍ରନ୍ଥର ମୂଳ ପ୍ରବକ୍ତା ହେଉଛନ୍ତି ଶିବ । ରୁଦ୍ରଗଣ ପରିବେଷ୍ଟିତ ଶିବଙ୍କର ଅଭିନବ କଳ୍ପନାରୁ ଅଭିନବ ଚୈତନ୍ୟର ରୁଦ୍ର ସୁଧାନିଧି ରୂପ । ରୁଦ୍ର ସୁଧାନିଧି ଏହି ଗ୍ରନ୍ଥର ନାୟକ ଓ ପାର୍ବତୀଙ୍କ ମାନସୀ କନ୍ୟା ତଥା ଲକ୍ଷ୍ମୀ ପାଳିତ । ଅବିଦ୍ୟା ମୃତ୍ୟୁ ସଞ୍ଜିବନୀକରଣୀ ଏହି ଗ୍ରନ୍ଥର ନାୟିକା ।

 

ଉଭୟେ ନାୟକ ଓ ନାୟିକା ଶିବଙ୍କ ସହିତ ମୂଳତଃ ସମ୍ପୃକ୍ତ । ତେଣୁ ଶିବଙ୍କ ବର୍ଣ୍ଣନା ପ୍ରସଙ୍ଗ ଗ୍ରନ୍ଥରେ ଅପ୍ରାସଙ୍ଗିକ ନୁହେଁ । ଶିବଙ୍କ ପ୍ରସଙ୍ଗ ଗ୍ରନ୍ଥର ପ୍ରାରମ୍ଭରେ ଓ ମଧ୍ୟଭାଗରେ ରହିଛି ଲେଖକୀୟ ଶ୍ରଦ୍ଧା ଶିବଙ୍କ ପ୍ରତି ଢାଳିହୋଇ ପଡ଼ିଛି ।

 

ଶୈବଧର୍ମ ଓ ଶିବ ପ୍ରସଙ୍ଗ :

ଶିବଙ୍କ ବନ୍ଦନା ଓ ବର୍ଣ୍ଣନା ପ୍ରସଙ୍ଗରେ ଓଡ଼ିଶାର ଶୈବଧର୍ମର ସ୍ଥିତି ଓ ପ୍ରସାର ସମ୍ପର୍କରେ ପରିଚୟ ମିଳେ । ଯଥା-

 

୪.

“ଶ୍ରୀ ଶିବାୟ ନମଃ ଏକାମ୍ରବନ ଆଶ୍ରିତ । ଶ୍ରୀ ଭୁବନେଶ୍ଵରୀ ଦେବୀର ବରପୁତ୍ର ନିର୍ଦ୍ଦୋଷବାଗ୍ ବିଶେଷ; ଆଗମ ଜନ୍ମ । ପୁରୁଷାବତାର ଶାରଦା ଶୁଦ୍ଧଧୀରେ ମତ୍ତଗର୍ବିତ ଦିରାଗଜ ପଣ୍ଡିତଙ୍କୁ ବିକ୍ରମକେଶରୀ ପଣ୍ଡିତ x x x କପିଳାସ କନ୍ଦରେ ପାର୍ବତୀଙ୍କି ହର ପୁଚ୍ଛା କଲେ ଯେବଣ ଶିବ ଶିବ ହାଇ ହାଇ, ବ୍ରହ୍ମାଣ୍ଡ ଭାଣ୍ଡେ, ଭ୍ରଥା ଦି ଖଣ୍ଡେ, ଭୁବି ଖଣ୍ଡେ ଖଣ୍ଡି, କନକାଚଳ ଦଣ୍ଡେ ବ୍ରହ୍ମ ଶୁଳ୍କ ଶୂଳଦଣ୍ଡେ ତ୍ରଇଲୋକବର୍ଗେ, କପିଳାସ ସ୍ଵର୍ଗେ, ମନୋରମ ମନ୍ଦିରେ, ଜିତାଶ୍ରମ ନଜରେ, ସିଦ୍ଧ ରୁଦ୍ରଗଣମାନଙ୍କର ସଙ୍ଗେ, x x x ସମସ୍ତ ରୁଦ୍ରଗଣମାନେ ବେଢ଼ି ବସିଛନ୍ତି । ଅତ୍ୟନ୍ତ ହରଷେ ।” (ପୃ-୧,୨)

 

ଶୈବ ମତରେ ଇଶ୍ଵର ହେଉଛନ୍ତି ଶିବ । ଲେଖକ ଶିବଙ୍କୁ କମଳାପ୍ରତି ସେବିତ, ଖଗପତି ଆସନ ସୁହୃଦ, ମଧୁସୂଦନ ବନ୍ଦିତ ଭାବରେ ବନ୍ଦନା କରିଛନ୍ତି । ଲେଖକ ଶିବଙ୍କୁ ବନ୍ଦନା କରି ବହୁ ନାମରେ ସ୍ତୁତି କରିଛନ୍ତି । ଆଲୋଚ୍ୟ ଗ୍ରନ୍ଥରେ ଶିବଙ୍କ ପ୍ରସଙ୍ଗରେ ଦୁଇଟି ସ୍ତରରେ ବର୍ଣ୍ଣନା ରହିଛି ।

 

ରୁଦ୍ରଗଣଙ୍କ ମଧ୍ୟରେ ଶିବ ଓ ପାର୍ବତୀଙ୍କ ପ୍ରସଙ୍ଗ ତଥା ଶିବ ଓ ପାର୍ବତୀଙ୍କ ପରିବାର ବର୍ଣ୍ଣନା ପ୍ରସଙ୍ଗ ଆଲୋଚ୍ୟ ଗ୍ରନ୍ଥରେ ଘଟିଛି । ଯୋଗବିଦ୍ୟାରେ ଚର୍ଚ୍ଚା ସମୟରେ ରୁଦ୍ର ସାଧନା ପ୍ରସଙ୍ଗ ଇତ୍ୟାଦିର ବର୍ଣ୍ଣନା ଶୈବଧର୍ମ ପ୍ରତି ଲେଖକଙ୍କର ଶ୍ରଦ୍ଧା, ଭକ୍ତି, ସମ୍ମାନର ସ୍ମାରକୀ କହିବା ସମୀଚୀନ । ତେବେ ବୈଷ୍ଣବ ଧର୍ମର ବର୍ଣ୍ଣନାରେ ଶୈବଧର୍ମ ନିଷ୍ଠୁର ହୋଇଯାଇଛି ।

 

ଅବଧୂତ ପ୍ରସଙ୍ଗ : ଏହି ଗ୍ରନ୍ଥରେ ଲେଖକ ନାରାୟଣାନନ୍ଦ ଏକ ଧର୍ମ ସଂଘର୍ଷ ସୃଷ୍ଟି କରିଛନ୍ତି । ଗୋଟିଏ ପକ୍ଷରେ ଗର୍ଭସ୍ଥ ଶିଶୁ ଅନ୍ୟପକ୍ଷରେ ପ୍ରବଳ ପ୍ରତାପୀ କାପାଳିକ ମାର୍ଗୀ ଅବଧୂତ ।

 

ତତ୍କାଳୀନ ଓ ପ୍ରାଚୀନ ପରମ୍ପରାରେ ଭାରତବର୍ଷରେ ଅବଧୂତ ପନ୍ଥୀଙ୍କ ପ୍ରସଙ୍ଗ ରହିଛି । ଏହି ଗୋଷ୍ଠୀ ତାନ୍ତ୍ରିକ, ସହଜଯାନୀ ଓ ଯୋଗୀ । ତନ୍ତ୍ର ଶାସ୍ତ୍ର ଅନୁସାରେ ବ୍ରହ୍ମାବଧୂତ, ଶୈବବଧୂତ, ଭକ୍ତାବଧୂତ ପ୍ରଭୃତି ଅବଧୂତ ପ୍ରସଙ୍ଗ ଉଲ୍ଲିଖିତ ।

 

ଲେଖକ ଯେଉଁ ଅବଧୂତ ପ୍ରସଙ୍ଗ ବର୍ଣ୍ଣନା କରିଛନ୍ତି ସେମାନେ କବୀରଙ୍କ ଅବଧୂତ ଠାରୁ ଭିନ୍ନ ।

 

ଲେଖକଙ୍କ ଭାଷାରେ-

‘କେଶ ମୁକୁଳା, ଭସ୍ମେ ସୁକଳ ଅନ୍ତ ନିର୍ମଳ, ଦନ୍ତ ଉଜ୍ଜ୍ୱଳ ହାତରେ ଅଛି ଦଣ୍ଡେ । କଟିରେ ଅଛି ଦରପୋଡ଼ା ଖଣ୍ଡେ । x x x x’

 

ବୈଷ୍ଣବ ଧର୍ମ ଦର୍ଶନ

ବୈଷ୍ଣବ ଶାସ୍ତ୍ରରେ ନାମ ଜପ ପ୍ରଧାନ । ଯଥା-

ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦ ସେବନଂ

ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟମାତମ୍ ନିବେଦନଂ ।

 

ବୈଷ୍ଣବ ଶାସ୍ତ୍ର ଅନୁସାରେ ନାମ ଓ ନାମୀର ଭେଦ ନାହିଁ । ନାମ ଉଚ୍ଚାରଣରେ ଶ୍ରବଣ ଓ କୀର୍ତ୍ତନ, ସ୍ମରଣ, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସଖୀ ଓ ଆତ୍ମନିବେଦନ ହୋଇଥାଏ । ସେହିପରି, ‘ଚୈତନ୍ୟ ଭାଗବତ’ରେ ଜପ ସମ୍ପର୍କରେ କୁହାଯାଇଛି । ଯଥା-

 

(କ) ସାଧ୍ୟସାଧନ ତତ୍ତ୍ଵ ଯେ କିଛୁ ସକଲ

ହରି ନାମ ସଂକୀର୍ତ୍ତନେ ମିଳିବେ ସକଲ ।”

(ଶ୍ରୀ ଚୈତନ୍ୟ ଭାଗବତ)

 

‘ରୁଦ୍ର ସୁଧାନିଧି’ ଗ୍ରନ୍ଥରେ କାପାଳିକ କାମାନନ୍ଦ ଯୋଗୀ ଅବିଦ୍ୟା ମୃତ୍ୟୁ ସଞ୍ଜିବନୀକରଣୀ କନ୍ୟା ହରଣ ପ୍ରସଙ୍ଗରେ ଧର୍ମ ସମ୍ପର୍କର ସୂତ୍ରପାତ ଘଟିଛି । ଆଲୋଚ୍ୟ ଗ୍ରନ୍ଥରେ ନାୟକ ରୁଦ୍ର ସୁଧାନିଧି ବୈଷ୍ଣବ ଭକ୍ତ । ନାୟିକା ବିଷ୍ଣୁଭକ୍ତ । ନାମ ଜପପାଇଁ ସମସ୍ତେ ଆକୃଷ୍ଟ । ନାୟିକାର ପିତା ଧର୍ମଧ୍ଵଜ ମଧ୍ୟ ବୈଷ୍ଣବ । ରାଣୀ କୋକିଳାବତୀ ମଧ୍ୟ ବିଷ୍ଣୁ ପାଟରାଣୀ ଲକ୍ଷ୍ମୀଙ୍କର ଭକ୍ତ । ବସୁଦେବ ଭକ୍ତ ରାଜା ଧର୍ମଧ୍ଵଜ ଓ ଲକ୍ଷ୍ମୀଭକ୍ତ ରାଣୀ କୋକିଳାବତୀଙ୍କ କନ୍ୟା ଅବିଦ୍ୟା ମୃତ୍ୟୁସଞ୍ଜିବନୀ କରଣୀ-। ବିଷ୍ଣୁଭକ୍ତ ହେତୁ କାମାନନ୍ଦ ଯୋଗୀ ତା’ର କିଛି କରିପାରିନାହାନ୍ତି । ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ତାକୁ ସବୁ ବିପଦରୁ ନାୟିକା ମୃତ୍ୟୁସଞ୍ଜିବନୀ ରାଜା ଧର୍ମଧ୍ଵଜ ପ୍ରଭୃତିକୁ ରକ୍ଷା କରିଛି ।

 

ଆଲୋଚ୍ୟ ଗ୍ରନ୍ଥରେ ପ୍ରତ୍ୟେକଟି ଚରିତ୍ର ବିଷ୍ଣୁଭକ୍ତ । ଲେଖକ ମଧ୍ୟ ବିଷ୍ଣୁଭକ୍ତ । ଗ୍ରନ୍ଥରେ କୁହାଯାଇଛି ଯେ-

 

‘ହାଦେ ପୁରୁଷୋତ୍ତମ କ୍ଷେତ୍ରରେ ସିଦ୍ଧମାନେ ପୁତ୍ରଦ୍ଵାରା ଘେନି କରିଥା ବାସ । ନିରନ୍ତରେ ବିଷୟର ସେ ନିର୍ମାଲ୍ୟ ଖା’ନ୍ତି । କୌଣସି ମତେ ସ୍ଵ ଇଚ୍ଛା ଦେହ ଛାଡ଼ି ତ୍ଵରୀୟାତୀତ ପରମଜ୍ୟୋତି ନିର୍ବାଣ ବ୍ରହ୍ମମୟ ସୁଖକୁ ଯାନ୍ତି ହାଦେ କୌଣସି ମତେ ନୀଳନଳଧର ନିବିଡ଼ ଆନନ୍ଦ ବୋଧ ସ୍ଵରୂପ ଚତୁର୍ଭୁଜ ଶରୀର ପାଆନ୍ତି ।’

 

ଲେଖକ ନାରାୟଣାନନ୍ଦ ଯେପରି ଶୈବଧର୍ମ ପ୍ରଶଂସା କରିଛନ୍ତି, ସେହିପରି ଦୋଷ ଦୁର୍ବଳତା ମଧ୍ୟ ଦେଖାଇଛନ୍ତି । ଭଣ୍ଡ କାପାଳିକ ଅବଧୂତ ଭକ୍ତ କାମାନନ୍ଦ ଯୋଗୀ ପ୍ରଭୃତିଙ୍କୁ ସମାଲୋଚନା କରାଯାଇଛି । ତେବେ ବୈଷ୍ଣବ ଧର୍ମର ମହିମା ଗାନ ସହିତ ଜଗନ୍ନାଥ କ୍ଷେତ୍ରର ମହିମାଗାନ କରିଛନ୍ତି । ଲେଖକ ଜଗନ୍ନାଥଙ୍କୁ ଯୋଗାଧିପତି ଭାବେ ଚିତ୍ରଣ କରିଛନ୍ତି । ଜଗନ୍ନାଥଙ୍କ ଦୟାରୁ ଯୋଗ ସାଧନ ସମ୍ଭବ ହେବ ବୋଲି କହିଛନ୍ତି । କାପାଳିକ, ପାଶୁପତ ଓ ଅନ୍ୟାନ୍ୟ ମାର୍ଗର ସାଧକମାନଙ୍କୁ ପରିହାସ କରିଛନ୍ତି । ତେବେ ଯୋଗ ସାଧନାକୁ ଶ୍ରେଷ୍ଠ କରି ନାହାନ୍ତି ବାସୁଦେବ ଭକ୍ତିକୁ ଶ୍ରେଷ୍ଠ ସ୍ଥାନ ଦେଇଛନ୍ତି । ଭଣ୍ଡ କାମାନନ୍ଦ ଯୋଗୀକୁ ଲେଖକ ବିଦ୍ରୂପ କରିଛନ୍ତି । ଭଣ୍ଡ କାପାଳିକ, ଯୋଗ ସାଧକ, କାପାଳିକ ଅବଧୂତମାନଙ୍କୁ ନରାଧମ ଆଖ୍ୟା ଦିଆଯାଇଛି ।

 

ଲେଖକ ନାରାୟଣାନନ୍ଦ ଅବଧୂତ ସ୍ଵାମୀ ନିଜେ ଯୋଗବିଦ୍ୟା କରିଥିଲେ ମଧ୍ୟ ତାହା ଜଗନ୍ନାଥଙ୍କ ପ୍ରାସାଦରୁ ହିଁ ସମ୍ଭବ ବୋଲି କହିଛନ୍ତି । ଯୋଗବିଦ୍ୟା ପ୍ରତି ଲେଖକ ଆକୃଷ୍ଟ ନ ଥିଲେ-

 

‘ରୁଦ୍ର ସୁଧାନିଧି’ ଏକ ପ୍ରାଚୀନ ଗଦ୍ୟ ରଚନା । ଏଥିରେ କାଳ୍ପନିକ କାବ୍ୟପରି ଏକ ସୁନ୍ଦର କାଳ୍ପନିକ ପ୍ରଣୟ କାହାଣୀ ବର୍ଣ୍ଣିତ । ରୀତିକାବ୍ୟ ପରମ୍ପରାର କାବ୍ୟପରି ଏଥିରେ ପୂର୍ବଜନ୍ମ ଓ ପରଜନ୍ମ ତଥା ବିରହ ମିଳନ, ରସ ଚର୍ଚ୍ଚା, ରସାତ୍ମକ ବର୍ଣ୍ଣନା କୌଶଳ ପରିଲକ୍ଷିତ । ତେବେ ‘ରୁଦ୍ର ସୁଧାନିଧି’କୁ ଅନ୍ତତଃପକ୍ଷେ ବହୁ ସମାଲୋଚକ ପ୍ରାକ୍ ସାରଳାଯୁଗୀୟ ଓ କେହି କେହି ପଞ୍ଚଦଶ ଓ ଷୋଡ଼ଶ ଶତକର ରଚନା ଭାବରେ ଗ୍ରହଣ କରନ୍ତି । ପୂର୍ବରୁ କୁହାଯାଇଛି ଯେ ଏହା ଏକ ଅନୁପମ ଗଦ୍ୟଗ୍ରନ୍ଥ । ଏହାର ଗଦ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଆମେ ସଂସ୍କୃତରେ ପ୍ରଦତ୍ତ କଥାକାବ୍ୟର ଗୁଣ ସମ୍ପର୍କରେ ଆଲୋଚନା କରିପାରିବା । ‘କାଦମ୍ବରୀ’ରେ ବାଣଭଟ୍ଟ ପ୍ରକାଶ କରିଛନ୍ତି ଯେ କଥା ହେଉଛି-

 

‘ସ୍ପୁରିତକଳାକାପ- ବିଳାସକୋମଳା କରୋତି ରଙ୍ଗ ହୁଦି କୌତୁକଧିକମ୍

ରସେନ ଶଯ୍ୟାଂ ସ୍ଵୟମହ୍ୟୁପାଗତା କଥା- ଜନସ୍ୟାଭିନବ । ବଧୂରିବ ।

ହରନ୍ତି କନୋଜ୍ଜ୍ୱଳଦୀପକୋ ମୈସ୍ତଥା ପଦାର୍ଥେ ରୂପପାଦିତ ‘କଥା’

ନିରନ୍ତର ଶେଷଧନାଃ ସୁଜାତୟୋ ସହାସ୍ରଜଶ୍ଚଖକକୁ ଡମ ଲୌରିବ ।”

(କାଦମ୍ବରୀ- ବାଣଭଟ୍ଟ)

କଥା ହେଉଛି-

କ.

କଳାବିଦ୍ୟା ସମ୍ବନ୍ଧୀୟ ସୁଶ୍ରାବ୍ୟ; ରସାନୁଭୂତିପୂର୍ଣ୍ଣ, ଅନୁରାଗପୂର୍ଣ୍ଣ ସହଜ-ସରଳ ଶବ୍ଦାବଳୀରେ ରଚିତ କଥା ।

ଖ.

କୌତୁକପୂର୍ଣ୍ଣ ରଚନା

ଗ.

ପ୍ରେମଭାବପୂର୍ଣ୍ଣ ରଚନା

ଘ.

କିଞ୍ଚିତ୍ ଶ୍ଲେଷାଳଙ୍କାର ରଚନା

ଙ.

ଆନନ୍ଦପୂର୍ଣ୍ଣ ରଚନା

 

ଗଦ୍ୟର ସ୍ଵରୂପ ଲକ୍ଷଣ ବୟାନ କରିବାକୁ ଯାଇ ସାହିତ୍ୟ ଦର୍ପଣରେ ବିଶ୍ଵନାଥ କବିରାଜ ଉଲ୍ଲେଖ କରିଛନ୍ତି ଯେ- “ବୃହଗନ୍ଧେ ଜଝିତଂ ଗଦ୍ୟ ।”

 

ସେହିପରି ଅଗ୍ନିପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି ଯେ-

‘ଆପାଦ ପଦ ସନ୍ତାନୋ ଗଦ୍ୟଂ ତଦପି କଥ୍ୟତେ ।”

 

ପ୍ରାଚୀନ ସଂସ୍କୃତ ସାହିତ୍ୟର ପ୍ରସିଦ୍ଧ ପୁରାଣ ଗ୍ରନ୍ଥ ‘ଅଗ୍ନିପୁରାଣ’ ଓ ଅଳଙ୍କାର ଗ୍ରନ୍ଥ କାବ୍ୟାଦର୍ଶ, ସାହିତ୍ୟ ଦର୍ପଣ, କାବ୍ୟାଳଙ୍କାର, ସୂତ୍ରବୃତ୍ତ ତଥା ଗଦ୍ୟଗ୍ରନ୍ଥ କାଦମ୍ବରୀ ପ୍ରଭୃତି ଗ୍ରନ୍ଥରେ ଗଦ୍ୟ କାବ୍ୟକୁ ଚାରିଭାଗରେ ବିଭକ୍ତ କରି ଆଲୋଚନା କରାଯାଇଛି । ଯଥା-

 

କ. ସମାସ ରହିତ (ମୁକ୍ତକ)

ଖ. ଦୀର୍ଘ ସମାସ ଯୁକ୍ତ (ଉତ୍କଳିକା ପ୍ରାୟ ଶୈଳୀ)

ଗ. ସ୍ଵଳ୍ପ ସମାସ ଯୁକ୍ତ (ଚୂର୍ଣ୍ଣକ ଶୈଳୀ)

ଘ. ପଦ୍ୟ ସଦୃଶ (ବୃତ୍ତଗନ୍ଧି ଶୈଳୀ)

 

‘ରୁଦ୍ର ସୁଧାନିଧି’ରେ ମୁକ୍ତକ, ଉତ୍କଳିକା ପ୍ରାୟ, ଚୂର୍ଣ୍ଣକ ଓ ବୃତ୍ତଗନ୍ଧି ପ୍ରଭୃତି ସମସ୍ତ ପ୍ରକାରର ଶୈଳୀ ପରିଲକ୍ଷିତ ।

 

ପ୍ରଥମତଃ- ସମାନସ ରହିତ ମୁକ୍ତକ ଶୈଳୀକୁ ଲକ୍ଷ୍ୟ କରାଯାଇପାରେ ।

 

ଯଥା- ଏଥି ଉତ୍ତାରୁ ରଜନୀ ପ୍ରଭାତ ହୋଇଲା । ପ୍ରାଚୀ ଦୀଗାଙ୍ଗନା ଅନୁରାଗବତୀ ହୋଇଲା । x x x x କୁହଇ ବିମ୍ବରମାନଙ୍କରେ ଅନ୍ଧକାର ପଶିଲା । ବିଜ ଦୁହିତାକୁ କୁକୁଟିନୀ ଉଠ ଉଠ ବୋଇଲା । ତାମ୍ବୁଳ ରସ ପିତା ଲାଗିଲା ।

 

ଦ୍ଵିତୀୟତଃ – ଦୀର୍ଘ ସମାଜଯୁକ୍ତ ଉତ୍କଳିକା ପ୍ରାୟ ଶୈଳୀକୁ ଲକ୍ଷ କରାଯାଇପାରେ । ଯଥା- ହିମାଳୟ ନନ୍ଦିନୀ- ହୃଦୟ ଚନ୍ଦନ ଉର ହୃଦୟ- ପଦ୍ମ ବିଳସି, ‘ଶରଦଚନ୍ଦ୍ର ବଦନୀ ନୀଳୋତ୍ପଳା ନୟନୀ ମତ୍ତଗଜେନ୍ଦ୍ର ଗାମିନୀ, ଚୁଙ୍ଗ ପୀନସ୍ତନୀ’ ପ୍ରଭୃତି । ପୁନଶ୍ଚ ମନ୍ମଥ ଉତ୍ସବ କଳାବର୍ଦ୍ଧିନୀ” ।

 

ଏହାବ୍ୟତୀତ ‘ରୁଦ୍ର ସୁଧାନିଧି’ ଗ୍ରନ୍ଥର ବିଭିନ୍ନ ସ୍ଥଳରେ ଦୀର୍ଘ ସମାଜଯୁକ୍ତ ଶୈଳୀଟି ପରିଲକ୍ଷିତ ।

 

ଦ୍ଵିତୀୟତଃ- ଅଳ୍ପ ସମାସଯୁକ୍ତ ‘ଚୁର୍ଣ୍ଣକ’ ଶୈଳୀକୁ ମଧ୍ୟ ରୁଦ୍ରସୁଧାନିଧି ଗ୍ରନ୍ଥରୁ ଲକ୍ଷ କରାଯାଇଥାଏ ଯଥା-

 

‘ମନ ପବନ ଅଗ୍ନିରେ ତିନିହେଁ ଏକ ମୁଖେ ପଦ୍ମସୂତ୍ର ସୁଷୁମୁନା ବାଟେ ପଶୁଥା’ନ୍ତି ଦୁଃଖେ ଦୁଃଖେ । ଅମୃତ କଳାମାନେ ପୋଡ଼ୁଥା’ନ୍ତି । ଷୋଡ଼ଶଠ ଡମ୍ବରୁ ପୋଡ଼ୁଥାନ୍ତି । ସେ ଡମ୍ବରୁ ଖଣ୍ଡିଏ ଖଣ୍ଡିଏ ପିଟୁ ପିଟୁ ବ୍ୟାକୁଳ ଯେତେ, ଶତେ ନାଗର ଜ୍ୱଳା ନୋହିଜଟି ତେତେ ।’’

 

“ସରୋବର ଚନ୍ଦ୍ରମା ପ୍ରାୟେକ ଉଜ୍ଜ୍ୱଳ ଅଟଇ ଆଦି ଗଙ୍ଗା ସଙ୍ଗମ ଅଟଇ । ଚତୁର୍ଥତଃ- ପଦସଦୃଶ ବା ବୃତ୍ତଗନ୍ଧି ଶୈଳୀଟି ମଧ୍ୟ ଆଲୋଚ୍ୟ ରୁଦ୍ର ସୁଧାନିଧି ଗ୍ରନ୍ଥରେ ପରିଲକ୍ଷିତ । ବୃତ୍ତଗନ୍ଧି ଶୈଳୀଟି ପ୍ରାଚୀନ ଗଦ୍ୟ ଗ୍ରନ୍ଥମାନଙ୍କରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଶୈଳୀ । ‘ରୁଦ୍ର ସୁଧାନିଧି’ରେ ଅର୍ଦ୍ଧ ଯତିପାତ ଓ ଶେଷରେ ପୂର୍ଣ୍ଣ ଯତିପାତ ଘଟିଛି ।

 

ଯଥା-

ଲୀଳାମତେ

ପୁରାଣ ସନମତେ

ଆପଣାର କୃତ୍ୟେ

କୌତୁକ ମତେ

ଅମରି ନିଶ୍ଚୟେ

 

ସେହିପରି ନାରାୟଣା ନନ୍ଦ ‘କୋ’ ଯେମନ୍ତେ କୋଟି କୋଟି, ଔଷଧ, ଶ୍ଵେତ, ଶ୍ରୀ ସରିତ, ରଜନୀ ପ୍ରଭୃତି ଶବ୍ଦକୁ ଆଦ୍ୟରେ ରଖି ଯତିପାତ ସୃଷ୍ଟି କରିଛନ୍ତି । ଫଳରେ ଶାବ୍ଦିକ ଧ୍ଵନି ସୌନ୍ଦର୍ଯ୍ୟ ସୃଷ୍ଟି ଘଟିଛି । ଶବ୍ଦର ବାରମ୍ବାର ପ୍ରୟୋଗ ଘଟିଥାଏ । ପ୍ରାଚୀନ ଗଦ୍ୟମାନଙ୍କରେ ଏହିପରି ଶବ୍ଦର ଧ୍ଵନିଗତ ଶୈଳୀ ଏକ ବୈଶିଷ୍ଟ୍ୟପୂର୍ଣ୍ଣ ଶୈଳୀ ।

 

‘ରୁଦ୍ର ସୁଧାନିଧି’ ପ୍ରାଚୀନ ଓଡ଼ିଆ ସାହିତ୍ୟର ଏକ ପ୍ରସିଦ୍ଧ ଗଦ୍ୟ ସୃଷ୍ଟି । ଗଦ୍ୟର ସମସ୍ତ ଉଚ୍ଚକୋଟିର ଲକ୍ଷଣରେ ଏହା ୠଦ୍ଧିମନ୍ତ । ସଂସ୍କୃତର ‘କାଦମ୍ବରୀ’, ‘କଥାସରିତ ସାଗର’ ଓ ‘ବୃହତ କଥା’ ପରି କଥାଗ୍ରନ୍ଥ ବ୍ୟତୀତ ସମଗ୍ର ଭାରତୀୟ ପ୍ରାନ୍ତୀୟ ଭାଷାରେ ‘ରୁଦ୍ର ସୁଧାନିଧି’ ପରି ଅନୁପମ ଗଦ୍ୟଗ୍ରନ୍ଥ ବିରଳ । ବିଦ୍ୟାପତିଙ୍କ କୀର୍ତ୍ତିଲତାରେ ଥିବା ଗଦ୍ୟାଂଷ ସହିତ ‘ରୁଦ୍ର ସୁଧାନିଧି’ର ଗଦ୍ୟକୁ ତୁଳନା କରାଯାଇପାରେ ।

 

‘ରୁଦ୍ର ସୁଧାନିଧି’ ଗ୍ରନ୍ଥର ଗ୍ରନ୍ଥାକାର ଶିବ ଉପାସକ ଥିଲେ ମଧ୍ୟ ବୈଷ୍ଣବ ଧର୍ମ ପ୍ରତି ଶ୍ରଦ୍ଧାବାନ୍ ଥିଲେ । ନିଜ ବାସସ୍ଥାନ ଓ ଜନ୍ମ ସମୟ ବିଷୟରେ ସେ ମୌନ । ଓଡ଼ିଶାରେ ଶୈବଧର୍ମ ଓଡ଼ିଶୀ ବୈଷ୍ଣବ ଧର୍ମ ଓ ଗୌଡ଼ୀୟ ବୈଷ୍ଣବ ଧର୍ମର ସନ୍ଦିକ୍ଷଣରେ ରୁଦ୍ରସୁଧାନିଧି ରଚିତ ହୋଇଥାଇପାରେ । ଗ୍ରନ୍ଥରେ ଶିବ ବିଷ୍ଣୁ ଓ ଜଗନ୍ନାଥଙ୍କର ସ୍ତୁତିରୁ ଏହା ଅନୁମିତ ହୁଏ । ପୁନଶ୍ଚ ମାଦଳାପାଞ୍ଜିର ଗଦ୍ୟ ଓ ରୁଦ୍ର ସୁଧାନିଧିର ଗଦ୍ୟର ତୁଳନା ଏହି ଧର୍ମ ଧାରଣାକୁ ଦୃଢ଼ୀଭୂତ କରେ । ମାଦଳା ପାଞ୍ଜିର ଗଦ୍ୟ ଆଧୁନିକ ଓଡ଼ିଆ ଗଦ୍ୟର ଅଧିକ ନିକଟବର୍ତ୍ତୀ । ଉଦାହରଣସ୍ଵରୂପ ନିମ୍ନଲିଖିତ ଗଦ୍ୟକୁ ଗ୍ରହଣ କରାଯାଇପାରେ ।

 

୫.

ଜଣେ ବୃଦ୍ଧ ଶିବେଇସାନ୍ତରାକୁ ବୋଇଲେ ବାବୁ ଠାକୁରାଣୀଙ୍କ ପ୍ରସାଦରୁ କିଛି ପାଇବ କି ? ମାଦଳା ପାଞ୍ଜି ପୃ. ୨୪

 

ବର୍ତ୍ତମାନ ପ୍ରଚଳିତ ଓଡ଼ିଆ ଭାଷାରେ ଲେଖିଲେ ଉପରୋକ୍ତ ଗଦ୍ୟାଂଶର ରୂପ ହେବ “ଜଣେ ବୃଦ୍ଧ ଶିବେଇ ସାନ୍ତରାକୁ କହିଲେ “ବାବୁ ଠାକୁରାଣୀଙ୍କ ପ୍ରସାଦରୁ କିଛି ପାଇବ କି ?

 

୬.

ରୁଦ୍ର ସୁଧାନିଧି ଗ୍ରନ୍ଥର ଗଦ୍ୟାଂଶ ଏବଂ ଭୂତ କଳ୍ପମାନନ୍ତ କରି ବଳିପାଳିତ ନିବାରି । କାମ ଦେବାର ପ୍ରାୟେକ ଶରୀର ଗୋଟିକ ଅଛି ଅତ୍ୟନ୍ତ ଯତ୍ନେ ଧରି ପୃ-୧୦୧- ମାଦଳାପାଞ୍ଜିର ଗଦ୍ୟ ରୂପର ପରବର୍ତ୍ତୀ ରଚନା । ମାଦଳାପାଞ୍ଜିର ଗଦ୍ୟ ଶୁଷ୍କ କିନ୍ତୁ ରୁଦ୍ରସୁଧାନିଧି ଗ୍ରନ୍ଥର ଗଦ୍ୟ କାବ୍ୟିକ ।

 

ପୁନଶ୍ଚ ୧୫୦୯-୧୦ରେ ଚୈତନ୍ୟଙ୍କ ଓଡ଼ିଶା ଅଗମନପରେ ଏଠାକାର ଆଧ୍ୟାତ୍ମିକ ଜଗତରେ ସାଂସ୍କୃତିକ ବିପ୍ଲବ ଦେଖାଦେଉଛି । ସାରଳା ଦାସ ଓ ପଞ୍ଚସଖା ଯୁଗର ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ଦ୍ଵିତୀୟ । ବହୁବଚନରେ ବ୍ୟବହୃତ ‘ନ୍ତ’ ପ୍ରତ୍ୟୟରେ ବ୍ୟବହାର ପ୍ରାୟ ଦେଖାଯାଏ ନାହିଁ । ଦାଣ୍ଡି ରାମାୟଣରେ-

 

‘ଦାସୀନ୍ତ ରାଇଣ ଆଜ୍ଞା ଦେଲେ ରାମମାତା

ଅଦୋଷେ ଉପଦେଶ କଲାରେ ଆମ୍ଭନ୍ତ ।’

 

ସାରଳା ମହାଭାରତରେ- ତୋଟାଳ ମାନନ୍ତ ତହିଁ ଆଜ୍ଞା ଅବଧାରିକୁ ଉଦାହରଣ ରୂପେ ଗ୍ରହଣ କରାଯାଇପାରେ । ‘ରୁଦ୍ର ସୁଧାନିଧି’ ଗ୍ରନ୍ଥରେ ବିଷୟନ୍ତ, ଏମାନନ୍ତ କଳୁଷମାନନ୍ତ, ଅସାଧ୍ୟ ମାନନ୍ତ, ଲକ୍ଷଣନ୍ତ ପ୍ରଭୃତି ଏହାର ବହୁଳ ବ୍ୟବହାର ପ୍ରମାଣ କରେ ଯେ ‘ରୁଦ୍ର ସୁଧାନିଧି’ ଗ୍ରନ୍ଥକାର ବଲରାମ ଦାସଙ୍କ ସମସାମୟିକ ।

 

ସେହିପରି ପଞ୍ଚମୀ ବିଭକ୍ତିରେ ତହ୍ୟୁ, ହୁଁ, ସପ୍ତମୀ ବିଭକ୍ତିରେ ହିଁ, ତହିଁ, ପ୍ରତ୍ୟୟର ବ୍ୟବହାରରୁ ଅନୁମାନ କରୁଛେ ଯେ, ଏହାର ରଚନା ସମୟ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ କିଞ୍ଚିତ୍ ପୂର୍ବବର୍ତ୍ତୀ ।

 

***

 

ପାଦଟୀକା :

୧.

ପ୍ରାଚୀନ ଗଦ୍ୟପଦ୍ୟାଦର୍ଶ ମୁଖବନ୍ଧର, ସମ୍ପାଦନା- ଡଃ ଆର୍ତ୍ତବଲ୍ଲଭ ମହାନ୍ତି, ପ୍ରକାଶକ- ଉତ୍କଳ ବିଶ୍ଵବିଦ୍ୟାଳୟ ।

 

ରୁଦ୍ର ସୁଧାନିଧି- ସମ୍ପାଦନା ଡଃ କରୁଣାକର କର, ଓଡ଼ିଶା ସାହିତ୍ୟ ଏକାଡେମୀ, ତୃତୀୟ ସଂସ୍କରଣ-

୧୯୮୬ ପୃ. ୯ ।

୩.

ରୁଦ୍ର ସୁଧାନିଧି (ଓଡ଼ିଆ ସାହିତ୍ୟ ଏକାଡେମୀ) (ତୃତୀୟ ସଂସ୍କରଣ) ପୃ- ୯୧

୪.

ରୁଦ୍ର ସୁଧାନିଧି ସମ୍ପାଦନା- ଡଃ କରୁଣାକର କର । ଓଡ଼ିଶା ସାହିତ୍ୟ ଏକାଡେମୀ ତୃତୀୟ ସଂସ୍କରଣ

୫.

ମାଦଳା ପାଞ୍ଜି- ସମ୍ପାଦନା ଡଃ ଆର୍ତ୍ତବଲ୍ଲଭ ମହାନ୍ତି, ପ୍ରକାଶକ – ଓଡ଼ିଶା ସାହିତ୍ୟ ଏକାଡେମୀ ୨୦୦୧, ପୃ- ୨୪

୬.

ରୁଦ୍ର ସୁଧାନିଧି- ସମ୍ପାଦନା ଡଃ କରୁଣାକର କର, ପ୍ରକାଶକ- ଓଡ଼ିଶା ସାହିତ୍ୟ ଏକାଡେମୀ-୧୯୮୬

 

 

ଅଧ୍ୟାପକ, ଓଡ଼ିଆ ବିଭାଗ

ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ

ଆୟବା, କେନ୍ଦ୍ରାପଡ଼ା

 

***

 

Unknown

ପ୍ରଥମ ଓଡ଼ିଆ ପାଠ୍ୟପୁସ୍ତକର ଲେଖକ

ପଣ୍ଡିତ ବିଶ୍ଵମ୍ବର ବିଦ୍ୟାଭୂଷଣ (ମହାପାତ୍ର)

ଡକ୍ଟର ମନୀନ୍ଦ୍ର ମହାନ୍ତି

 

॥ ଏକ ॥

 

‘ଅତୀତ’ ର କେବେ ‘ଇତି’ ହୁଏନା । ସେ ବିତି ଯାଇଥିଲେ ମଧ୍ୟ ‘ବର୍ତ୍ତମାନ’ରେ ବେଳେବେଳେ ଉଜ୍ଜୀବିତ ହୋଇ ରହିଯାଏ । ଭବିଷ୍ୟତ ପାଇଁ । କେତେବେଳେ ଏହି ‘ଅତୀତ’ ସ୍ମରଣୀୟ ହୋଇଯାଏ ତ କେତେବେଳେ ବିସ୍ମରଣ ହୋଇଯାଏ । କିନ୍ତୁ ଏହା କିୟତ୍‍କ୍ଷଣ ପାଇଁ ସବୁକ୍ଷଣ ପାଇଁ ନୁହେଁ । ଏହା ଭିତରେ ଯେତେବେଳେ ଗୌରବ ଓ ଆନନ୍ଦର କଥା ରହିଯାଏ, ସେତେବେଳେ ଆମ ବୁକୁ କୁଣ୍ଢୋମୋଟ ହୋଇଯାଏ । ଏହି ପ୍ରକାର ‘ଅନୁଭୁତି’ ଓ ‘ଅଭିଜ୍ଞତା’ ଆମକୁ ଏକ ଜାତୀୟତାବୋଧ ବା ଆଦର୍ଶ ପଥରେ ପଥିକ ସଜାଏ । ଏହା ହୁଏତ ‘ସ୍ଥାନୀୟ’ ବା ‘ସାମୟିକ’ ଭାବରେ ହୋଇପାରେ । ନତୁବା ‘ବୃହତ୍’ ବା ‘ସର୍ବକାଳିକ’ ଭାବରେ ହୋଇପାରେ ।

 

ବେଳେବେଳେ ସମୟର ରଥଚକ୍ରତଳେ ଆମର ଏହି ସମାଜର ପ୍ରତିଭାବାନ ବ୍ୟକ୍ତ । ‘ଅତୀତ’ରୁ ‘ବର୍ତ୍ତମାନ’ କ୍ଷେତ୍ରକୁ ଠେଲିହୋଇ ଆସନ୍ତି । ସେହିପରି ଏକ ସ୍ମରଣୀୟ କିନ୍ତୁ, ଏବେ ବିସ୍ମୃତ ବ୍ୟକ୍ତି ହେଲେ- ସ୍ଵର୍ଗତ ପଣ୍ଡିତ ବିଶ୍ଵମ୍ଭର ବିଦ୍ୟାଭୂଷଣ (ମହାପାତ୍ର) । ଏହି ପ୍ରାତଃ ସ୍ମରଣୀୟ ବ୍ୟକ୍ତି କେବଳ ଭଦ୍ରକ ଜିଲ୍ଲାରେ ନୁହେଁ, ସମଗ୍ର ଉତ୍କଳ ଖଣ୍ଡକୁ ଦିନେ ଏକ ସ୍ଵତନ୍ତ୍ର ପରିଚିତ ଆଣି ଦେଇଥିଲା । ମାତ୍ର ଏବେ ଏହା କ୍ରମେ ବିସ୍ମୃତି ଗର୍ଭରେ ଲୀନ ହୋଇଯିବାକୁ ବସିଲାଣି । ତେଣୁ ପୁଣି ସେହି ଅତୀତର ଅନ୍ଧକାରମୟ ରାଜ୍ୟରୁ ତାକୁ ପୁନରୁଦ୍ଧାର କରିବା ଆବଶ୍ୟକ ହୋଇପଡ଼ିଲାଣି ।

 

॥ ଦୁଇ॥

 

ପରାଧିନ ଭାରତବର୍ଷରେ ପ୍ରଥମେ ଇଷ୍ଟଇଣ୍ଡିଆ କମ୍ପାନୀ ନୌବାଣିଜ୍ୟ ଆରମ୍ଭ କରିଥିଲା-। ମରହଟ୍ଟା ଶାସନାଧୀନ ଥିବା ଓଡ଼ିଶାକୁ ୧୬୩୩ ଖ୍ରୀଷ୍ଟାବ୍ଦରେ କଟକ ଜିଲ୍ଲାର ହରିପୁର (ଜଗତସିଂହପୁର ଅନ୍ତର୍ଗତ) ଓ ବାଲେଶ୍ଵର ବନ୍ଦର (ପୁରୁଣା ବାଲେଶ୍ଵର)ଠାରେ ସେହି କମ୍ପାନୀ ବାଣିଜ୍ୟ ବ୍ୟବସାୟ କରୁଥିଲେ । ପରେ ୧୮୦୩ ଖ୍ରୀଷ୍ଟାବ୍ଦରେ ଏହି କମ୍ପାନୀ ସମଗ୍ର ଉତ୍ତର ଓଡ଼ିଶାକୁ ଦଖଲ କରିନେଇଥିଲା ।

 

ଆଧୁନିକ କଲିକତା ନଗରୀର ପ୍ରତିଷ୍ଠାତା ହେଲେ ଇଂରେଜ ଶାସକ ଜବ୍ ଚାର୍ନକ (Job Chainock) । ସେ ପାଟଣାରେ ଥିବାବେଳେ ଜଣେ ଭାରତୀୟ ନାରୀକୁ ସତୀଦାହର ଯୂଇରୁ ଉଦ୍ଧାର କରି ତାକୁ ଧର୍ମପତ୍ନୀରୂପେ ଗ୍ରହଣ କରିଥିଲେ । ସେ ବାଲେଶ୍ଵରରେ ଥିବାବେଳେ ତାଙ୍କ ଧର୍ମପତ୍ନୀଙ୍କର ସ୍ଵାସ୍ଥ୍ୟହାନୀ ହେବାରୁ ଜଳବାୟୁ ପରିବର୍ତ୍ତନ ପାଇଁ ସେ ସମୁଦ୍ରରେ ନୌକାରେ ହୁଗୁଳି ନଦୀରେ ପ୍ରବେଶ କରି ଗୋବିନ୍ଦପୁର ଗ୍ରାମରେ ଥିବା ଡାକବଙ୍ଗଳାରେ ଅବସ୍ଥାନ କରିଥିଲେ ।

 

କିଛିଦିନ ପରେ ତାଙ୍କ ସ୍ତ୍ରୀ ସୁସ୍ଥ ହେଲେ । ତେଣୁ, ଚାର୍ନକ ସାହେବ ସେହି ସ୍ଥାନଟି ସ୍ଵାସ୍ଥ୍ୟ ପାଇଁ ଅନୁକୂଳ ବୋଲି ଭାବି ସେହି ବ୍ୟବସାୟ କେନ୍ଦ୍ର ଗୋବିନ୍ଦପୁରକୁ ସ୍ଥାନାନ୍ତର କଲେ । ତେଣୁ ଗୋବିନ୍ଦପୁର ସୂଚନାଟି ଓ ଗଣ୍ଡାଗ୍ରାମକୁ ନେଇ କଲିକତା ମହାନଗରୀର ମୂଳ ପତନ ହେଲା- ୧୬୯୦ ଖ୍ରୀଷ୍ଟାବ୍ଦରେ । ପରିଣାମରେ ଇଂରେଜ ବାଣିଜ୍ୟ କେନ୍ଦ୍ର ଭାବରେ କଲିକତା କେନ୍ଦ୍ରସ୍ଥାନ ଅଧିକାର କଲା ଓ ବାଲେଶ୍ଵର କ୍ରମେ ତା’ର ପ୍ରାଧାନ୍ୟ ହରାଇଲା । ବାଲେଶ୍ଵରର ପିପିଲି, ଚାନ୍ଦବାଲି ଓ ଭଦ୍ରକ ଅଞ୍ଚଳରୁ ବହୁସଂଖ୍ୟକ ଗୋପାଳମାନେ ଚାନ୍ଦବାଲି ବନ୍ଦରରେ କଲିକତା ଯାଇ ବେପାର ବାଣିଜ୍ୟରେ ତଥା ଚାକିରିରେ ବ୍ୟସ୍ତ ରହିଲେ । ସେମାନେ ମଧ୍ୟ ଇଂରେଜମାନଙ୍କ ଘରେ ବରକନ୍ଦାଜର କାମ କରୁଥିଲେ । କାରଣ, ଓଡ଼ିଶାର ଏହି ଗୋପାଳକ କେବଳ କଷ୍ଟସହିଷ୍ଣୁ ନୁହନ୍ତି, ସାଧୁ ପ୍ରକୃତିର ଲୋକ ଥିଲେ ।

 

କଲିକତାରେ ଇଂରେଜମାନେ ବାଣିଜ୍ୟ କଲାବେଳେ ଜାହାଜରେ ଥିବା ପଣ୍ୟ ଭାରତରୁ ଇଂଲଣ୍ଡ ଓ ସେଠାରୁ ପଣ୍ୟ ଭାରତକୁ ଆଣିବାବେଳେ ମାଲ୍ ଚଢ଼ା ଉତରା ପାଇଁ ବହୁସଂଖ୍ୟାରେ ଶ୍ରମିକ ଆବଶ୍ୟକ ହେଉଥିଲା । ଜାହାଜର ଏହି ଶ୍ରମିକମାନଙ୍କର କାମ ତଦାରଖ କରିବା ପାଇଁ ଏହାର ମୁଖିଆ ବା ସର୍ଦ୍ଦାରମାନେ ଥିଲେ । ଏମାନେ ସବୁ ଭାରତୀୟ ତଥା ଓଡ଼ିଶାବାସୀ ଥିଲେ । ଏହି ସର୍ଦ୍ଦାରମାନେ ବେଶ୍ ଧନଶାଳୀ ହେଲେ । ଇଂରେଜମାନଙ୍କ ପରେ ପରେ ସେମାନେ ତତ୍କାଳୀନ ସମାଜରେ ବେଶ୍ ଅର୍ଥ ଉପାର୍ଜନକାରୀରେ ପରିଣତ ହେଲେ ।

 

ଏହିପରି ଜଣେ ସର୍ଦ୍ଦାର ଥିଲେ- ଗୋପିନାଥ ଖିଲାର ଓରଫ ଗୋପୀ ଖିଲାର । ସେ ଓଡ଼ିଶାର ଏବର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ଅଞ୍ଚଳର ଲୋକ । ସେ କଲିକତାର ବହୁବଜାର (ବଉବଜାର)ର ୮ ନମ୍ବର ଛୁତାରପଡ଼ା ଲେନରେ ବାସ କରୁଥିଲେ । ଦିନେ ସେ ମନସ୍ଥ କଲେ, ତାଙ୍କ ଘର ଅଞ୍ଚଳରେ ବୟାନ ପ୍ରଗଣାର ଜଗନ୍ନାଥପୁର (ଏବର ନନ୍ଦୋର ନିକଟସ୍ଥ) ନିବାସୀ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡାକୁ ନିମନ୍ତ୍ରଣ କରିନେଲେ ।

 

ସେ ଥିଲେ ଯଜୁର୍ବେଦୀୟ କୃଷ୍ଣାତ୍ରେୟ ଗୋତ୍ରର ବ୍ରାହ୍ମଣ । ଠାକୁର ପୂଜକମାନଙ୍କୁ ‘ପଣ୍ଡା’ କୁହାଯାଉଥିଲା । ଶୁଣାଯାଏ କୃଷ୍ଣଚନ୍ଦ୍ରଙ୍କ ପୂର୍ବବଂଶ ଯାଜପୁର ନିକଟବର୍ତ୍ତୀ ଏକ ଗ୍ରାମରୁ ଏହି ଜଗନ୍ନାଥପୁରକୁ ଆସିଥିଲେ । ଏହାର ପ୍ରଥମ ବ୍ୟକ୍ତି ଥିଲେ- ଶ୍ରୀ କୈବଲ୍ୟ କର । ଏହି କୃଷ୍ଣଚନ୍ଦ୍ର ତାଙ୍କରି ବଂଶଧର ଥିଲେ । (୧)

 

ଏହି କୃଷ୍ଣଚନ୍ଦ୍ର ପଣ୍ଡା କଲିକତାର ବହୁବଜାରରେ ଶ୍ରୀ ଗୋପିନାଥ ଖିଲାରଙ୍କ ସାହାଯ୍ୟରେ ‘ଜଗନ୍ନାଥ ବାଡ଼ି’ ସ୍ଥାପନ କରିଥିଲେ । ତେଣୁ ସେଠାରେ ଉତ୍କଳୀୟ ଉତ୍ସବମାନ ସହିତ ଉତ୍କଳର ସାଂସ୍କୃତିକ ପରମ୍ପରାର ପ୍ରତିଷ୍ଠା ହେଲା । ତେଣୁ ଓଡ଼ିଆ ପୂଜକମାନେ ସେଠାରେ କ୍ରମେ ‘ଭଟ୍ଟାଚାର୍ଯ୍ୟ’ ବୋଲି ସମ୍ବୋଧିତ ହେଲେ । (୨)

 

॥ ତିନି ॥

 

କଲିକତାର ବହୁବଜାର ‘ଜଗନ୍ନାଥ ବାଡ଼ି’ର ପୂଜକ କୃଷ୍ଣଚନ୍ଦ୍ର ପଣ୍ଡା ସପରିବାରେ କଲିକତାରେ ରହିଲେ । ଏଠାରେ ତାଙ୍କର ପ୍ରଥମ ସନ୍ତାନ ୧୮୧୧ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ନାମ-ବିଶ୍ଵମ୍ବର । ସେଠାରେ କନ୍ୟାଟିଏ ମଧ୍ୟ ଜନ୍ମ ହୋଇଥିଲା । ନିମ୍ନରେ ତାଙ୍କ ବଂଶଲତା ପ୍ରଦାନ କରାଗଲା ।

 

Image

(ଭଦ୍ରକ ନିକଟସ୍ଥ ଜଗନ୍ନାଥପୁର ଶାସନର ଶ୍ରୀ ଶକ୍ତିପଦ ମହାପାତ୍ରଙ୍କ ସୌଜନ୍ୟରୁ ପ୍ରାପ୍ତ)

 

ବିଦ୍ୟାଶିକ୍ଷା :

ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ପୁତ୍ର ବିଶ୍ଵମ୍ବରର ବିଦ୍ୟାଶିକ୍ଷା ପାଇଁ କଲିକତାରେ ସୁବନ୍ଦୋବସ୍ତ କରିଥିଲେ । ବିଶ୍ଵମ୍ବର ପ୍ରଥମେ ଚତୁଷ୍ପାଠୀରେ ଓ ପରେ କଲିକତା ସଂସ୍କୃତ କଲେଜରେ ପଢ଼ିଥିଲେ-। ସଂସ୍କୃତରେ ଉଚ୍ଚତର ଶିକ୍ଷା ଲାଭ କରିଥିବାରୁ ସେ ‘ବିଦ୍ୟାଭୂଷଣ’ ପଦବୀରେ ଭୂଷିତ ହୋଇଥିଲେ-। କେତେକ କହନ୍ତି- ସେ ଗୋଟିଏ ଗୋଡ଼ରେ ଠିଆହୋଇ ଦୀର୍ଘ ଦିନବ୍ୟାପୀ ଚଣ୍ଡୀପାଠ କରିଥିବାରୁ ସେ ‘ବିଦ୍ୟାଭୂଷଣ’ ଉପାଧି ପ୍ରାପ୍ତ ହୋଇଥିଲେ । (୩)

 

ଶୁଣାଯାଏ, ବିଶ୍ଵମ୍ବର ଈଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କର ସମସାମୟିକ ଥିଲେ । ସେ ସଂସ୍କୃତ କଲେଜରେ ଅଧ୍ୟୟନବେଳେ ବିଦ୍ୟାସାଗରଙ୍କର ବର୍ଷେ ଉପର ଶ୍ରେଣୀରେ ପଢ଼ୁଥିଲେ । (୪)

 

ବିଶ୍ଵମ୍ବର ପ୍ରାୟ ୧୮୪୨ ମସିହା ବେଳକୁ ସ୍ଵଗ୍ରାମ ଓଡ଼ିଶାର ଜଗନ୍ନାଥପୁରକୁ ଲେଉଟିଥିଲେ । ପରେ ଏଠାରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାପରେ ସେ ତାଙ୍କ ମାତା (କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ)କୁ ହରାଇଥିଲେ । ତେଣୁ ତାଙ୍କ ବାପା କୃଷ୍ଣଚନ୍ଦ୍ର ଦ୍ଵିତୀୟ ବିବାହ କରିଥିଲେ ।      

 

॥ ଚାରି ॥

 

ଏହା ପରେପରେ ବିଶ୍ଵମ୍ବର ତାଙ୍କର ଜୀବନ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କ ଜୀବନପଥକୁ ଲକ୍ଷ୍ୟକଲେ ମୁଖ୍ୟତଃ ସେ ତିନିଗୋଟି ସ୍ତରରେ ନିଜ ଜୀବନକୁ ବିତାଇଥିଲେ । ଯଥା- (କ) ଶିକ୍ଷକ, (ଖ) ପାଠ୍ୟପୁସ୍ତକ ଲେଖକ ଜୀବନ, (ଗ) ଓକିଲାତି ଜୀବନ (ଘ) ବିଚାରପତି ଜୀବନ ।

 

(କ) ଶିକ୍ଷକ ଜୀବନ :

କଲିକତାରେ ସଂସ୍କୃତ କଲେଜରେ ଶିକ୍ଷା ଶେଷକରି ବିଶ୍ଵମ୍ବର ନିଜ ଜନ୍ମସ୍ଥାନ ଭଦ୍ରକର ଜଗନ୍ନାଥପୁର ଶାସନକୁ ଲେଉଟିଥିଲେ । ଓଡ଼ିଶାରେ ସେତେବେଳେ ଶିକ୍ଷା କ୍ଷେତ୍ରରେ ଅନୁନ୍ନତ ଅବସ୍ଥାରେ ଥିଲା । ସେତେବେଳେ ଇଷ୍ଟଇଣ୍ଡିଆ କମ୍ପାନୀ ଓଡ଼ିଶାରେ ମାତ୍ର ଦୁଇଗୋଟି ବିଦ୍ୟାଳୟ ସ୍ଥାପନ କରିଥିଲା । ଗୋଟିଏ ପୁରୀରେ ଏବଂ ଅନ୍ୟଟି ମେଦିନୀପୁରଠାରେ । ସେତେବେଳେ ମେଦିନୀପୁର ଓଡ଼ିଶା ଅନ୍ତର୍ଗତ ଥିଲା । ଏହି ଦୁଇଟି ବିଦ୍ୟାଳୟ ୧୮୩୫ ମସିହାରେ ସ୍ଥାପିତ ହୋଇଥିଲା ।

 

୧୮୪୧ ମସିହାରେ କଟକରେ ଏକ ବିଦ୍ୟାଳୟ ସ୍ଥାପିତ ହେଲା- ତତ୍କାଳୀନ କମିଶନର ଏ.ଜେ. ମିଲସଙ୍କ ସହଯୋଗରେ । ସେତେବେଳେ ବିଶ୍ଵମ୍ବର ଏହି ବିଦ୍ୟାଳୟରେ ୧୮୪୧ ମସିହା ଅଗଷ୍ଟ ୧୯ ତାରିଖରେ ହେଡ୍ ପଣ୍ଡିତ ଭାବରେ ଯୋଗ ଦେଲେ । ମାସକୁ ବେତନ କୋଡ଼ିଏ ଟଙ୍କା ମାତ୍ର । ପରବର୍ତ୍ତୀ କାଳରେ ସେ ଓଡ଼ିଆରେ ପାଠ୍ୟପୁସ୍ତକର ଅଭାବ ଦେଖି ସେ ଦିଗରେ ମନୋନିବେଶ କରିଥିଲେ । ସେ ୧୮୫୦ ମସିହାର ଫେବୃୟାରୀ ମାସ ପର୍ଯ୍ୟନ୍ତ ଏଠାରେ ଶିକ୍ଷକତା କରିଥିଲେ । ପରେ ସେ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ ।

 

(ଖ) ପାଠ୍ୟପୁସ୍ତକ ଲେଖକ ଜୀବନ :

ବିଶ୍ଵମ୍ବର ଯେତେବେଳେ ୧୯୪୧ ମସିହାରେ କଟକ ସ୍କୁଲରେ ଯୋଗ ଦେଇଥିଲେ, ସେତେବେଳେ ଓଡ଼ିଆରେ ପାଠ୍ୟପୁସ୍ତକ ରଚିତ ହୋଇ ନ ଥିଲା । ତେଣୁ ଓଡ଼ିଆ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠ୍ୟପୁସ୍ତକର ଆବଶ୍ୟକ ପଡ଼ିଲା ।

 

ଏହି କଟକ ସ୍କୁଲର ପରିଚାଳନା କମିଟି ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ୧୮୪୨ ମସିହା ସେପ୍ଟେମ୍ବର ୧୦ ତାରିଖରେ ଏକ ପ୍ରସ୍ତାବ ଦେଲା ଯେ ଓଡ଼ିଆ ପାଠ୍ୟପୁସ୍ତକ ପାଇଁ ରେଭାରେଣ୍ଡ ସଟନ ସାହେବ ଏବେ ସରକାରୀ ସ୍କୁଲର ହେଡ୍ ପଣ୍ଡିତ ବିଶ୍ଵମ୍ବର ବିଦ୍ୟାଭୂଷଣଙ୍କୁ ଏହି ଦାୟିତ୍ଵ ଦିଆଯାଉ । (୫) ଏହି ସ୍ଥାନୀୟ ପରିଚାଳନା ସମିତିର ପ୍ରସ୍ତାବକୁ ଓଡ଼ିଶାର ଶିକ୍ଷା କାଉନସିଲ୍ ଗ୍ରହଣ କରିଥିଲା ।

 

ତେଣୁ ସଟନ୍ ସାହେବଙ୍କ ସହିତ ସ୍କୁଲର ପଣ୍ଡିତ ମଧ୍ୟ ଯୋଗ ଦେଇଥିଲେ । ତେଣୁ କଟକ ସ୍କୁଲର ଚତୁର୍ଥ ବାର୍ଷିକ ବିବରଣୀରୁ ଜଣାଯାଏ- ଏହି ପ୍ରସ୍ତାବକୁ ଗ୍ରହଣ କରଥିଲା । ତେଣୁ ଏହି ବିବରଣୀରେ ଗୋଟିଏ ସ୍ଥାନରେ ଲେଖାଥିଲା- ‘x x x the Council concerned in the local committees suggestion for the provision of Oorya class books and the latter body having reported that the Pandit had completed and printed an Oorya grammar consisting 25/2 Mo pages which was for sale at six annas a copy…..”(6)

 

୧୮୪୨ ମସିହାରେ ବିଶ୍ଵମ୍ବର ୬୦ ପୃଷ୍ଠା ବିଶିଷ୍ଟ ଓଡ଼ିଆ ବ୍ୟାକରଣ ଲେଖିଥିଲେ । ଏହା ଜଣେ ଓଡ଼ିଆ ଦ୍ଵାରା ରଚିତ ପାଠ୍ୟପୁସ୍ତକ । (୭)

 

ଓଡ଼ିଆ ଭାଷା ଦିଗରେ ବିଶ୍ଵମ୍ବର ବିଦ୍ୟାଭୂଷଣଙ୍କ ଅବଦାନକୁ ଲକ୍ଷ୍ୟକରି ୧୮୫୭-୫୮ରେ ଦକ୍ଷିଣ ପଶ୍ଚିମ ବେଙ୍ଗଲର ସ୍କୁଲ ବିଭାଗର ଇନ୍ସପେକ୍ଟର ଡକ୍ଟର ରୋଆର ତାଙ୍କ ବିବରଣୀରେ ଗୋଟିଏ ସ୍ଥାନରେ ଲେଖାଥିଲା- “ A number of Oorya words of this time has been for sometime in existence, first undertaken by the late Rev. A Sutton, to whom the Oorya language is immeasurably indebted and who may be considered almost as its creater as a written language and continued by Baboo Biswambhar Bidyabhusan and Mr. Lacey.” (8)

 

ତେଣୁ ତତ୍କାଳୀନ ଇନ୍ସପେକ୍ଟର ରୋଆର ବାବୁ ବିଶ୍ଵମ୍ବରଙ୍କୁ ଓଡ଼ିଆ ଶିକ୍ଷାର ପ୍ରସାର ପାଇଁ ଧନ୍ୟବାଦ ଦେଇଥିଲେ । ସେ ଲେଖିଥିଲେ- “Thanks to Baboo Biswambhar Bidyabhusan and Madhusudan Patnaik, Deputy collector Khurdah for Promoting education among Ooryas.” (9)

 

କେବଳ ସେତିକି ନୁହେଁ, ସେ ୧୮୪୭ ମସିହାରେ ଅଙ୍କ ପୁସ୍ତକଟିଏ ମଧ୍ୟ ଲେଖିଥିଲେ । ଏହାର ପୃଷ୍ଠାସଂଖ୍ୟା ଥିଲା- ୧୦୪ ପୃଷ୍ଠା । (୧୦) (Elements of Arithmatic- Cuttack.)

 

ଏହି ପାଠ୍ୟପୁସ୍ତକ ରଚନାର ପ୍ରଭାବ ତାଙ୍କ ସାନଭାଇ (ବୈମାତୃକ କନିଷ୍ଠାଭ୍ରାତା) ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମହାପାତ୍ର (୧୮୪୫-୧୯୦୭) ଉପରେ ପଡ଼ିଥିଲା । ଫଳରେ ସେ ବିଦ୍ୟାଳୟର ପାଠ୍ୟପୁସ୍ତକ ‘ହିତ ପାଠ” (୧୮୭୪) ସଂସ୍କୃତ ମହାଭାରତର ଓଡ଼ିଆ ଗଦ୍ୟାନୁବାଦ (୧୮୯୭) ଆଦି ରଚନା କରି ଓଡ଼ିଆ ପାଠ୍ୟପୁସ୍ତକ ତଥା ଓଡ଼ିଆ ସାହିତ୍ୟ ଇତିହାସରେ ଅମର ହୋଇଯାଇଛନ୍ତି ।

 

(ଗ) ଓକିଲାତି ଜୀବନ :

୧୮୫୦ ମସିହାରେ ବିଶ୍ୱମ୍ବର ଶିକ୍ଷକ ପଦରୁ ଇସ୍ତଫା ଦେଇ କଟକରେ ଓକିଲାତି ବ୍ୟବସାୟ ଆରମ୍ଭ କଲେ । ଏଥିପାଇଁ ଏବେବି ଜଗନ୍ନାଥପୁର ଅଞ୍ଚଳରେ ତାଙ୍କର ବଂଶଧରମାନଙ୍କୁ ଓକିଲ ବାବୁଘର ବୋଲି ଡାକୁଛନ୍ତି । ସେ ଭଲ ଅର୍ଜି (Petition) ଲେଖି ପାରୁଥିଲେବି ତାଙ୍କର ବେଶ୍ ସୁନାମ ଥିଲା ।

 

(ଘ) ବିଚାରପତି ଜୀବନ :

ସେ ଦୁଇ ବର୍ଷ ଓକିଲାତି କଲାପରେ ଆଇନ କମିଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୯୫୩ ମସିହାରେ ସେ ମୁନସିଫ୍ (Munsif) ଭାବରେ ଧାମନଗରରେ ଯୋଗ ଦେଇଥିଲେ । ତେଣୁ ସେଥିଲେ ପ୍ରଥମ ଓଡ଼ିଆ ମୁନସଫ (୧୧) ସେତେବେଳେ ତାଙ୍କର ମାସିକ ବେତନ ଥିଲା ଏକଶହ ଟଙ୍କା ମାତ୍ର ।

 

ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରସାର ହେଉ ଏବଂ ଓଡ଼ିଆମାନେ ଉଚ୍ଚଶିକ୍ଷିତ ହୋଇ ବିଭିନ୍ନ ଦିଗରେ ପ୍ରତିଷ୍ଠିତ ହୋଇ ସୁନାମ ଅର୍ଜନ କରନ୍ତୁ, ଏହାହିଁ ଥିଲା ତାଙ୍କ ଜୀବନର ଏକ ମହତ ଲକ୍ଷ୍ୟ । ତେଣୁ ସେ ଶିକ୍ଷକତା କଲାବେଳେ କେବଳ ପାଠ୍ୟପୁସ୍ତକ ରଚନା ଦିଗରେ ମନୋନିବେଶ କରି ନ ଥିଲେ । ଯାଜପୁରରେ ମୁନସଫ୍ ଥିଲାବେଳେ ସେ ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ, ପରେ ଏହା ହାଇସ୍କୁଲରେ ପରିଣତ ହୋଇଥିଲା ।

 

ସେ ମୁନସଫ୍ ଭାବରେ ପରେ ସେ ଦାନ୍ତୁଦ, କେନ୍ଦ୍ରାପଡ଼ା ଓ କାନ୍ଥି ଆଦି ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲେ । ସେ ମୁନସଫ୍ ଥିଲାବେଳେ ଓଡ଼ିଶାରେ ସେ ଜଣେ ଓଡ଼ିଆ, ବଙ୍ଗାଳୀ ଓ ସଂସ୍କୃତ ଭାଷାର ଜଣେ ପଣ୍ଡିତ ଭାବରେ ସୁପରିଚିତ ଥିଲେ । ତେଣୁ ଓଡ଼ିଶାର କମିଶନର କକାବାର୍ଣ୍ଣ ତାଙ୍କର ରିପୋର୍ଟରେ (୧୮୫୮-୫୯) ଗୋଟିଏ ସ୍ଥାନରେ ସ୍ପଷ୍ଟ ଲେଖିଥିଲେ- “Jajpur- The Munsif of the Place Viswambhar Vidyabhusan is one of the best Oriya scholars acquainted with Bengali and Sanskrit.” (12)

 

ବିଶ୍ଵମ୍ବର ମୁନସଫ୍ ଭାବରେ ତତ୍କାଳୀନ ଇଂରେଜ ସରକାରଙ୍କର ପ୍ରିୟଭାଜନ ହୋଇଥିଲେ । ତେଣୁ ସେ ସବଜନ୍ (ସଦର ଆଲା) ଉପାଧିକୁ ଉନ୍ନୀତ ହୋଇଥିଲେ ।

 

ଯେତେବେଳେ ଊନବିଂଶ ଶତାବ୍ଦୀରେ ମଧ୍ୟଭାଗରେ ଓଡ଼ିଶାର ବ୍ରାହ୍ମଣମାନେ ତନ୍ତ୍ର ସାଧନାର ବାଣୀରେ ନିମଗ୍ନ ଥିଲେ ଏବଂ ପୁରୀର ଷୋହଳ ଶାସନରେ ଆଧୁନିକ ଶିକ୍ଷା ପ୍ରବେଶ କରିପାରି ନ ଥିଲା, ସେତେବେଳେ ରାଜ୍ୟର ଏହି ଦୁର୍ଦ୍ଦିନବେଳେ ସଂସ୍କୃତଭାଷା ଓ ସାହିତ୍ୟରେ ଉଚ୍ଚଶିକ୍ଷିତ ହୋଇ ନିଜ ମାତୃଭୂମି ଓଡ଼ିଶାରେ ବିଦ୍ୟାଶିକ୍ଷାର ବିକାଶ ପାଇଁ ପ୍ରଚଣ୍ଡ ଉଦ୍ୟମ କରିଥିଲେ । ତେଣୁ ୧୮୭୨ ମସିହାରେ ଉଇଲିୟମ୍ ହଣ୍ଟର ସାହେବ ‘ଓଡ଼ିଆ’ (ଦ୍ଵିତୀୟ ଭାଗ) ପୁସ୍ତକର ୧୪୬ ପୃଷ୍ଠାରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ । “The first Uria Brahman who accepted service under the English Government tired hard to overcome this national prejudice. Himself a subordinate Judge, he offered to prepare other Uria Brahman’s gratuitously for official posts. But it was with great difficulty that he could get a single and of them listed to his proposal.:” (13)

 

୧୮୬୫ ମସିହାରେ ବିଶ୍ଵମ୍ବର ବିଦ୍ୟାଭୂଷଣଙ୍କ ପିତା-ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା (ମହାପାତ୍ର)କର ଦେହାନ୍ତ ହୋଇଥିଲା । ତେଣୁ ସେ ଭଦ୍ରକର ଜଗନ୍ନାଥପୁର ଶାସନକୁ ଆସି ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇଥିଲେ । ଶ୍ରାଦ୍ଧାଦି କାର୍ଯ୍ୟ ଶେଷକରି କଲିକତାର ହୁଗୁଳି ଗଙ୍ଗାନଦୀରେ ପିତାଙ୍କର ଅସ୍ଥି ବିସର୍ଜନ କରିବାପାଇଁ ଯିବାପଥରେ ଦାନ୍ତୁନଠାରେ ସେ ହଇଜା ରୋଗରେ ଆକ୍ରାନ୍ତ ହେଲେ । ସେଠାରେ ତାଙ୍କର ୫୪ ବର୍ଷ ବୟସରେ ସ୍ଵର୍ଗବାସ ହେଲା । ଓଡ଼ିଶାର ଜଣେ ଓଡ଼ିଆ ପୁଅର ଜୀବନ ସଂଗ୍ରାମର ଅବସାନ ଘଟିଲା । ତତ୍କାଳୀନ ଓଡ଼ିଶାର ଗର୍ବ ଓ ଗୌରବର ଲୀନ ହେଲା ।

 

ଅବଶ୍ୟ, ତାଙ୍କ ତାଙ୍କର ସାନଭାଇ (ବିମାତାପୁତ୍ର) ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମହାପାତ୍ର (୧୮୪୫-୧୯୦୭) ତାଙ୍କର ଅଧାକାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ । ଓଡ଼ିଆ ପାଠ୍ୟପୁସ୍ତକ ରଚନା ସହିତ ଓଡ଼ିଆ ସାହିତ୍ୟର ବିକାଶ ପାଇଁ ତାଙ୍କର ଅବଦାନକୁ ଅସ୍ଵୀକାର କରି ହେବ ନାହିଁ । (୧୪)

 

ମାତ୍ର ଆଶ୍ଚର୍ଯ୍ୟ କଥା, ଏ ପର୍ଯ୍ୟନ୍ତ ବିଶ୍ଵମ୍ବର ବିଦ୍ୟାଭୂଷଣ ଏବଂ ପଣ୍ଡିତ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ ଜୀବନୀ ଓ କୃତିକୁ କେବଳ ଭଦ୍ରକ ଅଞ୍ଚଳର ବୁଦ୍ଧିଜୀବୀ କିମ୍ବା ଓଡ଼ିଶାର ବୁଦ୍ଧିଜୀବୀ ଜାଣି ନାହାନ୍ତି, ନତୁବା ଅଳ୍ପ କିଛି ଗବେଷକ ଜାଣିଥିଲେ ବି ତାଙ୍କର ସ୍ମୃତିରକ୍ଷା ଦିଗରେ ମନୋନିବେଶ କରି ନାହାନ୍ତି । ତାଙ୍କ ବଂଶଧରମାନଙ୍କ ତରଫରୁ ମଧ୍ୟ ବିଶେଷ କିଛି କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ନାହିଁ । କେବଳ ଡକ୍ଟର ଭାରତୀ ମହାପାତ୍ର ଏବଂ ଶ୍ରୀ କୈଳାସ ଚନ୍ଦ୍ର ମହାପାତ୍ର ଦୁହିଁଙ୍କ ବିଷୟରେ ଦୁଇଖଣ୍ଡ ବହି ଯଥାକ୍ରମେ ଓଡ଼ିଆ ଓ ଇଂରାଜୀରେ ଲେଖିଛନ୍ତି ।

 

ବହୁ ଶିକ୍ଷାବିଭାଗର ଗବେଷକ ଓ ଓଡ଼ିଆ ଭାଷା ଅଧ୍ୟୟନର ଗବେଷକମାନେ ଏହି ଦୁଇଭାଇଙ୍କ ନାମ ଉଲ୍ଲେଖ କରିଛନ୍ତି । କିନ୍ତୁ ସେମାନଙ୍କର ଧାମ ବା ବୃତ୍ତାନ୍ତ ଦିଗରେ ଆଗ୍ରହ ଦେଖାଇ ନାହାନ୍ତି । ଏହି ଅବହେଳା ଏପରି ହେଲାଣି ଯେ ଏବେ ସେହି ଦୁଇଭାଇ କ୍ରମେ ବିସ୍ମୃତିର ଗର୍ଭରେ ଲୀନ ହୋଇଯିବାକୁ ବସିଲେଣି ।

 

ଏ ଦିଗରେ ପ୍ରଥମ କର୍ତ୍ତବ୍ୟ ହେଲା ସେହି ଦୁଇଭାଇଙ୍କ ପାଇଁ ସ୍ମୃତିରକ୍ଷା କରିବା । ଯେହେତୁ ବିଶ୍ଵମ୍ବର ବିଦ୍ୟାଭୂଷଣ ପ୍ରଥମ ଓଡ଼ିଆ ମୁନସଫ୍ । ତେଣୁ ଓଡ଼ିଶାର ବିଚାରପତି ପରିଷଦ ତରଫରୁ ତାଙ୍କ ସ୍ମୃତିରକ୍ଷା ପାଇଁ ସ୍ଵତନ୍ତ୍ର ହେବା ଆବଶ୍ୟକ । କଚେରି ବା ବିଚାରାଳୟ ପରିସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେବା ସହିତ ଜନ୍ମୋତ୍ସବ ପାଳିତ ହେବା ଉଚିତ । ତାଙ୍କ ପ୍ରସଙ୍ଗରେ ଏବେ ସ୍ଵତନ୍ତ୍ର ପୁସ୍ତକ ପ୍ରକାଶ ପାଇବା ଆବଶ୍ୟକ । ଓଡ଼ିଶାର ସବୁ ବିଚାରାଳୟରେ ତାଙ୍କର ଫଟୋ ସ୍ଥାନିତ ହେବା ଆବଶ୍ୟକ । ତାଙ୍କ ଜନ୍ମସ୍ଥାନ ଭଦ୍ରକର ଜଗନ୍ନାଥପୁର ଶାସନରେ ନିଜ ଜନ୍ମପୀଢ଼ିରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନା ସହିତ ସ୍ଵତନ୍ତ୍ର ସ୍ମୃତି ସଂସଦ ମଧ୍ୟ ଗଠିତ ହେବ ଆବଶ୍ୟକ । ଏଥିପାଇଁ ଉଭୟ ଜଗନ୍ନାଥପୁର ଓ ବାରିପଦାରେ ବାସ କରୁଥିବା ତାଙ୍କ ବଂଶଧରମାନେ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

 

ଆଶା କରାଯାଉ, ବିଶ୍ଵମ୍ବରଙ୍କ ଦେହାବସାନର ଦୀର୍ଘ ୧୪୮ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଓଡ଼ିଆ ବ୍ୟକ୍ତି ତାଙ୍କର ସ୍ମୃତି ରକ୍ଷାପାଇଁ ଉଦ୍ୟମ କରି ନାହାନ୍ତି ।

 

ତଥାପି, ସମୟ ଅଛି, କେବଳ ଓଡ଼ିଆବାସୀ କିମ୍ବା କିଛି ନ ହେଲେ ଭଦ୍ରକ ଅଞ୍ଚଳର ବୁଦ୍ଧିଜୀବୀମାନେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ନାହିଁ ମାମୁଠାରୁ କଣାମାମୁ ଭଲ ।’

 

ପାଦଟୀକା :

ଊନବିଂଶ ଶତାବ୍ଦୀର ଦୁଇ ଅମ୍ଲାନ ପ୍ରତିଭା- ବିଶ୍ଵମ୍ବର ବିଦ୍ୟାଭୂଷଣ ଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ର- ଡକ୍ଟର ଭାରତୀ ମହାପାତ୍ର- ପ୍ରକାଶକ : ଓମ୍ ପ୍ରକାଶ ମହାପାତ୍ର ଦାହାରାନ୍, ସାଉଦି ଆରବ- ୧୯୯୧-ପୃ :୫)

ତତ୍ରୈବ- ପୃ : ୫ ।

ଭଦ୍ରକ ନିକଟସ୍ଥ ଜଗନ୍ନାଥ ପୁର ଶାସନରୁ ଶ୍ରୀ ଶକ୍ତିପଦ ମହାପାତ୍ରଙ୍କଠାରୁ ପ୍ରାପ୍ତ

ଡଃ ଭାରତୀ ମହାପାତ୍ର- ପୃ : ୬

ତତ୍ରୈବ ପୃ : ୭

ତତ୍ରୈବ ପୃ : ୮

(କ) ତତ୍ରୈବ – ପୃ : ୮ – ମାତ୍ର ଡ. ନଟବର ସାମନ୍ତରାୟ ୧୮୪୩ ମସିହାରେ ରଚିତ ବୋଲି ମତ ଦିଅନ୍ତି- ୧୯୫୬- ପୃ. ୧୦୧

 

(ଖ) ଓଡ଼ିଆ ଭାଷାଚର୍ଚ୍ଚାର ପରମ୍ପରା- ପ୍ର. ଗଗନେନ୍ଦ୍ର ନାଥ ଦାସ- ଓଡ଼ିଆ ଗବେଷଣା ପରିଷଦ- କଟକ-୧୦, ୧୯୮୩ ପୃ : ୨୯

ତତ୍ରୈବ- ପୃ : ୯

ତତ୍ରୈବ- ପୃ : ୯

୧୦

ତତ୍ରୈବ- ପୃ : ୯

୧୧

ରତ୍ନକୋଷ- ୧୯୩୫- ପୃ : ୪୨୨

 

ସେ ଓଡ଼ିଶାର ପ୍ରଥମ ବ୍ରାହ୍ମଣ, ଯେ କି ବ୍ରିଟିଶ ସରକାରଙ୍କ କର୍ମଚାରୀ ରୂପେ ନିଯୁକ୍ତ ହୋଇଥିଲା (ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ପୃ :୯)

 

୧୨

ଡଃ ଭାରତୀ ମହାପାତ୍ର- ପୃ : ୧୦

୧୩

ତତ୍ରୈବ- ପୃ : ୧୦-୧୧

୧୪

ଏହି ପ୍ରସଙ୍ଗରେ ଡଃ ଭାରତୀ ମହାପାତ୍ରଙ୍କର ଗ୍ରନ୍ଥ ଦ୍ରଷ୍ଟବ୍ୟ ।

୧୫

(କ) ଊନବିଂଶ ଶତାବ୍ଦୀର ଦୁଇ ଅମ୍ଲାନ ପ୍ରତିଭା- ବିଶ୍ଵମ୍ବର ବିଦ୍ୟାଭୂଷଣ ଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ର- ଡକ୍ଟର ଭାରତୀ ମହାପାତ୍ର (ଶାସ୍ତ୍ରୀ)

 

(ଖ) Biswambhar Bidyabhusan and Gobinda Chandra Mahapatra- Two Pioneers of the Oriya Renaissance- Sri Kailash Chandra Mahapatra

 

ତଥ୍ୟ ସଂଗ୍ରହ ଓ ସହାୟକ ପୁସ୍ତକ/ ପତ୍ରିକା

(କ)

ତଥ୍ୟ ସଂଗ୍ରହ

 

(୧)

ଭଦ୍ରକର ଜଗନ୍ନାଥପୁର ଶାସନ (ଶହୀଦ ନଗର)ର ଶ୍ରୀ ଶକ୍ତିପଦ ମହାପାତ୍ର, ସୁମିତ୍ରା ମହାପାତ୍ର, ସମୀପ ମହାପାତ୍ର, ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି ଶ୍ରୀ ଧର୍ମେନ୍ଦ୍ର ବେହେରା ।

 

(୨)

ମୟୂରଭଞ୍ଜର ବାରିପଦାସ୍ଥିତ ଲାଲବଜାର-

ଶ୍ରୀ ଅଜୟ କୁମାର ମହାପାତ୍ର, ଡକ୍ଟର ରାଜକିଶୋର ନାୟକ

 

(ଖ)

ସହାୟକ ପୁସ୍ତକ/ପତ୍ରିକା-

 

୧.

ଊନବିଂଶ ଶତାବ୍ଦୀର ଦୁଇ ଅମ୍ଲାନ ପ୍ରତିଭା- ବିଶ୍ଵମ୍ବର ବିଦ୍ୟାଭୂଷଣ ଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ର- ଡକ୍ଟର ଭାରତୀ ମହାପାତ୍ର (ଶାସ୍ତ୍ରୀ) – ଓମ୍ ପ୍ରକାଶ ମହାପାତ୍ର – ଦାରାୟସ୍- ସାଉଦି ଆରବ- ୧୯୯୧

 

୨.

Biswambhar Bidyabhusan and Gobinda Chandra Mahapatra- Two Pioneers of the Oriya Renaissanu- Sri Kailash Chandra Mahapatra N- 30- Nayapalli- BBSR- 1992

 

୩.

ରତ୍ନକୋଷ ବା ବୃହତ ବିବିଧ ସଂଗ୍ରହ – ଶ୍ରୀ ଭାଗିରଥୀ ମହାପାତ୍ର- ୧୯୩୫- ଅରୁଣୋଦୟ ପ୍ରେସ୍- କଟକ

 

୪.

ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତିଭୂମି- ଡକ୍ଟର ନଟବର ସାମନ୍ତରାୟ- ଗ୍ରନ୍ଥାଳୟ-ୟୁନିଟ୍-୨ ଭୁବନେଶ୍ଵର ୧୯୬୪, ୧୯୮୧ ।

 

୫.

ଓଡ଼ିଆ ସାହିତ୍ୟର ସାମାଜିକ ପୃଷ୍ଠଭୂମି- ଡକ୍ଟର ମହେଶ୍ଵର ମହାନ୍ତି- କାହାଣୀ- କଲ୍ୟାଣନଗର, କଟକ- ୧୩- ୧୯୯୮

 

୬.

ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା- ଡକ୍ଟର ଗଗନେନ୍ଦ୍ର ନାଥ ଦାସ- ଓଡ଼ିଆ ଗବେଷଣା ପରିଷଦ- କଟକ-୧୦ ୧୯୮୩

 

୭.

ଡଗର- (ସଂସ୍କୃତ ମହାଭାରତରୁ ଓଡ଼ିଆ ଗଦ୍ୟାନୁବାଦର ବିବରଣ- ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ-)- ୩୧ଶ ବର୍ଷ- ୬ଷ୍ଠ ସଂଖ୍ୟା- ଡିସେମ୍ବର- ୧୯୯୭ ।

 

ନୂଆବଜାର, ଭଦ୍ରକ

 

***

 

ଉପେନ୍ଦ୍ର ଭଞ୍ଜଙ୍କ ରସଚାତୁରୀ

ଡକ୍ଟର ଶରତ ଚନ୍ଦ୍ର ପରିଡ଼ା

 

ନବଚେତନାର ବାହକ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ କବି ପ୍ରତିଭା ଓ କାବ୍ୟ ଉତ୍କର୍ଷ ଅସାମାନ୍ୟ । ରାଜବଂଶଜ ହେଲେ ମଧ୍ୟ ରାଜଗାଦିର ମୋହତ୍ୟାଗ କରି ଫେରୁଥିଲେ ସବୁଦିନ ପାଇଁ । ଆଦରି ନେଇଥିଲେ ସାରସ୍ଵତ ସାଧନା ଶ୍ରୀରାମ ଚନ୍ଦ୍ରଙ୍କୁ ଆରାଧନା କରି । ସେ ହେଉଛନ୍ତି ମଧ୍ୟଯୁଗୀୟ ରୀତିସାହିତ୍ୟ (୧୬୫୦-୧୮୫୦)ର ମଉଡ଼ମଣି । ସେ ଓଡ଼ିଶାର ସାର୍ବଭୌମ କବି । ତାଙ୍କର ରସମୟ ଅଲୌକିକ କାବ୍ୟମାଧୁରୀ କାଳେ କାଳେ ସହୃଦୟ ରସିକ ପାଠକମାନଙ୍କୁ ମନ୍ତ୍ରମୁଗ୍ଧ କରି ଚାଲିଛି । ଏଥିରେ ସନ୍ଦେହ ନାହିଁ । ତୁଳନା କଲେ ସମସାମୟିକ ଭାରତୀୟ ସାହିତ୍ୟର ଯେ କୌଣସି କବିଙ୍କଠାରୁ ସେ ଉର୍ଦ୍ଧ୍ୱରେ ରହିବେ ।

 

ସେ ଥିଲେ ସତ୍ୟ ଶିବ ଓ ସୁନ୍ଦରର ଉପାସକ । ସେ ଥିଲେ ରୂପ ଓ ରୂପାତୀତ ଓ ଇନ୍ଦ୍ରିୟ, ଇନ୍ଦ୍ରିୟାତୀତ, ଶବ୍ଦ ଓ ବ୍ୟଞ୍ଜନ ତଥା କାମ ଓ ପ୍ରେମର କବି । ସେଥିରେ ରୀତି ଓ ରସର କବି । ଦେହ ଓ ଦେହର ପ୍ରବୃତ୍ତି ଉପରେ ସେ ଗୁରୁତ୍ଵ ଦେଇଛନ୍ତି । ସେ ପୁରାଣ ଓ କଳ୍ପନାର କବି ଥିଲେ ମଧ୍ୟ ଦେହର ଦାବିକୁ ଅଣଦେଖା କରି ନାହାନ୍ତି । ସୌନ୍ଦର୍ଯ୍ୟର କବି ଭଞ୍ଜଙ୍କ କାବ୍ୟରେ ନାୟକ-ନାୟିକାଙ୍କ ପ୍ରେମ ସୁନ୍ଦର । ପ୍ରତ୍ୟେକଟି ଅଙ୍ଗ ସୁନ୍ଦର । ବାଣୀ ସୁନ୍ଦର । ଏହି ନାୟକ ନାୟିକାଙ୍କ ପାଇଁ ପ୍ରକୃତି ସୁନ୍ଦର । ସୁନ୍ଦର ସେମାନଙ୍କର ମିଳନ । ସୁନ୍ଦର ସେମାନଙ୍କର ବିଚ୍ଛେଦ । ଜୀବନ ଓ ଆନନ୍ଦର ସେ ରୂପକାର । ତାଙ୍କ କାବ୍ୟରେ ନାରୀ ଦିବ୍ୟ ପୁରୁଷ ଓ ଦିବ୍ୟ ପ୍ରେମ, ଦିବ୍ୟ କାମ, ଦିବ୍ୟ ଓ ସର୍ବୋପରି ସମଗ୍ର ଜଗତ ହିଁ ଦିବ୍ୟ ।

 

କାମ ଓ ଯୌନ ହେଉଛି ଜୀବମାତ୍ରେ ଏକ ଜୈବିକ ଆବଶ୍ୟକତା- ଏ ବାସ୍ତବତାକୁ ସେ କେବେ ଭୁଲିନାହାନ୍ତି । କିନ୍ତୁ ଏହି ଆଦିମ ଜାନ୍ତବ ପ୍ରବୁତ୍ତିକୁ ବହୁମୁଖୀ କରି ବ୍ୟକ୍ତିଗତ, ପାରିବାରିକ ତଥା ସାମାଜିକ ଅଧୋପତନକୁ ଆମନ୍ତ୍ରଣ କରିବା ସେ ସହିପାରିନାହାନ୍ତି । କାରଣ କବି ସେ । ସମସ୍ତେ ଭଲ କ’ଣ ଜାଣନ୍ତୁ ଓ ଭଲ ହୋଇ ଯା’ନ୍ତୁ । ଏହା ତାଙ୍କର କାମନା । କବି କେବଳ ସମାଜର ଜାଗ୍ରତ ପ୍ରହରୀ ନୁହେଁ । ସେ ପୁରୋହିତ ମଧ୍ୟ । ମଧ୍ୟଯୁଗର ମୋଗଲ ଶାସକ ତଥା ତାଙ୍କୁ ଅନୁକରଣ କରୁଥିବା ସାମନ୍ତଗୋଷ୍ଠୀଙ୍କ ବିଳାସିତ ଓ ବହୁନାରୀ ସଂଭୋଗ ସମାଜକୁ ଅବକ୍ଷୟ ଆଡ଼କୁ ଟାଣି ନେଉଥିଲା । ପଞ୍ଚସଖାଙ୍କ ସନ୍ଥ ସାହିତ୍ୟ ଓ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପ୍ରଚାରିତ କୃଷ୍ଣପ୍ରେମ ତତ୍କାଳୀନ ସମାଜରେ ଏକ ବିଡ଼ମ୍ବିତ ପରିସ୍ଥିତି ସୃଷ୍ଟି କରୁଥିଲା । ପ୍ରେମଭକ୍ତିର ଏକ ନୂତନ ଆନ୍ଦୋଳନ ଦେଖାଗଲା । ଯିବ ଆପଣାକୁ ପ୍ରଣୟିନୀ ଓ ପରମକୁ ପ୍ରଣୟୀ ରୂପେ କଳ୍ପନା କରି ଆତ୍ମସତ୍ତା ଭୁଲି ପରମଙ୍କ ସହ ଅଭିନ୍ନତା ପ୍ରାପ୍ତି ହେବା ହେଉଛି ପ୍ରେମଭକ୍ତି । ଏହି ଅନୁରାଗ ଜନିତ ପ୍ରେମକୁ ପରକୀୟା କୁହାଯାଏ । ଏହି ଗଭୀର ଆତ୍ମତତ୍ତ୍ଵକୁ ଉପଲବ୍ଧି କରିବା ସିଦ୍ଧ, ଯୋଗୀ ସନ୍ନ୍ୟାସୀ ଓ ନିଷ୍କାମ ଭକ୍ତଙ୍କ ବିନା ବୁଝିବାକୁ କିଏ ସମର୍ଥ ? ପାର୍ଥିବ ବୁଦ୍ଧିସର୍ବସ୍ଵ ସାଧାରଣ ଜନତା ରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମକୁ ପ୍ରାକୃତ ଓ ପ୍ରେମରୂପେ ଗ୍ରହଣ କରି ପରକୀୟା ପ୍ରୀତିର ରସ ଆସ୍ଵାଦନ କରିବା ପାଇଁ ମନ ବଳାଇଲେ । କି ଗୃହସ୍ଥ କି ସନ୍ନ୍ୟାସୀ, କି ଜ୍ଞାନୀ, କି ମୂର୍ଖ କି ନାଗରିକ କି କୃଷକ ସମସ୍ତେ ପରକୀୟା ପ୍ରେମରେ ବାଇ ହେଲେ ।

 

କେବଳ ସେତିକି ନୁହେଁ କାବ୍ୟ, କବିତା, ଚଉପଦୀ, ଶାସ୍ତ୍ର ପୁରାଣ ପ୍ରଭୃତି ସମଗ୍ର ସାହିତ୍ୟରେ ପରକୀୟା ପ୍ରେମ ପ୍ରାଣବୀଜ ରୂପେ ପ୍ରତିଭାତ ହେଲା । ରାମକୃଷ୍ଣଙ୍କୁ ଲୋକେ ପୁରାଣର ଭଗବାନ୍ ରୂପେ ଘରେ ଘରେ ପୂଜା କରୁଥିଲେ । କିନ୍ତୁ ସେମାନଙ୍କର ଦିବ୍ୟ ଚେତନାରେ ଅନୁପ୍ରାଣିତ ହେଉ ନଥିଲେ । ରାମକୃଷ୍ଣଙ୍କ ଆଦର୍ଶ ଜନସାଧାରଣଙ୍କ ଆଚରଣରେ ପ୍ରସ୍ପୁଟିତ ହେଉ ନ ଥିଲା । ଏ ପ୍ରକାର ସାମାଜିକ ଦୁଃସ୍ଥିତିରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟପୁରୁଷ ବ୍ୟଥିତ ହୋଇଉଠୁଥିଲା । କବିତାର ପବିତ୍ର ଦାମ୍ପତ୍ୟ ଜୀବନକୁ ପୁନଃ ପ୍ରତିଷ୍ଠା କରିବା ପାଇଁ ସେ ଦୃଢ଼ ସଙ୍କଳ୍ପ କଲେ । ପରିବେଶର ଚିତ୍ର ପରିବର୍ତ୍ତନ କରିବାର ମହତ ଉଦ୍ଦେଶ୍ୟରେ ପରମ୍ପରାରେ ପୁରୋଦୃଷ୍ଟିର ପୁଟ ଦେଇ ସୃଷ୍ଟି କଲେ ନୂତନ କାବ୍ୟର କୋଣାର୍କ । ଆଦି ରସକୁ ଆଧାର କରି ପୁରାଣକୁ ମାଧ୍ୟମ କରି ଅତି ମଞ୍ଜୁଳ ଭାବରେ ସେ ଦର୍ଶାଇବାକୁ ଚାହିଁଲେ- ପରକୀୟା ପ୍ରେମଠାରୁ ସ୍ଵୀକୀୟ ପ୍ରେମ ଅଧିକ ରସୋତ୍ତୀର୍ଣ୍ଣ ଓ ହୃଦୟଗ୍ରାହୀ । ସ୍ଵକୀୟ ପ୍ରୀତିରେ ସବୁପ୍ରକାର ରସ ଓ ଭାବର ଅନୁଭୂତି ଖୁନ୍ଦି ହୋଇ ରହିଛି । ଯଥା ଦୃଷ୍ଟି ତଥା ସୃଷ୍ଟି ନ୍ୟାୟରେ ସେ ଅନୁଭବ କଲେ ଯେ ସମସାମୟିକ ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ହେଲେ ଏକପ୍ରକାର ରଚନା ରୀତି ଯଥେଷ୍ଟ ନୁହେଁ-। ତେଣୁ କାବ୍ୟ, ଶାସ୍ତ୍ର, ଛନ୍ଦ, ଅଳଙ୍କାର, ପୁରାଣ, ଇତିହାସ କାମଶାସ୍ତ୍ର ଓ ଚିତ୍ରକଳାର ଗଭୀର ଅଧ୍ୟୟନ ଓ ଅନୁଶୀଳନପୂର୍ବକ ତାଙ୍କ କାବ୍ୟ-କୃତିରେ ସଫଳ ପ୍ରୟୋଗ କଲେ । ରାମାୟଣର ଆଦର୍ଶ ଏକପତ୍ନୀବ୍ରତକୁ ଧ୍ୟାନରେ ରଖି ଅନନ୍ତମୁଖୀ ପ୍ରବୃତ୍ତିକୁ ନିର୍ଦ୍ଦିଷ୍ଟ କାମିନୀନିଷ୍ଟ କଲେ । ଉପଭୋଗୀ ବିଳାସୀ ସାମନ୍ତ ଗୋଷ୍ଠୀର ସାହିତ୍ୟ ଥିଲା ଆନନ୍ଦ ଓ ମନୋରଞ୍ଜନର ସାମଗ୍ରୀ । ତେଣୁ ଯୌବନ ଦେବତାର ଉପାସନା ଓ ଉପଭୋଗ ମଧ୍ୟରେ ସେ ଭରିଦେଇଥିଲେ ଅପୂର୍ବ ରସଚେତନା ଓ ସୌନ୍ଦର୍ଯ୍ୟବୋଧ ।

 

ରସର ସଂଜ୍ଞା ଅଳଙ୍କାର ଶାସ୍ତ୍ରରେ ସୁବିସ୍ତୃତ ବର୍ଣ୍ଣିତ । ରସମୟ ବାକ୍ୟ ହିଁ କାବ୍ୟବୋଲି ସର୍ବସ୍ଵୀକୃତ । ରସ ହେଉଛି କାବ୍ୟର ଆତ୍ମା । ସରସ୍ଵତୀ କଣ୍ଠାଭରଣରେ ଭୋଜରାଜ କହନ୍ତି ।

 

ଅଦୋଷଂ ଗୁଣବତ୍ କାବ୍ୟମ୍ ଅଳଂକାରୈଃ ଅଳଂକୃତମ୍ ।

ରସାନ୍ଵିତଂ କବିଃ କୁର୍ବନ୍ କୀର୍ତ୍ତିଂ ପ୍ରୀତିଂ ଚ ବିନ୍ଦତି ।।

 

ଦୋଷରହିତ, ଗୁଣଯୁକ୍ତ ଅଳଙ୍କାରମଣ୍ଡିତ ରସମୟ ରଚନା ହିଁ ଉତ୍ପନ୍ନ କରେ ଓ କୀର୍ତ୍ତିମୟ ହୋଇଥାଏ । ରସସୃଷ୍ଟି ପାଇଁ ସ୍ଥାୟୀଭାବ ଆବଶ୍ୟକ । ରସ, ହାସ, ଶୋକ, କ୍ରୋଧ, ଉତ୍ସାହ, ଭୟ, ଜୁଗୁପ୍ସା ଓ ବିସ୍ମୟ ହେଉଛି ସ୍ଥାୟୀଭାବ । ଯେତେବେଳେ କୌଣସି ଗୋଟିଏ ସ୍ଥାୟୀଭାବ ପ୍ରଭାବଶାଳୀ ହୋଇଉଠେ ତାକୁ ଅବଲମ୍ବନ କରି ରସ ପ୍ରକାଶ ପାଏ । ରତିଭାବରୁ ଶୃଙ୍ଗାର ହାସଭାବରୁ ହାସ୍ୟ ଆଦି ରସ ନିଷ୍ଠନ୍ନ ହୋଇଥାଏ । ରସର ସଂଜ୍ଞା ନିରୂପଣରେ କୁହାଯାଇଛି । ବିଭାବ- ଅନୁଭାବ-ସାତ୍ତ୍ଵିକ- ବ୍ୟଭିଚାରୀ-ସାମଗ୍ରୀ ସମୁଲ୍ଲାସିତ ସ୍ଥାୟୀଭାବେ ରସାହ । ଅର୍ଥାତ୍ ବିଭାବ ଅନୁଭାବ ସାତ୍ତ୍ଵିକ ଭାବ- ଓ ବ୍ୟଭିଚାରୀ ଭାବରୂପ ଉପାଦାନ ଦ୍ଵାରା ସମ୍ୟକ ଭାବେ ଉଲ୍ଲାସିତ ସ୍ଥାୟୀଭାବେ ହେଉଛି ରସ । ବିଭାବ ଦୁଇପ୍ରକାର : ଅଲମ୍ବନ ଓ ଉଦ୍ଦୀପନ । କାବ୍ୟର ନାୟକ ହେଉଛନ୍ତି ଅଲମ୍ବନ ବିଭାବ । ଏମାନଙ୍କୁ ଆଶ୍ରୟ କରି ରସ ନିଷ୍ପତ୍ତି ହୁଏ । ପୁଷ୍ପକେତୁ ଓ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଏହାର ଉଦାହରଣ । କାମ ଉଦ୍ଦୀପକ ଶରତ ଆଦି ୠତୁ ଚନ୍ଦ୍ରଚନ୍ଦ୍ରିକା, ମଳୟ, ପୁଷ୍ପୋଦ୍ୟାନ ପ୍ରଭୃତିକୁ ଉଦ୍ଦୀପନ ବିଭାବ କୁହାଯାଏ । ଅନୁଭବ କହିଲେ କାମିନୀମାନଙ୍କ ଅଙ୍ଗଜ ଓ ସ୍ଵଭାବଜ ଗୁଣକୁ ବୁଝାଏ । ବିଳାସ, ଲାଳିତ୍ୟ, ଦରହାସ ବାଙ୍କ ଚାହାଣି ପ୍ରଭୃତି ଏହାର ଅନ୍ତର୍ଗତ । ସ୍ତମ୍ଭୀଭୂତ ହେବା, ଝାଳ ବୋହିବା, ପୁଲକିତ ହେବା ପ୍ରଭୃତି ଅଷ୍ଟସାତ୍ତ୍ଵିକ ଭାବ ଅଟେ । ସ୍ଵପ୍ନ, ବିସ୍ମରଣ, ଉଗ୍ରତା, ମୋହ, ନିଦ୍ରା, ଲଜ୍ଜା, ଭୟ ପ୍ରଭୃତି ତେଇଶିଗୋଟି ଭାବ ହେଉଛି ବ୍ୟଭିଚାର ଭାବ । ରସନିଷ୍ପତି ବେଳେ ଏ ମଧ୍ୟରୁ ଅସ୍ତବ୍ୟସ୍ତ ଭାବେ ଯେକୌଣସି ଭାବର ସନ୍ନିବେଶ ଘଟିପାରେ । ରସଚିତ୍ତକୁ ଅଭିଭୂତ ଓ ଦ୍ରବୀଭୂତ କରେ । ଏହା ଅଲୌକିକ ଅବିର୍ବଚନୀୟ ଆନନ୍ଦ ପ୍ରଦାନ କରେ । ଏହା ଅଶଚୀରୀ ଅଟେ ।

 

ରୀତିକାବ୍ୟ ଶୃଙ୍ଗାର ରସ ପ୍ରଧାନ : ଶୃଙ୍ଗାରୀ ଚେତ୍ କବିଃ ବୋଲି ବିଶ୍ଵନାଥ କବିରାଜ କହିଛନ୍ତି । ଶୃଙ୍ଗାରୀ ଭାବନାରୁ କବିତ୍ଵର ଉନ୍ମେଷ ଘଟେ । ଆନନ୍ଦବର୍ଦ୍ଧନ ଧ୍ଵନ୍ୟାଲୋକ ଗ୍ରନ୍ଥରେ ଲେଖନ୍ତି :

 

ଶୃଙ୍ଗାର ଏବ ମଧୁର ପର ପ୍ରହ୍ଲାଦନୋରସଃ

ତନ୍ମୟଂ କାବ୍ୟମାଶ୍ରିତ୍ୟ ମାଧୁର୍ଯ୍ୟଂ ପ୍ରତିତିଷ୍ଠତି ।

 

ଅର୍ଥାତ୍ ଶୃଙ୍ଗାରରସ ମଧୁର ଓ ଆନନ୍ଦଦାୟକ ଅଟେ । ଏହା କାବ୍ୟକୁ ଲଳିତ, ସୁକୁମାର ଓ ମନୋହର କରିଥାଏ । କାବ୍ୟର ଭାଷା ହୁଏ କୋମଳ । ଛନ୍ଦ ହୁଏ ରମଣୀୟ । ରତି ପ୍ରତ୍ୟେକ ନରନାରୀଙ୍କ ମାନସ ସ୍ତରରେ ବିଦ୍ୟମାନ । ଅନୁକୂଳ ଉଦ୍ଦୀପନ ବିଭାବ ପାଇଲେ ତାହା ସ୍ଵରୂପ ଧାରଣ କରେ । ଏହା ଉଭୟଙ୍କ ହୃଦୟକୁ ଅଭିଭୂତ କରି ରସରେ ପରିଣତ କରେ । ପରସ୍ପରର ଗୁଣ ଶୁଣି, ଚିତ୍ରପଟରୁ ରୂପ ଦେଖି ପାରସ୍ପରିକ ଆକର୍ଷଣ କ୍ରମେ ଗାଢ଼ତର ହୁଏ । ମିଳନପାଇଁ ଉତ୍କଣ୍ଠା ପ୍ରବଳ ହୁଏ । ବିବାହ ହେଲେ ସମ୍ଭୋଗ ଶୃଙ୍ଗାର ବା ରତିକ୍ରୀଡ଼ା ହୁଏ । ରତିକ୍ରୀଡ଼ା ଦୈହିକ ଆନନ୍ଦ ଓ ମାନସିକ ତୃପ୍ତି ଦିଏ । ଏହା ନୀତିବିରୁଦ୍ଧ ନୁହେଁ ବରଂ ଶାସ୍ତ୍ରସମ୍ମତ ସାମାଜିକ ନିୟମ । ରତିକ୍ରୀଡ଼ାରେ କେବଳ କାମ ଚରିତାର୍ଥ ହେଲେ ତାହା ବୀଭତ୍ସତା ସୃଷ୍ଟି କରିଥାଏ । ଏଥିରେ ସୌନ୍ଦର୍ଯ୍ୟବୋଧ ପ୍ରକାଶ ପାଇଲେ ତାହା ପ୍ରେମରେ ରୂପାନ୍ତରିତ ହୁଏ ।

 

ଉପେନ୍ଦ୍ରଙ୍କ କାବ୍ୟକୃତିରେ ଶୃଙ୍ଗାରରସ ଅଙ୍ଗୀଭାବେ ତ କରୁଣ ଅଦ୍ଭୁତ ହାସ୍ୟ ଏହାର ଅଙ୍ଗରୂପେ ସନ୍ନିବେଶିତ ହୋଇଛି । ସେହିପରି ସେ ଭୟାନକ ପ୍ରଭୃତି ରସ ଅଙ୍ଗୀ ବାର ରସର ଅଙ୍ଗରୂପେ ଅବତାରଣା କରିଛନ୍ତି । ଏହାଦ୍ଵାରା କାବ୍ୟଲକ୍ଷଣ ଲକ୍ଷିତ ହେବା ସଙ୍ଗେ ସଙ୍ଗେ କାବ୍ୟଶୋଭା ମଧ୍ୟ ଦ୍ଵିଗୁଣ ବୃଦ୍ଧି ପାଇଛି । ଭଞ୍ଜଙ୍କ ସମୟରେ ଭକ୍ତିରସ ତୁଳନାରେ ଶୃଙ୍ଗାରରସ ବା ପ୍ରେମରସ କବିମଣ୍ଡଳୀରେ ସମଧିକ ସମାଦୃତ ହେଲା । ତେଣୁ ଭଞ୍ଜେ ଲେଖିଛନ୍ତି :

 

ସେ ପ୍ରଭୁ କମଳାକାନ୍ତ କାନ୍ତପଦ ଧ୍ୟାନେ

ବିଚାରଇ କରିବି ଉତ୍ତମଛାନ୍ଦ ଗୀତ,

ରସସାର ଶୃଙ୍ଗାର ଯହିଁରେ ହେବ ଖ୍ୟାତ ।

- ରସିକ ହାରାବଳୀ

 

ଉପେନ୍ଦ୍ର ଭଞ୍ଜ ଥିଲେ ଜଣେ ମନସ୍ତତ୍ତ୍ଵବିତ୍‍ ଓ ନିଚ୍ଛକ ବାସ୍ତବବାଦୀ । ଗଭୀର ଅନୁଭୂତିସମ୍ପନ୍ନା ଜ୍ଞାନୀ । ମଣିଷର ଜାନ୍ତବ ପ୍ରବୃତ୍ତିକୁ ସୁ ସଂଯତ ପରିମାର୍ଜିତ କରି ସୁନିର୍ବାଚିତ ଶବ୍ଦାବଳୀରେ ପ୍ରକାଶ କରିଛନ୍ତି । ଯାହାଦ୍ଵାରା ମଣିଷ ନିଜ ବିଷୟରେ ସଚେତନ ହୁଏ । ନିଜର ବାସ୍ତବ ସ୍ଵରୂପ ଆବିଷ୍କାର କରିବାକୁ ସମର୍ଥ ହୁଏ । ସେ କହୁଛନ୍ତି ଅନଙ୍ଗର ଅଙ୍ଗ ନାହିଁ, ରାଜ୍ୟ ବି ନାହିଁ । ତେବେ ସେ ପୂଜା କେଉଁଠି ପାଉଛି ନା ମନୋରାଜ୍ୟରେ । ତାଙ୍କ ଭାଷାରେ-

 

ରାଜ୍ୟ ନ ଥାଇ ସର୍ବସମ୍ମତ ରାଜା

କନ୍ଦର୍ପ ପାଉଅଛି ପୃଥ୍ୱୀରେ ପୂଜା ।।

- ଲାବଣ୍ୟବତୀ, ୧୪-୧୨

 

ସାଧାରଣ ଲୋକ ଦେହମନ ପ୍ରୀତି ଓ ନାରୀ ଏମାନଙ୍କ ବିଷୟରେ ସ୍ପଷ୍ଟ ଭାବରେ କିଛି ଜାଣିପାରେ ନାହିଁ । ଖାଲି ଇନ୍ଦ୍ରିୟ ଲାଳସୀ ହୋଇ କାମ ଚରିତାର୍ଥ କରିଥାଏ । କିନ୍ତୁ ଅମର କବି ଉପେନ୍ଦ୍ର ଏ ସବୁର ଏକ ସୁନ୍ଦର ବିଶ୍ଲେଷଣ କରି ପାଠକକୁ ବାଢ଼ି ଦେଇଛନ୍ତି :

 

ଦେହ ଉପରେ ମନ ପ୍ରଭୁ ପ୍ରମାଣ ଧନ ମନର ପ୍ରଭୁ ପ୍ରୀତିରେ

ପ୍ରୀତିର ପ୍ରଭୁ ନାରୀ ତାଙ୍କୁ ପୁଣି ପାସୋରି କେହୁ ଧରିବ ଧୃତିରେ,

ପ୍ରାଣବନ୍ଧୁ ! ପୁଣି ଆରତ ମୁହଁରେ

ମନକୁ ଅନୁରୂପ ଯୁବତୀ ମିଳେ । ତପେ ଏଣୁ ଦୁର୍ଲଭ କହି ।।

-ଲାବଣ୍ୟବତୀ – ୨୨ ଛାନ୍ଦ

 

ଏହି ପଙକ୍ତିଟିରେ ଅନେକ ତତ୍ତ୍ଵ ଭରି ରହିଛି । କବିଙ୍କର ପତ୍ନୀ ବିରହ ଏଠାରେ ଜୀବନ୍ତ ହୋଇ ଉଠିଛି । ପୁଣ୍ୟକର୍ମର ପ୍ରଭାବ ଥିଲେ ମନୋନୁକୂଳା ଭାର୍ଯ୍ୟା ପୁରୁଷ ପ୍ରାୟ ହୋଇଥାଏ । ତ୍ୟାଗ ସଂଯମ ରୂପକ ତପ ଏଥିପାଇଁ ଲୋଡ଼ା । ମନ, ପଞ୍ଚ କର୍ମେନ୍ଦ୍ରିୟ ଠାରୁ ଶ୍ରେଷ୍ଠ ଏହା ସେମାନଙ୍କର ଚାଳକ ଏକାଦଶ ଇନ୍ଦ୍ରିୟ । ତେଣୁ ମନ ଦେହକୁ ପ୍ରୟୋଗ କରିଥାଏ । କିନ୍ତୁ ପ୍ରୀତି ମନକୁ ସଞ୍ଚାଳିତ କରେ । ନାରୀ ହେଉଛି ପ୍ରୀତିରେ ପ୍ରଭୁ । ତାଙ୍କୁ ଛାଡ଼ି ସଂସାରରେ ରହିବା ଏକ ଦୁଷ୍କର ବ୍ୟାପାର । ଅନୁରୂପ ଭାବେ ଜୀବମାତ୍ରେ ସମସ୍ତେ ଆଦିରସର ବଶ ବୋଲି କବି ନିଚ୍ଛକ ସତ୍ୟ ବ୍ୟକ୍ତ କରିଛନ୍ତି । ମନସ୍ତତ୍ତ୍ଵବିତ୍ ଫ୍ରୟେଡ୍ କହନ୍ତି ମନ ମଣିଷର ସମସ୍ତ ଆଚରଣ ଆଢ଼ୁଆଳରେ ମଣିଷର ଆଦିମ ଯୌନ ଆକାଂକ୍ଷା ବା ଦେହର କ୍ଷୁଧା ରହିଛି । ଏହି ସତ୍ୟ ଚିରନ୍ତନ-। ବ୍ରହ୍ମା ଏ ରସର ଅଧୀନ । ତେଣୁ ଯିଏ ଏହି ରସ ଗ୍ରହଣ ନ କରେ ସେ ପଶୁସମାନ । ଅନୁଭବୀଙ୍କ ଏ ରସ ଗୋଚର । ବୁଝାଇ ଦେଲେ ମୂର୍ଖ ମଧ୍ୟ ସନ୍ତୋଷ ସହିତ ଆନନ୍ଦଲାଭ କରିଥାଏ । ଯେଉଁ ପ୍ରେମ ନୂଆ ନୂଆ ଆରମ୍ଭ ହୋଇଥାଏ ଦିନକୁ ଦିନ ସେଠାରେ ଅଭିନବ ଚିନ୍ତା ସମ୍ବଳିତ ଭାବ ଓ ସ୍ନେହ ପ୍ରକଟିତ ହେଉଥାଏ । ପ୍ରୀତିରାଜ୍ୟରେ ବିଚରଣ କରି ଅନୁକୂଳ ନାୟକନାୟିକା ଅଫୁରନ୍ତ ସୁଖ ଅନୁଭବ କରୁଥାନ୍ତି । ଏପରିକି ଭୋକଶୋଷ ମଧ୍ୟ ଭୁଲିଯାନ୍ତି । ଏହା କହିବା ଦ୍ଵାରା କାମଶାସ୍ତ୍ରବର୍ଣ୍ଣିତ କାମର ଦଶ ଅବସ୍ଥା ମଧ୍ୟରୁ କବି ବିଷୟନନିବୃତ୍ତି ଅବସ୍ଥାକୁ ସୂଚିତ କରୁଛନ୍ତି । କବି ଅତ୍ୟନ୍ତ ସୁନ୍ଦର ଶୈଳୀରେ ଏହି ଭାବ ବ୍ୟକ୍ତ କରି ଲେଖନ୍ତି :

 

ମନ ଉପରେ ତ ରାଜା ପୀରତି

କେହି ପାରିବ ମନ୍ୟୁଷ ବରତି ।

ନବ ଅନୁରାଗ ଦିନେ ଦିନେକ

ସୁଖ ଜାତ ହେଉଥାଇ ଅନେକ

ପ୍ରୀତି ହୋଇ ଯେବେ ଏଡ଼େ ମଧୁର

କ୍ଷୁଧା ତୃଷା ନିଦ୍ରା ହେବ ବିଧୁର ।। -

ରସିକ ହାରାବଳି – ୪ର୍ଥ ଛାନ୍ଦ

 

ସାଧାରଣ ମଣିଷ ଚାହେଁ ଅସାଧାରଣ ସୁଖ ଅନୁଭବ କରିବାପାଇଁ । ଯାହାକୁ ସାଧାରଣରେ ସ୍ଵର୍ଗସୁଖ ବୋଲି କୁହାଯାଏ । ନାନା ପ୍ରକାର ଧ୍ୟାନ, ତପ, ଯୋଗ କରି ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ପାଇଁ ପ୍ରୟାସୀ କରୁଥାଏ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ସଂସାରରେ କେତେଜଣ ମୁକ୍ତିକାମୀ ? ସକଳ ଇନ୍ଦ୍ରିୟ ସଂପୃକ୍ତିରୁ ନାହିଁ ଅଛି ସ୍ଵର୍ଗସୁଖରେ ନା ଅଛି ନିର୍ବାଣରେ :

 

ସ୍ଵର୍ଗ ଅପବର୍ଗରୁ ଅଧିକ ସୁଖ ନାହିଁ

ରତି ସୁଖ ସଙ୍ଗେ ସେ ସମାନ ହେବ ନାହିଁ ।

-ଲାବଣ୍ୟବତୀ ୨୮-୨୧

 

ଜୀବ ସ୍ଵଭାବକୁ କବି ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ଅଧ୍ୟୟନ କରିବାର ଅଦ୍ଭୁତ ନୈପୁଣ୍ୟ ଅର୍ଜନ କରିଥିଲେ । ଏହା କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ସମ୍ପ୍ରଦାୟରେ ସୀମିତ ନୁହେଁ । ଏହା ଚାରିବର୍ଷ ଛଅଜାତି ଓ ଛତିଶ ପାଟକ ସମସ୍ତେ ଏଥିରେ ଅନ୍ତର୍ଭୁକ୍ତ । ଏହା ସାର୍ବଜନୀନ ଓ ସାର୍ବକାଳିକ ପ୍ରୀତିର ମହତ୍ତ୍ଵ । ତାଙ୍କର ପୁଙ୍ଖାନୁପୁଙ୍ଖ ଶାସ୍ତ୍ରଜ୍ଞାନର ଉଦାହରଣ ଦେଇ କୁହାଯାଇପାରେ ।

 

ଜାଣି ନ ଥିଲୁ ଏ ରସ ଏମନ୍ତ ସ୍ମରକୁ ଦହିଲେ ହର ।

ଜାଣିଲା ଦିନରୁ ଯୁବତୀକି କଲେ ଅର୍ଦ୍ଧ ଅଙ୍ଗେ ଅଙ୍ଗୀକାର ।।

ଆଜନ୍ମ ବ୍ରହ୍ମଚାରୀ ପଣେ କେ ବଡ଼ ବୁଝ ୠଷ୍ୟଶୃଙ୍ଗଠାରୁ ।

ନିଜ ଦୀକ୍ଷା ଛାଡ଼ି ଶିକ୍ଷା କଲେ ରସ ରୂପାଜୀବୀ କରି ଗୁରୁ ।।

-ଲାବଣ୍ୟବତୀ ୪୦-୮

 

ଏଠାରେ ବିଭାଣ୍ଡକ ୠଷିଙ୍କ ପୁତ୍ର କିପରି ବାଲ୍ୟକାଳରୁ ପିତାଙ୍କ ଆଶ୍ରମରେ ବଢ଼ିଥିବାରୁ କୌଣସି ଯୁବତୀ ନାରୀକୁ ଜୀବନରେ ଦେଖି ନ ଥିବାରୁ କାମରସ କ’ଣ ଜାଣି ନ ଥିଲେ । କିନ୍ତୁ ଜରତା ବେଶ୍ୟାର ସଂସ୍ପର୍ଶରେ ଆସି ପେଣ୍ଡୁ ଖେଳିବା ଛଳରେ ସ୍ତନମର୍ଦ୍ଦନ କରିବାର ଅବସର ପାଇଲେ ସେ ସବୁକିଛି ଭୁଲି ଭାଲିଗଲେ । ମଣିଷର ବୁଦ୍ଧିବୃତ୍ତିକୁ କାବୁ ଦେଇଥିବା ଏମନ୍ତ ରସର ଦେବ ମଦନକୁ ଶିବ କେମିତି ଦହନ କଲେ ବୋଲି କବି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏହା ଶିବଙ୍କର ବିନା କ’ଣ ହୋଇପାରେ । ପିତାଙ୍କର ସତର୍କବାଣୀ ତୁ ଯଦି ସେ ବାରବନିତାଙ୍କ ଠାରୁ ଦୂରେଇ ନ ଯାଉ ତେବେ ପ୍ରଜ୍ୱଳିତ ଅଗ୍ନିରେ ପତଙ୍ଗ ତୁଲ୍ୟ ଭସ୍ମୀଭୂତ ହୋଇଯିବୁ- କାମ ବିମୋହିତ ୠଷିପୁତ୍ର ପାଖରେ ଅର୍ଥହୀନ ହୋଇପଡ଼ିଥିଲା ।

ପ୍ରୀତିର ମଧୁରତା ମୂଳରେ ନାରୀର ଅପରୂପ ସୌନ୍ଦର୍ଯ୍ୟର ଆକର୍ଷଣ ନିହିତ । ଉପମା କବି ଉପେନ୍ଦ୍ର ଭଞ୍ଜ ନାରୀରୂପ ବର୍ଣ୍ଣନାରେ ନାନା ଭୂଷଣ ଆଦିର ଉଲ୍ଲେଖ କରିଥିଲେ । ନାରୀର ସ୍ଵାଭାବିକ ଅଙ୍ଗ ସୌଷ୍ଠବ, ରୂପ କାନ୍ତି, ଲାବଣ୍ୟ ଅଙ୍ଗଭଙ୍ଗୀ, ଉପରେ ବିଶେଷ ଗୁରୁତ୍ଵ ଦେଇଛନ୍ତି । କାଳିଦାସ କୁମାର ସମ୍ଭବମ୍ କାବ୍ୟର ପଞ୍ଚମ ସର୍ଗରେ ପାର୍ବତୀଙ୍କ ରୂପ ସୌନ୍ଦର୍ଯ୍ୟ ବିଷୟରେ କହିଛନ୍ତି । ତ୍ରିଲୋକସୌନ୍ଦର୍ଯ୍ୟମ୍ ଇବ ଉଦିତଂ ବପୁଃ । ଅର୍ଥାତ୍ ତିନିଲୋକରେ ରୂପ ସୌନ୍ଦର୍ଯ୍ୟ ପାର୍ବତୀଙ୍କ ତନୁରେ ସତେଯେମିତି ଉଦୟ ହୋଇଛି । ଏହିପରି ଭାବନା ଓଡ଼ିଆ ସାହିତ୍ୟର ମୂର୍ଦ୍ଧନ୍ୟ କବି ଉପେନ୍ଦ୍ରଙ୍କଠାରେ ଭିନ୍ନ ଢଙ୍ଗରେ ଆତ୍ମପ୍ରକାଶ କରିଛି ।

 

ଲାବଣ୍ୟବତୀ ତାଙ୍କର ସବୁଠାରୁ ଜନପ୍ରିୟ କାବ୍ୟ । ଏହା କାଳ୍ପନିକ । କର୍ଣ୍ଣାଟକ ଦେଶର ରାଜା ଶଶିଶେଖରଙ୍କ ପୁତ୍ର ଚନ୍ଦ୍ରଭାନୁ ଓ ସିଂହଳର ରାଜକନ୍ୟା ଲାବଣ୍ୟବତୀଙ୍କ ମଧ୍ୟରେ ମିଳନ ବିଚ୍ଛେଦର ଚାରୁଚିତ୍ର ଅଙ୍କନ କରାଯାଇଛି । କି ରୂପବର୍ଣ୍ଣନା, ବେଶ ବର୍ଣ୍ଣନା, ପ୍ରକୃତି ବର୍ଣ୍ଣନା ପ୍ରତ୍ୟେକ କ୍ଷେତ୍ରରେ ଉପେନ୍ଦ୍ର ଭଞ୍ଜ ଏହି କାବ୍ୟରେ କବିତ୍ଵ କଳାରେ ପରାକାଷ୍ଠା ପ୍ରଦର୍ଶନ କରିଅଛନ୍ତି । ଶୃଙ୍ଗାର ରସିକ କବି ଉପେନ୍ଦ୍ରଭଞ୍ଜ ଲାବଣ୍ୟବତୀର ରୂପବର୍ଣ୍ଣନା କରିବାକୁ ଯାଇ ଗୋଟିଏ ପଦରେ ଯେଉଁ ଅତୁଳନୀୟ ଭାବତତ୍ତ୍ଵ ଅନ୍ତର୍ଗଭିତ କରିଛନ୍ତି ସମସାମୟିକ ସାହିତ୍ୟରେ ତାର ପଟାନ୍ତର ନାହିଁ ।

 

ଅଙ୍ଗେ ଅଛି ନବପୁଷ୍ପ ନବପକ୍ଷୀ

ଏକ ଏକ ଅଙ୍ଗେ ଲାଖିରହେ ଆଖି ।।

-ଲାବଣ୍ୟବତୀ ୭-୬୯

 

ଏହାର ସାମାନ୍ୟ ଅର୍ଥ ପରିସ୍ପୁଟନ କରିବାକୁ ଯାଇ କୁହାଯାଇପାରେ ପଦ୍ମିନୀ ଜାତୀୟ ନାୟିକା ପଦ୍ମାବତୀର ମୁଖ ଶ୍ଵେତପଦ୍ମ ପାରି ସୁଗଠିତ କୋମଳ, ଗୋଲାକାର ଓ ସୁଗନ୍ଧଯୁକ୍ତ । ଚକ୍ଷୁ ନୀଳ ତିଳ ଫୁଲ ପରି ତୀଖ । ଦୁଇ ହନୁହାଡ଼ ମଧ୍ୟରେ ନାସିକା ବିଦ୍ୟମାନ ହୋଇ ମୁଖ ସୌନ୍ଦର୍ଯ୍ୟର ମାନଦଣ୍ଡ ପରି ଶୋଭାପାଉଛି । ଦାନ୍ତ କୁନ୍ଦ (ମଲ୍ଲୀଜାତୀୟ) ଫୁଲ ପରି ଧବଳ । ଅଙ୍ଗୁଳିଗୁଡ଼ିକ ଚମ୍ପାକଢ଼ି ପରି ସୁଠାମ ଓ ଖୁନ୍ଦି ଖୁନ୍ଦି ହୋଇ ରହିଛି । ଦେହର ବର୍ଣ୍ଣ କେତକୀ ଫୁଲ ପରି ଗୌର । ହସ ମଲ୍ଲୀଫୁଲ ପରି ଧବଳ ବର୍ଣ୍ଣ । ଲାବଣ୍ୟବତୀର ଆଖି କଜଳପାତି ପକ୍ଷୀପରି କୃଷ୍ଣବର୍ଣ୍ଣ । ନାକ ଶୁଆଥଣ୍ଟ ପରି ତୀକ୍ଷ୍ଣ, କଣ୍ଠ ମୟୂର ପରି ଅଧିକ ନମନୀୟ । ସ୍ଵର କୋଇଲି ସ୍ଵର ପରି ମିଠା ଓ ମର୍ମସ୍ପର୍ଶୀ । ଚାଲି ହଂସ ପରି ଧୀର ଓ ମନ୍ଥର । ଗତି ଚକ୍ରବାକର ଗତି ପାରି ଢଳଢଳ । ଦୃଷ୍ଟି ସାରସ ପକ୍ଷୀର ଦୃଷ୍ଟି ପାରି ଶାଣିତ । ଦନ୍ତପନ୍ତି ବଗଶରୀର ପାରି ସଫା । ଦେହର ରଙ୍ଗ ହଳଦୀ ବସନ୍ତ ପରି ହଳଦିଆ ଦେଖାଯାଉଥିଲା । ଉପମା ଭଞ୍ଜ ବାରସ୍ୟ । ଭକ୍ତି ଏଠାରେ ଯଥାର୍ଥ ହୋଇଛି-। ନାରୀର ରୂପ ବର୍ଣ୍ଣନାରେ ତାଙ୍କର ଦକ୍ଷତା ପ୍ରକାଶ ପାଇବା ସହିତ ଉପମା ପ୍ରୟୋଗରେ ସୃଷ୍ଟି ହୋଇଛି ରମଣୀୟତା ।

 

ଏଠାରେ ଅବଶ୍ୟ ଲକ୍ଷ୍ୟ କରିବାର କଥା ଯେ ପ୍ରେମର ସୋପାନ ହିଁ ଦେହ । ଦେହବିନା ପ୍ରେମ ସମ୍ଭବ ହୁଏନାହିଁ । ଦେହରୁ ଆସେ ରୂପ । ଏହି ରୂପ ହିଁ ସୃଷ୍ଟି କରେ ସୌନ୍ଦର୍ଯ୍ୟବୋଧ । ଏଥିରୁ ପ୍ରେମର ହୁଏ ଉତ୍ସରଣ । କେବଳ ଦେହ ଭିତରେ ପ୍ରେମ ରହିଗଲେ ତାହା ଦିବ୍ୟତ୍ଵ ଲାଭ କରିପାରେ ନାହିଁ । ତାହା ହୋଇଯାଏ ଭୋଗସର୍ବସ୍ଵ । ଡି. ଏଚ୍. ଲରେନସ କହନ୍ତି ଯୌନ ଓ ସୌନ୍ଦର୍ଯ୍ୟ ଅଗ୍ନି ଓ ଅଗ୍ନିଶିଖା ପରି ଏକ ଓ ଅଭିନ୍ନ । ଯୌନକୁ ଘୃଣା କରିବା । ଜୀବନ୍ତ ସୌନ୍ଦର୍ଯ୍ୟକୁ ଭଲ ପାଇବାକୁ ହେଲେ ଯୌନପ୍ରତି ସମ୍ମାନ ରହିବା ଦରକାର । ଯେଉଁଠି ଯୌନ ପ୍ରତି ସମ୍ମାନ ନ ଥାଏ ତାହା କେବଳ ଜାନ୍ତବ ଉପଭୋଗ-ତୃଷ୍ଣା । ସେଠି ଯୌନ ପ୍ରେମରେ ରୂପାନ୍ତରିତ ହୁଏନାହିଁ । ଜୀବନ ଓ ଚେତନା ପରି ଯୌନ ଓ ସୌନ୍ଦର୍ଯ୍ୟ ପୃଥକ କରିହୁଏ ନାହିଁ । ପ୍ରେମ ଏକ ପ୍ରେରଣା । ତେଣୁ ଯୌନ ସୌନ୍ଦର୍ଯ୍ୟ ଓ ପ୍ରେମ ଯେତେବେଳେ ଏକ ବିନ୍ଦୁରେ ମିଳିଯାନ୍ତି ସେତିକିବେଳେ ପ୍ରକାଶ ପାଏ ଦିବ୍ୟଭାବ । ମନେହୁଏ ଉପେନ୍ଦ୍ର ସାହିତ୍ୟ ଯୌନ, ପ୍ରେମ ଓ ସୌନ୍ଦର୍ଯ୍ୟର ତ୍ରିବେଣୀ ସଙ୍ଗମ ।

 

କାବ୍ୟରସକୁ ସମସ୍ତେ ଏକାପରି ଆସ୍ଵାଦନ କରିପାରି ନ ଥାନ୍ତି । ରସପାକ ଛଅପ୍ରକାର । ସେଗୁଡ଼ିକ ହେଉଛି ପଣସ, ନାରିକେଳ, ଅଙ୍ଗୁର, ଖଜୁରି, କଦଳୀ ଓ ଗୁଡ଼ପାକ । ଭଞ୍ଜୀୟ କାବ୍ୟରେ ସ୍ଥଳବିଶେଷରେ ଗୁମ୍ଫିତ ହୋଇଥିବା ଏହି ରସପାକଗୁଡ଼ିକ ଆଲୋଚନା ସାପେକ୍ଷ । କଦଳୀପାକର ଏକ ରସାଳ ଦୃଷ୍ଟାନ୍ତ ଲକ୍ଷଣୀୟ ।

 

ଅପୂର୍ବ ଅମ୍ବୁଜ ଚାହିଁ ଭୃଙ୍ଗ ଚକୋର

ଚୁମ୍ବିବା ଲୋଭରେ ଧାଇଁଲେ ଶ୍ରୁତି ଚାହିଁ କାତର ।

-ଲାବଣ୍ୟବତୀ

 

ଏଠାରେ ନାୟିକା ଲାବଣ୍ୟବତୀର ମୁଖଶୋଭା ବର୍ଣ୍ଣନା କରାଯାଇଛି । ଅର୍ଥ ହେଲା ଭୃଙ୍ଗ (ଭ୍ରମର) ଓ ଚକୋର ଦୁହେଁ ନାୟିକାଙ୍କ ମୁଖକୁ ଅପୂର୍ବ ଅମ୍ବୁଜ ଭାବନା କରି ତାକୁ ଚୁମ୍ବନ କରିବା ଆଶାରେ ଧାଇଁଲେ । କିନ୍ତୁ ଶ୍ରୁତିକୁ ଦେଖି ଦୁହେଁଯାକ ଭୟରେ ଡରି ପଳାଇଗଲେ । କାରଣ ଭୃଙ୍ଗ ଭାବିଲା ଏହା ଏକ ଅପୂର୍ବ ଅମ୍ବୁଜ ପଦ୍ମ ଚକୋର ଭାବିଲା । ଏହା ଏକ ଅପୂର୍ବ ଅମ୍ବୁଜ ଚନ୍ଦ୍ର । ଅପୂର୍ବ କାହିଁକି କୁହାଯାଉଛି ? ପଦ୍ମ କେବଳ ଦିନରେ ଫୁଟେ । ଚନ୍ଦ୍ର ରାତିରେ ଉଏଁ । କିନ୍ତୁ ନାୟିକା ଲାବଣ୍ୟବତୀର ମୁଖ ଏପରି ଶୋଭାରେ ମଣ୍ଡିତ ଯେ ଏହା ଦିନ ଓ ରାତିରେ ସମାନ ଶୋଭାନୀୟ ଦେଖାଯାଉଛି । କିନ୍ତୁ ଯେତେବେଳେ ଶ୍ରୁତି ଉପରେ ଦୃଷ୍ଟି ପଡ଼ିଲା ଦୁହେଁ ବିକଳ ହୋଇ ଫେରିଆସିଲେ । କାରଣ ଶ୍ରୁତିଶବ୍ଦର ଅର୍ଥ ଚମ୍ପକଂ ପାଟଳୀପୁଷ୍ପଂ ଶ୍ରୁତି ଦୋଳାଚ ପାଶକମ୍ । ଭ୍ରମର ଚମ୍ପାଫୁଲ ନିକଟକୁ ଯାଏନାହିଁ । ଏଣୁ ସେ ଶ୍ରୁତିକୁ ଚମ୍ପାଫୁଲ ଭାବି କାତର ହେଲା । ଚକୋର ପକ୍ଷୀ ଶ୍ରୁତିକୁ ପାଶରଜ୍ଜୁ ମନେକରି ଭୟରେ ଆତୁର ହେଲା । କାରଣ ପକ୍ଷୀମାନଙ୍କୁ ପାଶ ବସାଇ ଧରାଯାଏ । ଫଳରେ ଭ୍ରମର ଓ ଚକୋର କେହି ସେ ମୁଖକୁ ଚୁମ୍ବନ କରିବାକୁ ସମର୍ଥ ହେଲେ ନାହିଁ-। ଏହା ହେଉଛି ବାଚ୍ୟାର୍ଥ ।

 

ଏହାର ବ୍ୟଞ୍ଜନା ଅତି ଚମତ୍କାର । ମୁଖକୁ ପଦ୍ମ ଓ ଚନ୍ଦ୍ର ସହିତ ତୁଳନା କରିବା ହେତୁ ମୁଖରେ ପଦ୍ମର ଗୁଣ ସୁଗନ୍ଧ ଓ ଚନ୍ଦ୍ରର ଗୁଣ ଆହ୍ଲାଦକତା । ପଦ୍ମିନୀଜାତୀୟ ନାୟିକା ଲାବଣ୍ୟବତୀଠାରେ ନିହିତ ରହିଛି ବୋଲି ଧ୍ଵନିତ ହେଉଛି । ଚୁମ୍ବିତ ଶବ୍ଦର ପ୍ରୟୋଗରୁ ଅଭିବ୍ୟଞ୍ଜିତ ହେଉଛି ଯେ ପୁଂଲିଙ୍ଗ ଭୃଙ୍ଗ ଓ ଚକୋର ନାୟିକାର ମୁଖ ଚୁମ୍ବନ କଳ୍ପନା କରାଯିବା ହେତୁ ଅପୂର୍ଣ୍ଣେନ୍ଦ୍ରିୟ ପ୍ରାଣୀ କୀଟପତଙ୍ଗ ପକ୍ଷୀ ମୁଖ ପ୍ରତି ଆକୃଷ୍ଟ ହୋଇ ଚୁମ୍ବନ କରିବାକୁ ଲୀଳାୟିତ ହେଲାବେଳେ ଶକ୍ତିଶାଳୀ ସର୍ବଇନ୍ଦ୍ରିୟଯୁକ୍ତ ପୁରୁଷ ପ୍ରତି ତାହା କେତେଦୂର ଲୋଭନିୟ ହୋଇ ନ ଥିବ ତାହା ଅନୁମାନ କରିବା କଥା । ଭଞ୍ଜଙ୍କର ଉପମା ସହିତ ଅର୍ଥଗୌରବ ଏଠାରେ ବିଳସିତ ହୋଇଛି ।

 

ଏହିପରି ଦୁର୍ଲଭ ଶୋଭାରାଶିରେ ବିମଣ୍ଡିତ ନାରୀର ମାୟାରେ କବି, ଶିଳ୍ପୀ, ଦାର୍ଶନିକ, ବାଳ, ଯୁବା, ବୃଦ୍ଧ ପ୍ରତ୍ୟେକ ଆବଦ୍ଧ । ଏହି ନୈସର୍ଗିକ ଆକର୍ଷଣକୁ ରୂପାୟିତ କରିବାକୁ ଯାଇ ସେ ଲେଖନ୍ତି –

 

ନାରୀକୁ ବଡ଼ ହୋଇ ଜଗତେ ନାହିଁ

ବାନରୀ ରୂପେ ହେଲେ ପବନ ମୋହି

ଏକେ ଅଦୃଷ୍ଟ ରଜା ଦୁଜେ ଧୀବରୀ

ପରାଶର ୠଷିର ବିବେକ ହରି ।।

-ଲାବଣ୍ୟବତୀ ୧୪-୨୨

 

ନାରୀ ପ୍ରତି ଦୁର୍ବାର ମୋହ ତୁଟାଇବା ଅତ୍ୟନ୍ତ ଦୁଷ୍କର । ପରାଶର ତପସ୍ଵୀ ସଂଯମୀ ହେଲେ ମଧ୍ୟ ଘାଟରେ ଡଙ୍ଗା ବାହୁଥିବା ମତ୍ସ୍ୟଗନ୍ଧା ପ୍ରତି ସେ ଏକାବେଳେ ଆକୃଷ୍ଟ ହୋଇପଡ଼ିଲେ-। ମିଳନ ପାଇଁ ପ୍ରାର୍ଥନା କଲେ । ରାମାୟଣ ବର୍ଣ୍ଣିତ ଅଞ୍ଜନାଙ୍କୁ ଦେଖି ପବନ ଦେବତା କିପରି ମୋହିତ ହୋଇଗଲେ ତାହାର ଅବତାରଣା କରି କବି ଶାସ୍ତ୍ରକାବ୍ୟ ଲେଖିବାରେ କିପରି ନିପୁଣ ତାହାର ଇଙ୍ଗିତ ପ୍ରଦାନ କରିଛନ୍ତି । ସତରେ ନାରୀର ଆକର୍ଷଣ ପାଖରେ ପୁରୁଷ ଅତ୍ୟନ୍ତ ଦୁର୍ବଳ ।

 

କବି ବତ୍ସାୟନଙ୍କ କାମସୂତ୍ରରୁ ଚତୁଃଷଷ୍ଟି ପ୍ରକାର କାମକଳାକୁ ଆଧାର କରି ଶୃଙ୍ଗାରରସକୁ ପରିପୁଷ୍ଟ କରିଛନ୍ତି । ଯୁବାବଶୀକରଣ, ଚୁମ୍ବନ, ଆଲିଙ୍ଗନ, ଦନ୍ତକ୍ଷତ, ନଖକ୍ଷତ, ବିପରୀତ ରତି ଆଦି ସଂଭୋଗ ଶୃଙ୍ଗାରର ସମସ୍ତ ବନ୍ଧ ସେ ଯଥା ପ୍ରସଙ୍ଗରେ ରୂପାୟିତ କରିଛନ୍ତି । କାମସୂତ୍ରର ଶୃଙ୍ଖଳା ରକ୍ଷା କରିଛନ୍ତି । କାମସୂତ୍ରର (୨.୧.୬)ରେ ଉଲ୍ଲେଖ ଅଛି ଯେ ପୂର୍ବରୁ ମିଳିତ ହୋଇ ନ ଥିବା ନାୟକ – ନାୟିକାଙ୍କ ପରସ୍ପର ଅନୁରାଗ ଦ୍ୟୋତନ ସକାଶେ ଆଲିଙ୍ଗନ ପ୍ରୟୋଜନ । ଆଲିଙ୍ଗନ ଚାରିପ୍ରକାର : ସ୍ପୃଷ୍ଟକ, ବିଦ୍ଧିକ, ଉଦ୍‍ଘୃଷ୍ଟକ ଓ ପୀଡ଼ିତକ । ଏହି ନିୟମ ରକ୍ଷାକରି ଉଭୟ ନାୟକ – ନାୟିକା ଯେତେବେଳେ ମଧୁଶଯ୍ୟା ମନ୍ଦିରରେ ପ୍ରଥମେ ପ୍ରବେଶ କରିଛନ୍ତି ସେତେବେଳେ ନାୟକ ଚନ୍ଦ୍ରଭାନୁର ଆଲିଙ୍ଗନ ଦ୍ଵାରା ସୁରତ ବର୍ଣ୍ଣନାର ସୂତ୍ରପାତ ହୋଇଛି-

 

ମୃଦୁ ଅଙ୍ଗୀ ଅଙ୍ଗିକାର ଏ ଭଙ୍ଗିରୁ ଜାଣି

ନେଇ ଚିବୁକେ ପୁରୁଷ ନିବେଶିଲା ପାଣି

ଭୋଳ ହୋଇ କୋଳ କରି ଶ୍ରୀମୁଖ ଟେକିଲା

ଯୋଗଭଙ୍ଗୀ ଭଙ୍ଗୀସ୍ଥାନ ଥୟ ନ ଧରିଲା ।

ଲାବଣ୍ୟବତୀ

 

ଏହା ପ୍ରଥମ ଆଲିଙ୍ଗନ ସ୍ପୃଷ୍ଟକ । କାରଣ ଅଭିଳଷିତ ନାୟିକା ସମ୍ମୁଖକୁ ଆସୁଥିଲାବେଳେ ନାୟକ ଆପଣା ଅଙ୍ଗ ସାହାଯ୍ୟରେ ତା ଅଙ୍ଗକୁ ସ୍ପର୍ଶ କରିବାର ନାମ ସ୍ପୃଷ୍ଟକ । ଏହାପରେ ଅନୁରାଗ ବୃଦ୍ଧି ନିମିତ୍ତ ଚୁମ୍ବନ ନଖକ୍ଷତ ଓ ଦନ୍ତକ୍ଷତାଦିର ବ୍ୟବସ୍ଥା ନିର୍ଦ୍ଧିଷ୍ଟ ହୋଇଛି । ସହବାସ ପୁର୍ବରୁ ଅନୁରାଗ ବଶତଃ ଏ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏଣୁ ନାୟକ ଚନ୍ଦ୍ରଭାନୁ କୋଳକଲାମାତ୍ରେ ଚୁମ୍ବନ କରିବା ବର୍ଣ୍ଣନା ଦିଆଯାଇଛି । ଉପେନ୍ଦ୍ର ସାହିତ୍ୟରେ ରତିବର୍ଣ୍ଣନାର ଔଚିତ୍ୟ ଉଲ୍ଲେଖଯୋଗ୍ୟ । ନୀବୀମୋକ୍ଷଣ, ଚନ୍ଦ୍ରଚାଳନା ଓ ପରିରମ୍ଭ ପରି ନଗ୍ନଦେହଜ ପ୍ରେମର ତଥା ରତିକ୍ରିୟାର ଟିକିନିଖି ବିବରଣୀ ସେ ତାଙ୍କ କାବ୍ୟ କବିତାରେ ପ୍ରକାଶ କରିଅଛନ୍ତି । ହେଲେ ହେଁ ଭାରତର ସାଂସ୍କୃତିକ ଓ ନୈତିକ ପରମ୍ପରା ଅନୁସରଣ କରି ପରକୀୟା ପ୍ରେମ ଓ ଦିବସରତି ନିଷେଧ କରିଛନ୍ତି ।

 

ଭଞୀୟ କାବ୍ୟରେ ସମ୍ଭୋଗ ଶୃଙ୍ଗାରର ଯେପରି ୠସାଳ ବର୍ଣ୍ଣନା ରହିଛି, ବିପ୍ରଲମ୍ଭ ଶୃଙ୍ଗାରର ବିଛେଦ ଦୃଶ୍ୟ ମଧ୍ୟ ସେହିପରି କରୁଣମୟ ହୋଇଉଠିଛି । ବିପ୍ରଲମ୍ବ ବିନା ଶୃଙ୍ଗାର ପୁଷ୍ଟିଲାଭ କରି ନ ଥାଏ । ସ୍ୱପ୍ନରେ ଲାବଣ୍ୟବତୀର ଚନ୍ଦ୍ରଭାନୁ ସହିତ ମିଳନ ଘଟିଛି । ସ୍ୱପ୍ନ ସରିଗଲା ପରେ ଲାବଣ୍ୟବତୀ ଯେପରି ବିଳାପ କରିଛି ତାହା ଅତ୍ୟନ୍ତ ମାର୍ମିକ ।

 

ଚେତି ଚାତୁରୀ ଚାହିଁଲା ନିଶିନାଶେ ପାଶେ ନାହିଁ ଦିବ୍ୟ ତରୁଣ

ମାରି ହୃଦେ ହାତ ନାଥ ନାଥ ବୋଲି ଅତି ଉଚ୍ଚେ କଲା କାରୁଣ୍ୟ

ଖୋଜେ ଅଧୀରେ । ଚେତନା ହତ ସେ ବିଧିରେ

ଶେଯ ଲେଉଟାଇ କବରୀ ଫିଟାଇ କର ଭରି କୁଚସନ୍ଧିରେ ।।

-ଲାବଣ୍ୟବତୀ ୧୨ଶ ଛାନ୍ଦ

 

ଏଠାରେ ନାୟକ ଦିବ୍ୟ ଓ ନାୟିକା ଚାତୁରୀ । କାମଦଶାର ଜଡ଼ତା ଅବସ୍ଥା ଏଠାରେ ସୂଚିତ । କାଳିଦାସ ତାଙ୍କର ମେଘଦୂତ ଖଣ୍ଡକାବ୍ୟରେ ଲେଖନ୍ତି : କାମାର୍ତ୍ତାଃ ହି ପ୍ରକୃତିକୃପଣାଃ ଚେତନାଚେତନେଷୁ । କାମପୀଡ଼ିତ ବ୍ୟକ୍ତିମାନେ କିଏ ଚେତନ କିଏ ଅଚେତନ ସେ ବିଷୟରେ ଜଡ଼ ପାଲଟି ଯାଇଥା’ନ୍ତି । ଏଠାରେ କବିଙ୍କ ଚମତ୍କାରିତା ଆଲୋଚ୍ୟ ଅଟେ । ଚାତୁର୍ଯ୍ୟ ହେଉଛି କବିତାର ପ୍ରାଣ । ଏହା ଭାବ କିମ୍ବା ଭାଷାର ଚମତ୍କାରିତା ହୋଇପାରେ । ଚମତ୍କାରିତା ନ ଥାଇ କବିତା ହୋଇପାରେ ନାହିଁ । ତେଣୁ ରସେ ସାର ଚମତ୍କାର ବୋଲି ଉତ୍କଳର ପ୍ରସିଦ୍ଧ ଆଳଙ୍କାରିକ ବିଶ୍ୱନାଥ କବିରାଜ ତାଙ୍କ ସାହିତ୍ୟ ଦର୍ପଣରେ ମତପ୍ରକାଶ କରିଛନ୍ତି । ଉପେନ୍ଦ୍ରଙ୍କ ଯଥୋଚିତ ଅଳଙ୍କାର ପ୍ରୟୋଗ ତାଙ୍କ କାବ୍ୟମାଧୁରୀକୁ ଦୀପ୍ତିପ୍ରଦାନ କରିଛି । ଶବ୍ଦାଳଙ୍କର ମଧ୍ୟରେ ଅନୁପ୍ରାସ ଏବଂ ଯମକ ଅତ୍ୟନ୍ତ ଜନପ୍ରିୟ । ଆଲୋଚ୍ୟ ପଂକ୍ତିରେ ‘ଚ’ ଅନୁପ୍ରାସ ‘ଶ’ ଅନୁପ୍ରାସ ଅତ୍ୟନ୍ତ ଶ୍ରୁତିମଧୁର ହୋଇଛି । ପଦମଧ୍ୟରେ ଏକ ବର୍ଣ୍ଣର ପୁନରାବୃତ୍ତିକୁ ଅନୁପ୍ରାସ କୁହାଯାଏ । ଏହା ପାଠକର ପ୍ରାଣରେ ଏକ ଅପୂର୍ବ ଶିହରଣ ସଞ୍ଚାର କରିଥାଏ । ଭଞ୍ଜକ ଲାବଣ୍ୟବତୀର ଦେଖି ନବକାଳିକା କିମ୍ବା ବୈଦେହୀଶବିଲାସର ବଧିର ନୁହଁ ବୀର ବୋଇଲା ତହୁଁ ଧୀବର ପଦଦ୍ୱୟ ‘କ’ ଅନୁପ୍ରାସ ଏବଂ ‘ବ’ ଅନୁପ୍ରାସ ପାଠକର ପ୍ରାଣରେ ଅଦ୍ଭୁତ ଆନନ୍ଦ ସୃଷ୍ଟି କରିଥାଏ । ହୃଦୟର ଭାବାବେଗ ଏବଂ ଅନୁଭୂତିର ଗାଢ଼ତା ଓ ପ୍ରାଚୁର୍ଯ୍ୟକୁ ରୂପଦେବାରେ ଅନୁପ୍ରାସ ବିଶେଷ ସହାୟକ ହୋଇଥାଏ ।

 

କଳ୍ପତରୁରେ ଫଳ ନ ମିଳିବା, ସାଗରରେ ସ୍ନାନକଲେ ମଧ୍ୟ ତୃଷ୍ଣା ନ ମେଣ୍ଟିବା, ଆଇନାରେ ପ୍ରତିବିମ୍ବ ଦେଖାଗଲା ମଧ୍ୟ ତାକୁ ଧରି ନ ପାରିବା, ମୃଗତୃଷ୍ଣାର ଜଳରେ ଶୋଷ ଦୂର ନ ହେବା ନୂଆ ଅନ୍ଧକୁ କିଛି ନ ଦିଶିଲା ପରି ଜଳକଳସରେ ଚନ୍ଦ୍ରବିମ୍ବକୁ ଦେଖିଲେ ମଧ୍ୟ ଧରି ନ ପାରିଲାପରି ବିଛେଦରେ ନାୟକ ନାୟିକାଙ୍କ ଆକୁଳତା ବଢ଼େ ସିନା ପରସ୍ପର ସହିତ ମିଳିତ ହୋଇପାରନ୍ତି ନାହିଁ । ଏହି କାବ୍ୟିକ ଭାବନା ତାଙ୍କ ପ୍ରେମରସକୁ ଏକ ଦିବ୍ୟ ଓ ଶାଶ୍ୱତ ରୂପ ଦେଇଛି ।

 

କବିସମ୍ରାଟ ଉପେନ୍ଦ୍ରଙ୍କ ଶବ୍ଦ ଛନ୍ଦମୟ ଓ ସଙ୍ଗୀତମୟ । ନାନା ଅଳଙ୍କାରରେ ଅଳଙ୍କୃତ । ଶୃଙ୍ଗାର ରସର ଉଚ୍ଛଳ ତରଙ୍ଗ ବୈଦେହୀଶ ବିଳାସ ବ୍ୟତୀତ ଅନ୍ୟାନ୍ୟ କାବ୍ୟକୃତିମାନଙ୍କରେ ଦେଖିବାକୁ ମିଳେ । ସେ ରତି ଓ ଶୃଙ୍ଗାର ଉପରେ ଗୁରୁତ୍ୱ ଦେଲେ ମଧ୍ୟ ବିବାହ ପୂର୍ବରୁ ଅନୁରକ୍ତ ଯୁବକ ଯୁବତୀଙ୍କୁ ମିଳାଇ ଦେଇନାହାନ୍ତି । ରତି ନିନ୍ଦନୀୟ ନୁହେଁ । ଦମ୍ପତ୍ୟ ଜୀବନରେ ଏହାର ସ୍ଥାନ ଅତି ଉଚ୍ଚ । ନାରୀ ଦେହ ଭୋଗ୍ୟ ନୁହେଁ ଏହା ବୈକୁଣ୍ଠପୁର ସମ । ପ୍ରେମାନୁଭୂତି ବର୍ଣ୍ଣନାରେ ସେ ଯଥେଷ୍ଟ ଔଚିତ୍ୟ ରକ୍ଷା କରିଛନ୍ତି । ତାଙ୍କର ଅନବଦ୍ୟ କାବ୍ୟକୃତି ରସପିପାସୁ ପାଠକ ଓ ଶ୍ରୋତା ମନରେ ଅମଳାନନ୍ଦ ସୃଷ୍ଟି କରି ଚିତ୍ତ –ଉଲ୍ଲାସ ଜନ୍ମାଇଥାଏ । ଶୃଙ୍ଗାରାଶ୍ରିତ ତାଙ୍କର କୃତି ଅଧ୍ୟୟନରେ ଚିତ୍ତ-ଦୂଷିତ ହୁଏ ନାହିଁ କି ସଂକୀର୍ଣ୍ଣତା ଆସେ ନାହିଁ । ଅନ୍ୟପକ୍ଷରେ ତାଙ୍କର ଶୃଙ୍ଗାରରସ ସବୁକୁ ଧୀରେ ଧୀରେ ଭଗବତ୍ ରସାଭିମୁଖୀ କରି ମୁକ୍ତିପଥ ଉନ୍ମୋଚିତ କରି ଦେଇଛନ୍ତି । ରାମ ତାରକ ମନ୍ତ୍ରରେ ସିଦ୍ଧିପ୍ରାପ୍ତ ସନ୍ୟାସୀସମ ଉପେନ୍ଦ୍ର କେବେ ନିରୋଳା ଶୃଙ୍ଗାରରସ ଉପାସକ ହୋଇ ନ ପାରନ୍ତି । ତାଙ୍କର ଅପୁର୍ବ କବିଚାତୁରୀ ପ୍ରତ୍ୟେକ ସହୃଦୟ ପାଠକକୁ କାଳେକାଳେ ଅପୁର୍ବ ଆହ୍ଲାଦରେ ଆମୋଦିତ କରୁଥିବ ।

 

 

କ୍ୱା.ନଂ ସି/୨୨/୧,ନାଲକୋ

ଦାମନଯୋଡ଼ି, କୋରାପୁଟ-୭୬୩୦୦୮

 

***

 

କାନ୍ଦଣା ଗୀତରେ ପଲ୍ଲୀପ୍ରାଣର ଝଙ୍କାର

ଡକ୍ଟର ଲକ୍ଷ୍ମଣ ମେହେର

 

ଲୋକଗୀତରେ ବହୁଭାଗ ନାରୀଠାରୁ ସୃଷ୍ଟି । ସମାଜରେ ପୁରୁଷର ବଡ଼ପଣିଆ ଏବଂ ଅପାରଗତା ନାରୀ ପାଇଁ ବିଷମତା ସୃଷ୍ଟି କରିଥାଏ । ଏଣୁ ସାମାଜିକ ଜୀବନରେ ଘଟଣାକ୍ରମେ ସେ ନିର୍ଯାତିତ ହୁଏ । ଏଥିପାଇଁ ତା ଭିତରେ ଅନେକ ସମୟରେ ମାନସିକ ଚାପ ବଢ଼ିଯାଏ । ଲୋକଗୀତରେ ନାରୀର ମନସ୍ତାତ୍ତ୍ୱିକ ଚିତ୍ର ବିଭିନ୍ନ ଭାବରେ ରୂପାୟିତ ହୋଇଅଛି । ଆଲୋଚିକା ଜ୍ୟୋସ୍ନାମୟୀ ପ୍ରଧାନଙ୍କ ମତରେ ଲୋକଗୀତ ଭିତରେ ନାରୀର ଅସଲ ସ୍ୱର ଚିତ୍ରିତ ହୋଇଥାଏ । ଓଡ଼ିଆ ଲୋକଗୀତରେ ବିଚ୍ଛେଦ ଯନ୍ତ୍ରଣା ଦୃଷ୍ଟିଗୋଚର ହୁଏ ମାତା-କନ୍ୟା, ଖୁଡ଼ୀ-କନ୍ୟା, ବନ୍ଧୁ ବାନ୍ଧବୀଙ୍କ ମଧ୍ୟରେ ।” ନାରୀର ସରଳତା ଅନେକ ସମୟରେ ତା’ ପାଇଁ ଦୁଃଖର କାରଣ ହୋଇଥାଏ । ଏଣୁ ସବୁକଥାକୁ ପ୍ରକାଶ କରି ନ ପାରି ସେ କେବଳ ହୃଦୟ ରାଜ୍ୟରେ ଘାରି ହେଉଥାଏ । ଏହାର ନିଚ୍ଛକ ବାତାବରଣ କାନ୍ଦଣା ଗୀତରେ ଅଧିକ ସ୍ପଷ୍ଟ । ଏହି ଗୀତକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ । ଗୋଟିଏ ହେଉଛି ବିବାହ ସମୟର ଏବଂ ଅନ୍ୟଟି ମୃତ୍ୟୁଜନିତ-

 

ବିବାହ ସମୟର କାନ୍ଦଣା :

ଉଭୟ ଗୀତରେ ଆଖିରୁ ଲୁହ ଝରେ । କିନ୍ତୁ ବିଷୟଗତ ପାର୍ଥକ୍ୟ ଅନେକ ପରିଣାମରେ ରହିଛି । କାନ୍ଦିବା ଦ୍ୱାରା ଆଖିରୁ ଲୁହ ଗଡ଼େ । ଯନ୍ତ୍ରଣା ଅସହ୍ୟ ହେଲେ ହୃଦୟରୁ କୋହ ଉଠେ । ଏହି ଲୁହକୁ ନେଇ ରାମାୟଣ, ମହାଭାରତ ବି ସୃଷ୍ଟି ହୋଇଛି । ସୀତାଙ୍କ ଲୁହର ଇତିହାସ ହେଉଛି ରାମାୟଣର ବିଷୟବସ୍ତୁ । ସେହିପରି ଦ୍ରୌପଦୀର ଆଖିର ଲୁହ କୌରବଙ୍କ ଧ୍ୱଂସ ପାଇଁ ଉଦ୍ଦିଷ୍ଟ । କିନ୍ତୁ ସାମାଜିକ ଜୀବନରେ ବିବାହକାଳୀନ କାନ୍ଦଣା ସମୟରେ ଝିଅଟି ଆଖିରୁ ଲୁହ ଝରାଇ ଯେଉଁ ସ୍ମୃତି କଥା ରୋମନ୍ଥନ କରେ ତାହାକୁ କାନ୍ଦଣା ଗୀତ କୁହାଯାଏ । କାନ୍ଦଣା ଗୀତ ହେଉଛି ଲୋକଗୀତର ଅନ୍ୟତମ ଅଧ୍ୟାୟ ନାରୀ ଜୀବନରେ ଧାରାବାହିକ ବିବରଣୀ ଝରିଆସେ । ପାରିବାରିକ ଜୀବନରେ ଯେଉଁ ସ୍ନେହ, ଶ୍ରଦ୍ଧାର ବଳୟରେ ବଢିଥାଏ ସେହି ଦ୍ୱାରକୁ ଛାଡ଼ି ଅନ୍ୟ ଗୋଟିଏ ଗୃହକୁ ଆପଣାର କରିବା ପାଇଁ ମନ ଭିତରେ ବଳ ସଂଗ୍ରହ କରୁଥିବା ବେଳେ ବିଭିନ୍ନ ଭାବନା ତା ଚେତନାରେ ପ୍ରତିରୋଧ କରୁଥାଏ । ଏହି ଅସ୍ପଷ୍ଟ ପ୍ରତିଚ୍ଛବି ହିଁ ଘରୁ ବିଦା ହେଲା ସମୟରେ ଲୁହର ଜୁଆରରେ ପ୍ରକାଶ ପାଏ । ‘ଝିଅର ବିଦାୟ’ । ବୋହୂର ଆଗମନ ଏକଆଡ଼େ ଦୁଃଖର ହାହାକାର ଅନ୍ୟଆଡ଼େ ଆନନ୍ଦର ସ୍ପନ୍ଦନ । ଏକଆଡ଼େ ମର୍ମଦାହୀ ବିରହ ଅନ୍ୟଆଡ଼େ ମର୍ମସ୍ପର୍ଶୀ ମିଳନ । ଏହି ଦୁଃଖ ଓ ସୁଖ ପର୍ବତ ମଧ୍ୟରେ ବନ୍ୟା ଯେପରି ଏକ ଅଶ୍ରୁର ଝରଣା ।” ଝିଅର କାନ୍ଦଣାରେ ଅନ୍ତରର ଭାଷା ଥାଏ । ଏଇଠି ଛଳନା ନାହିଁ । ରହିଛି କେବଳ ହୃଦୟସ୍ପର୍ଶୀ ଦୁଃଖ ଗୀତିକା । ଶାଶୁ ଘରକୁ ଯିବା ସମୟରେ ଏହି ଅଶ୍ରୁଳ ଗୀତି ଉପସ୍ଥିତ ବନ୍ଧୁ ସହୋଦରଙ୍କ ଆଖିକୁ ଭିଜାଇ ଦିଏ । ଏତେବେଳେ ଝିଅଟି ଅନାଗତ ଭବିଷ୍ୟତକୁ ନେଇ ମନରେ ନାନା ଆଶଙ୍କା ବାନ୍ଧେ; ସେଇ ଆଶଙ୍କାକୁ ପରିବେଶକୁ ଶୋକାତୁର କରିଦିଏ । ଝିଅଟି ଆତ୍ମୀୟଙ୍କ ଭିତରୁ ଜଣକ ପରେ କୁଣ୍ଡାଇ ପକାଇ ତାର ବେଦନା ପ୍ରକାଶ କରୁଥିବା ଜଣାଯାଏ । ଏହା ମାତୃ ନିକଟରେ ଅଧିକ ଦୁଃଖପୂର୍ଣ୍ଣ ଭାବେ ପରିଦୃଷ୍ଟ ।

 

ଖେଳି ଯାଉଥିଲି ଖେଲାରୀ ଘରେ ମାଗୋ

ଖେଳ ଭାଙ୍ଗିଗଲା ଭଗାରୀ ଘରେ ମାଗୋ

ଘରୁ ବାହାରିଲେ ମାଏଲି ଲିତା ମାଗୋ

ଆଜି ଛାଡ଼ିଯିବି ଜନମଚିତା ମାଗୋ

ପରର ପୁଅ ଯେ ଧଇଲା ଡେନା ମାଗୋ ।

ଘରୁ ବହାରିଲି ମାଏଲି ଗୁଡ଼ି ମାଗୋ

ଘରର ପୁଅ ଯେ ମାଏଲା ଲେଡ଼ି ମାଗୋ ।

 

ଜୀବନର ବେଦନା ଏବଂ ହୃଦୟ ଭିତରେ ଉଠୁଥିବା ଅସ୍ଥିରତା ବାରମ୍ବାର ଝିଅକୁ ଲୁହ ଲୁହାଣ କରି ଦେଉଥାଏ । କୁଆଁରି ଝିଅର ହୃଦୟ କନ୍ଦରର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି ଶ୍ରୋତା ମନକୁ ଅଭିଭୂତ କରି ଦେଇଥାଏ । ଗୋଟିଏ ପଟେ ଅନୁଭୂତି ଏବଂ ଅନ୍ୟ ପଟେ ବିନମ୍ରତା ଗୀତକୁ ଅଧିକ କରୁଣସିକ୍ତ କରିଥାଏ । ଇଂଲଣ୍ଡ, ଆମେରିକା ଭଳି ସ୍ଥାନରେ କାନ୍ଦିବା ପ୍ରଥା ନାହିଁ । ବରଂ ସେମାନେ ଏକ ପବିତ୍ର ମହୋତ୍ସବ ବୋଲି ବିବାହ ଉତ୍ସବ ପାଳନ କରନ୍ତି । କିନ୍ତୁ ଆମ ମାଟିରେ ଏ ହେଉଛି ଏକ ପାରମ୍ପରିକ ରୀତି । ମା’ ବାପାଙ୍କ ଝିଅର ବାହାଘର ନିର୍ଦ୍ଧାରଣ ଦିନରୁ ହିଁ ଝିଅର ମନରେ ଛନକା ପଶିଯାଏ । ସେ ଅତିଥି ସହିତ ଭବିଷ୍ୟତ ଜୀବନକୁ ମାପିବସେ । ରେଡ଼ିଓ, ଟିଭି, ଖବରକାଗଜର ଦୁର୍ଘଟଣା ଚିତ୍ରଗୁଡ଼ିକ ତା’ମନରେ ଦ୍ଵନ୍ଦ ଆଣିଦିଏ । ଏଥିପାଇଁ ଶିକ୍ଷିତ ହେଉ କି ଅଶିକ୍ଷିତ ହେଉ ଝିଅ ବିଦାୟବେଳେ ସମସ୍ତଙ୍କ ଆଖି ଲୋତକପୂର୍ଣ୍ଣ ହୋଇଯାଏ । କେତେକ ସ୍ଥଳେ ଗ୍ରାମୀଣ ପରିବେଶରେ ବାହାଘରର ଗୋଟିଏ ମାସ ପୂର୍ବରୁ ପାହାନ୍ତିଆ ବେଳକୁ ଘରେ ଘରେ କ୍ରନ୍ଦନର ରୋଳ ଉଠେ । ଏହା ବିବାହ ଦିନ ଅତ୍ୟନ୍ତ କରୁଣ ରୂପ ଧାରଣ କରେ । ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଝିଅର ହୃଦୟ ବେଦନାକୁ ଅବବୋଧ କରି ଲେଖିଛନ୍ତି । ନାରୀ ଜୀବନର ଯାବତୀୟ କାହାଣୀ କାନ୍ଦଣାର ପରିସରଭୁକ୍ତ । ଶାଶୂ, ନଣନ୍ଦଙ୍କ ଠାରୁ ଆରମ୍ଭ କରି ପିତାମାତା, ଭାଇଭଉଣୀଙ୍କ କନ୍ୟା ପ୍ରତି ନିର୍ଦ୍ଦୟ ବ୍ୟବହାର ହୃଦୟସ୍ପର୍ଶ ଆଲେଖ୍ୟ ଏଗୁଡ଼ିକରେ ଅଙ୍କିତ ହୋଇଥାଏ । ସମାଜର ବହୁମୁଖୀ ସମସ୍ୟାର ଚିତ୍ର ଦେଖାଯାଏ । ନବ ପରିଣୀତାର ସ୍ଵାମୀ ଗୃହରୁ ଯିବା ପୂର୍ବରୁ ମନୋଭାବ କାନ୍ଦଣାରେ ଯେଉଁ ରୂପ ନେଇଛି ତାହା ଅତି ରମଣୀୟ ଓ ଶ୍ରୋତାର ପ୍ରାଣକୁ ସ୍ଵତଃ ଦଗ୍ଧ କରିବାରେ ଏକାନ୍ତ ସମର୍ଥ । ଯେଉଁ ଘରେ ସ୍ଵାମୀର କର୍ତ୍ତୃତ୍ଵ ନ ଥାଏ ସେଇଠି ଶାଶୂ, ଶ୍ୱଶୁର, ନଣନ୍ଦଙ୍କ ଗଞ୍ଜଣା ବୋଝ ହୋଇଯାଏ । ଏତେବେଳେ ନାରୀର ସୁଖ ସ୍ଵପ୍ନ ସବୁ ଚୂରମାର ହୋଇଯାଏ । ତା’ର ଜୀବନ କରୁଣ ଓ ଦୟନୀୟ ହୋଇପଡ଼େ । କଥାରେ ଅଛି ‘ଝିଆ ଜନମ ପରଘରକୁ’ । ପରକୁ ଆପଣାର କରିବାକୁ ଗଲାବେଳେ ବହୁ କଷ୍ଟ ଦୁଃଖର ସମୁଦ୍ର ପାରି ହେବାକୁ ପଡ଼େ । ଏଥିପାଇଁ କବି ବିନୋଦ ନାୟକ ‘ଗ୍ରାମପଥ’ କବିତାରେ ଝିଅକୁ ସବୁ ସହିଯିବା ପାଇଁ ଉଦବୋଧନ ଦେଇଛନ୍ତି- ପୃଥିବୀ ସମ ସହନଶୀଳା ସେ ଅସୀମ କରୁଣାବତୀ । ଝିଅର ଅନ୍ୟ ନାମ ହେଉଛି ଦୁହିତା । ଦୁଇଟି କୁଳକୁ ହିତ ରଖିବା ଉଦ୍ଦେଶ୍ୟରେ ତା’ର ଜନ୍ମ । ସେଥିପାଇଁ ଦୁଇଟିଯାକ ବାପଘର ଏବଂ ଶାଶୂଘର ଚିତ୍ର ଦେଖାଯାଏ । ଗୋଟିଏ ଜାଗାରେ ସେ ଥିଲା କନ୍ୟା । ଏବେ ଯାଉଛି ବଧୂ ବେଶ ସାଜି । ଅତୀତର ସମ୍ପର୍କ ସ୍ନେହରେ ବନ୍ଧନରେ ନିବିଡ଼ ହୋଇସାରିଛି କିନ୍ତୁ ଏହାକୁ ଏଡ଼ାଇ ଦେଇ ଜୀବନର ଅନ୍ୟ ଏକ କଠୋର ପରୀକ୍ଷାରେ ସେ ଉପନୀତ । ନୂଆ ପରିବେଶକୁ ପୁଣି ସଜାଡ଼ିବା ସକାଶେ ତାକୁ ଦାୟିତ୍ଵ ଦିଆଯାଇଛି । ସେତେବେଳେ ଦୁଖ ଝରିପଡ଼ିବ ସ୍ୱାଭାବିକ ।

 

କାନ୍ଦଣା ଗୀତ କେହି ଶିଖି ନ ଥାଏ । ବଡମାନଙ୍କ ଠାରୁ ଶୁଣି ଶୁଣି ଅନ୍ୟମାନେ ଶିଖିଥା’ନ୍ତି-। ଏହାକୁ ପାଳନ ନ କଲେ ଲୋକେ ଅନୂଢ଼ାଚହିବେ । ପୁଣି ଏଇ ଭିତରେ ତାର ଅତୀତର ଦର୍ଶନ ଓ ଯାୟାର କର୍ତ୍ତବ୍ୟ ନିରୂପିତ । ପ୍ରତ୍ୟେକଙ୍କ ଜୀବନରେ ହସ କାନ୍ଦର ଅବସ୍ଥା ଭିନ୍ନ ଭିନ୍ନ । ବନ୍ଧୁବାନ୍ଧବ, ଶାଶୂନଣନ୍ଦଙ୍କ ବ୍ୟବହାର ମଧ୍ୟ ସବୁ ସ୍ଥାନରେ ସମାନ ନୁହେଁ । ଏଥିପାଇଁ କୁହାଯାଏ-

 

କାହାର କପାଳେ କ୍ଷୀରୀ ପୁରୀ

କାହାର କପାଳେ ଲଡ଼ୁ

କାହାର କପାଳେ ଖସୁ ଖୁଜିରୀ

ଖୁଜେଇ ଖୁଜେଇ ମରୁ ।

 

ଦୁର୍ଭାଗ୍ୟବଶତଃ, କେତେବେଳେ ପ୍ରତିକୂଳ ଅବସ୍ଥା ଦେଖାଗଲେ ଝିଅ ନୈପଥ୍ୟରେ ଆଖିରୁ ଲୋତକ ଝରାଇବା ହିଁ ସାର ହୁଏ । କାହାକୁ କିଛି କହିପାରେ ନାହିଁ । ସବୁ କଥା ଅକୁହା ରହିଯାଏ । ଏଣୁ ଏହି ଅବସରରେ ଗବେଷକ କୁମୁଦ ରଞ୍ଜନ ପାଣିଗ୍ରାହୀଙ୍କ ମତ ଉଲ୍ଲେଖଯୋଗ୍ୟ-। “ଏହି କାନ୍ଦଣା ଅନୁଭୂତି ସମ୍ପର୍ଣ୍ଣା ନାରୀ ହୃଦୟରୁ ଆପେ ଆପେ ଝରିପଡ଼େ । ଏହା ପରମ୍ପରାକ୍ରମେ ଶ୍ରୁତିରୁ ଶ୍ରୁତିକୁ ହୋଇ ନାରୀ ସମାଜ ଭିତରେ ଘୂରି ବୁଲେ । ସମୟକ୍ରମେ ଯୁବତୀର କାନ୍ଦଣା କିଶୋରୀମାନେ ଓ କିଶୋରୀର କାନ୍ଦଣା ସାହିପଡ଼ିଶାର କୁମାରୀମାନେ ଶୁଣି ଶୁଣି ମନେ ରଖିଥାନ୍ତି । ଅସହାୟ ସମୟରେ ନାରୀର ଅରଣ୍ୟରୋଦନ ହିଁ ସାର ହୁଏ । ଅତ୍ୟାଚାର, ନିର୍ଯ୍ୟାତନାକୁ ଛାଡ଼ି ତଳେ ଚାପି ରଖିବାକୁ ବାଧ୍ୟ ହୁଏ । କୌଣସି ପ୍ରତିରୋଧ କରିବାର ସାହସ ତା ନିକଟରେ ନାହିଁ । ଏହି ନିଷ୍ପେଷିତା ଦୃଶ୍ୟ ହିଁ ବିଦାୟ ସମୟରେ ବୁକୁଫଟା ଦୀର୍ଘଶ୍ଵାସ ମାଧ୍ୟମରେ ବାହାରି ଆସେ । ଝିଅଟି ଗୋଟି ଗୋଟି ହୋଇ ଆତ୍ମୀୟଙ୍କ ନିକଟକୁ ପହଞ୍ଚି କାନ୍ଦୁଥାଏ ।

 

‘ବାକସ ଉପରେ ନୁନ ଗିଲାସ ବହୂ ଗୋ

ଧାନିଛନ କପଟା ଆଁଠୁ ତଳକୁ ବହୂ ଗୋ

ଏହି କପଟାକୁ ଫିରାଇଦିଅ ବହୂ ଗୋ

ଫୁଲମାଲ ଧରି ବନ୍ଧାଇ ଦିଅ ବହୂ ଗୋ ।’

 

ପଲ୍ଲୀ ଜୀବନରେ ପାରିବାରିକ ସ୍ତରରେ ଭାଉଜର ଏକ ସ୍ଵତନ୍ତ୍ର ଭୂମିକା ରହିଛି । ଝିଅଟିଏ ଯାହା ଜନ୍ମଦାତ୍ରୀ ମା’କୁ କହିପାରେ ନାହିଁ । ତାହା ଅକ୍ଲେଶରେ ଭାଉଜଙ୍କ ସହିତ ପରାମର୍ଶ କରେ । କାରଣ ଭାଉଜ ନଣନ୍ଦ ସମ୍ପର୍କ ମଧୁର । ଝିଅଙ୍କ କ୍ଷେତ୍ରରେ ଦେଖାଯାଏ ମନରେ ଦୁଃଖ ହେଲେ ଭାଉଜଙ୍କୁ ଆବୋରି ପକାଇ ମନକଥା କହି ପକାଇଲେ ହୃଦୟ କିଛି ହାଲୁକା ହୁଏ । ସେହିପରି ବଡ଼ଭାଇ ହେଉଛି ପିତୃତୁଲ୍ୟ । ଭଉଣୀ ସବୁବେଳେ ବାପ ଏବଂ ଭାଇର ଛାଇରେ ରହି ନିଜକୁ ଗର୍ବ କରେ । ଏହି ଅଧିକାର ଝିଅଟି ଚାଲିଯିବା ସମୟରେ କ୍ଷୁଣ୍ଣ ହେଉଛି । ଏଥିପାଇଁ ତା’ ଉଦ୍ଦେଶ୍ୟରେ ରାଗ ଟେକିବା ଜଣାଯାଏ ।’ ଏତେବେଳେ ବଡ଼ଭାଇଙ୍କ ଉଦ୍ଦେଶ୍ୟରେ କୋହକୁ ଅଟକାଇ କୁହେ-

 

‘ପାଣି ଟୁପୁ ଟୁପୁ ହାତ ପସରା ଦଦାଗୋ

ତମର ଛତା ବାଡ଼ି ଆଗକୁ ଆଶା ଦଦା ଗୋ

ବହେନ୍ ହେଲି ବୋଲି ଟେକିଲି ରଗନ୍ଦନ୍ଦା ଗୋ

ଭାଇ ହୋଇଥିଲେ ଖାଏଁତି ଭାଗ ଦଦାଗୋ ।’

 

ସେହିପରି ଏକାନ୍ନବର୍ତ୍ତୀ ପରିବାର ଗୁଡ଼ିକରେ କାକା-ଖୁଡ଼ୀ, ବଡ଼ବାପା, ବଡ଼ମା, ଅନେକଙ୍କର ସମାଗମ ରହିଥାଏ । ଝିଅଟିଏ କାନ୍ଦ କାନ୍ଦ ହୋଇ ସମସ୍ତଙ୍କ ନିକଟକୁ ପହଞ୍ଚେ ଏବଂ ଅତୀତକୁ ସ୍ମରଣ କରି, ସମ୍ପର୍କକୁ ଉପଜୀବ୍ୟ କରି ନାନା ଭାବନାରେ ଆବଦ୍ଧ ସ୍ମୃତିକୁ ନେଇ ଗୀତ ଯୋଡ଼େ । ପରିବାରର କାକୀ ବା ଖୁଡ଼ୀ ମଧ୍ୟ ମାତୃସ୍ଥାନୀୟ । ସେଥିପାଇଁ ତାଙ୍କ ନିକଟରେ ପହଞ୍ଚିବା କ୍ଷଣି ମୁହଁରୁ ବାହାରି ପଡ଼େ-

 

‘ଢେଁକି ମୁରୁସାରେ ଚଉଳ ଗଜେ କାକୀଗୋ

ଗିଧେ ଚଉଳରେ ରନ୍ଧେଇ ଦେବେ କାକୀ ଗୋ

ପେଟ ଛନ୍ଦା ଘର ଝିଅ ବୋଲିବେ କାକୀ ଗୋ

ଉସତ ବାଡ଼ାର୍ଥି ର୍ଜୁଏ ଲଗାବେ କାକୀ ଗୋ’

 

ହୃଦୟ ଭିତରେ ସୃଷ୍ଟି ହେଉଥିବା ଅନିଶ୍ଚିତତା ବାତାବରଣକୁ ନେଇ ଗୀତଗୁଡ଼ିକ ଋଦ୍ଧିମନ୍ତ-

 

ମୃତ୍ୟୁଜନିତ କାନ୍ଦଣା :

ମଣିଷ ଜୀବନ ବଡ଼ ବୈଚିତ୍ର୍ୟ । ଦୁଃଖ, ସୁଖ, ଉତ୍ଥାନ, ପତନ ଦେଇ ଜୀବନର ଧାରା ଗତି କରିଥାଏ । ସଂସାରରେ ଦୁଇଟି ଜିନିଷ ହେଉଛି ଧ୍ରୁବ ସତ୍ୟ । ଗୋଟିଏ ହେଉଛି ଜନ୍ମ ଏବଂ ଅନ୍ୟଟି ହେଉଛି ମୃତ୍ୟୁ । କଥାରେ ଅଛି ସଂସାର ଭିତରେ ଦେବତା ହୋଇ ଜନ୍ମ ହେଲେ ବି ଦିନେ ତାକୁ ମରିବାକୁ ହେବ । ମଣିଷ ଜନ୍ମ ହୁଏ, କର୍ମ କରି ଚାଲେ କିନ୍ତୁ ମୃତ୍ୟୁକୁ ରୋକିବା ପାଇଁ ଆଜିପର୍ଯ୍ୟନ୍ତ କେହି ସମର୍ଥ ହୋଇପାରି ନାହିଁ । ମୃତ୍ୟୁ ହେଉଛି ଜୀବନର ପୂର୍ଣ୍ଣଚ୍ଛେଦ । ଏଣୁ ପ୍ରିୟଜନକୁ ହରାଇଲା ପରେ ପାରିବାରିକ ଜୀବନ କେତେ ଦୁର୍ବିଷହ ହୋଇପଡ଼େ ତାହା ଅଙ୍ଗେନିଭା ବ୍ୟକ୍ତି ହିଁ ବୁଝିପାରିବ ।

 

ମୃତ୍ୟୁ ଚେତନାକୁ ନେଇ ଅନେକ ପୋଥି ପୁରାଣର ପୃଷ୍ଠା ପରିପୃଷ୍ଠ । ଏହି ଅବସରରେ ଗୋଦାବରୀଶ ମିଶ୍ରଙ୍କ ‘ଦୁଃଖୀଧନ’ କଥା ମନେପଡ଼େ । ଦୁଃଖର ଝରଣା ପାରିହେବା ପାଇଁ ମାଆ ଯାହାକୁ ପାଥେୟ କରିଥିଲା ସେଇ ସମ୍ବଳଟିକକୁ ବି ଦଇବ ଛଡ଼େଇ ନେଲା । ଯେମିତିକି ମାଆର ପରବର୍ତ୍ତୀ ଜୀବନ ତମାମ କେବଳ ଲୁହର ଧାର ଗଡ଼ାଇବାକୁ ହିଁ ରହିଛି । ଡକ୍ଟର ଦାସଙ୍କ ମତରେ, “ସଂସାରରେ ସ୍ତ୍ରୀର ସବୁଠାରୁ ବଡ଼ ଦୁଃଖ ବୈଧବ୍ୟ । ବୈଧବ୍ୟ ଓ ବିରହ ତାର ଚିତ୍ତକୁ ବିଶେଷ ବିକ୍ଷୋଭିତ କରେ । ବିବାହଜନିତ କାନ୍ଦଣା ସାମୟିକ କିନ୍ତୁ ମୃତ୍ୟୁଜନିତ ଶୁନ୍ୟସ୍ଥାନ ଚିରସ୍ଥାୟୀ । ଜୀବନ ଥିବା ପର୍ଯ୍ୟନ୍ତ ଅପୂର୍ଣ୍ଣ; ପୂର୍ଣ୍ଣ ହୋଇପାରେ ନାହିଁ । ମାନସପଟର ନିଆଁ ନିର୍ବାପିତ ହୁଏନି । ଲୁହର ବନ୍ୟା ଅସଂଖ୍ୟ ଜୀବନକୁ ପ୍ରଭାବିତ କରିଦିଏ । ନାରୀର ବୈଧବ୍ୟ ଯନ୍ତ୍ରଣାର ସାନ୍ତ୍ୱନା ନାହିଁ-। ଚିର କାଳ ପାଇଁ ରହିଯାଏ ଛାତି ଭିତରର ଛଟପଟ ଯନ୍ତ୍ରଣା । ନାରୀର ହୃଦୟ କୋମଳ । ସେଥିପାଇଁ ଏହି କଠୋର ଆଘାତ ତା ଜୀବନକୁ ବିସ୍ମୟ କରିଦିଏ । ମା’ ଭଉଣୀ, ପତ୍ନୀ, ଝିଅ, ସମସ୍ତଙ୍କ ମୁହଁରୁ ଉଲ୍ଲାସର ଭାବ ହଜିଯାଏ ।

 

କାନ୍ଦଣା ଗୀତ ଦାଣ୍ଡି ବୃତ୍ତଧର୍ମୀ । ଏହି ଗୀତରେ ଧାଡ଼ିର ଅକ୍ଷର ସଂଖ୍ୟା ଅସମାନ ଥାଏ । ଗୀତକୁ ବାହୁନି ବାହୁନି ଗାଉଥିବା ହେତୁ ଗୀତର ମର୍ମ ହିଁ ଗାୟକ ପ୍ରକାଶ କରିବା ପାଇଁ ଚେଷ୍ଟିତ ଥାଏ । ସେ ଧୈର୍ଯ୍ୟହରା ଭାବରେ କୋହଭରା ଦେଇ ଗୀତ ଗାଉଥିବା ହେତୁ ଧାଡ଼ିର ଶବ୍ଦ କିମ୍ବା ପଦ ପ୍ରତି ତା’ର ଧ୍ୟାନ ରହେନାହିଁ । ଏହାର କରୁଣ ଦୀର୍ଘ ଝଙ୍କାର ମଧ୍ୟରେ କେଉଁଟି ତ୍ରୁଟି ରହିଗଲେ ଜଣାଯାଏ ନାହିଁ । ଏଣୁ କେଉଁ ଧାଡ଼ିର ପନ୍ଦର ଅକ୍ଷର ସ୍ତ୍ରୀଲୋକମାନେ ମୁଣ୍ଡରେ, ଛାତିରେ ହାତ ପିଟି କାନ୍ଦନ୍ତି । ବୟସ୍କା ମାଆ ସଂଜ୍ଞା ହରାଇବା ଦୃଷ୍ଟାନ୍ତ ମଧ୍ୟ ଦେଖାଯାଏ । ଏହି କରୁଣା ବ୍ୟଞ୍ଜନା ସାହି ପଡ଼ିଶାର ହୃଦୟତନ୍ତ୍ରୀକୁ ଥରାଇ ଦିଏ । ଲୋକେ ସମବେଦନା ପାଇଁ ଉପନୀତ ହୁଅନ୍ତି । କିନ୍ତୁ ପ୍ରତ୍ୟେକଙ୍କର ପ୍ରୟାସ ସେଠି ହାର ମାନି ଯାଉଥାଏ । ଏଠାରେ ପ୍ରତ୍ୟେକେ ନିଜ ନିଜ ସମ୍ପର୍କକୁ ନେଇ ବାହୁନି ବାହୁନି କାନ୍ଦୁଥିବା ଦେଖାଯାଏ । ଯଥା-

 

ମୁଇଁ କାହିଁ ଗଲେ ତୁମ କଥା ଶୁଣିବି ହାତୀ ହୋ

କିଏ ମୋର ପାଖରେ ବସି କଥା କହିବ ରଜା ହୋ

ତୁମେ ମତେ ଠକିଦେଲ ଯେ ରଜା ହୋ.....

ମୁଇଁ କାହିଁ ଗଲେ ତୁମକୁ ଦେଖିବି ରଜା ହୋ ।

 

ମୃତ୍ୟୁଜନିତ କାନ୍ଦଣା ଗୀତ ଅତ୍ୟନ୍ତ ହୃଦୟବିଦାରକ ଅଟେ । ଏଥିରେ ଜୀବନର ଆନ୍ତରିକ ଶକ୍ତି କେତେ ବେଶୀ, ସ୍ନେହଶ୍ରଦ୍ଧାର ବିଛିନ୍ନତା କେତେ ଯନ୍ତ୍ରଣାଦାୟକ ତାହାର ସ୍ଵରୂପ ଜଣାପଡ଼େ । ବ୍ୟକ୍ତିଟି ଚାଲିଯାଏ କିନ୍ତୁ ତା’ର ବିଚ୍ଛେଦର ବାର୍ତ୍ତା ସାରାଜୀବନ ପରିବାରରେ ଅନୁଭୂତ ହୁଏ ।

 

ଅପ୍ରିୟ ସତକଥା ସୁସ୍ଥ ପରମ୍ପରାରେ ମୁହଁରୁ ବାହାରେ । ହୃଦୟରେ ଯନ୍ତ୍ରଣା ଆସିଲେ କ୍ରମେ ତାହା ପାଟି ମାଧ୍ୟମରେ ଉଦ୍‍ଗୀରଣ ହୁଏ । ସେହି ଦୃଷ୍ଟିରୁ କାନ୍ଦଣା ଗୀତ ହେଉଛି ଅପ୍ରିୟ ସତ୍ୟକୁ ପ୍ରକାଶ କରିବାର ଧାରା । ଏଇଠି ଅନେକ ଶିକ୍ଷା ଅଛି । କାରଣ ଏଥିରେ ଛଳନା ନାହିଁ । ରହିଛି ନାରୀ ଜୀବନର କୋମଳ ମୁକ୍ତାବିନ୍ଦୁଗୁଡ଼ିକ ।

 

ସହାୟକ ଗ୍ରନ୍ଥସୂଚୀ :

୧.

ପ୍ରଧାନ ଜ୍ୟୋସ୍ନାମୟୀ- ୨୦୦୫ ସାହିତ୍ୟ ତତ୍ତ୍ଵ : ପ୍ରାଚ୍ୟ ଓ ପାଶ୍ଚାତ୍ୟ, ଷଷ୍ଠ ସଂସ୍କରଣ, ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ, କଟକ

୨.

ଦାଶ, କୁଞ୍ଜବିହାରୀ- ୧୯୫୮ – ଓଡ଼ିଆ ଲୋକଗୀତ ଓ କାହାଣୀ, ବିଶ୍ଵଭାରତୀ ।

୩.

ଆଚାର୍ଯ୍ୟ, ବୃନ୍ଦାବନ ଚନ୍ଦ୍ର- ୨୦୦୧ – ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ ଦ୍ଵାଦଶ ସଂସ୍କରଣ, ଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ ।

୪.

ମହାପାତ୍ର, ଶ୍ୟାମସୁନ୍ଦର (ସଂ) ସାହୁ, ମିହିର କୁମାର (ସଂ)- ୨୦୦୫ ଓଡ଼ିଆ ଲୋକସାହିତ୍ୟ ସମୀକ୍ଷା, ପ୍ରଥମ ପ୍ରକାଶ, ବିଦ୍ୟାପୁରୀ କଟକ ।

୫.

ମିଶ୍ର, ମହେନ୍ଦ୍ର କୁମାର- ୧୯୯୫- ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି, ଦ୍ଵିତୀୟ ପ୍ରକାଶ, ଫ୍ରେଣ୍ଡସ ପବ୍ଲିଶର୍ସ, ବିନୋଦବିହାରୀ, କଟକ ।

୬.

ପ୍ରଧାନ, କୃଷ୍ଣଚନ୍ଦ୍ର ୨୦୦୪ – ଲୋକସାହିତ୍ୟ ତତ୍ତ୍ଵରୂପ, ୧ମ ପ୍ରକାଶ, ବିଦ୍ୟାପୁରୀ, କଟକ

୭.

Das, Gupta- 1957 – A Study of Assam folklore, 2nd Edition, Gauhati.

୮.

Das, K.B- 1993 – Folklore of Orissa, Orissa Sahitya Academy, Bhubaneswar

୯.

Wagley, Charles- 1985 – The macmillan Family Encyclopaedia, Macmillan, London Limited Great Britain.

୧୦.

ବ୍ୟବହୃତ ଗୀତଗୁଡ଼ିକ ବଲାଙ୍ଗିରର ରଣାଖୋଲା ଏବଂ ବଘାପାଲି ଗ୍ରାମରୁ ସଂଗୃହୀତ ।

 

 

ଅଧ୍ୟାପକ, ଓଡ଼ିଆ ବିଭାଗ

ଡିଗ୍ରୀ କଲେଜ, କୁଶଙ୍ଗ, ବଲଙ୍ଗିର

 

***

 

ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ‘ମୂଳଶବ୍ଦବୋଧିକା’ ର

Unknown

ମୌଳିକ ତାତ୍ପର୍ଯ୍ୟ

ଡକ୍ଟର ରବୀନ୍ଦ୍ର କୁମାର ଦାସ

 

‘ଅପଭ୍ରଂଶବୋଧିନୀ’ର ଠିକ୍ ନଅବର୍ଷ ପରେ ଅର୍ଥାତ୍ ୧୯୦୧ ମସିହାରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ଉଦ୍ୟମରେ ‘ମୂଳଶବ୍ଦବୋଧିକା’ ପ୍ରକାଶ ପାଇଥିଲା । ‘ଅପଭ୍ରଂଶବୋଧିନୀ’ରେ ଆର୍ତ୍ତତ୍ରାଣ ମିଶ୍ର ଯେଉଁଠି ଅଟକିଯାଇଥିଲେ ତାର ଆଉ କିଛି ବାଟ ଅଗ୍ରସର ହୋଇ ମୃତ୍ୟୁଞ୍ଜୟ ରଥ ‘ମୂଳଶବ୍ଦବୋଧିକା’ ରଚନା କରିଛନ୍ତି । ଓଡ଼ିଶାରେ ପ୍ରଚଳିତ ଅପଭ୍ରଂଶ ଶବ୍ଦର ମୂଳ ତତ୍ସମ ରୂପକୁ ଏଥିରେ ଦର୍ଶାଯାଇଛି ।

 

୧୮୯୯ ମସିହାରେ ରାଧାନାଥ ରାୟ ଗୋଟିଏ ଅପଭ୍ରଷ୍ଟ ଶବ୍ଦର ମୂଳଶବ୍ଦ କଣ ବୋଲି ମୃତ୍ୟୁଞ୍ଜୟ ରଥଙ୍କୁ ଜିଜ୍ଞାସା କରିଥିଲେ । ରଥ ମହାଶୟ ତତକ୍ଷଣାତ୍ ଉତ୍ତର ଦାନରେ ଅସମର୍ଥ ହୋଇଥିଲେ ମଧ୍ୟ ସେହିଦିନଠାରୁ ବିଭିନ୍ନ ଅପଭ୍ରଂଶ ଶବ୍ଦର ମୂଳ ଶବ୍ଦାନୁସନ୍ଧିତ୍ସ ନିଶା ତାଙ୍କୁ ଘାରିଥିଲା । ସେହି ଶବ୍ଦାନୁ ନିଶାର ଚରମ ପରିଣତି ହେଉଛି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ରଥଙ୍କ ପ୍ରଣୀତ ‘ମୂଳଶବ୍ଦବୋଧିକା’ । ଏ କଥା ଭୂମିକାରେ କୁହାଯାଇଛି ।

 

‘ମୂଳଶବ୍ଦବୋଧିକା’ର ମତାମତ ବିଭାଗରେ ଯଥାକ୍ରମେ- ମଧୁସୂଦନ ଦାସ ଓ ବିଶ୍ଵନାଥ କରଙ୍କର ବକ୍ତବ୍ୟ ଅତ୍ୟନ୍ତ ପ୍ରଣିଧାନ୍ୟ ଯୋଗ୍ୟ । ମଧୁସୂଦନ ଦାସ କହନ୍ତି- “ତ୍ରିବିଧ ପ୍ରକ୍ରିୟାରେ ଉତ୍କଳ ଭାଷାର ଶବ୍ଦ ସମୁଚ୍ଚୟ ସମୁତ୍ପନ୍ନ; ଯଥା (୧) ମୌଳିକ, (କ- ସଂସ୍କୃତରୁ ପ୍ରତ୍ୟକ୍ଷ ଭାବରେ, ଖ- ସଂସ୍କୃତରୁ ପ୍ରାକୃତ ମଧ୍ୟ ଦେଇ ପରୋକ୍ଷ ଭାବରେ) (୨) ଦେଶଜ (କ- ଆର୍ଯ୍ୟାଧିକାର ପୂର୍ବ ପ୍ରଚଳିତ ଅନାର୍ଯ୍ୟ ଭାଷାରୁ, ଖ- ଆର୍ଯ୍ୟାଧିକାର ପଶ୍ଚାତ୍ ପ୍ରଚଳିତ ବନପ୍ରଦେଶବାସୀ ମାନଙ୍କ ଭାଷାରୁ ପ୍ରତ୍ୟକ୍ଷ ଭାବରେ (୩) ଯାବନିକ (ସଂସ୍କୃତ ଭିନ୍ନ ଦେଶ ବା ବିଦେଶରେ ପ୍ରଚଳିତ ଭାଷାରୁ ପ୍ରତ୍ୟକ୍ଷ ଭାବରେ) ।” (ମତାମତ, ମଧୁସୂଦନ ଦାସ, ମୂଳଶବ୍ଦବୋଧିକା)

 

‘ମୂଳଶବ୍ଦବୋଧିକା’ରେ କେବଳ ମୌଳିକ ପ୍ରକ୍ରିୟାଦ୍ଵାରା ନିଷ୍ପନ୍ନ ଶବ୍ଦମାନଙ୍କର ମୂଳ ସଂସ୍କୃତ ଶବ୍ଦ ସଂଗୃହୀତ ହୋଇଛି । ଏଥିରେ ଅପଭ୍ରଷ୍ଟ ଶବ୍ଦ ସହିତ ମୂଳ ସଂସ୍କୃତର ଅର୍ଥଗତ ଓ ନିୟମଗତ ସାମଞ୍ଜସ୍ୟକୁ ମଧ୍ୟ ଉପସ୍ଥାପନ କରାଯାଇଛି । ଏ ସମ୍ପର୍କରେ ବିଶ୍ଵନାଥ କର କହିଛନ୍ତି- “ଓଡ଼ିଆ ଭାଷାରେ ପ୍ରଚଳିତ ସଂସ୍କୃତରୁ ଅପଭ୍ରଷ୍ଟ ଶବ୍ଦମାନଙ୍କର ମୂଳ ସଂସ୍କୃତ ଶବ୍ଦ ପ୍ରଦାନ କରିବା ଏ ପୁସ୍ତିକାର ଉଦ୍ଦେଶ୍ୟ । ନିଜର ମାତମହୀଙ୍କର ବିଷୟ ଜାଣିବା ଲୋକର ଯେପରି ଆବଶ୍ୟକ, ସ୍ଵୀୟ ମାତୃ ସ୍ଵରୂପିଣୀ ମାତୃଭାଷାର ମାତାସଂସ୍କୃତ ଭାଷା ସହିତ ମାତୃଭାଷାର କି ସମ୍ବନ୍ଧ, ତାହା ଜାଣିବା ପ୍ରତ୍ୟେକ ଓଡ଼ିଆର ସେହିପରି ଆବଶ୍ୟକ ଏ ପୁସ୍ତିକା ଖଣ୍ଡି କେତେକ ପରିମାଣରେ ସେ ଉଦ୍ଦେଶ୍ୟ ସାଧନ କରିବ ।” (ମତାମତ, ବିଶ୍ଵନାଥ କର, ମୂଳଶବ୍ଦବୋଧିକା)

 

‘ମୂଳଶବ୍ଦବୋଧିକା’ରେ ଯଥାକ୍ରମେ ‘ଅ’ ବର୍ଗରେ ୮୦ଟି ଶବ୍ଦ, ‘ଆ’ ବର୍ଗରେ ୫୧ଟି ଶବ୍ଦ, ‘ଇ’ ବର୍ଗରେ ୩ଟି ଶବ୍ଦ, ଈ ବର୍ଗରେ ୧ଟି ଶବ୍ଦ, ‘ଉ’ ବର୍ଗରେ ୩୮ଟି ଶବ୍ଦ, ‘ଊ’ ବର୍ଗରେ ୪ଟି ଶବ୍ଦ, ‘ଏ’ ବର୍ଗରେ ୯ଟି ଶବ୍ଦ, ‘ଓ’ ବର୍ଗରେ ୨୪ଟି ଶବ୍ଦ, ‘କ’ ‘କ୍ଷ’ ବର୍ଗରେ ଯଥାକ୍ରମେ ୧୯୮ଟି ଓ ୬ଟି ଶବ୍ଦ, ‘ଖ’ ବର୍ଗରେ ୬୨ଟି ଶବ୍ଦ, ‘ଗ’ ବର୍ଗରେ ୮୯ଟି ଶବ୍ଦ, ‘ଘ’ ବର୍ଗରେ ୨୬ଟି ଶବ୍ଦ, ‘ଚ’ ବର୍ଗରେ ୧୨୬ଟି ଶବ୍ଦ, ‘ଛ’ ବର୍ଗରେ ବ୬୪ଟି ଶବ୍ଦ, ‘ଜ’ ବର୍ଗରେ ୫୨ଟି ଶବ୍ଦ, ‘ଝ’ ବର୍ଗରେ ୨୯ଟି ଶବ୍ଦ, ‘ଟ’ ବର୍ଗରେ ୨୧ଟି ଶବ୍ଦ, ‘ଠ’ ବର୍ଗରେ ୩ଟି ଶବ୍ଦ, ‘ଡ’ ବର୍ଗରେ ୨୩ଟି ଶବ୍ଦ, ‘ଢ’ ବର୍ଗରେ ୪ଟି ଶବ୍ଦ, ‘ତ’ ବର୍ଗରେ ୬୭ଟି ଶବ୍ଦ, ‘ଥ’ ବର୍ଗରେ ୨୭ଟି ଶବ୍ଦ, ‘ଦ’ ବର୍ଗରେ ୫୬ଟି ଶବ୍ଦ, ‘ଧ’ ବର୍ଗରେ ୩୭ଟି ଶବ୍ଦ, ‘ନ’ ବର୍ଗରେ ୭୪ଟି ଶବ୍ଦ, ‘ପ’ ବର୍ଗରେ ୨୩୫ଟି ଶବ୍ଦ, ‘ଫ’ ବର୍ଗରେ ୩୫ଟି ଶବ୍ଦ, ‘ବ’ ବର୍ଗରେ ୨୬ଟି ଶବ୍ଦରେ, ‘ଭ’ ବର୍ଗରେ ୭୧ଟି ଶବ୍ଦ, ‘ମ’ ବର୍ଗରେ ୧୪୯ଟି ଶବ୍ଦ, ‘ଯ’ ବର୍ଗରେ ୨୩ଟି ଶବ୍ଦ, ‘ର’ ବର୍ଗରେ ୩୯ଟି ଶବ୍ଦ, ‘ଲ’ ବର୍ଗରେ ୪୩ଟି ଶବ୍ଦ, ବ ବର୍ଗରେ ୧୭୫ଟି ଶବ୍ଦ, ‘ଶ’ ବର୍ଗରେ ୮୨ଟି ଶବ୍ଦ, ‘ଷ’ ବର୍ଗରେ ୫ଟି ଶବ୍ଦ, ‘ସ’ ବର୍ଗରେ ୮୪ଟି ଶବ୍ଦ, ‘ହ’ ବର୍ଗରେ ୫୦ଟି ଶବ୍ଦ, ରହିଛି ସମୁଦାୟ ଶବ୍ଦ ସଂଖ୍ୟା ।

 

ଉଭୟ ‘ଅପଭ୍ରଂଶବୋଧିନୀ’ (୧୮୯୨) ଓ ‘ମୂଳଶବ୍ଦବୋଧିକା’ (୧୯୦୧)ରେ ଅପଭ୍ରଂଶ ଓଡ଼ିଆ ଶବ୍ଦଗୁଡ଼ିକର ମୂଳଶବ୍ଦ ନିରୂପଣ କରାଯାଇଥିଲେ ହେଁ ପ୍ରଥମଟିରେ ମାତ୍ର ୩୬ ପୃଷ୍ଠା ମଧ୍ୟରେ ସମୁଦାୟ ୧୭୦୭ଟି ଶବ୍ଦ ରହିଥିବାସ୍ଥଳେ ଦ୍ଵିତୀୟଟିରେ ମୋଟ ୫୩ ପୃଷ୍ଠା ରହିଛି ଏବଂ ସର୍ବମୋଟ ୨୪୨୮ ଟି ଶବ୍ଦ ରହିଛି । ଅର୍ଥାତ୍ ୭୨୧ଟି ଶବ୍ଦ ଅଧିକ ରହିଛି ।

 

ଏଥିରେ ଯେଉଁ ଚିହ୍ନ ସବୁ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯାଇଛି, ସେଗୁଡ଼ିକ ମଧ୍ୟରେ ଡ୍ୟାସ ଚିହ୍ନ (-), କମା ଚିହ୍ନ (,), ପୂର୍ଣଛେଦ (।), କୁଟୀଳ ଚିହ୍ନ ({), ଚନ୍ଦ୍ରବନ୍ଧନୀ (()), କୋଲୋନ୍ ଚିହ୍ନ (:), ପ୍ରଶ୍ନ ଚିହ୍ନ (?), ତାରା ଚିହ୍ନ (*), ଯୁକ୍ତ ଚିହ୍ନ (+), କ୍ରସ୍ ଚିହ୍ନ (x), ସେମି କୋଲୋନ୍ (;) ଇତ୍ୟାଦି ରହିଛି । ଚିହ୍ନଗୁଡ଼ିକ କିପରି ବ୍ୟବହାର କରାଯାଇଛି, ତାହାର ପ୍ରାୟୋଗିକ ଦୃଷ୍ଟାନ୍ତ ନିମ୍ନରେ ପ୍ରଦାନ କରାଯାଉ ।

 

୧-      ‘ଡ୍ୟାସ୍’ ଚିହ୍ନରେ ବ୍ୟବହାର ନିମ୍ନୋକ୍ତ ପ୍ରକାର ହୋଇଛି-

      ନାଗେଶ୍ଵର- ନାଗକେଶର

      ଧାଡ଼ି- ଧାରା

      ଦାନ୍ତଘଷା- ଦନ୍ତଘର୍ଷ

‘ଡ୍ୟାସ୍’ ଚିହ୍ନର ବ୍ୟବହାର ସାଧାରଣତଃ ଅଧିକାଂଶ ଆଧୁନିକ ଶବ୍ଦକୋଷସମୂହରେ ହୋଇଥିବାର ଦେଖାଯାଏ । ଆଲୋଚ୍ୟ ଅଭିଧାନରେ ଅପଭ୍ରଂଶ ଓଡ଼ିଆ ଶବ୍ଦଗୁଡ଼ିକର ମୂଳ ତତ୍ସମଶବ୍ଦ ନିରୂପଣ କରିବା ସମୟରେ ଡ୍ୟାସ୍ ଚିହ୍ନର ବ୍ୟବହାର ହୋଇଛି ।

 

୨-      ‘ବର୍ଗବନ୍ଧନୀ’ ଚିହ୍ନର ବ୍ୟବହାର କେତେକ ବିଶେଷ ସ୍ଥାନରେ କରାଯାଇଛି ।

 

ଯଥା- ୧ – କେତେକ ଶବ୍ଦର ଅତିରିକ୍ତ ଶବ୍ଦ ଉଲ୍ଲେଖ କରିବା ସମୟରେ ଯେଭଳିକି- (କ) ଦାଢ଼ି- ଦାଢ଼ିକା [ଶ୍ମଶ୍ରୁ] (ଖ) ଓଦା- ଅବୋଦ [ଆର୍ଦ୍ର] (ଗ) ଓଦର- ଉର୍ଦ୍ଦର [ଧାନ୍ୟାଧାରଭେଦ]-

 

୨-କେତେକ ଶବ୍ଦର ବ୍ୟାକରଣିକ ସଂବର୍ଗ ଅର୍ଥାତ୍ ଧାତୁ, ପ୍ରତ୍ୟାୟାଦି ନିରୂପଣ କରିବା ସମୟରେ ‘ବର୍ଗବନ୍ଧନୀ’ ଚିହ୍ନର ପ୍ରୟୋଗ କରାଯାଇଛି । ଯଥା- (କ) ପୋତିବା- [ପ୍ରୋତ+ସ୍ଥା ଧା:]-। କେତେକତ୍ର ବିକଳ୍ପ ଧ୍ଵନିକୁ ସୂଚିତ କରିବା ପାଇଁ ‘ବର୍ଗବନ୍ଧନୀ’ର ସାହାଯ୍ୟ କରାଯାଇଛି । ଯଥା- ଫାଡ଼ିବା- ସ୍ଫାର [ଳ] ଣ [ସ୍ଫଳ ଧା:] । ଏଠାରେ ‘ଳ’ ଧ୍ଵନିଟି ‘ର’ ଧ୍ଵନିର ବିକଳ୍ପ ଭାବରେ ବ୍ୟବହୃତ । ଅର୍ଥାତ୍ ‘ସ୍ଫାର’ ଶବ୍ଦାଂଶରେ ଉଭୟ ‘ଳ’ ଏବଂ ‘ଣ’ ଧ୍ଵନି ଯୁକ୍ତ ହୋଇ ଯଥାକ୍ରମେ ‘ସ୍ଫାରଳ’ ଓ ‘ସ୍ଫାରଣ’ ହୋଇପାରିବ ।

 

୩-କେତେକ ଶବ୍ଦକୁ ଅଧିକ ସରଳାର୍ଥକତା ପ୍ରଦାନ କରିବା ପାଇଁ ‘ବର୍ଗବନ୍ଧନୀ’ର ବ୍ୟବହାର କରାଯାଇଛି । ଯଥା- ଢାକା- ଢକ୍କ [ଦେଶ ବି:] ।

 

‘ଚନ୍ଦ୍ରବନ୍ଧନୀ’ ଚିହ୍ନ ଯଥାକ୍ରମେ କୌଣସି ଶବ୍ଦର (କ) ସରଳ ଅର୍ଥ ପ୍ରଦାନ କରିବା ପାଇଁ- [ଅଂଶା- ଅଂଶୁ (ସୂତ୍ରାଦିର ସୁକ୍ଷ୍ମାଂଶ)]; (ଖ) କୌଣସି ଧ୍ଵନିର ବିକଳ୍ପ ଧ୍ଵନିକୁ ସୂଚିତ କରିବା ପାଇଁ- [ଅଣକୀଳା- ଅନକୀଳ (କ), (ଚକ୍ରପ୍ରାନ୍ତନ୍ଥ କୀଳକ )] କିମ୍ବା [ପାଗୁ (କୁ)ଳୀ- ପାକସ୍ଥଳୀ] ; (ଗ) କୌଣସି ଶବ୍ଦର ସଂଜ୍ଞାବିଶେଷକୁ ଅଭିବ୍ୟକ୍ତ କରିବା ପାଇଁ- [ଅର୍କୁର- ଅକ୍ରୂର (ଶ୍ରୀକୃଷ୍ଣ-ପିତୃବ୍ୟ) କିମ୍ବା ଅନ୍ତୁଡ଼ିଶାଳା-ଅନ୍ତରାଶାଳା (ସୂତିକାଗାର)]; (ଘ) କୌଣସି ଶବ୍ଦର ବିଶେଷ ପରିଚୟ ପ୍ରଦାନ କରିବା ପାଇଁ – [ଆଜମୀର- ଆଜମୀରି (ଦେଶ ବି:)]; କୌଣସି ଶବ୍ଦର ବ୍ୟାକରଣିକ ସଂରଚନାକୁ ଦର୍ଶାଇବା ପାଇଁ- [ପଖାଳିବା- ପ୍ରକ୍ଷାଳନ (ପ୍ର+କ୍ଷାଳ ଧା:)] ।

 

୩- ‘କୋଲୋନ୍’ ଚିହ୍ନ ବ୍ୟବହାର ମାଧ୍ୟମରେ କେତେକ ଶବ୍ଦର ବ୍ୟାକରଣିକ ନାମକୁ ସଂକ୍ଷିପ୍ତ ରୂପରେ ପ୍ରକାଶ କରାଯାଇଛି । ଯଥା- ଦୁଦୁରା- ଦର୍ଦ୍ଦିୁରପର୍ଣୀ (ବୃକ୍ଷ ବି:), ପାରା- ପାରାବତ (ପକ୍ଷୀ ବି:) ।

 

୪- ‘ତାରା’ ଚିହ୍ନ ବ୍ୟବହାର କ୍ଷେତ୍ରରେ ଆଲୋଚ୍ୟ ଅଭିଧାନରେ କେତେକ ବିଶେଷତ୍ଵ ଲକ୍ଷ୍ୟ କରାଯାଇଛି । ଯଥା- ପଟା- ପଟ୍ଟ * । ଏଠାରେ ‘ପଟ୍ଟ’ ଶବ୍ଦ ପରେ ଯେଉଁ ‘ତାରା’ ଚିହ୍ନ ସଂଯୁକ୍ତ ହୋଇଛି, ତାହା ଦ୍ଵାରା ସେହି ପୃଷ୍ଠାର ପାଦାଂଶରେ ସେହି ଶବ୍ଦର ପାଦଟୀକା ପ୍ରଦାନ କରାଯାଇଛି ଏବଂ ତାହା ଏହିଭଳି- ଉତ୍ତରୀୟାର୍ଥକ “ପଟା” ଶବ୍ଦ ମଧ୍ୟ ‘ପଟ୍ଟ’ ଶବ୍ଦରୁ ଅପଭ୍ରଷ୍ଟ ଯଥା- ଲୁଗାପଟା । କିମ୍ବା ଛାମୁ-ସାମୁଖ୍ୟ* । ସଂପୃକ୍ତ ଶବ୍ଦ ସଂଯୁକ୍ତ ହୋଇଥିବା ପୃଷ୍ଠାର ପାଦଟୀକା ହେଉଛି-*ପ୍ରାକୃତରେ “ସାମୁହ” ; ସମ୍ଭବତଃ ‘ସାମୁହ’ରୁ ଛାମୁ ହୋଇଅଛି ।

 

୫- ‘ମୂଳଶବ୍ଦବୋଧିକା’ରେ ଯେଉଁ ଅଂଶରେ ‘ପ୍ରଶ୍ନ’ ଚିହ୍ନ ବ୍ୟବହାର କରାଯାଇଛି, ସେହି ଅଂଶଟି ବାସ୍ତବିକ ଗୁରୁତ୍ଵପୂର୍ଣ୍ଣ । କାରଣ ଯେଉଁଠି ଶବ୍ଦର ମୂଳରୂପ ନିର୍ଣ୍ଣୟ କରିବାରେ ସନ୍ଦେହ ବା ଅନିଶ୍ଚୟତା ଉତ୍ପନ୍ନ ହୋଇଛି ଠିକ୍ ସେହି ସ୍ଥାନରେ ପ୍ରଶ୍ନ ଚିହ୍ନର ପ୍ରୟୋଗ ହୋଇଛି । ଅବଶ୍ୟ ସେକଥା କେଉଁଠି ସୂଚିତ କରାଯାଇ ନାହିଁ । କିନ୍ତୁ ପ୍ରଶ୍ନ ଚିହ୍ନର ବ୍ୟବହାରରୁ ତାହା ସ୍ପର୍ଶ ବାରିହୋଇ ପଡ଼ୁଛି । ଯଥା- ୧-ପଠା- ପ୍ରସ୍ଥ ? ୨- ପନ୍ନା (ନ୍ହା)- (ଆ) ପୀନ ? ୩-ପଳା- ପ୍ରବାଳ ? (ତୈଳଦର୍ବୀ) ୪-ଶପୁରୀ-ଶର୍କରକ ? ଇତ୍ୟାଦି । ଉପରୋକ୍ତ ଶବ୍ଦଗୁଡ଼ିକୁ ତୁଳନାତ୍ମକ ଦୃଷ୍ଟିରୁ ବିଚାର କରାଯାଉ ।

 

ଶବ୍ଦର      ସଟନ ଓ ମିଲର ଶବ୍ଦନିଧି ଉତ୍କଳ ଅପଭ୍ରଂଶ ମୂଳଶବ୍ଦ ଶବ୍ଦତତ୍ତ୍ଵବୋଧ

ନାମ      ଭୁବନାନନ୍ଦ      ଓ ମିଶ୍ର      ପଟ୍ଟନାୟକ      ଅଭିଧାନବୋଧିନୀ      ବୋଧିକା ଓ ନାୟକ

ପଠା      ଶବ୍ଦ ଅଛି ନାହିଁ      ନାହିଁ      ଦେଶଜ ନାହିଁ      ପଠା- ପ୍ରସ୍ଥ ଦେଶଜ (ପ୍ରସ୍ଥ ଶବ୍ଦଜ) କିନ୍ତୁ ମୂଳଉତ୍ସ ନାହିଁ ।

ପନ୍ନା      ନାହିଁ      ନାହିଁ      ନାହିଁ      ନାହିଁ      ନାହିଁ      ପନ୍ନା (ନ୍ହା)- ଆପୀନ ଶବ୍ଦଜ (ଆ) ପୀନ

ପଳା       ଶବ୍ଦ ଅଛି            ଶବ୍ଦ ଅଛି            ନାହିଁ      ଦେଶଜ ନାହିଁ      ପଳା-      ଦେଶଜ

ମୂଳଉତ୍ସ            ମୂଳରୂପ       ପ୍ରବାଳ      (ପଳାୟାନ ଶବ୍ଦର ଅପଭ୍ରଂଶ)

ନାହିଁ             ନାହିଁ ।

ଶପୁରି      ସପୁରି ଅଛି       ନାହିଁ      ନାହିଁ      ନାହିଁ      ନାହିଁ      ଶପୁରି- ଦେଶଜ ଶର୍କରକ ?

 

ଜଗନ୍ନାଥ ରାଓଙ୍କ ଉତ୍କଳ ‘ଅଭିଧାନ’ରେ ‘ପଠା’ ଶବ୍ଦକୁ ଦେଶଜ ବୋଲି କୁହାଯାଇଛି । କିନ୍ତୁ ତାହାର ମୂଳଶବ୍ଦ ନିରୂପିତ ହୋଇନାହିଁ । ସଟନଙ୍କ ଅଭିଧାନରେ ‘ପଠା’ ଶବ୍ଦ ଅନୁପସ୍ଥିତ । ‘ମୂଳଶବ୍ଦବୋଧିକା’ରେ ‘ପଠା’ ଶବ୍ଦକୁ ଯେଭଳି ପ୍ରସ୍ଥ ଶବ୍ଦଜ ବୋଲି କୁହାଯାଇ ଦେଶଜ ବର୍ଗରେ ନାମିତ କରାଯାଇଛି, ଗୋପୀନାଥ ନନ୍ଦଶର୍ମାଙ୍କ ‘ଶବ୍ଦତତ୍ତ୍ଵବୋଧ ଅଭିଧାନ’ରେ ଅନୁରୂପ ସେହିକଥା କୁହାଯାଇଛି ।

 

‘ପନ୍ନା’ ଶବ୍ଦଜ ‘ମୂଳଶବ୍ଦବୋଧିକା’ରେ ‘ପୀନ ବା ଆପୀନ’ ଶବ୍ଦଜ ବୋଲି କୁହାଯାଇଥିବାବେଳେ ‘ଶବ୍ଦତତ୍ତ୍ଵବୋଧ ଅଭିଧାନ’ରେ କେବଳ ‘ଆପୀନ’ ଶବ୍ଦଜ ବୋଲି କୁହାଯାଇଛି ।

 

‘ପଳା’ ଶବ୍ଦଟି ସଟନ, ମିଲର ଏବଂ ‘ଉତ୍କଳ ଅଭିଧାନ’ରେ ରହିଛି । ‘ଉତ୍କଳ ଅଭିଧାନ’ରେ ସେହି ଶବ୍ଦଟିକୁ ଦେଶଜ ବୋଲି ଅଭିହିତ କରାଯାଇଥିଲେ ମଧ୍ୟ ଅନ୍ୟ ଦୁଇଟି ଅଭିଧାନରେ କେଉଁ ବର୍ଗର ବୋଲି କୁହାଯାଇନାହିଁ । ‘ମୂଳଶବ୍ଦବୋଧିକା’ରେ ପଳା ଶବ୍ଦଟି ‘ପ୍ରବାଳ’ ଶବ୍ଦଜ ହୋଇଥିବା ବେଳେ ‘ଶବ୍ଦତତ୍ତ୍ଵବୋଧ ଅଭିଧାନ’ରେ ଗୋପୀନାଥ ନନ୍ଦଶର୍ମା ତାକୁ ‘ପଳାୟନ’ ଶବ୍ଦଜ ବୋଲି କହିଛନ୍ତି ।

 

ସଟନଙ୍କ ଅଭିଧାନରେ ‘ଶପୁରି’ ଶବ୍ଦରେ ଥିବା ‘ଶ’ ସ୍ଥାନରେ ‘ସ’ ରହିଛି । ‘ମୂଳଶବ୍ଦବୋଧିକା’ରେ ‘ଶପୁରି’ ଶବ୍ଦର ମୂଳଶବ୍ଦ ଭାବରେ ‘ଶର୍କରକ’ ବୋଲି କହି ଅନିଶ୍ଚୟତା ଅର୍ଥ ସୂଚକ ଚିହ୍ନ ଅର୍ଥାତ୍ ପ୍ରଶ୍ନ ଚିହ୍ନ ଦିଆଯାଇଛି । କିନ୍ତୁ ‘ଶବ୍ଦତତ୍ତ୍ଵବୋଧ ଅଭିଧାନ’ରେ ସେହି ଶବ୍ଦଟିକୁ ଦେଶଜ ବୋଲି କୁହାଯାଇଛି ଏବଂ ତାହା କେଉଁ ମୂଳଶବ୍ଦରୁ ଉତ୍ପନ୍ନ ସେ ସମ୍ପର୍କରେ କିଛି କୁହାଯାଇନାହିଁ ।

 

‘ମୂଳଶବ୍ଦବୋଧିକା’ରେ ଏମିତି ଅନିଶ୍ଚିୟାର୍ଥକ ପ୍ରଶ୍ନଚିହ୍ନ ଯୁକ୍ତ ଅନେକ ଶବ୍ଦ ରହିଛି ଯେଉଁଗୁଡ଼ିକ ପରବର୍ତ୍ତୀ ପ୍ରଣେତାମାନେ ତାହାକୁ ଠିକ୍ ବୋଲି ଧରିନେଇ ନିଜ ନିଜର ଅଭିଧାନର ଅବିକଳ ଭାବରେ ସ୍ଥାନ ଦେଇଛନ୍ତି ।

 

୬-‘କୁଟୀଳ’ ଚିହ୍ନର ବ୍ୟବହାର ପୂର୍ବବତ୍ ହୋଇଛି । ଅର୍ଥାତ୍ ଏକାର୍ଥ ଶବ୍ଦର ବିଭିନ୍ନ ଉଚ୍ଚାରିତ ରୂପକୁ ଗୋଟିଏ ସ୍ଥାନରେ ତଳକୁ ତଳ କ୍ରମାନ୍ଵୟରେ ସଜ୍ଜିତ କରାଯାଇ ତାହାର ସରଳାର୍ଥ ବା ମୂଳଶବ୍ଦଟିକୁ ଦକ୍ଷିଣପାର୍ଶ୍ଵରେ ଲିପିବଦ୍ଧ କରାଯାଇଛି । ଯଥା-

 

ପନ୍ତାଡ଼

ପନ୍ତାର      -ପ୍ରାନ୍ତ

ମୁଠା

ମୁଠି      -ମୁଷ୍ଟି

 

୭- ‘ଯୁକ୍ତ’ ଚିହ୍ନର ବ୍ୟବହାର ଏଯାବତ୍ ପ୍ରଣୀତ ହୋଇଥିବା କୌଣସି ଅଭିଧାନରେ ଦେଖାଯାଏ ନାହିଁ । ଏପରିକି ‘ଉତ୍କଳ ଅଭିଧାନ’ରେ ମଧ୍ୟ ନୁହେଁ \ ଏହି ଚିହ୍ନଟିକୁ ମୃତ୍ୟୁଞ୍ଜୟ ରଥ ଉପସର୍ଗାଦି ସହିତ ଧାତୁର ସଂଯୁକ୍ତିକୁ ଦର୍ଶାଇବା ପାଇଁ ବ୍ୟବହାର କରିଛନ୍ତି । ତନ୍ମଧ୍ୟରୁ କେତେକ ଦୃଷ୍ଟାନ୍ତ ହେଉଛି-

 

      ପରୁଷିବା- ପରି+ବିଷ ଧା:

      ପଳାଇବା- ପରା+ଅୟଧାତୁଜ

      ପଜେଇବା- ପ୍ର+ଅନଜ୍ ଧାତୁଜ

      ବିହିବା- ବିଧାନ (ବି+ଧା ଧା:)

 

୮-      ‘ଡ୍ୟାଗର’ ଓ ‘କ୍ରସ୍’ ଚିହ୍ନର ବ୍ୟବହାର କେତେକ ବିଶେଷ ପ୍ରାସଙ୍ଗିକତାକୁ ସୂଚାଇବାପାଇଁ ବ୍ୟବହାର କରାଯାଇଛି । ଯଥା-

+ କବାଲା- କ୍ରୟଲେଖ୍ୟ । ଏହି ଚିହ୍ନର ପ୍ରାସଙ୍ଗିକତା ସମ୍ପର୍କରେ ସମ୍ପୂକ୍ତ ପୃଷ୍ଠାରେ କୌଣସି ପାଦଟୀକା ନାହିଁ । କିନ୍ତୁ ‘ଡ୍ୟାଗର’ ଚିହ୍ନ ବ୍ୟବହାର କରି କେତେକତ୍ର ବିଭିନ୍ନ ଶବ୍ଦର ଉତ୍ସ, ପ୍ରାସଙ୍ଗିକତା ପ୍ରଭୃତି ସମ୍ପର୍କରେ ପାଦଟୀକାରେ ବିଶେଷ ସୂଚନା କରାଯାଇଛି । ଏଭଳିକି କିଛି ଶବ୍ଦର ସଂସ୍କୃତ ବ୍ୟାଖ୍ୟା ପାଦଟୀକାରେ ପ୍ରଦାନ କରିବା ପାଇଁ ଏଇ ଚିହ୍ନର ସାହାଯ୍ୟ ନିଆଯାଇଛି ।

 

ଯଥା-      + ତତ୍ତୁ ସସ୍ନେହ ମଜଳଂ ମଥିତଂ ଘୋଳ ମୁଚ୍ୟତେ । (ସୁଶ୍ରୁତ)

 

ସେଇଭଳି କୌଣସି ଶବ୍ଦର ବିଶେଷ ପରିଚୟକୁ ପ୍ରଦାନ କରିବା ପାଇଁ ସଂପୃକ୍ତ ପୃଷ୍ଠାର ପାଦଦେଶରେ ପାଦଟୀକା ଭାବରେ ‘କ୍ରସ୍’ ଚିହ୍ନର ବ୍ୟବହାର କରାଯାଇଛି । ଯଥା-

 

X ନନା ମାତା ଦୁହିତା ବା ନମନ କ୍ରିୟା ଯୋଗତ୍ଵାତ୍ ; ନାମ+ଡ୍ୟ (ନାନୀ ଶବ୍ଦର ବିଶେଷ ମୂଳ ପରିଚିତି ପ୍ରଦାନ କରିବା ପାଇଁ ଏଭଳି ପ୍ରୟୋଗ କରାଯାଇଛି ।)

 

X ଜୟଶୀଳତା ହେତୁରୁ କ୍ଷତ୍ରିୟମାନଙ୍କର ଏହି ଉପାୟ ଅଛି । (ଜେନା ଶବ୍ଦର ମୂଳ ତତ୍ସମ ରୂପ ଜେନ୍ୟ (ଜୟଶୀଳ) ବୋଲି ନିର୍ଣ୍ଣୟ କଲାବେଳେ ପାଦଟୀକାରେ ଉପରୋକ୍ତ ପ୍ରକ୍ରିୟାରେ ସୂଚନା ଦିଆଯାଇଛି ।)

 

ଏହି ଉଦାହରଣଗୁଡ଼ିକରେ କିନ୍ତୁ ଶବ୍ଦ ପାର୍ଶ୍ଵରେ ତାରା ଚିହ୍ନ ରହିଛି ଏବଂ ପାଦଟୀକାରେ କ୍ରସ୍ ରହିଛି । କେତେକତ୍ର ଶବ୍ଦ ପାଖରେ ଯେଉଁ ଚିହ୍ନ ରହିଛି ପାଦଟୀକାରେ ମଧ୍ୟ ସେହି ଚିହ୍ନ ରହିଥିବାର ଦୃଷ୍ଟାନ୍ତ ମଧ୍ୟ ଉପଲବ୍ଧ ହୋଇଥାଏ ।

 

୯- ‘କମା’ ଚିହ୍ନର ବ୍ୟବହାର ପ୍ରାୟତଃ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ନିମ୍ନୋକ୍ତ କେତୋଟି ଉଦାହରଣରେ ‘କମା’ ଚିହ୍ନର ବ୍ୟବହାର ଲକ୍ଷ୍ୟ କରାଯାଏ । ତାହା ପୁଣି ଏକାର୍ଥବିଶିଷ୍ଟ ପର୍ଯ୍ୟାୟାବାଚକ ଶବ୍ଦକୁ ସୂଚାଇବା ପାଇଁ । ଯଥା- କାଞ୍ଚେଲା-କଞ୍ଚୁଳକା, କଞ୍ଚୂଳ ।

 

କେତେକ ଶବ୍ଦର ମୂଳ ନିରୂପଣ ସମୟରେ ମୃତ୍ୟୁଞ୍ଜୟ ରଥ ଉଭୟ ପ୍ରାକୃତ ଏବଂ ସଂସ୍କୃତ ମୂଳରୂପକୁ ଦର୍ଶାଇଛନ୍ତି । ଯଥା- ୧- ତୁମେ- [ତୁମଂ] ତ୍ଵଂ, ୨- ତୁମ୍ଭେ- (ତୁହ୍ମେ) ତ୍ଵଂ । ତୁମ୍ଭେ ଶବ୍ଦଟି ପ୍ରାକୃତ ତୁମ୍‍ହେ ପଦରୁ ସୃଷ୍ଟି ହୋଇଛି ବୋଲି ଗୋପୀନାଥ ନନ୍ଦଶର୍ମା ମତ ବ୍ୟକ୍ତ କରନ୍ତି । (ଶବ୍ଦତତ୍ତ୍ୱବୋଧ ଅଭିଧାନ, ପୃଷ୍ଠା-୫୫୩) ।

 

କେତେକ ଶବ୍ଦର ମୂଳ ନିରୂପଣ ସମୟରେ ତ୍ରୁଟି ମଧ୍ୟ ଦେଖାଯାଇଛି । ଯଥା- ୧-ନେଙ୍ଗଡ଼ା- ନିରଙ୍ଗ ? । ‘ନେଙ୍ଗଡା’ ଶବ୍ଦର ମୂଳରୂପ ଏଠାରେ ନିରଙ୍ଗ କୁହାଯାଇଥିଲେ ମଧ୍ୟ ଏହାକୁ ପରବର୍ତ୍ତୀ ଅଭିଧାନକାରମାନେ ଦେଶଜ ଶବ୍ଦ ପର୍ଯ୍ୟାୟଭୁକ୍ତ କରିଛନ୍ତି । ୨-କଲମ- କଳମ (କଳ୍‍+ଅମ୍) ଲେଖନୀ )

 

କବାଲା (କବଲା) ଶବ୍ଦଟି କ୍ରୟଲେଖ୍ୟ ଶବ୍ଦରୁ ଉତ୍ପନ୍ନ ହୋଇଛି ବୋଲି ଆଲୋଚ୍ୟ ‘ମୂଳଶବ୍ଦବୋଧିକା’ ଅଭିଧାନରେ କୁହାଯାଇଛି । କିନ୍ତୁ ଏଇ ଶବ୍ଦଟି ଆରବୀ ‘କବଲା’ ଶବ୍ଦରୁ ଉତ୍ପନ୍ନ-। ଏହାକୁ ପରବର୍ତ୍ତୀ ଅଭିଧାନରେ କୁହାଯାଇଛି ।

 

ସେହିଭଳି ‘କାଗଜ’ ଶବ୍ଦର ମୂଳ ନିରୂପଣ କଲାବେଳେ ତାହାକୁ ନିମ୍ନୋକ୍ତ ପ୍ରକାରେ ସୂଚିତ କରାଯାଇଛି । ଯଥା- କାଗଜ- କାଗଦ (କଗେନ ବର୍ଣେନ ଦାୟତି ଶୁଧ୍ୟତି, କାଗ+ଦୈ+କ (କାଗଜ) ତସ୍ୟ କୃଷ୍ଣମସ୍ୟାଦି ଦାନାଧାରତ୍ଵାତ୍‍ ତେନ ଶୁଦ୍ଧତ୍ୱାତ୍ ତଥାତ୍ଵଂ ।) କିନ୍ତୁ ଏହି ଶବ୍ଦଟି ମଧ୍ୟ ସଂସ୍କୃତ ଶବ୍ଦରୁ ସୃଷ୍ଟି ହୋଇନାହିଁ । ଏହା ମଧ୍ୟ ଏକ ଯାବନିକ ଶବ୍ଦ । ଏଇଭଳି କେତେକ ଶବ୍ଦ ରହିଛି, ଯେଉଗୁଡ଼ିକର ମୂଳ ନିରୂପଣରେ ତ୍ରୁଟି ଲକ୍ଷିତ ହୋଇଥାଏ ।

 

‘ଶବ୍ଦବୋଧିକା’ରେ ଏମିତି ଅନେକ ଶବ୍ଦ ରହିଛି, ଯେଉଁଗୁଡ଼ିକର ମୂଳ ନିରୂପଣ କରିବା ସମୟରେ ପ୍ରଣେତା ମୃତ୍ୟୁଞ୍ଜୟ ରଥ ବେଶ୍ ସତର୍କତା ଅବଲମ୍ବନ କରି ନିଜସ୍ଵ ବୌଦ୍ଧିକତାର ପରିଚୟ ପ୍ରଦାନ କରିଛନ୍ତି । ଯେଉଁଠି ବୋଧ୍ୟ ହୋଇନାହିଁ ସେଠାରେ ବନ୍ଧନୀ ଚିହ୍ନ ମାଧ୍ୟମରେ ତାର ସରଳ ଅର୍ଥ ମଧ୍ୟ ନିରୂପଣ କରିଛନ୍ତି । ଆବଶ୍ୟକସ୍ଥଳେ କୌଣସି ଶବ୍ଦର ବିକଳ୍ପ ଏବଂ କୌଣସି ଧ୍ଵନିର ମଧ୍ୟ ବିକଳ୍ପ ରୂପକୁ ଅନେକତ୍ର ପ୍ରଦାନ କରିଛନ୍ତି । ଫଳରେ ଅର୍ଥ ପ୍ରକାଶନରେ ସ୍ଵଚ୍ଛତା ସୃଷ୍ଟି ହୋଇଛି ।

 

ଓଡ଼ିଆ ଭାଷା ପୂର୍ବୀ ମାଗଧୀ ଅପଭ୍ରଂଶ ଭାଷାରୁ ସୃଷ୍ଟି ହୋଇଛି । ଭାରତବର୍ଷରେ ଓଡ଼ିଆ ଭଳି ଅନ୍ୟାନ୍ୟ ଅପଭ୍ରଂଶ ଭାଷାକୁ ଆଧୁନିକ ଭାରତୀୟ ଆର୍ଯ୍ୟଭାଷା ଭାଷାପରିବାରର ଅନ୍ତର୍ଭୁକ୍ତ କରାଯାଇଛି । ଓଡ଼ିଆରେ ପ୍ରଚଳିତ ଅସଂଖ୍ୟ ଶବ୍ଦ ସଂସ୍କୃତ ଭାଷାରୁ ଅପଭ୍ରଂଶ ହୋଇ ପ୍ରାକୃତ ଆଦି ସ୍ତର ଦେଇ ଗତି କରି ପ୍ରଚଳିତ ରୂପକୁ ଗ୍ରହଣ କରିଛି । ଏହି ଅପଭ୍ରଂଶ ଭାଷାର ମୂଳଉତ୍ସ ନିରୂପଣ କରିବା ପାଇଁ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ‘ମୂଳଶବ୍ଦବୋଧିକା’ ଅଭିଧାନରେ ଆପ୍ରାଣ ପ୍ରୟାସ କରିଛନ୍ତି । ତ୍ରୁଟି ବିଚ୍ୟୁତି ରହିଛି, ଏହି ତ୍ରୁଟି ବିଚ୍ୟୁତି ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଭାଷାତତ୍ତ୍ଵବିଦ୍‍ମାନେ ସଂଶୋଧନ କରିବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ସବୁଠାରୁ ଗୌରବର କଥା ହେଉଛି ଅପଭ୍ରଂଶ ଓଡ଼ିଆ ଶବ୍ଦର ମୂଳରୂପ ନିର୍ଣ୍ଣୟ କରିବାବେଳେ ଶ୍ରୀଯୁକ୍ତ ରଥ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ, ସେହି ସିଦ୍ଧାନ୍ତକୁ ପରବର୍ତ୍ତୀ ଅଭିଧାନ ପ୍ରଣେତା ତଥା ଭାଷାତତ୍ତ୍ଵବିଦ୍‍ମାନେ ଅବିକଳ ଭାବରେ ଅନୁସରଣ କରିଛନ୍ତି । ଏହା ଓଡ଼ିଆ ଭାଷାସାହିତ୍ୟ ଓ ଜାତି ପାଇଁ ଅତ୍ୟନ୍ତ ମଙ୍ଗଳକର ମନେହୁଏ ।

 

ସହାୟକ ଗ୍ରନ୍ଥସୂଚୀ :

 

 

ଓଡ଼ିଆ ବିଭାଗ, ଶାନ୍ତିନିକେତନ,

ପଶ୍ଚିମବଙ୍ଗ,

ମୋ.-୦୯୪୭୫୧୨୪୦୪୧

 

 

ଜାତୀୟ ତରଙ୍ଗର ରୂପକାର : ବାଞ୍ଛାନିଧି ମହାନ୍ତି

ରବୀନ୍ଦ୍ର କୁମାର ବେହୁରିଆ

 

ବିପ୍ଲବୀ କବି ବାଞ୍ଛାନିଧି ମହାନ୍ତିଙ୍କ ଓଡ଼ିଆ ଜାତୀୟ ସାହିତ୍ୟକୁ ଥିଲା ବିପୁଳ ଅବଦାନ । ସାହିତ୍ୟ ସାଧନା ତାଙ୍କ ପାଇଁ ଥିଲା ଏକ ପବିତ୍ର ବ୍ରତ । ଲେଖନୀ ଚାଳନା କାଳରେ ତାଙ୍କ ଆଗରେ ଥିଲା ପ୍ରିୟ ମାତୃଭୂମି ଓ ଆପଣାର ସମାଜ । ସମାଜର ପରିବର୍ତ୍ତନ ତାଙ୍କର ଲକ୍ଷ୍ୟ, ସାମ୍ୟ, ନ୍ୟାୟ ଓ ଶାନ୍ତିପୂର୍ଣ୍ଣ ଶାସନ ପ୍ରତିଷ୍ଠା ଏହାର ଅସଲ ଉଦ୍ଦେଶ୍ୟ, ମାନବ ମର୍ଯ୍ୟାଦା ପାଇଁ, ମଣିଷକୁ ମଣିଷ ଭାବରେ ବଞ୍ଚିବାର ‘ହକ୍’ ହାସଲ ପାଇଁ, ଏକ ଉନ୍ନତ ସଂସ୍କୃତିରେ ପ୍ରଶିକ୍ଷିତ କରିବାକୁ ଅପରିହାର୍ଯ୍ୟ ହୋଇଛି ଏହାର ଭୂମିକା । ଦାର୍ଶନିକ ସାହିତ୍ୟିକ ହୁଅନ୍ତି । ଦୀକ୍ଷା ଦିଅନ୍ତି ବିପ୍ଳବର ବୀଜମନ୍ତ୍ର । ଇତିହାସ ପୃଷ୍ଠାରେ ଏହାର ଅନେକ ଦୃଷ୍ଟାନ୍ତ ରହିଛି । ଫରାସୀ ବିପ୍ଲବ, ରୁଷିଆର ମହାନ୍ କୃଷକ ବିପ୍ଲବ ଚୀନର ସାସ୍କୃତିକ ବିପ୍ଲବ, ଏପରି ଗୋଟିଏ ଗୋଟିଏ ରକ୍ତାର ଶିଝାର ସ୍ପର୍ଦ୍ଧିତ ପ୍ରଜ୍ୱଳନ, ଏକ ଏକ ବିସ୍ଫୋରକ ଅଧ୍ୟାୟ । କଲମ ମୁନରେ କବି ଲେଖିଯାଏ –

 

“ଚାରିଆଡ଼େ ଖେଳୁ ଅସନ୍ତୋଷର ଢେଉ

ଜଳୁ ପଥେ ଘାଟେ ନବ ଜୀବନ ଶିଖା ।”

            (କଣ୍ଟା ଓ ଫୁଲ – ଗୋଦାବରୀଶ ମହାପାତ୍ର)

ଅଗ୍ନିବର୍ଷୀ ଲେଖନୀ କମାଣରୁ ନିର୍ଗତ ହୁଏ ସତେ ଯେପରି ବିଶ୍ଵ ସଂହାର କାରିଣୀ ଉଦ୍‍ଯାନ ବୋମା ସୁଲଭ ମାରଣାସ୍ତ୍ର । କବି କଣ୍ଠରେ ଶୁଭେ ବିପ୍ଳବର ଅଗ୍ନିଗର୍ଭ ଓଁକାର । କବି ବାଞ୍ଛାନିଧିଙ୍କ ଭାଷାରେ –

 

“ଉଠାଅ ମୂର୍ଚ୍ଛନା ଭାବ ସ୍ପନ୍ଦନ ପରଶୁ ଜାତି ପରାଣ ହେ –

ମାଟି ଉଠ ଚିର ସୁପ୍ତ ନିଦ୍ରିତ ଜାଗିଉଠୁ ତବ ଧ୍ୟାନରେ ।”

(ବାଞ୍ଛାନିଧି ପଦ୍ୟାବଳୀ – ପୃ. ୧୮୭)

 

ବହିମାନ ଜାତୀୟ ଅଭ୍ୟୁଥାନ ଯୁଗର ପ୍ରବାଦ ପୁରୁଷ, ମାଟି ଓ ମଣିଷର ପ୍ରଥିତଯଶା ଉଦାତ୍ତ ଚାରଣ କବି, ବିପ୍ଳବର ବହ୍ନିପୁତ୍ର ବାଞ୍ଛାନିଧି ମହାନ୍ତି (୧୮୯୭-୧୯୩୮), ଏକାଧାରରେ ସୁନିଷ୍ଠକର୍ମୀ, ସୁସଂଗଠକ, ସୁକଣ୍ଠ ଗାୟକ, ସୁଦକ୍ଷ ସଙ୍ଗୀତଜ୍ଞ, ସୁବକ୍ତା, ସ୍ଵାଧୀନତା ସଂଗ୍ରାମୀ, ନାଟ୍ୟପ୍ରେମୀ ନାଟ୍ୟ ସଙ୍ଗଠକ, ନାଟ୍ୟକାର, ବିପ୍ଳବର ବାର୍ତ୍ତାବହ ସର୍ବୋପରି ଜାତୀୟ ତରଙ୍ଗର ରୂପକାର ଜାତିପ୍ରାଣ ଜାତୀୟ କବିଭାବେ ସୁପରିଚିତ । ରକ୍ତତୀର୍ଥ ଇରମ ମାଟିର ସନ୍ତାନ । ତାଙ୍କ କାଳଜୟୀ କବିତାଗୁଡ଼ିକ – ଦେଶମୁକ୍ତିର ତୁର୍ଯ୍ୟନାଦ, ମାନବବାଦର ଶଙ୍ଖଧ୍ୱନି ; ତ୍ୟାଗଦୀପ୍ତ ଜୀବନର ବାଣୀମନ୍ତ୍ର; ଜାତିପ୍ରେମ ବହ୍ନିର ପ୍ରଜ୍ୱଳିତ ଶିଖା; ଜଣେ ଶପଥବଦ୍ଧ ସଂଗ୍ରାମୀର ଇସ୍ତାହାର, ବିପ୍ଲବୀ ଚେତନାର ଅନ୍ୟ ଏକ ସ୍ମରଣୀୟ ପ୍ରବାଦ ପୁରୁଷ । ନିର୍ଭୀକ ଯୋଦ୍ଧାର ଆଗ୍ନେୟ ପ୍ରଖର ଉଚ୍ଚାରଣ ବିପ୍ଲବୀ କବି ବାଞ୍ଛାନିଧିଙ୍କର –

 

“ଯେତେ ଅଛି ଆଇନ୍ କାନୁନ୍

କରିବି ସେ କେତେକରୁ

ଯେତେ ଅଛି ଗୁଳି ଗୋଳା ତୁପ

ବନ୍ଧୁକ କମାଣ ହେଉ ସେ ମାରି ।

ଅସଂଖ୍ୟ ଏ ଭାରତ ଜାତି

ପତାଇ ଦେବାକୁ ଛାତି

ମାରି ମାରି ମେଣ୍ଟାଇ ଆସି

ତେବେ କି ଆମକୁ ପାରିବ ସାରି ।” (୧)

 

“ମାର କେତେ ଲାଠି ମାଡ଼ ଭାଙ୍ଗି ଚୂନାକରୁ ହାଡ଼

ଦଧିଚିର ହାଡ଼ ପରି ବ୍ରଜ ହୋଇବ ତିଆରି ।” (୨)

କରୁ କେତେ ଜରିମାନା ନେଇଯାଉ ଜମିଜମା

ଯହିଁ ଯାହା ଥିବ ତାହା କେନେବ ଦରିଆପାରି ।। (୩)

(ଉତ୍କଳ ବୀଣାର ତାନେ, ପୃ. ୧୩)

 

ଜୀବନ ପ୍ରବାହ :

ବାଞ୍ଛାନିଧି ମହାନ୍ତି ୧୮୯୭ ମସିହା ଏପ୍ରିଲ ୨୦ ତାରିଖ ଶୁକ୍ରବାର ସମ୍ପ୍ରତି ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ “ଇରମ” ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଚିନ୍ତାମଣି ମହାନ୍ତି ଓ ମାତାଙ୍କର ନାମ ପବିତ୍ରା ଦେଈ । କବି ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ ହେଁ ସେ ଥିଲେ ଅତ୍ୟନ୍ତ ଉଚ୍ଚାଭିଳାସୀ । କିଶୋର ଅବସ୍ଥାରେ ପଦାର୍ପଣ କରିବା ପରେ ଚାଟଶାଳୀର ପାଠ ପଢ଼ିଥିଲେ । ତା’ପରେ ଭଦ୍ରକ ସ୍କୁଲରେ ତାଙ୍କ ନାମ ଲେଖାଯାଇଥିଲା । ଅଧ୍ୟୟନ କରୁଥିବା ସମୟରେ ସେ ଜଣେ ସଙ୍ଗୀତ ପ୍ରିୟ ବନ୍ଧୁଙ୍କ ଘନିଷ୍ଠ ହୋଇ ପଡ଼ିଲେ । ତାଙ୍କଦ୍ୱାରା ଅନୁପ୍ରାଣିତ ହୋଇ ବାଞ୍ଛାନିଧି ସଙ୍ଗୀତ ଶିକ୍ଷାପ୍ରତି ଅନୁରକ୍ତ ହୋଇଥିଲେ । ତାଙ୍କର ନାମଥିଲା ବୈଷ୍ଣବ ଚରଣ ଦାସ । ମେଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ ରେଭେନ୍ସା କଲେଜରେ ଅଧ୍ୟୟନ କରିଥିଲେ । ସେଠାରେ କୃଷ୍ଣ ପ୍ରସାଦ ବସୁଙ୍କ ସହିତ ତାଙ୍କର ପ୍ରତିଷ୍ଠା ହୋଇଥିଲା । ସେହି ସମୟରେ ମଧ୍ୟ ସେ ଘନିଷ୍ଠ ସମ୍ପର୍କରେ ଆସିଥିଲେ ତାଳପଦା ଗ୍ରାମର ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସହ ।

 

୧୯୧୬ ମସିହାରେ ବାଞ୍ଛାନିଧି ବାବୁ ସୋର ନିକଟବର୍ତ୍ତୀ ଅନନ୍ତପୁର ଗ୍ରାମର ଜମିଦାର ରାଧାକାନ୍ତ ଦାସ ପଟ୍ଟନାୟକଙ୍କ ଜ୍ୟେଷ୍ଠାକନ୍ୟା ପ୍ରେମଲତା ଦେବୀଙ୍କ ସହ ବିବାହ କରିଥିଲେ । ବାଞ୍ଛାନିଧି ଥିଲେ ଯୌତୁକ ପ୍ରଥାର ଘୋର ବିରୋଧୀ । ସେ ରାଧାମାଧବ ଥିଏଟର ପାର୍ଟି ‘ଇରମ’ରେ ପ୍ରତିଷ୍ଠିତ କରିଥିଲେ । ଅଗଣିତ ଜନତାର ହୃଦୟରେ ଜାତୀୟତାର ବୀଜ ବପନ କରି ସ୍ୱାଧୀନତା ସଂଗ୍ରାମକୁ ସେମାନଙ୍କୁ ଆକର୍ଷିତ କରିଥିଲେ ।

 

ବାଞ୍ଛାନିଧି ବାବୁ ପ୍ରାୟ ୬ ମାସ ପାଇଁ ଭଦ୍ରକ ହାଇସ୍କୁଲରେ ଶିକ୍ଷକତା କରିଥିଲେ । ହରେକୃଷ୍ଣ ମହତାବ ତାଙ୍କର ଜଣେ ପ୍ରିୟ ଛାତ୍ର ଥିଲେ । ତାପରେ ଆରମ୍ଭ ହୋଇଥିଲା ସଂଗ୍ରାମୀ ଜୀବନ । ତା’ ମୂଳରେ ଥିଲା ଭାରତର ରାଜନୈତିକ ଦିଗ୍‍ବଳୟରେ ମହାତ୍ମାଗାନ୍ଧୀଙ୍କର ଆବିର୍ଭାବ-। ବିଶେଷତଃ ୧୯୧୯ ମସିହା ଏପ୍ରିଲ ୧୩ ତାରିଖ ଦିନ ପଞ୍ଜାବର ଅମୃତସରଠାରେ ଜାଲିୱାନାୱାଲାବାଗ ହତ୍ୟାକାଣ୍ଡ ଥିଲା ଏକ ମର୍ମନ୍ତୁଦ ଘଟଣା । ତାହା ସ୍ୱାଧୀନଚେତା ବାଞ୍ଛାନିଧିଙ୍କୁ ମର୍ମାହତ କରିଥିଲା । ସେଥିପାଇଁ ସେ ତାଙ୍କର ପ୍ରଥମ ‘ବିପ୍ଲବୀ’ ସଂଗୀତ ରଚନା କରିଥିଲେ ।

 

୧୯୨୦ ମସିହାରେ ଆରମ୍ଭ ହୋଇଥିଲା ଅସହଯୋଗ ଆନ୍ଦୋଳନ । ଓଡ଼ିଶାର ଏହି ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ଗୋପବନ୍ଧୁ ଦାସ । ତାଙ୍କର ଆହ୍ୱାନକ୍ରମେ ବାଞ୍ଛାନିଧି ବାବୁ ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିଥିଲେ । ଗୋପବନ୍ଧୁଙ୍କ ନେତୃତ୍ୱକୁ ସ୍ୱୀକାର କରି ଲେଖିଥିଲେ

 

“ଏ ଯୁଗ ଯୋଗୀ ଗୋପବନ୍ଧୁ

ଉତ୍କଳ ଦୀନଜନ ବନ୍ଧୁ ।”

 

ଗୋପବନ୍ଧୁ ଦାସ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ପ୍ରମୁଖ ନେତାଙ୍କୁ ନିଜ ଗ୍ରାମ “ଇରମ”କୁ ନେଇ ସଭାସମିତି କରାଇଥିଲେ । ଫଳରେ ୧୯୪୨ ମସିହାରେ ‘ଭାରତଛାଡ଼ ଆନ୍ଦୋଳନ’ ସମୟରେ ଏଇ ଇରମଭୂଇଁ ହୋଇଥିଲା ରକ୍ତତୀର୍ଥ ।

 

ସଂଗ୍ରାମ ସାହିତ୍ୟ :

୧୯୨୧ ମସିହାରେ ଗାନ୍ଧିଜୀଙ୍କର ଓଡ଼ିଶାଗ୍ରସ୍ତ ସମୟରେ ଭଦ୍ରକରେ ଯେଉଁ ସଭା ହୋଇଥିଲା, ତା’ର ଆୟୋଜନ କରିଥିଲେ ମୁଖ୍ୟତଃ ହରେକୃଷ୍ଣ ମହତାବ ଓ ବାଞ୍ଛାନିଧି ମହାନ୍ତି । ସେ ଗାଇଥିଲେ –

 

“ମହାତ୍ମା ମୋହନ ଦାସ,

ଦ୍ୱାପର ଦ୍ୱାରକା ଦ୍ୱୀପକୃଷ୍ଣ ଲୀଳାମୟ ହେ;

ଅଧମ ତାରଣ ହରି ଗାନ୍ଧିରୂପେ ଅବତରି

ବିନାଶ ପାଇଁ ନିଜେ ଦୁଃଖୀ ଦୁଃଖ ଚୟ ହେ ।”

 

ବିପ୍ଲବୀ କବି କଣ୍ଠରେ ଶୁଭୁଛି ବିପ୍ଳବର ଶଙ୍ଖନାଦ । ନିର୍ଯାତିତ ମଣିଷର ବିପ୍ଲବାତ୍ମକ ପରିବେଶକୁ ବାସ୍ତବ ଭାବରେ ପୁଣି ଗୁରୁ ଗମ୍ଭୀର ଭାଷାରେ ଛନ୍ଦର ତାଳେ ତାଳେ ସେ ଯେପରି ପ୍ରକାଶ କରିଛନ୍ତି, ତାହା ଯେ କୌଣସି ବ୍ୟକ୍ତିକୁ ସହଜରେ ଉଦ୍ଦୀପ୍ତ କରିବା ନିଃସନ୍ଦେହ ।

 

“ଆସରେ ଆସରେ ସ୍ୱରାଜ ସୈନିକ

ଆସ ବୀର ଗୋଦେ ମାତି

ଇଂରେଜ ରାଜତ୍ୱ କରିଦେବା ଲୁପ୍ତ

ଆମ୍ଭେ ଗଜପତି ଜାତି ।”

            (ବାଞ୍ଛାନିଧି ସ୍ମାରକୀ ଗ୍ରନ୍ଥ – ପୃ. ୧୨୪)

 

ବାଞ୍ଛାନିଧିଙ୍କ ପ୍ରାଣ-ବୀଣାର ଏକ ନିର୍ଦ୍ଦିଷ୍ଟ ଓ ନିରୂପିତ ସ୍ୱର ହେଉଛି ଦେଶମାତୃକା ପ୍ରତି ତାଙ୍କର ଆନୁଗତ୍ୟ । ମଧୁସୂଦନଙ୍କ ‘କୋଟିଏ ସନ୍ତାନ ଗୋଟିଏ କଣ୍ଠରେ ଜନନୀ ଜନନୀ ଡାକରବାଣୀ କବିଙ୍କର ଏପରି ବହୁ କବିତାରେ ପ୍ରତିଧ୍ୱନିତ । ଅଖଣ୍ଡ ଜନ୍ମଭୂମିର ମୁକ୍ତିପାଇଁ ସେ ଦେଶବାସୀଙ୍କୁ ଦେଇଛନ୍ତି ସାଗ୍ନିକ ଉଦବୋଧନ –

 

“ଜାଗ ଜାଗ ହେ ଭାଗ ଉତ୍କଳ ବୀରଶ୍ୱର ସନ୍ତାନ ହେ

ଆସେ ଅମ୍ବର ଭେଦି ତୁମ୍ଭର କୀର୍ତ୍ତି ଝଙ୍କାର ତାନ ହେ

ଉଠାଅ ମୂର୍ଚ୍ଛନା ଭାବ ସ୍ପନ୍ଦନ ପରଶୁ ଜାତି ପରାଣ ହେ

ମାତି ଉଠ ଚିର ସୁପ୍ତ ନିଦ୍ରିତ ଜାଗିଉଠୁ ତବଧ୍ୟାନ ହେ ।”

                  (ବାଞ୍ଛାନିଧି ପଦ୍ୟାବଳୀ, -ପୃ.୧୮୭)

 

ଓଡ଼ିଶାର ବିଛିନ୍ନାଞ୍ଚଳକୁ ଏକତ୍ର କରିବା ପାଇଁ ତାଙ୍କର ଉଦ୍ୟମ ପ୍ରଶଂସନୀୟ । ସେ ମେଦିନପୁର ଫୁଲଝର ଓ ସିଂହଭୂମି ବିଛିନ୍ନାଞ୍ଚଳକୁ ଯାଇ ସଭାସମିତି ମାନ କରିଥିଲେ । ସେ ଲେଖିଥିଲେ –

 

“କି ହେବ ଏ ମୁଣ୍ଡକଟା ଦେଶକୁ ଘେନି

ମୁଣ୍ଡକଟା ଗୋଡ଼କଟା ପଙ୍ଗୁକୁ ଘେନି

ମୋ ଜନନୀ କି ସୁନ୍ଦର, ସିଂହଭୂମ ତା’ର ଶିର ।”

 

ବାଞ୍ଛାନିଧି ମହାନ୍ତି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିବାରୁ ତାଙ୍କୁ ହଜାରୀବାଗ ଜେଲରେ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା । ୧୯୨୪ ମସିହା ଜୁନ ମାସ ୨୬ ତାରିଖ ଦିନ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ସେ ଥିଲେ କନିକା ପ୍ରଜା ଆନ୍ଦୋଳନର ଜଣେ ପରମ ପୃଷ୍ଠ ପୋଷକ । ଉତ୍କଳ ପ୍ରାଦେଶିକ ସମ୍ମିଳନୀ ୧ମ ଅଧିବେଶନ, କଟକଠାରେ ସେ ଗାଇଥିଲେ –

 

      “କେତେଦିନ ଆଉ ଦୁଃଖିନୀ କନିକା,

                  ଅନୀତି ଯାତନା ସହିବ

      ଦୁଃଖ ସହିବାକୁ ଦୁଃଖିନୀ ଲଲାଟେ

                  ଲିହିଥିଲା କିବା ଦଇବ

                  ପଞ୍ଝାବ କାହାଣୀ ଶୁଣିଥିଲେ କାନେ

                  କନିକାର ଲୀଳା ଦେଖୁଛ ନୟନେ

                  ଶତ ଅତ୍ୟାଚାର କନିକାର ତୂଲେ,

                              ପଞ୍ଜାବକି ସରି ହୋଇବ ।”

 

୧୯୩୦ ମସିହାର ଆଇନ୍ ଅମାନ୍ୟ ଆନ୍ଦୋଳନରେ ସମୟରେ ବିଶେଷକରି ଲବଣ ସତ୍ୟାଗ୍ରହରେ ତାଙ୍କର ଅବଦାନ ଥିଲା ଉଲ୍ଲେଖଯୋଗ୍ୟ । ଭକ୍ତ ଆନ୍ଦୋଳନରେ ସେ ନେତୃତ୍ୱ ନେଇଥିଲେ ‘ଇରମ୍’ ଠାରେ । ସେତେବେଳେ ସେ ଗାଉଥିଲେ –

 

“ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ ସ୍ୱାଧୀନ ସ୍ୱାଧୀନରେ

ଗାଏ ସାଗର ଭୂଦର ଅମ୍ବର ଚୁମ୍ବିତ,

ଭାଲ ହିମାଚଳ ଗରିବର କମ୍ପିତ, ସ୍ୱାଧୀନ ସ୍ୱାଧୀନରେ ।”

 

ଏହି ଲବଣ ସତ୍ୟାଗ୍ରହରେ ତାଙ୍କୁ ଗିରଫକରି କଟକ ଜେଲକୁ ପଠାଯାଇଥିଲା । ଛଅମାସ ଜେଲ ଦୁଇଶତ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଥିଲେ । ନିଖିଳ ଉତ୍କଳନେତା ସମ୍ମିଳନୀ, କଟକ ଅଧିବେଶନ ଉପଲକ୍ଷେ ସେ ଗାଇଥିଲେ –

 

      “କହ କେଉଁ ଜାତି ପାଇଛି ମୁକତି

                  କରି ହାରି ହୁରି ଗୁହାରୀ

      କହ ପାଇଛି କେ ସୁଖ ଲିଭାଇଛି ଦୁଃଖ

                  ମାଗି ମାଗି ପଥ ଭିକାରୀ ।”

 

ସାମ୍ପ୍ରଦାୟିକ ସଦ୍‍ଭାବ ରକ୍ଷାକରି ଦେଶର ମୁକ୍ତିପାଇଁ ବିଶ୍ୱସ୍ତ ଭାବେ ସଂଗ୍ରାମ କରିବା ଥିଲା ତତକାଳୀନ – ଜାତୀୟ ନେତୃତ୍ୱର ଆଭିମୁଖ୍ୟ । ବଙ୍ଗୀୟ କବି ନଜରୁଲ୍ ଇସଲାମଙ୍କ ପରି କବି ବାଞ୍ଛାନିଧିଙ୍କ କବିତାରେ ମଧ୍ୟ ଐକ୍ୟ ସଂହତିର ବାର୍ତ୍ତା ଅନୁଚ୍ଚାରିତ ।

 

            “ଜୟ ଜୟ ହିନ୍ଦୁ ମୁସଲମାନ,

            ଶିଖ ପାର୍ସି ଜୈନ ବୁଦ୍ଧ ଇହୁଦି ଖ୍ରୀଷ୍ଟିଆନ

            ନ କରି କାହାର ଭୟ ଗାଅ ଜନ୍ମଭୂମିର ଜୟ

            ସ୍ୱାଧୀନତା ବୈଜୟନ୍ତୀ ଉଡ଼ାଅ ଅବନୀମୟ

            ଗର୍ଜିଉଠୁ ସିଂହନାଦେ ସୁପ୍ତ ହିନ୍ଦୁସ୍ଥାନ ।”

 

ଜାତି-ପ୍ରେମ-ବହ୍ନି :

କବି ବାଞ୍ଛାନିଧି ମହାନ୍ତି କେବଳ ରଚନାକରି ନଥିଲେ – ସେ ସ୍ୱରଚିତ ଉଚ୍ଚ ଜାତୀୟବାଦୀ କବିତାଗୁଡ଼ିକୁ ଆବୃତ୍ତି କରି, ଶ୍ରୋତାମାନଙ୍କ ଅନ୍ତରରେ ଆଗ୍ନେୟଗିରିର ଭୀଷଣ ଉଦ୍‍ଗୀରଣ ଘଟାଉଥିଲେ । କବି ଯେ କେବଳ କଳ୍ପନା ବିଳାସୀ ନୁହଁନ୍ତି, ଜାତି ସଂଗଠନରେ କବିଙ୍କର କୃତି ଯେ ଏକ ଶକ୍ତିଶାଳୀଅସ୍ତ୍ର, ସମାଜ ପ୍ରତି ଚେତନା ଯେ କବିଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ପରିଚାୟକ; ଏହା ଅନେକ ବଳିଷ୍ଠ କବିଙ୍କ ପରି ବାଞ୍ଛାନିଧିଙ୍କ କବିତାବଳୀରୁ ପ୍ରତିପନ୍ନ ହୁଏ ।

 

ବାଞ୍ଛାନିଧି ପ୍ରଥମେ ଜଣେ ଦକ୍ଷକର୍ମୀ ବା ସଂଗଠକ । ନିଜେ ସଂଗ୍ରାମ ଭିତରେ ଥିଲେ ଓ ସେଇ ସଂଗ୍ରାମର ଅଙ୍ଗେ ନିଭା କଥା ସଂଗୀତ ଆକାରରେ ଗାଇଥିଲେ । ସୁତରାଂ ପ୍ରଥମେ ସେ ମୁକ୍ତି ରଣାଙ୍ଗନରେ ଜଣେ ସୈନିକ, ତାପରେ ସେ କବି । ସେଇଥିପାଇଁ ତାଙ୍କ କବିତାରେ ବିପ୍ଳବର ଅଗ୍ନିସ୍ଫୁଲିଙ୍ଗ, ବୀର ରସର ଉଦବେଳନ ଆଉ ମୁକ୍ତିବିପ୍ଳବର ରୁଦ୍ରାବାଣୀ ଝଙ୍କୃତ ହୋଇଛି । ଋଷିଆର ବିପ୍ଲବୀ କବି, ବିପ୍ଲବୀ କଳା ଓ ସାହିତ୍ୟକୁ ‘ସିସମୋଗ୍ରାଫ୍’ (Seismograph) ସହିତ ତୁଳନା କରିଛନ୍ତି । ଅକ୍ଟୋବର ବିପ୍ଳବର ଅନ୍ୟ ଜଣେକବି ମାୟାକୋଉସ୍କି ମଧ୍ୟ ଉତ୍କୃଷ୍ଟ ବିପ୍ଲବୀ ସାହିତ୍ୟକୁ :Life buildings instrument of Revolution” ନାମରେ ନାମିତ କରିଛନ୍ତି । କବିବାଞ୍ଛାନିଧିଙ୍କ ଅଧିକାଂଶ କବିତା ପ୍ରତି ଏହି ମନ୍ତବ୍ୟମଧ୍ୟ ପ୍ରଯୁଜ୍ୟ । ଭାରତୀୟ ମୁକ୍ତି ସଂଗ୍ରାମର “ସିସମୋଗ୍ରାଫ୍” ଭାବରେ ତାଙ୍କ କବିତାକୁ ଗ୍ରହଣ କରିବାର ଦ୍ୱିଧା ନାହିଁ-। କାରଣ ସେଥିରେ ପ୍ରତିଫଳିତ ହୋଇଛି କୋଟି କୋଟି ଭାରତୀୟଙ୍କ ଆଶା – ଆକାଙ୍‍କ୍ଷାର ଚିତ୍ର, ସେମାନଙ୍କ ମର୍ମସ୍ଥଳର ଅକୁହା କଥା, ଜାତି ପ୍ରାଣରେ ନବଜାଗରଣ ଆଣି ଦେଇଥିଲା । ବାଞ୍ଛାନିଧିଙ୍କର ଅନେକ କବିତା ସେତେବେଳେ ଏହି ଲକ୍ଷ୍ୟ ସାଧନାରେ ବିଶେଷ ସହାୟକ ହୋଇଥିଲା । ସେ ଗାଇଥିଲେ –

 

“କି ହେବ ସେ ସ୍ୱରାଜ ଘେନି

ଯେବେ ମୋର ନ ପୂରେ ପେଟ

ଖଟି ଖଟି ମଲେଣି ମୂଲିଆ ଚାଷୀ

ଚଷି ଦାନା କନା ନିଅଣ୍ଟ ।”

x x x            x x x      

“ଇଣ୍ଡିଆନ ବ୍ୟୁରୋକ୍ରେସିକୁ

ଇଣ୍ଡିଆନ ମୋର ଜୁହାର

ଇଣ୍ଡିଆନ ଶୁଣ ହେ ଆସି

କି ଘନ ଗୁଣ କାହାର ।”

 

ବାଲେଶ୍ୱର ଜିଲ୍ଲା ସମ୍ମିଳନୀ, ୩ୟ ଅଧିବେଶନ ଜଳେଶ୍ୱରରେ ସେ ଗାଇଥିଲେ –

“ଅଛୁଆଁ ଦୋଷ ମହାପାପକୁ ଉଠାଅ ଭାଇ

ଅଛୁଆଁ ଛୁଆଁ ଜାତି ପ୍ରମାଣ କାହିଁରେ ନାହିଁ ।”

 

କବି ବାଞ୍ଛାନିଧି ମହାନ୍ତିଙ୍କ ଉତ୍କଳା ବନ୍ଦନା ଅତ୍ୟନ୍ତ ହୃଦୟସ୍ପର୍ଶୀ । ସେ ଲେଖିଛନ୍ତି –

 

            “ହେ ମୋ’ ଉତ୍କଳ ଜୟ ମା ବନ୍ଦେ

            ବନ୍ଦେ ଜନନୀ ଗୋ ପଦାରବିନ୍ଦେ ।

            ଗିରିବର – ମଣ୍ଡିତ – ରୁଚିର ଶରୀରା

            ତାଳ-ତମାଳ – ସୁଶୋଭିତ – ତୀରା ।

            କଳ କଳ ନାଦ ନିନାଦିନୀ ତଟିନୀ

            ପୂତ – ସଲୀଳା ମା’ ଗୋ ପ୍ରବାହିତ ମନ୍ଦେ ।”

 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଉତ୍କଳ ପ୍ରାଣତା ସହିତ ବାଞ୍ଛାନିଧିଙ୍କର ସାମଞ୍ଜସ୍ୟ ରହିଛି । କାନ୍ତକବିଙ୍କ ଭାଷାରେ –

 

“ତୋର ଶ୍ରୀଚରଣ ଧୂଳି ଅଙ୍ଗେ ଅଙ୍ଗେ ହେବି ବୋଳି

ଅନ୍ତିମେ ତୋ ପଦପ୍ରାନ୍ତେ ଲୋଟାଇବି ମଥା,

ଜୀବଯିବ କହୁ କହୁ ତୋର ଗୁଣ କଥା ।

ତୋର ସେବା ହେବ ମୋର ସ୍ୱର୍ଗର ସରଣୀ,

ତୀର୍ଥମୟୀ ମା’ ମୋର ଉତ୍କଳ ଜନନୀ ।”

 

ବାଞ୍ଛାନିଧି ମହାନଟି ୧୯୩୮ ମସିହା ମାର୍ଚ୍ଚ ୨୫ ତାରିଖ ଦିନ ପୁରୀ ଜିଲାର ଡେଲାଙ୍ଗଠାରେ ଗାନ୍ଧିସେବା ସଂଘର ଏକ ଅଧିବେଶନରେ ଯୋଗ ଦେଇଥିଲେ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଏହାଥିଲା ସ୍ୱାଧୀନତା ସଂଗ୍ରାମରେ ତାଙ୍କର ପ୍ରତ୍ୟକ୍ଷ ଭୂମିକା । ସେଠାରେ ତାଙ୍କ ଦେହରେ କଳାବସନ୍ତ ଫୁଟି ଉଠିଲା । ଶେଷରେ ୧୯୩୮ ମସିହା ଏପ୍ରିଲ ୧୯ ତାରିଖ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

 

ବାଞ୍ଛାନିଧି ଏକ ପକ୍ଷରେ ଯେପରି ଉତ୍କଳପ୍ରେମୀ, ଅନ୍ୟ ପକ୍ଷରେ ସେହିପରି ଭାରତ ପ୍ରେମୀଥିଲେ । ଉତ୍କଳମଣି ଗୋପବନ୍ଧୁଙ୍କ ପରି ବାଞ୍ଛାନିଧି ମଧ୍ୟ ପରମ ଉଦାରତାରେ ଉତ୍କଳ ତଥା ଭାରତର ସମୁନ୍ନତ ଏକତାନରେ କାମନା କରୁଥିଲେ । ୧୯୨୧ ମସିହାର ଅସହଯୋଗ ଆନ୍ଦୋଳନଠାରୁ ୧୯୩୦ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ପର୍ଯ୍ୟନ୍ତ ବିଭିନ୍ନ ଜାତୀୟ ପ୍ରତିକ୍ରିୟା ସମ୍ପର୍କରେ ବାଞ୍ଛାନିଧିଙ୍କ ସମସ୍ତ କବିତା, ଓଡ଼ିଆ ଜାତୀୟବାଦୀ ସାହିତ୍ୟର ବିଶିଷ୍ଟ ସମ୍ପଦ ରୂପେ ଗଣାଯାଇପାରେ ।

 

ବାଞ୍ଛାନିଧି ବାବୁ ପିଲାଦିନରୁ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହୋଇଥିଲେ । ମାତ୍ର ଦାରିଦ୍ର୍ୟର ହୀନମନ୍ୟତା ତାଙ୍କ ସ୍ପର୍ଶକରି ନଥିଲା । ନିଆଁରେ ଯେତେ ଘିଅ ଢାଳ, ତାହା ପ୍ରଶମିତ ନ ହୋଇ ଅଧିକ ହୁ ହୁ ଜଳି ଉଠୁଥିବା ପରି ଆତ୍ମତୃଷ୍ଟ ନଥିବା ବ୍ୟକ୍ତି ସର୍ବଦା ଦାରିଦ୍ର୍ୟର କଷାଘାତ ପ୍ରାପ୍ତ ହୋଇଥାଏ । ସନ୍ଥ କବି କବୀରଙ୍କ ଭାଷାରେ –

 

“ମେରା ମନ ସକଲ ସୁଖୋଁପର ଧାୱେ

ବଜାର ସୁଖ ହାଥନ୍ ଆୱେ ।”

 

କବି ନଜରୁଲଙ୍କ ଭାଷାରେ –

 

“ହେ ଦାରିଦ୍ର୍ୟ ତୁମେ ମୋତେ କରିଛ ମହାନ୍

ତୁମେ ମୋତେ କରିଅଛ ଖ୍ରୀଷ୍ଟର ସମାନ ।

କଣ୍ଟକ – ମୁକୁଟ ଶୋଭା ଦେଇଛ ତାପସ

ଅସଂକୋଚ ପ୍ରକାଶର ଦୁରନ୍ତ ସାହସ ।”

 

ମାନବବାଦୀ ଜିଜ୍ଞାସା –

ଆର୍ଥିକ ଉନ୍ନତି ଅପେକ୍ଷା ଜ୍ଞାନର ଉନ୍ନତି ତଥା ସମାଜର ଉନ୍ନତିକୁ ବାଞ୍ଛାନିଧି ବାବୁ ଶ୍ରେୟସ୍କର ମଣୁଥିଲେ । ଧନ ଅପେକ୍ଷା ସୌଜନ୍ୟ ଓ ସାଧୁତାକୁ ଉଚ୍ଚ ଦୃଷ୍ଟିରେ ଦେଖୁଥିଲେ । ଆର୍ଥିକ ଅସ୍ୱଚ୍ଚଳତା ଅନୁଭବ କରୁଥିଲେ ସୁଦ୍ଧା ତାହା ତାଙ୍କର ମାନସିକ ଭାବୋଚ୍ଛାସର ସୀମାକୁ ସ୍ପର୍ଶ କରିପାରୁନଥିଲା । ସେ ସୃଜନଶୀଳତାର ସେଇ ଅମୃତ ସ୍ପର୍ଶ ଲାଭ କରିଛନ୍ତି । କାନପାତି ଶୁଣିଛନ୍ତି ସେଇ ଅନାହତ ରାଗିଣୀକୁ । ତାଙ୍କ ଶିଳ୍ପୀ-ମାନସ ଅପୂର୍ବ ଛନ୍ଦରେ ନର୍ତ୍ତନ କରିଛି । ପାର୍ଥିବ ଜୀବନ ବୃତ୍ତର ପରିଧିକୁ – ଡେଇଁ ସେ ସମ୍ପ୍ରସାରିତ ହୋଇଛନ୍ତି ଦିଗ୍‍ବଳୟର ଧୁଆଁଧାର ଯାଏ । ବାଞ୍ଛାନିଧି ବାବୁଙ୍କ ବହୁ କବିତା ମଧ୍ୟରେ ଫୁଟି ଉଠିଛି ଏଇ ବିସ୍ତାରିତ ହେବାର ଅନୁଚାରିତ ଉଚ୍ଚାରଣ । ଜୀବନର ସମସ୍ତ ବିସ୍ୱାଦକର, ବିସାଦ ଜର୍ଜ୍ଜର, ଯନ୍ତ୍ରଣାପୂର୍ଣ୍ଣ, ଅନ୍ଧକାରମୟ ଦୁଃସ୍ଥିତିର ବକ୍ଷଚିରି ତାଙ୍କ କବିପ୍ରାଣ ଉର୍ଦ୍ଧ୍ୱମୁଖୀ ହୋଇ ସତ୍ୟର ସନ୍ଧାନ କରିଛି । ସେ ଆଲୋକମୟ ଦିଗନ୍ତ ପ୍ରତି ଇଙ୍ଗିତ କରିଛି ।

 

କବି ବାଞ୍ଛାନିଧି ମହାନ୍ତିଙ୍କ ଆତ୍ମାରୁ ବିଶ୍ୱାସର ମନ୍ତ୍ରପାଠ ଉଚ୍ଚାରିତ ହୋଇଛି । ଅନ୍ଧାର କବରୀତଳୁ ଶତାବ୍ଦୀର ସୁର୍ଯ୍ୟୋଦୟକୁ ଅବଗାହନ କରିଛନ୍ତି କବି । ଗଭୀର ବେଦନା ବୋଧ ହୁଏତ କବିର ଅନ୍ତର୍ଦାହକୁ ଶାଣିତ କରିଛି । ତାଙ୍କ ଭାଷାକୁ କରିଛି ସୁକ୍ଷ୍ମ ଓ ଆନ୍ତରିକ । ଅଭିବ୍ୟକ୍ତିରେ ତେଣୁ ଆଦୌ କ୍ଲିଷ୍ଟତା କିମ୍ବା କପଟତା ପରିଲକ୍ଷିତ ହୁଏ ନାହିଁ । କେଉଁ ନିବୃତ ଗିରି କନ୍ଦରରୁ ପାଷାଣର ବକ୍ଷଭେଦି ଝରି ଆସିଥିବା ପ୍ରବାହ ଧର୍ମୀ ଝରଣାଟି ପରି, ସେଇ ରକ୍ତକ୍ଷରିତା କବିତା ଗୁଚ୍ଛ କବି ଝରିଆସେ ସ୍ୱରଧ୍ୱନି ସ୍ୱର୍ଗଗଙ୍ଗାରେ ରୂପାନ୍ତରିତ ହୋଇଛି ।

 

ତାଙ୍କ କବିତାଗୁଡ଼ିକରେ ଜୀବନ ଜିଜ୍ଞାସାରେ ଅଜସ୍ର ପ୍ରଶ୍ନବାଚୀ ଏକ ଅବୁଝା କିଆରୀ ପରି ଥମ ଥମ ହେଉଥାଏ । ବଞ୍ଚିବାର ଚମତ୍କାର କଳାଟି ବୋଧହୁଏ କବିପ୍ରାଣର ନିଜସ୍ୱ ଆବିଷ୍କାର-। ସମାଜିକ ଅଙ୍ଗୀକାର ତାଙ୍କ ସୃଷ୍ଟି ସ୍ୱାକ୍ଷରର – ଅନ୍ୟତମ ପରିଭାଷା । କବିଙ୍କର ଦରଦୀ ସମ୍ବେଦନଶୀଳ ହୃଦୟ ସମାଜର ଛୋଟବଡ଼ ସମସ୍ୟାପ୍ରତି ଆକର୍ଷିତ ହୋଇଛି ।

 

କବିତାଗୁଡ଼ିକର ଭାଷା ପ୍ରବାହଧର୍ମୀ, ସ୍ୱଚ୍ଛଳ, ଛଳ ଛଳ ମୟ ଓ ଭାବ ଅଭିବ୍ୟକ୍ତିରେ ଅନ୍ତରାୟ ହୋଇନାହିଁ । ଶବ୍ଦାବଳୀର ଅପୂର୍ବ ସଯୋଜନା ଯୋଗୁଁ ଶିଳ୍ପ ନୈପୁଣ୍ୟରେ ଅପୂର୍ବ କଳାପାଟବ ପରିଲକ୍ଷିତ ହୋଇଥାଏ । ଉଚ୍ଛାସମୟ ତାଙ୍କ ସୃଜନସତ୍ତା । କବିତାଗୁଡ଼ିକର ବହିଃରଙ୍ଗ ଯେପରି ଚମତ୍କାର, ତାର ଅନ୍ତଃରଙ୍ଗ ସେହିପରି ମନନଧର୍ମୀ । ଶବ୍ଦ ସଂଯୋଜନାରେ ଅପୂର୍ବ ନିଚ୍ଛକ ବାସ୍ତବତାର ପରିଚୟ ମିଳିଥାଏ ।

 

ଯେ କୌଣସି କ୍ରାନ୍ତିକାରୀ କବି ନିଜ ଦେଶ ଓ ଜାତିକୁ ଭଲପାଏ ଗଭୀର ଭାବରେ । ନିଜର ଜନ୍ମଭୂମି ପ୍ରତି, ଆପଣାର ଭୂମିରେ ବଞ୍ଚୁଥିବା ମଣିଷମାନଙ୍କ ସୁଖ ଦୁଃଖ ପ୍ରତି ଯେଉଁ କବିର ଅନ୍ତର ସହାନୁଭୂତିଶୀଳ ନୁହେଁ, ସେଇ କବିଙ୍କୁ ମର୍ତ୍ତ୍ୟମଣିଷର ମର୍ଯାଦା ଦେବାକୁ କୁଣ୍ଠାବୋଧ ହୁଏ । ସମଗ୍ର ଭାରତରେ ଯେଉଁ କବିର ହୃଦୟରେ ସ୍ୱତଃସ୍ଫୁର୍ତ୍ତ ଆବେଗ ଜାତ ହୁଏ, ସେ କବି ପାଠକର ପ୍ରାଣକୁ ଉଦାର ଓ ମହତ୍ କରି ଗଢ଼ିବାରେ ସଫଳ ହୁଏ । ନିଜ ଦେଶକୁ ହୃଦୟ ଦେଇ ଭଲ ପାଉଥିବା କବି ସମଗ୍ର ଭାରତର ମଣିଷ ସମାଜକୁ ମଧ୍ୟ ଭଲ ପାଇ ପାରନ୍ତି । ପ୍ରାଦେଶିକ ଓ ରାଷ୍ଟ୍ରପ୍ରେମ ମଧ୍ୟରେ କୌଣସି ଦ୍ୱନ୍ଦ ପରିଲକ୍ଷିତ ହୁଏନାହିଁ । ସେଇ ଦୃଷ୍ଟିରୁ ବିଚାର କରାଗଲେ ବାଞ୍ଛାନିଧି ମହାନ୍ତି ନିଜର ଅନ୍ତଦୃଷ୍ଟି ବଳରେ ଦେଶର ଆତ୍ମାକୁ ଉପଲବ୍ଧ କରିପାରି ଥିଲେ । ସ୍ନେହ, ଶ୍ରଦ୍ଧା, ପ୍ରେମ, କରୁଣା ସ୍ୱଦେଶ ପ୍ରେମ ଓ ମାନବିକତାର ଚିତ୍ରଣ ତାଙ୍କ କବିତାରେ ଦେଖିବାକୁ ମିଳେ-। ତାଙ୍କ କବିତାରେ ସବୁଠାରୁ ପ୍ରାୟ ଜୀବନର ସତ୍ୟ, ବାସ୍ତବତାକୁ ରୂପ ଦେବାରେ ସେ ଅତ୍ୟନ୍ତ ସଫଳ । ସ୍ୱଦେଶ ଓ ସ୍ୱଜାତି ପ୍ରତି ବାଞ୍ଛାନିଧି ବାବୁଙ୍କ କାବ୍ୟ ସାଧନା ଯେପରି ସାର୍ଥକ ଓ ରାସୋତ୍ତୀର୍ଣ୍ଣ, ମାନବ ସମାଜ କଲ୍ୟାଣ ଚିନ୍ତାରେ ସେହିପରି ମହିମାଦୀପ୍ତ ଓ ହୃଦୟସ୍ପର୍ଶୀ ।

 

ସହାୟକ ଗ୍ରନ୍ଥସୂଚୀ :

୧.

ବାଞ୍ଛାନିଧି ଗ୍ରନ୍ଥାବଳୀ । ଭୁବନେଶ୍ୱର, ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୬୩

୨.

ବେହୁରିଆ, ରବୀନ୍ଦ୍ର କୁମାର । ଲେଖା । କୋଲକାତା, ୧୯୯୯ । ପ୍ରୁ ୭-୧୩

୩.

ପଟ୍ଟନାୟକ, ଜଗନ୍ନାଥ । ଜାତୀୟ ତରଙ୍ଗର ରୂପକାର : କବି ବାଞ୍ଛାନିଧି ମହାନ୍ତି । କଟକ, ପ୍ରଜାତନ୍ତ୍ର, ୧୫-୭-୯୮ ।

୪.

ତ୍ରିପାଠୀ, ହୃଷୀକେଶ । AJAC ଭଦ୍ରକ, ଆଗରପଡ଼ା କଲେଜ, Vol. V, ପୃ. ୯-୨୫ ।

 

 

ଅବସରପ୍ରାପ୍ତ ଅଧ୍ୟାପକ,

ଚାନ୍ଦବାଲି କଲେଜ, ଚାନ୍ଦବାଲି,

ଭଦ୍ରକ (ଓଡ଼ିଶା) ପିନ୍ – ୭୫୬୧୩୩

 

***

 

ସ୍ୱାଧୀନତା ପୂର୍ବ ଓଡ଼ିଆଗଳ୍ପ ଓ ଲକ୍ଷ୍ମୀକାନ୍ତ ମହାପାତ୍ର

ସନ୍ତୋଷ କୁମାର ବେଜ୍

 

ଓଡ଼ିଶାର ଲୋକଜୀବନରେ କଥା ପରମ୍ପରାକୁ ବହୁ ପ୍ରାଚୀନ । ଲୋକମୁଖରେ ଏହି ଲୋକ କାହାଣୀଗୁଡ଼ିକ ଆବହମାନକାଳରୁ ପ୍ରଚଳିତ ହୋଇ ଆସୁଅଛି । ଅସୁର ଅସୁରୁଣୀ, ବେତାଳ, ଯକ୍ଷ, ଅପସରା, ଭୂତ, ପ୍ରେତ, ରାଜା, ମନ୍ତ୍ରୀ, ସାଧବ, କଟୁଆଳ, ପଶୁ, ପକ୍ଷୀ, କୁହୁକ ଘୋଡ଼ା ଆଦି ବିଭିନ୍ନ ପ୍ରକାରର ଲୋକ ଗଳ୍ପ ଓଡ଼ିଆ ଜନଜୀବନରେ ପ୍ରତିଷ୍ଠାଲାଭ କରିଅଛି । ନୌବାଣିଜ୍ୟ, ବିଦେଶଯାତ୍ରା, ସତ୍ୟରକ୍ଷା, ବନ୍ଧୁତା, ସ୍ୱପ୍ନ ଓ ଅହେତୁକ ସନ୍ଦେହ ନେଇ ଅନେକ ଗଳ୍ପର କାହାଣୀ ତିଆରି ହୋଇଥାଏ । କଲୁରୀ ବେଣ୍ଟ କଥା, ସାହାଡ଼ା ସୁନ୍ଦରୀ, ତଅପୋଇ କଥା, ଚକୁଳିଆ ପଣ୍ଡା କଥା ଆଦି କାହାଣୀଗୁଡ଼ିକରେ କରୁଣ ରସର ପ୍ରାଚୁର୍ଯ୍ୟ ପାଠକ ପ୍ରାଣକୁ ସମ୍ପୂର୍ଣ୍ଣଭାବେ ତଲ୍ଲୀନ କରିଥାଏ । ଏହି ବୃହତ୍ତ ପରମ୍ପରା ଉପରେ ଯଦିଓ ଆଧୁନିକ କ୍ଷୁଦ୍ରଗଳ୍ପ ପ୍ରତିଷ୍ଠା ପାଇନାହିଁ ତଥାପି ଏହି ଲୋକକଥାଗୁଡ଼ିକ କଥାକାରଙ୍କ ଅବଚେତନାକୁ ପ୍ରଭାବିତ କରିବାରେ ସମର୍ଥ ହୋଇଛନ୍ତି ।

 

ବ୍ୟାସକବି ଫକୀରମୋହନ ସେନାପତିଙ୍କ ରଚିତ ଏବଂ ୧୮୯୮ ମସିହାରେ ଉତ୍କଳ ସାହିତ୍ୟରେ ପ୍ରକାଶିତ “ରେବତୀ” କ୍ଷୁଦ୍ରଗଳ୍ପକୁ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ ଭାବରେ ସମ୍ମାନ ପ୍ରଦାନ କରାଯାଇଥାଏ । ଏଣୁ ଫକୀରମୋହନଙ୍କୁ ଓଡ଼ିଆ ଗଳ୍ପ ସାହିତ୍ୟର ଜନକ କୁହାଯାଇଥାଏ । ସର୍ବମୋଟ ସେ ୨୦ଟି କ୍ଷୁଦ୍ରଗଳ୍ପ ରଚନା କରିଛନ୍ତି, ସେଥିମଧ୍ୟରୁ ରେବତୀ, ଡାକମୁନସି, ପେଟେଣ୍ଟ ମେଡ଼ିସିନ୍, ଧୂଳିଆ ବାବା, ସଭ୍ୟ ଜମିଦାର, ଗାରୁଡ଼ିମନ୍ତ୍ର, ବଗୁଲାବଗୁଲୀ, ରାଣ୍ଡୀପୁଆ ଅନନ୍ତା ଆଦି ଗଳ୍ପଗୁଡ଼ିକ ଓଡ଼ିଆ ଗଳ୍ପ ସାହିତ୍ୟରେ ବହୁ ଚର୍ଚ୍ଚିତ ହୋଇ ଆସିଛନ୍ତି । ଫକୀର ମୋହନ ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ଜନକ ହୋଇଥିଲେହେଁ ଗଳ୍ପର ଆଙ୍ଗିକ ଓ ଶୈଳୀ ଦୃଷ୍ଟିରୁ ସେ ବିଶେଷ ସଫଳତା ହାସଲ କରିଥିଲେ । ତାଙ୍କ ଗଳ୍ପଗୁଡ଼ିକର କାହାଣୀ ବଳିଷ୍ଠ ହୋଇଥବା ସାଙ୍ଗକୁ ସମାଜର ବାସ୍ତବଚିତ୍ର ବହନ କରିଥିବା ତଥା ସେହି ଚିତ୍ର ଲୋକଭାଷାରେ ଅଙ୍କିତ ହୋଇଥିବାରୁ ତାଙ୍କ ଗଳ୍ପଗୁଡ଼ିକ ସ୍ୱତଃ କ୍ଲାସିକ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥାଏ । ସେ ଯେଉଁ କାହାଣୀକୁ ତାଙ୍କ ଗଳ୍ପରେ ନେଇଛନ୍ତି ତାହା କେବଳ ଓଡ଼ିଶାର ସମାଜିକ ସମସ୍ୟା ନଥିଲା, ଥିଲା ଭାରତୀୟ ସମସ୍ୟା । “ରେବତୀ” କେବଳ ଏକ ସଫଳ ଗଳ୍ପ ନୁହେଁ, ତା’ ମଧ୍ୟରେ ପ୍ରୟୋଗ କରାଯାଇଥିବା ସାମାଜିକ ସମସ୍ୟାଗୁଡ଼ିକ ସମସ୍ତ କୃଷିଭିତ୍ତିକ ଭାରତୀୟ ସମାଜ ବ୍ୟବସ୍ଥାର ଅଂଶବିଶେଷ । ଜମିଦାରୀ ପ୍ରଥା, ସମାଜିକ କୁସଂସ୍କାରକ, ନାରୀ ଶିକ୍ଷାପ୍ରତି ଅନାଗ୍ରହ, ପ୍ରେମ ପ୍ରତି ରକ୍ଷଣଶୀଳତା ଓ ବିବାହ ପ୍ରସ୍ତାବରେ ଧନ ଅପେକ୍ଷା ପ୍ରତିଷ୍ଠାକୁ ଗୁରୁତ୍ୱ କେବଳ ଉନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ହିଁ ଭାରତୀୟ ସମାଜ ବ୍ୟବସ୍ଥାରେ ଦେଖିବାକୁ ମିଳିଥାଏ । ଅନ୍ୟ ଗଳ୍ପଗୁଡ଼ିକରେ ଫକୀର ମୋହନ ଯେଉଁ ସାମାଜିକ ସମସ୍ୟାଗୁଡ଼ିକୁ ନେଇ ଗଳ୍ପ ରଚନା କରିଛନ୍ତି ତାହା ପ୍ରାୟ ୧୯୨୦ ପର୍ଯ୍ୟନ୍ତ ଓଡ଼ିଆ ଗଳ୍ପର କହାନୀ ଧାରାରେ ଅନୁବର୍ତ୍ତିତ ହୋଇ ଆସିଛି । (୧) ସମାଜବାଦୀ ବାସ୍ତବତା ଦୃଷ୍ଟିକୋଣନେଇ ଏହି ଗଳ୍ପଗୁଡ଼ିକରେ ତତ୍‍କାଳୀନ ସମାଜଚିତ୍ର ବାସ୍ତବଭାବରେ ଚତ୍ରିତ ହୋଇଥିବାରୁ ଏହି ଗଳ୍ପଗୁଡ଼ିକ ଓଡ଼ିଆ ଅସ୍ମିତାର ପରିଚୟ ପ୍ରଦାନ କରିଥାନ୍ତି । ତେବେ ଏଥିରେ ଶାଶ୍ୱତ ମୂଲ୍ୟବୋଧ ଏବଂ କାଳଜୟୀ ଦୃଷ୍ଟିକୋଣ ପ୍ରକାଶିତ ହୋଇଛି । ତେଣୁ ଗଳ୍ପଗୁଡ଼ିକ ଗୋଟିଏ ସମୟ ଖଣ୍ଡ ମଧ୍ୟରେ ସୀମାବଦ୍ଧ ନ ରହି ପ୍ରତିଟି ଆସୁଥିବା ସମୟରେ ଦୃଷ୍ଟିଗୋଚର ହୋଇଥାନ୍ତି ।

 

“ମହତ୍ ସାହିତ୍ୟିକମାନେ ଚିରକାଳ ଏଇମିତି ସମକାଳକୁ ରୂପ ଦିଅନ୍ତି, ମାତ୍ର ସମକାଳରେ ସୀମାବଦ୍ଧ ହୋଇ ରହନ୍ତି ନାହିଁ । ସମକାଳକୁ ସର୍ବକାଳରେ ରୂପାୟିତ କରିଦେବା ହିଁ ସେମାନଙ୍କ ପ୍ରତିଭା । ସେଇଥିଲାଗି ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଯେଉଁ ଦେଶୀ ଓଡ଼ିଆ ତାଙ୍କ ଗଳ୍ପରେ ମିଳେ, ତା’ର ପ୍ରୟୋଗ ବୈଚିତ୍ରରେ ଯେଉଁ ଶୈଳ୍ପିକ ବିଶିଷ୍ଟତା ପ୍ରକାଶ ପାଏ ତାହା ଏଇ ଅଶି ପଞ୍ଚାଅଶି ବର୍ଷର ସମାଜିକ, ସାଂସ୍କୃତିକ, ବୌଦ୍ଧିକ ଓ ବୈଜ୍ଞାନିକ ବିକାଶପରେ ବି ‘ପୁରୁଣା’ ଲାଗୁନାହିଁ । ଲାଗୁନାହିଁ ଅସ୍ୱଭାବିକ । ତତ୍‍କାଳ ହେଇରହିଛି ଏବେବି ସମକାଳ” ।

 

(୨) ଫକୀର ମୋହନଙ୍କ ଚିନ୍ତା ଓ ଚେତନାକୁ ନେଇ ଯେଉଁମାନେ ଗଳ୍ପ ରଚନା କରିଛନ୍ତି ସେମାନେ ହେଲେ ଚନ୍ଦ୍ରଶେଖର ନନ୍ଦ, ନନ୍ଦକିଶୋର ବଳ, ଚିନ୍ତାମଣି ମହାନ୍ତି, ଦିବ୍ୟସିଂହ ପାଣିଗ୍ରାହୀ, ଦୟାନିଧି ମିଶ୍ର ଓ ବାଙ୍କନିଧି ପଟ୍ଟନାୟକ ପ୍ରମୁଖ ସାହିତ୍ୟିକଗଣ । ଏମାନେ ସମସ୍ତେ ନୈତିକ ଆଦର୍ଶ ଜତୀୟବୋଧ ଏବଂ ସମାଜସଂସ୍କାର ନିମିତ୍ତ ପ୍ରତିବଦ୍ଧ ଥିଲେ । ଏଣୁ ଏମାନଙ୍କର ଗଳ୍ପଗୁଡ଼ିକ ସମାଜସଂସ୍କାର ଏବଂ ନୂତନ ମୂଲ୍ୟବୋଧର ପ୍ରତିଷ୍ଠା ନିମିତ୍ତ ଆହ୍ୱାନ ପ୍ରଦାନ କରିଥିଲା-। ତତ୍‍କାଳୀନ ସମାଜରେ ପରିଦୃଷ୍ଟ ହେଉଥିବା ଦୁର୍ନୀତି, ଶୋଷଣ ଓ ଉତ୍ପୀଡନ ବିରୁଦ୍ଧରେ ଗାଳ୍ପିକମାନେ ସ୍ୱର ଉତ୍ତୋଳନ କରିଛନ୍ତି । ଚିନ୍ତାମଣି ମହାନ୍ତିଂକ ‘ମାଧୁରୀ’, ଚନ୍ଦ୍ରଶେଖର ନନ୍ଦଙ୍କ ‘ଚିତ୍ର’ ଦିବ୍ୟସିଂହଙ୍କ ‘ଅମୃତ କଙ୍କଣ’ ଓ ବାଙ୍କନିଧି ପଟ୍ଟନାୟକଙ୍କ ‘ଧୂପଛାୟା’ ଇତ୍ୟାଦି ଗଳ୍ପ ସଙ୍କଳନଗୁଡ଼ିକରୁ ଏହି ସମାଜସଂସ୍କାର ମନୋଭାବର ପରିଚୟ ସ୍ପଷ୍ଟ ମିଳିଥାଏ । ଏମାନଙ୍କ ମଧ୍ୟରୁ ଦୟାନିଧି ମିଶ୍ର ଥିଲେ ଅଧିକ ପ୍ରଭାବଶାଳୀ ଗାଳ୍ପିକ, ଯଦିଓ ତାଙ୍କ ଗଳ୍ପଗୁଡ଼ିକ ଇତିହାସରେ ଭିତ୍ତି ଉପରେ ରଚିତ ହୋଇଛି ତଥାପି ସେ ଗଳ୍ପଗୁଡ଼ିକର ସାମାଜିକ ବାସ୍ତବିକତାକୁ କେହି ଅସ୍ୱୀକାର କରିପାରି ନାହାନ୍ତି ।

 

‘ଫକୀର ମୋହନଙ୍କ ପରେ ଗାଳ୍ପିକ ଦୟାନିଧି ମିଶ୍ର ଇତିହାସର ଜୀର୍ଣ୍ଣ କଙ୍କାଳ ମଧ୍ୟରୁ ବହୁ ଉଲ୍ଲାସ ଓ ଉତ୍ତେଜନାର କାହାଣୀ କହି ଓଡ଼ିଆ କ୍ଷୁଦ୍ର ଗଳ୍ପକୁ ଏକ ସ୍ୱତନ୍ତ୍ର ଆବେଦନ ପ୍ରଦାନ କରିଛନ୍ତି । ତାଙ୍କର ‘ଶାନ୍ତି’, ‘ଅରୁଣ’, ରୂପର ମୂଲ୍ୟ, ‘ପ୍ରଦୀପ ନିର୍ବାଣ’ ଇତ୍ୟାଦି ଗଳ୍ପରେ ମରହଟ୍ଟାମାନଙ୍କର ବର୍ବରତା, ସମ୍ବଲପୁରର ବୀରତ୍ୱ, ମୁକୁନ୍ଦଦେବଙ୍କ ପତନ ଇତ୍ୟାଦିର ଚିତ୍ର ବର୍ଣ୍ଣିତ-। ତେବେ ଏହି ଐତିହାସିକ କଥାବସ୍ତୁ ସମ୍ବଳିତ ଓଡ଼ିଆ କ୍ଷୁଦ୍ରଗଳ୍ପ ଅନେକାଂଶରେ କିମ୍ବଦନ୍ତୀ ମୂଳକ ଓ କଳ୍ପନାଶ୍ରୟୀ ହୋଇପଡ଼ିଛି । ପ୍ରେମର ସ୍ୱପ୍ନ ଓ ସଦିଚ୍ଛା, ବିରହ ଓ ମିଳନ, ପ୍ରତୀକ୍ଷା ଓ ସମାଧି ମଧ୍ୟରେ ଏଗୁଡ଼ିକର ଆବେଦନ ଅନେକାଦି ନାନା ଆବେଗ ଓ ଉତ୍ତେଜନାରେ ଭରିରହିଛି । ବର୍ଣ୍ଣନା ଚାତୁରୀ ଓ କାଳ୍ପନିକ ସୁଷମାରେ ଭରା ଏହି ଶ୍ରେଣୀର ଗଳ୍ପ ସୁଦକ୍ଷ କାରିଗରୀ ଅଭାବରୁ ସଫଳ ହୋଇପାରିନାହିଁ । ମନେହୁଏ ସାମାଜିକ ବାତାବରଣ ଓଡ଼ିଆ କ୍ଷୁଦ୍ରଗଳ୍ପର ଭାବବଳୟକୁ ଅଧିକ ଆକର୍ଷଣୀୟ କରିଥିବାରୁ ଐତିହାସିକ କଥାବସ୍ତୁ ମଧ୍ୟରେ ଗାଳ୍ପିକ ଦୟାନିଧି ମିଶ୍ର ପ୍ରେମମୟ ତ୍ୟାଗ ଓ ତପସ୍ୟାର ମହିମା ଭରିଦେଇ ଗଳ୍ପଗୁଡ଼ିକୁ ଆକର୍ଷଣୀୟ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତୀକ୍ଷଣ ଆବେଦନ ଅଭାବରୁ ଏହି ଗଳ୍ପଧାରାଟି ଆଉ ଓଡ଼ିଆ କ୍ଷୁଦ୍ରଗଳ୍ପର ବିଶେଷ ଅବଲମ୍ବନ ହୋଇ ରହିନାହିଁ” ।

 

(୩) ଦୟାନିଧିଙ୍କର ଗଳ୍ପଗୁଡ଼ିକ ମଧ୍ୟ ଓଡ଼ିଆ ଜାତୀୟତା ଓ ଓଡ଼ିଆ ଅସ୍ମିତାର ସନ୍ତକ ହୋଇ ଓଡ଼ିଆ ଗଳ୍ପ ସାହିତ୍ୟରେ ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିଥାନ୍ତି । ଫକୀର ମୋହନ ଓଡ଼ିଆ ଗଳ୍ପର ବିକାଶ କ୍ରମରେ ଦୟାନିଧି ମିଶ୍ରଙ୍କ ଗଳ୍ପଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବାସ୍ତବରେ ଦେଖିବାକୁ ଗଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଗଳ୍ପ ଓ ଫକୀର ମୋହନଙ୍କ ଗଳ୍ପ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବାରେ ଦୟାନିଧି ମିଶ୍ର ହେଉଛନ୍ତି ଜଣେ ଦୃଷ୍ଟି ଆକର୍ଷଣୀୟ ପ୍ରତିଭା-। ବିଂଶ ଶତକର ପ୍ରଥମ ଭାଗରେ ଫକୀର ମୋହନ ଓଡ଼ିଆ ଗଳ୍ପ ରଚନା କ୍ଷେତ୍ରରେ ପ୍ରଥମେ ପାଦ ଦେଇ ଯେଉଁ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ କଥାକାର ଦୟାନିଧି ସେହି ଭିତ୍ତି ଉପରେ ନିଜ ଦୃଷ୍ଟିରୁ ହର୍ମ୍ୟନିର୍ମାଣ କରି ଓଡ଼ିଆ କ୍ଷୁଦ୍ରଗଳ୍ପ ଜଗତକୁ ମଞ୍ଜୁଳ ଓ କୁସୁମିତ କରିଥିଲେ । ଫକୀର ମୋହନଙ୍କ ଗଳ୍ପଗୁଡ଼ିକ ଥିଲା ସମାଜଭିତ୍ତିକ । ସମାଜର ବିଭିନ୍ନ ସମସ୍ୟାକୁ ମନୁଷ୍ୟ ସମ୍ମୁଖରେ ଉପସ୍ଥାପନ କରି ସମାଧାନର ସୂତ୍ର ଅନ୍ୱେଷଣ କରିବା ଓ ଗଳ୍ପ ମାଧ୍ୟମରେ ସମାଜକୁ ଉଚିତ୍ ଶିକ୍ଷା ଦେବା ଫକୀର ମୋହନଙ୍କ ଗଳ୍ପର ମୁଖ୍ୟ ବୈଶିଷ୍ଟ ଥିଲା । ମାତ୍ର ଦୟାନିଧି ମିଶ୍ରଙ୍କ ଗଳ୍ପର ପ୍ରେରଣା – ଭୂମି ଥିଲା ଇତିହାସ ଓ ଜାତୀୟତା ଓଡ଼ିଶାର ପ୍ରାଚୀନ ଇତିହାସ ଓ ଜାତୀୟତାବୋଧ ସହିତ ମାନବିକ ପ୍ରେମକୁ ତାଙ୍କ ଗଳ୍ପରେ ପ୍ରାଧାନ୍ୟ ଦେଇ ସେ ସମକାଳୀନ ଓଡ଼ିଆ ଗଳ୍ପ ଜଗତକୁ ନୂତନ ବର୍ଣ୍ଣ ବିଭାରେ ସଜ୍ଜିତ କରିଥିଲେ” । (୪)

 

ଫକୀର ମୋହନ ଏବଂ ଦୟାନିଧି ମିଶ୍ରଙ୍କ ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮ – ୧୯୫୩) ଥିଲେ ସବୁଠାରୁ ପ୍ରଭାବଶାଳୀ ଗାଳ୍ପିକ । ଫକୀର ମୋହନଙ୍କ କଥାସାହିତ୍ୟର ସେ ଥିଲେ ଯଥାର୍ଥ ଦାୟାଦ । ସେ କେବଳ ଜଣେ ସଫଳ କଥାକାର ନଥିଲେ, ଥିଲେ ମଧ୍ୟ ଜଣେ ସମ୍ବେଦନଶୀଳ କବି । ସମାଜର ସମସ୍ତବର୍ଗର ଚରିତ୍ର ତାଙ୍କ ସାହିତ୍ୟରେ ସ୍ଥାନ ପାଇଛନ୍ତି । “ଧନୀ-ଦରିଦ୍ର, ଓକିଲ, ପୋଲିସଠାରୁ ଆରମ୍ଭ କରି ଶ୍ରମ ଜୀବୀ, ସିନେମା ଅଭିନେତା ଅଭିନେତ୍ରୀ, ପ୍ରେମିକ ପ୍ରେମିକା ଯାଏଁ ସମସ୍ତେ ଲକ୍ଷ୍ମୀକାନ୍ତଙ୍କ ଗଳ୍ପର ଚରିତ୍ର ହୋଇ ଯାଇଛନ୍ତି । ସେ ଜଣେ ସମ୍ବେଦନଶୀଳ କବି ଓ ଗାଳ୍ପିକ ହୋଇଥିବାରୁ ତାଙ୍କର ଗଳ୍ପ କବିତାଗୁଡ଼ିକ ଜୀବନ ଯନ୍ତ୍ରଣାର କରୁଣ ସଙ୍ଗୀତରେ ମୁଖରିତ । ସେ ତାଙ୍କ ଗଳ୍ପରେ ପ୍ରଥମଥର ପାଇଁ ପ୍ରଗତିବାଦୀ ଚିନ୍ତାଧାରାର ସୂଚନା ଦେଇଥିଲେ “ଅଧିକାର” ନାମରେ ୧୯୨୫ରେ ପ୍ରକାଶିତ ଗଳ୍ପରେ । ନିଜ ସ୍ତ୍ରୀର ଚରିତ୍ର ସମ୍ପର୍କରେ ମା’ ଠାରୁ ଶୁଣିଲା ପରେ ହରିଆ କଟୁରୀ ଚଳାଇଛି ।

 

ଅତ୍ୟାଚାରୀ ଗୋଷ୍ଠୀ ବିରୋଧରେ ପ୍ରଥମଥର ପାଇଁ ସ୍ୱର ଉତ୍ତୋଳନ କରି ଶୋଷିତର ପୁରୁଷକାରର ପରିଚୟ ଲକ୍ଷ୍ମୀକାନ୍ତ ବିଭିନ୍ନ ଗଳ୍ପ ମାଧ୍ୟମରେ ଦେଇଛନ୍ତି ଯାହା ପରବର୍ତ୍ତୀ ସମୟରେ ବହୁ ଲେଖକଙ୍କୁ ପ୍ରଭାବିତ କରିଛି । ଭଗବତୀ ଚରଣଙ୍କ “ଶିକାର” ଗଳ୍ପ ସହିତ ତାଙ୍କ ଗଳ୍ପମାନଙ୍କର ଅନେକ ସାମଞ୍ଜସ୍ୟ ରହିଛି । କାନ୍ତକବିଙ୍କର ୧୯୩୦ରେ ଲିଖିତ “ବୁଢ଼ାଶଙ୍ଖାରୀ” ଏକ ବହୁ ଲୋକପ୍ରିୟ ଗଳ୍ପ । ବିଶ୍ୱକବି ରବୀନ୍ଦ୍ରନାଥଙ୍କର “କାବୁଲି ୱାଲା” ଗଳ୍ପର ମର୍ମରେ ଏହା ଲିଖିତ । କାନ୍ତକବି ଉକ୍ତ ଗଳ୍ପରେ ସନ୍ତାନବତ୍ସଳ ପିତୃତ୍ୱର ଯେଉଁ ମମତାର ମନସ୍ତାତ୍ତ୍ୱିକ ଚିତ୍ର ଦେଇଛନ୍ତି, ତାହା ଯେପରି ଅଶ୍ରୁଳ, ସେହିପରି ହୃଦୟସ୍ପର୍ଶୀ କହିବା ବାହୁଲ୍ୟ ଯେ, ଲକ୍ଷ୍ମୀକାନ୍ତଙ୍କ ଗଳ୍ପଗୁଡ଼ିକ ପ୍ରେମ, ଶ୍ରଦ୍ଧା ଏବଂ ବାତ୍ସଲ୍ୟ ରସରେ ଆପ୍ଲୁତ । ବାସ୍ତବତାରେ ସରଳ ଭାବମୂର୍ତ୍ତି ହିଁ ତାଙ୍କ ଗଳ୍ପର ପ୍ରାଣକେନ୍ଦ୍ର । ଏହାଛଡ଼ା ସମସାମୟିକ ସମାଜର ଚିତ୍ର ଦେବାକୁ ଯାଇ ସେ “ବୁଢ଼ାବାର”, ଭୁଲ୍, ମିଠାକଡ଼ା, “ପ୍ରେମର ମୁକୁଟ”, ‘ପ୍ରଜାପତିର ଅଭିଶାପ’, ‘ପ୍ରାୟଶ୍ଚିତ’, ‘ପରୀକ୍ଷାର ଫଳ’, ‘ଆଦର୍ଶ ପତ୍ନୀ’ ପ୍ରଭୃତି ଗଳ୍ପ ଲେଖିଛନ୍ତି । ତାଙ୍କ ଗଳ୍ପ ଉପରେ ମତଦେଇ ଅପୂର୍ବ ରଞ୍ଜନ ରାୟ କହନ୍ତି, ତାଙ୍କର ଗଳ୍ପରେ ଜୀବନ ଯନ୍ତ୍ରଣାର ଜ୍ୱଳାମୟ ବିକଟ ଚିତ୍କାର ନାହିଁ, ନାହିଁ ଘାତ ପ୍ରତିଘାତର ତିକ୍ତତା; ଅଛି କେବଳ ଜୀବନର ରସୋଚ୍ଛଳ ବିକଟ ଅନୁଭୂତି, ଅଛି ଜୀବନର ସରଳ ଅଭିବ୍ୟକ୍ତି । ସେ ଗଳ୍ପ ରଚନାରେ ହେଉଛନ୍ତି ଆଧୁନିକ ଓ ଆଦିଯୁଗର ସଂଯୋଗ ରେଖା । (୫)

 

ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମସାମୟିକ ଗାଳ୍ପିକ ଥିଲେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ଗୋଦାବରୀଶ ମହାପାତ୍ର । ଲକ୍ଷ୍ମୀକାନ୍ତଙ୍କ ଚିନ୍ତା ଓ ଚେତନାର ପ୍ରତିଧ୍ୱନୀ ଏହି ଦୁଇ ଲେଖକଙ୍କ ଗଳ୍ପରେ ଶୁଣିବାକୁ ମିଳିଥାଏ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ “ପାଣୁ ମିଶ୍ରେ” ଓ “ତୋଳାକନ୍ୟା” ଗଳ୍ପଗ୍ରନ୍ଥ ମଧ୍ୟରେ ଯେପରି ସମାଜିକ ସଂସ୍କାର ଓ କୁସଂସ୍କାର ଚିତ୍ର ପ୍ରଦାନ କରାଯାଇଛି ସେହିପରି ଚିତ୍ର ଲକ୍ଷ୍ମୀକାନ୍ତଙ୍କ ଗଳ୍ପ ସମୂହରେ ମଧ୍ୟ ଦେଖିବାକୁ ମିଳିଥାଏ । ପାରମ୍ପରିକ ହିନ୍ଦୁ ସମାଜ ବ୍ୟବସ୍ଥା, ପାରିବାରିକ ଜୀବନର ଉତ୍‍ଥାନ ଓ ପତ୍ତନ, ବ୍ୟକ୍ତି ଜୀବନର ଆଶା ଓ ନିରାଶା, ସୁଖ ଦୁଃଖ, ଏହି ଗଳ୍ପଗୁଡ଼ିକୁ ରସାଣିତ କରିଛି । ଗୋଦାବରୀଶ ମହାପାତ୍ରଙ୍କ ସମୟକୁ ଏହି ସମାଜ ଚିତ୍ରରେ ଆସିଛି ସାମାନ୍ୟ ପରିବର୍ତ୍ତନ । ଭାରତୀୟ ସ୍ୱାଧୀନତା ସଂଗ୍ରାମ, ଉପନିବେଶବାଦ ଇଂରାଜୀ ଶିକ୍ଷା ସଭ୍ୟତାର ପ୍ରସାର, ଯନ୍ତ୍ରଶିଳ୍ପର ଅଭ୍ୟୁଦୟ ଗୋଦାବରୀଶ ମହାପାତ୍ରଙ୍କ ଗଲପାରୁ ପ୍ରଭାବିତ କରିଥିବାର ଦେଖାଯାଏ । “ଏବେ ମଧ୍ୟ ବଞ୍ଚୁଛି”, “ନୀଲମାଷ୍ଟ୍ରାଣୀ” ଓ “ମୁଁ ଦିନେ ମନ୍ତ୍ରୀ ଥିଲି” ଆଦି ଗଳ୍ପ ସଙ୍କଳନରେ ଥିବା ଗଳ୍ପଗୁଡ଼ିକରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ବିଶେଷତଃ ୧୯୩୮ରେ ରଚିତ “ମାଗୁଣିର ଶଗଡ଼” ଗଳ୍ପଟି ତାଙ୍କର ସର୍ବଶ୍ରେଷ୍ଠ ଗଳ୍ପ ଭାବରେ ସମାଲୋଚକମାନଙ୍କ ଧ୍ୟାନ ଆକର୍ଷଣ କରିଥାଏ । ପରିବର୍ତ୍ତିତ ଆର୍ଥନୀତିକ ବ୍ୟବସ୍ଥା ଗ୍ରାମୀଣ ଦାରିଦ୍ର୍ୟକୁ ଦୂର କରିପାରି ନାହିଁ, ବରଂ ତାହା ଅଧିକ ବିପର୍ଯ୍ୟସ୍ତ କରିଚି ଏକ ମହାକାବ୍ୟ ବ୍ୟାଖ୍ୟାନର ଏହା ପ୍ରାଗ୍‍ଭାଷା ବୋଲି କୁହାଯାଇପାରେ । ଗୋଦାବରୀଶ ମହାପାତ୍ରଙ୍କ ସେହି ମହାକାବ୍ୟିକ ଚେତନାରେ ଆଧାରିତ “ମାଗୁଣିର ଶଗଡ଼”ର ବ୍ୟାଖ୍ୟାନ ପଛରେ ରହିଛି ଏହିପରି ଅସଂଖ୍ୟ ନାୟକଙ୍କ ବିଫଳତାର କାହାଣୀ । ଶେଷରେ ମାଗୁଣି ଆଶ୍ରୟ ନେବା ପାଇଁ ଯାଇ ଭାବିଛି “ସେଦିନ ଯାଇଥିଲି କୋଦଳା ସଭାକୁ, କିଏ କହୁଥିଲେ- କଳ ଜନିଷଠୁଁ ହାତ ଜନିଷ ଭଲ । ତା’ ହେଲେ ମୋଟର କଳଠୁଁ କ’ଣ ମୋ ଶଗଡ଼ ଭଲ ନୁହେଁ ! କର୍ମୀ ନ ବୁଝିଲେ ଯିବି ଗାନ୍ଧିଙ୍କ ପାଖକୁ । ଦରିଦ୍ରଙ୍କ ସାଥୀ ସେ, ଗରୀବଙ୍କ ବନ୍ଧୁ ସେ । ସେ କ’ନ କହିବେ ମାଗୁଣି ମରିଯାଉ, ଆଉ ଏ ସିଂହେ ବଞ୍ଚନ୍ତୁ” ? ଗଳ୍ପରେ ହେଲା କ’ଣ, ମାଗୁଣି ମଲା ଏବଂ ସିଂହଙ୍କ ପୁଞ୍ଜି ବଢ଼ିଲା ଗ୍ରାମୀଣ ସାମନ୍ତବାଦ ଆଧୁନିକ ପୁଞ୍ଜିବାଦ ଆଡ଼କୁ ଯାଉଥିବା ସମୟରେ କଥାକାର ଗାନ୍ଧିଙ୍କ ଅର୍ଥନୈତିକ ଦର୍ଶନ ଆଡ଼କୁ ଯେଉଁ ପ୍ରଶ୍ନଟି ଉଠାଇଛନ୍ତି, ତାହାର ବିସ୍ତାରିତ ଉତ୍ତର ସେହି ଗଳ୍ପ ମଧ୍ୟରେ ହିଁ ଉପଲବ୍ଧ । ଏକ ଭୁଖଣ୍ଡକୁ ଦାସତ୍ୱରୁ ମୁକତି ଦେଇ ସ୍ୱାଧୀନତାଆଡ଼କୁ ନେବା ସମୟରେ ଯେଉଁ ସ୍ୱପ୍ନ ବୀଜ ବୁଣାଯାଇଥିଲା, ଭାରତୀୟ ମାନସପଟରେ ସେହି ସ୍ୱପ୍ନବୀଜ ବୁଣା ହେବାବେଳକୁ ହିଁ ଏକ ମହାକାବ୍ୟିକ ପ୍ରଶ୍ନଟିଏ ଅଙ୍କା ହୋଇଯାଇଥିଲା, ଭାରତବର୍ଷ ଆଜି ପର୍ଯ୍ୟନ୍ତ ସେ ପ୍ରଶ୍ନରୁ ମୁକୁଳି ପାରିନାହିଁ । ସାମନ୍ତବାଦ ଉପନିବେଶବାଦର ସାହଚର୍ଯ୍ୟରେ ପୁଞ୍ଜିବାଦ ଓ ନବଉପନିବେଶବାଦରେ ଉପନୀତ ହେବାର ଅର୍ଥନୀତିକ ବିବର୍ତ୍ତନ ପ୍ରକ୍ରିୟାରେ ମାଗୁଣିମାନଙ୍କଠାରୁ ହିଁ ପୁଞ୍ଜିର ଉପକରଣ ଛଡ଼େଇ ନିଆଯାଇଛି” । (୬)

 

କେବଳ ମାଗୁଣିର ଶଗଡ଼ ନୁହେଁ ନୀଳମାଷ୍ଟ୍ରାଣୀ, ଏବେ ମଧ୍ୟ ବଞ୍ଚିଛି, ‘ମୁଁ ଦିନେ ମନ୍ତ୍ରୀ ଥିଲି’, ‘ଦୁଇଟି ଟଙ୍କା’ ଗଳ୍ପଗୁଡ଼ିକ ଓଡ଼ିୟ ସାହିତ୍ୟର ଏକ ଏକ ମାଇଲ୍ ସ୍ତମ୍ଭ । ପଲ୍ଲୀ ଜୀବନର ସଂଘର୍ଷମୟ ଆଲେଖ୍ୟ ଏହି ଗଳ୍ପଗୁଡ଼ିକୁ କରିଛି ସ୍ମରଣୀୟ । ଜୀବନ ଯନ୍ତ୍ରଣାର ଦହନ ପାଠକ ନିକଟକୁ ସଂକ୍ରମିତ ହୋଇ ତାକୁ ଭାବବିମୁଢ଼ କରିନେବାର ସାମର୍ଥ୍ୟ ରଖିଥାଏ ଏହି ଗଳ୍ପଗୁଡ଼ିକ ।

 

ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଗଳ୍ପସାହିତ୍ୟର ବିକାଶକ୍ରମରେ ଯେଉଁ ଗାଳ୍ପିକମାନେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଥିଲେ ସେମାନେ ହେଲେ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, ନିତ୍ୟାନନ୍ଦ ମହାପାତ୍ର, ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ, ଅନନ୍ତପ୍ରସାଦ ପଣ୍ଡା ଓ ଗୋପୀନାଥ ମହାନ୍ତି ପ୍ରମୁଖ । ଭଗବତୀ ଚରଣ ପାଣିଗ୍ରାହୀ ଶ୍ରେଣୀ ସଂଘର୍ଷକୁ ନେଇ କାଳଜୟୀ ଗଳ୍ପ ରଚନା କରିଥିବା ସମୟରେ ପ୍ରୟୋଗବାଦୀ ଶୈଳୀ ନେଇ କାଳିନ୍ଦୀ ଚରଣ ପାଣିଗ୍ରାହୀ ତାଙ୍କ ଗଳ୍ପଗୁଡ଼ିକୁ ରଚନା କରିଛନ୍ତି । ଭଗବତୀ ଚରଣ ଥିଲେ ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା । ଏହି ଅନୁଷ୍ଠାନ ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଚେତନାର ପ୍ରଚାର ଓ ପ୍ରସାର କରିଥିଲେ । ତାଙ୍କ ରଚିତ “ଜଙ୍ଗଲି”, ‘ହାତୁଡ଼ି ଓ ଦା’, ଏବଂ ‘ଶିକାର’ ଓଡ଼ିଆ ଗଳ୍ପ ସାହିତ୍ୟକୁ ଏକ ନୂତନ ରୂପରେଖ ପ୍ରଦାନ କରିଥିଲା । ଏଥିରେ ପ୍ରକାଶିତ ଶ୍ରେଣୀ ସଂଘର୍ଷର ଚିତ୍ର ବାସ୍ତବିକ ଅତୁଳନୀୟ । ଓଡ଼ିଆ ଗଳ୍ପ ସାହିତ୍ୟରେ ମାର୍କ୍ସବାଦୀ ଚେତନାର ବାର୍ତ୍ତାବହ ଭାବେ ଏହି ଗଳ୍ପଗୁଡ଼ିକ ଆଦୃତ ହୋଇଥାନ୍ତି ।

 

ରାଜକିଶୋର ରାୟ, ରାଜକିଶୋରେ ପଟ୍ଟନାୟକ ଏବଂ ନିତ୍ୟାନନ୍ଦ ମହାପାତ୍ର ପ୍ରାୟତଃ ମନସ୍ତାତ୍ୱିକ କ୍ଷୁଦ୍ରଗଳ୍ପ ରଚନା କରିଛନ୍ତି । ରାଜକିଶୋର ରାୟ, ସଚ୍ଚିଦନନ୍ଦ ରାଉତରାୟ ନିତ୍ୟାନନ୍ଦ ମହାପାତ୍ର, ରାଜକିଶୋର ପଟ୍ଟନାୟକ, ଗୋପୀନାଥ ମହାନ୍ତି, ଅନନ୍ତ ପ୍ରସାଦ ପଣ୍ଡାଙ୍କ ନାମ ଆଧୁନିକ ଗଳ୍ପ ଲେଖକମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ । ଶ୍ରୀ ରାୟ ଜଣେ ସୁଦକ୍ଷ ଆଙ୍ଗିକ ସଚେତନ କଥାଶିଳ୍ପୀ ଏବଂ ଗଳ୍ପର ଆକୃତି ଘେନି ସେ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ମୁଖ୍ୟତଃ ପ୍ରବୃତ୍ତିରେ ରୋମାଣ୍ଟିକ ହେଲେ ମଧ୍ୟ ପରବର୍ତ୍ତୀ କାଳରେ ବାସ୍ତବବାଦ ଓ ବ୍ୟଙ୍ଗଧର୍ମୀ ଗଳ୍ପ ସୃଷ୍ଟି କରିଛନ୍ତି । ଭାଷାଶୈଳୀ କାବ୍ୟିକ, ବର୍ଣ୍ଣାଢ଼ ଓ ନାଟକୀୟ ଏବଂ ବେଳେ ବେଳେ ଏହାର ମାତ୍ରାଧିକ୍ୟ ଜନିତ ଅପ୍ରାକୃତିକତା ସମାଲୋଚକଙ୍କ ନଜରରେ ପଡ଼େ । ସ୍ୱାଧୀନତାର ପ୍ରାକ୍ କାଳରୁ ପ୍ରାୟ ପଞ୍ଚମ ଦଶକ ଯାଏଁ ଯେତେବେଳେ କ୍ଷୁଦ୍ରଗଳ୍ପ ସୃଷ୍ଟିରେ ପ୍ରାୟ ଦୁର୍ଭିକ୍ଷ ଦେଖା ଦେଇଥିଲା, ସେତେବେଳେ ସେ ଏହି ସାହିତ୍ୟଙ୍ଗଟିକୁ ଗୁଣାତ୍ମକ ଓ ପରିଣାମ ଦୃଷ୍ଟିରୁ ଋଦ୍ଧିମନ୍ତ କରିପାରି ନଥିଲେ । ‘ନୀଳଲହରୀ’, ‘ଜୟଶ୍ରୀ’, ‘ବନଜ୍ୟୋତ୍ସ୍ନା’, ‘ଅଶୋକ ଚକ୍ର’, ‘ଜୟଶଙ୍ଖ’, ‘ମନର ମୃଣାଳ’, ‘ଜୀବନ ସଂଗୀତ’ ଓ ‘ମଧ୍ୟାହ୍ନର ମରୁପଥେ’ ଆଦି ପୁରୁଷ ଇତ୍ୟାଦି ଅନେକ ଗଳ୍ପ ଗ୍ରନ୍ଥର ଲେଖକ ସେ ।

 

ମନର ବିଚିତ୍ର ଗନ୍ତାଘରର ଉନ୍ମୋଚନରେ ସପ୍ରତିଭା ଶ୍ରୀ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକରେ ସାମାଜିକ ସମସ୍ୟା ଉତ୍‍ଥାପିତ ହୋଇଥିଲେ ମଧ୍ୟ ମାନସିକ ଦ୍ୱନ୍ଦ୍ୱ ସଂଘର୍ଷ ଓ ସଙ୍କଟର ରୂପାୟନରେ ତାଙ୍କ ଗଳ୍ପଗୁଡ଼ିକ ପ୍ରାଣବନ୍ତ । ତାଙ୍କ ଗଳ୍ପଗୁଡ଼ିକରେ ଅନ୍ତର୍ଗଠନରେ ଅନ୍ୟ ଏକ ବିଶେଷତ୍ୱ ହେଲା ପ୍ରତୀକ ଅଭିବ୍ୟକ୍ତି ଓ ଉପମା ଉପମେୟର ପ୍ରୟୋଗ । ତୁଠ ପଥର, ପଞ୍ଜୁରୀ ପକ୍ଷୀ, ନିଶାଣଖୁଣ୍ଟି ଶାଳଗ୍ରାମ ପ୍ରଭୃତି ଗଳ୍ପ ଗ୍ରନଗୁଡ଼ିକରେ ଅନେକ ଶିଳ୍ପ ସଫଳ ଗଳ୍ପ ଦେଖିବାକୁ ମିଳେ । ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର ରୋମାଣ୍ଟିକ ଭାବପ୍ରବଣତା ସହ ଜଡ଼ିତ ଏବଂ ମନସ୍ତାତ୍ତ୍ୱିକ ବ୍ୟଞ୍ଜନାର କାଉଁରୀକାଠି ସ୍ପର୍ଶରେ ତାଙ୍କର ଅନେକ ଗଳ୍ପ ସ୍ୱୟଂ ସମ୍ପୂର୍ଣ୍ଣ ଓ ସଫଳ । ସାମାଜିକ ସମସ୍ୟାର ଚିତ୍ରଣ ସତ୍ତ୍ୱେ, ପ୍ରାୟ ଭାବଧର୍ମୀ ମନସ୍ତାତ୍ତ୍ୱିକ ଗଳ୍ପଗୁଡ଼ିକରେ ହିଁ ନିତ୍ୟାନନ୍ଦଙ୍କ ଅପୁର୍ବ ଶିଳ୍ପପ୍ରସିଦ୍ଧି ଦେଖିହୁଏ । ‘ଏଗାରଟା’, ‘କ୍ଷଣିକା’ ପ୍ରଭୃତି ଗ୍ରନ୍ଥରେ ଅନେକ ଗଳ୍ପ ଏହି ଦୃଷ୍ଟିରୁ ଓଡ଼ିଆ ଗଳ୍ପ ସାହିତ୍ୟରେ ବିଶେଷ ଉଲ୍ଲେଖଯୋଗ୍ୟ” । (୭)

 

ଏମାନଙ୍କ ପରି ଗୋପୀନାଥ ମହାନ୍ତି ମଧ୍ୟ ଅନେକ ମନସ୍ତାତ୍ତ୍ୱିକ ଗଳ୍ପ ରଚନା କରିଛନ୍ତି । ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମାଜକୁ ନେଇ ଗୋପୀନାଥ ମହାନ୍ତି ତାଙ୍କ ଗଳ୍ପଗୁଡ଼ିକ ରଚନା କରିଛନ୍ତି । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଓଡ଼ିଶାର ସମାଜିକ ଜୀବନରେ ଯେଉଁ ଆଶଙ୍କା, ସଂଘାତ ଓ ସମାଜିକ ବିପର୍ଯ୍ୟୟ ଦେଖାଦେଇଥିଲା ତାହାର ବାସ୍ତବ ଚିତ୍ର ଗୋପୀନାଥଙ୍କ ଗଳ୍ପଗୁଡ଼ିକରେ ଦେଖିବାକୁ ମିଳିଥାଏ । ସେହିପରି ଅନନ୍ତ ପଣ୍ଡାଙ୍କ ‘ଗୋପୀସାହୁର ଦୋକାନ’, ‘ଶଗଡ଼’, ‘ତେଲୁଣିର ସଂସାର’ ଆଦି ଗଳ୍ପରେ ଯନ୍ତ୍ରଶିଳ୍ପର ପ୍ରଭାବ ଏବଂ କୃଷିଭିତ୍ତିକ ସାମାଜିକ ସଭ୍ୟତା ସହିତ ଶିଳ୍ପଭିତ୍ତିକ ସଭ୍ୟତାର ସଂଘର୍ଷ ଏହି ଗଳ୍ପଗୁଡ଼ିକରେ ଦେଖିବାକୁ ମିଳିଥାଏ ।

 

ସଚ୍ଚିଦାନନ୍ଦ ରାଉତରାୟ ଥିଲେ ସ୍ୱାଧିନତା ପୂର୍ବବର୍ତ୍ତୀ ସମୟର ଜଣେ କ୍ରାନ୍ତିକାରୀ ଗାଳ୍ପିକ, ତାଙ୍କ ରଚିତ ‘ଅନ୍ଧାରୁଆ’, ‘ମଶାଣିର ଫୁଲ,’ ‘ମାଟିର ତାଜ’, ‘ବିସର୍ଜନ’, ‘ହାତ’, ‘ଆଙ୍ଗୁଠି’ ଆଦି ଗଳ୍ପଗୁଡ଼ିକରେ ସମାଜିକ ବାସ୍ତବତା ଓ ମନସ୍ତତ୍ତ୍ୱର ଚିତ୍ର ଦେଖିବାକୁ ମିଳିଥାଏ । ସଚ୍ଚିଦାନନ୍ଦ ତାଙ୍କ ଗଳ୍ପରେ ଗୋଟିଏ ପାର୍ଶ୍ୱରେ ମାର୍କସଙ୍କ ଚେତନାକୁ ପ୍ରୟୋଗ କରିଥିବା ଅନ୍ୟ ପାର୍ଶ୍ୱରେ ଫ୍ରୟେଡଙ୍କ ମନସ୍ତତ୍ତ୍ୱକୁ ପ୍ରୟୋଗ କରି ସେ କାଳଜୟୀ ଗଳ୍ପ ରଚନାରେ ସମର୍ଥ ହୋଇଛନ୍ତି ।

 

“ ଏହି ସମୟରେ ମାର୍କସ ଓ ଫ୍ରଏଡଙ୍କୁ ଏକାଠି ରଖି ଓଡ଼ିଆ କ୍ଷୁଦ୍ରଗଳ୍ପ ଆପଣାର ନୂତନ ସ୍ୱରଟିଏ ସୃଷ୍ଟି କରିପାରିଛି । ଫଳରେ ଗତାନୁଗତିକ ପ୍ରେମ ପାର୍ବଣ ଆଉ ରୋମାଣ୍ଟିକ ଆତୁରତା ମଧ୍ୟରେ ମନ ଓ ପ୍ରାଣର ମଧୁର ମୂର୍ଚ୍ଛନା ହୋଇ ରହିନାହିଁ, ବରଂ ମଣିଷର ଅନ୍ଧାରୀ ମନରେ ସଞ୍ଚିତ ଥିବା ଜୀବନ୍ତ ଲାଳସା ଓ ଦେହଜ କାମନା ସେଠାରେ ପ୍ରାୟ ଶିଳ୍ପୀ ଚିତ୍ତକୁ ପ୍ରଲୁବ୍ଧ କରିଅଛି । ସଚ୍ଚି ରାଉତରାୟଙ୍କ ଗଳ୍ପ ଉଭୟ ମାର୍କ୍ସ ଓ ଫ୍ରୟେଡଙ୍କଦ୍ୱାରା ପ୍ରଭାବିତ ବୋଲି ‘ଗଳ୍ପ’ ପତ୍ରିକାର ସାକ୍ଷାତକାରରେ ସେ ନିଜେ ସ୍ୱୀକାର କରିଛନ୍ତି । ଦେହ ପ୍ରତି ଥିବା ଚିତ୍ତବୃତ୍ତିର ମୌନ ଆକର୍ଷଣ ତାଙ୍କ ଗଳ୍ପପରେ ଅନେକତ୍ର ସଙ୍କୁଚିତ ଓ କୁଣ୍ଠିତ । ମନେହୁଏ, ଆଦ୍ୟା ପ୍ରଚେଷ୍ଟା ବୋଲି ଏହା ଅନ୍ଧାରୀ ମନର ଗୋପନୀୟତାକୁ ଅଧିକ କଳାତ୍ମକ କରିବାକୁ ସତର୍କ ରହିଛି “ । (୮)

 

ଓଡ଼ିଆଗଳ୍ପ ଆଦି ଯେଉଁ ସମୃଦ୍ଧ ପରମ୍ପରାରେ ପରିଣତ ହୋଇଛି ତାହାର ସମସ୍ତ ଶ୍ରେୟ ସ୍ୱାଧିନତା ପୂର୍ବବର୍ତ୍ତୀ ଗାଳ୍ପିକମାନଙ୍କ ନିକଟକୁ ଯିବ । ଏମାନେ ସମସ୍ତେ ଥିଲେ କାଳଜୟୀ ଶିଳ୍ପୀ । କାଳ ମଧ୍ୟରେ ଥାଇ ପାରମ୍ପରିକ ହିନ୍ଦୁସମାଜ ବ୍ୟବସ୍ଥା ଓ ସଂସ୍କାର, ଆଧ୍ୟାତ୍ମିକ ଭାବନା, ବିଦେଶୀମାନଙ୍କ ଅତ୍ୟାଚାର, ଇଂରାଜୀ ଶିକ୍ଷା ଓ ସଭ୍ୟତାର ପ୍ରସାର, ଯନ୍ତ୍ରଶିଳ୍ପର ଅଭ୍ୟୁଦୟ, ଭାରତୀୟ ସ୍ୱାଧିନତା ସଂଗ୍ରାମ, ଦୁଇଟି ବିଶ୍ୱଯୁଦ୍ଧ, ନଗରକୈନ୍ଦ୍ରିକ ସଭ୍ୟତାର ଅଭ୍ୟୁଦୟ, ମାର୍କ୍ସ ଓ ଫ୍ରୟେଡ ଆଦି ଚିନ୍ତାନାୟକଙ୍କ ଦୃଷ୍ଟିକୋଣ ସ୍ୱାଧିନତା ପୂର୍ବବର୍ତ୍ତୀ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ସହାୟକ ହୋଇଛି ।

 

‘ସ୍ୱାଧିନତା ପୂର୍ବରୁ’ ପଲ୍ଲୀକୈନ୍ଦ୍ରିକ ସମାଜ- ଚେତନା ସହିତ ନଗର-କୈନ୍ଦ୍ରିକ, ସମାଜ- ଚେତନାର ସଂଘର୍ଷ ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଏହି ସମୟରେ ଭାରତର ସ୍ୱାଧିନତା ଆନ୍ଦୋଳନ, ପ୍ରଥମ ବିଶ୍ୱଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଜନିତ ଆର୍ଥନୀତିକ ସଙ୍କଟ ଓ ସାମାଜିକ ଆଲୋଡ଼ନ, ଭାରତରେ ଜାତୀୟତାର ନୂତନ ପ୍ରାଣସ୍ପନ୍ଦନ, ମହାତ୍ମାଗାନ୍ଧିଙ୍କର ସମାଜ-ସଂସ୍କାର ଆନ୍ଦୋଳନ, ବିଧବା ବିବାହ ପ୍ରଚଳନ, ଅସ୍ପୃଶ୍ୟତା ନିବାରଣ, ମଦ୍ୟ ଓ ନିଶାଦ୍ରବ୍ୟ ସେବନର ବିରୋଧ, ନାରୀଶିକ୍ଷାର ପ୍ରସାର ଓ ରାଜନୀତିରେ ନାରୀଙ୍କର ଅଂଶଗ୍ରହଣ, ସ୍ୱରାଜ ଲାଭ ପାଇଁ ସତ୍ୟାଗ୍ରହ ଆନ୍ଦୋଳନ ଆଦି ବିଭିନ୍ନ ଘଟଣା କଥାକାରମାନଙ୍କୁ ନୂତନ ଭାବଧାରାରେ କ୍ଷୁଦ୍ରଗଳ୍ପ ରଚନା କରିବାକୁ ପ୍ରେରଣା ଦେଇଥିଲେ । ଭାରତୀୟ ମୁକ୍ତି ସଂଗ୍ରାମକୁ ଛାଡ଼ିଦେଲେ ଏହି ସମୟରେ ରୁଷିଆରେ ବଲ୍‍ସେଭିକ୍ ଆନ୍ଦୋଳନର ପ୍ରଭାବ ମଧ୍ୟ ଓଡ଼ିଶାର କଥାକାରମାନଙ୍କୁ କମ୍ ପ୍ରଭାବିତ କରି ନଥିଲା । ଗୋଟିଏ ଦିଗରେ ଗାନ୍ଧିଜୀଙ୍କର ଅହିଂସା ଆନ୍ଦୋଳନ ଏବଂ ଅନ୍ୟ ଦିଗରେ କାର୍ଲମାକ୍ସଙ୍କର ଦ୍ୱନ୍ଦାତ୍ମକ ବସ୍ତୁବାଦ ତତ୍କାଳୀନ ସାହିତ୍ୟିକମାନଙ୍କୁ ବିଶେଷ ଭାବରେ ପ୍ରେରଣା ଦେଇଥିଲା ସାହିତ୍ୟ ସୃଷ୍ଟି କରିବା ପାଇଁ । ଏହିସବୁ ରାଜନୀତିକ, ସମାଜିକ ସଂସ୍କୃତିକ ଭାବଧାରାକୁ ନେଇ ଓଡ଼ିଶାରେ ଗଳ୍ପକାରମାନେ ଗଳ୍ପ ରଚନା କରିବାକୁ ଲାଗିଲେ’’ । (୯)

 

ପାଦଟୀକା

(୧)

ବେହେରା, କ୍ଷୀରୋଦ ଚନ୍ଦ୍ର, ଏକବିଂଶ ଶତାବ୍ଦୀରେ ଓଡ଼ିଆ ଗଳ୍ପ : ପ୍ରତିଶ୍ରୁତି ଓ ସମ୍ଭାବନା, ପ୍ରକାଶିକା ବନାନୀ ବେହେରା, ରାଉରକେଲା, ୨୦୧୩ ପୃଷ୍ଠା ୧୧ ।

(୨)

 

ପଟ୍ଟନାୟକ, କଇଳାଶ, ବିଶିଷ୍ଟ କଥାସଂଘଟନା : ଫକୀର ମୋହନ, କୋଣାର୍କ, ୯୪ତମ ସଂଖ୍ୟା- ୧୯୯୪, ପୃଷ୍ଠା- ୬

(୩)

ଗାହାଣ, କପିଳେଶ୍ୱର, ସୀମାବଦ୍ଧତା ଓ ମୁକ୍ତିର ସ୍ୱପ୍ନ, ଅଗ୍ରଦୂତ, କଟକ-୨, ୧୯୯୪ ପୃଷ୍ଠା ୨୨ ।

(୪)

 

ସ୍ୱାଇଁ, ପ୍ରସନ୍ନ କୁମାର, ଦୟାନିଧି ମିଶ୍ରଙ୍କ କ୍ଷୁଦ୍ରଗଳ୍ପ: ଏକ ଦୃଷ୍ଟିପାତ, କୋଣାର୍କ, ୯୪ତମ ସଂଖ୍ୟା ୧୯୯୪ ପୃଷ୍ଠା

(୫)

 

ବାରିକ, କବିତା, ଶହେବର୍ଷର ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ଏକ ତାତ୍ତ୍ୱିକ ବିଶ୍ଲେଷଣ, ବିଦ୍ୟାପୁରୀ, କଟକ ୧୯୯୯, ପୃଷ୍ଠା ୩୮-୩୯ ।

(୬)

ବେହେରା, କ୍ଷୀରୋଦଚନ୍ଦ୍ର, ସମକାଳୀନ ଓଡ଼ିଆ ଗଳ୍ପ, ଏଷଣା, ଜୁନ୍ ୨୦୧୩, ପୃଷ୍ଠା ୧୭୯ ।

(୭)

ପାଢ଼ୀ, ଉଜ୍ଜ୍ୱଳ, ଓଡ଼ିଆ ଉପନ୍ୟାସ ଓ ଗଳ୍ପର ଗଠନ ଶୈଳୀ, ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ, ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୮୧, ପୃଷ୍ଠା ୧୧୮ ।

(୮)

ଗାହାଣ, କପିଳେଶ୍ୱର, ସୀମାବଦ୍ଧତା ଓ ମୁକ୍ତିର ସ୍ୱପ୍ନ, ଅଗ୍ରଦୂତ, ୧୯୯୪, ପୃଷ୍ଠା ୮-୯ ।

(୯)

 

ସାମଲ, ବୈଷ୍ଣବ ଚରଣ, ଓଡ଼ିଆ ଗଳ୍ପ : ଉନ୍ମେଷ ଓ ଉତ୍ତରଣ, ଫ୍ରେଣ୍ଡସ୍ ପବ୍ଲିସର୍ଶ୍, କଟକ, ୧୯୯୮, ପୃଷ୍ଠା ୩୩୮ ।

 

ଗବେଷଣା ଛାତ୍ର

ଓଡ଼ିଆବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ

ବାଣୀବିହାର, ଭୁବନେଶ୍ୱର - ୭୫୧୦୦୪

 

***

କବି ଅନନ୍ତ ପଟ୍ଟନାୟକଙ୍କ ସୃଷ୍ଟି : ଏକ ଆକଳନ

ଅଶ୍ୱିନୀ କୁମାର ମିଶ୍ର

 

କବି ଅନନ୍ତ ପଟ୍ଟନାୟକ ଜଣେ ସଚେତନ ସ୍ରଷ୍ଟା । ସେ ସ୍ୱତଃସ୍ଫୂର୍ତ୍ତ ଭାବେ ଆପଣେଇ ନେଇଥିଲେ କବିତାରେ ପ୍ରଗତିଶୀଳ ଆଭିମୁଖ୍ୟକୁ । ଜଣେ କାବ୍ୟଶିଳ୍ପୀ ଭାବେ ମଣିଷ ଜାତ ବିଶେଷତଃ ମେହନତି ବର୍ଗଙ୍କ ପ୍ରତି ଦରଦ ତାଙ୍କ କବିତାରୁ ବାରି ହୋଇ ପଡ଼ୁଥିଲା । ସାମାଜିକ ବୈଷମ୍ୟ, ଶ୍ରେଣୀଗତ ବିଶୃଙ୍ଖଳା, ନିଷ୍ଠୁରତା ତଥା ଶାରୀରିକ ପୀଡ଼ନକୁ ତାଙ୍କ ସ୍ପର୍ଶକାତର ହୃଦୟ ଆଦୌ ସହି ପାରି ନଥିବା ନଜିର ଭାବେ ତାଙ୍କ କବିତାମାନଙ୍କୁ ନିଆଯାଇପାରେ । ଅପେକ୍ଷାକୃତ ଥିଲାବାଲା ପରିବାରରେ ଜନ୍ମ ହୋଇ ସୁଦ୍ଧା ଦଳିତ, ପତିତ ବର୍ଗଙ୍କ ପାଇଁ ସିଏ ଯେମିତି ମସୀଯୁଦ୍ଧର ଡାକରା ଜୀବନସାରା ଦେଇ ଚାଲିଥିଲେ ତାହାହିଁ ବିଚାର୍ଯ୍ୟ ବିଷୟ । ଆଜୀବନ ଏକ ନୂତନ ପୃଥିବୀର ଅନ୍ୱେଷା ତାଙ୍କୁ ବ୍ୟାକୁଳିତ କରି ରଖିଥିଲା ଜୀବନସାରା । ଏସବୁ ସତ୍ତ୍ୱେ କୌଣସି ଆଦର୍ଶର ପ୍ରଚାର ପାଇଁ ସିଏ କେବେହେଲେ ଗୁଣାତ୍ମକ ତଥା ଉଚ୍ଚଶୈଳୀର କବିତା ଲେଖିବାରେ ସାଲିସ୍ କରି ନଥିଲେ । ତାଙ୍କ ଦୃଷ୍ଟିଭଙ୍ଗୀ, ସାମାଜିକ ପ୍ରତିବଦ୍ଧତାକୁ ପରଖିଲେ ବିଶ୍ୱାସ ହୁଏ ଯେମିତି ‘କାବ୍ୟିକ ଆତ୍ମଜୀବନୀ’ ପାଇଁ ତାଙ୍କ କବିତାମାନେ ସଦାସର୍ବଦା ଜାଗତିଆର୍ ରହି ଆସିଛନ୍ତି । ମଣିଷ ପ୍ରକୃତିର ବିଶ୍ଲେଷଣ ନାଁରେ ସିଏ କିନ୍ତୁ ବର୍ହିପ୍ରକୃତିଠୁ ନିଜକୁ କେବେ ଦୂରେଇ ରଖିନାହାନ୍ତି । ଯେମିତି କବିତାରେ ଛନ୍ଦ, ଯତିପାତ, ଲାଳିତ୍ୟ ତାଙ୍କର ଭାରି ପ୍ରିୟ ସେହିଭଳି ସୁଷମାନ୍ୱିତ ଭୂମଣ୍ଡଳ, ମାଟି ଓ ଆକାଶର ଅନନ୍ତ ସୌନ୍ଦର୍ଯ୍ୟ ସାଙ୍ଗକୁ ବଣ, ନଈ, ପାହାଡ଼, ଝରଣା ସବୁକିଛି ତାଙ୍କ ପାଇଁ ପ୍ରେରଣାର ଉତ୍ସ । ମନେହୁଏ ସାଙ୍ଗୀତିକତା ଯେମିତି ତାଙ୍କ କବିତାମାନଙ୍କର ଅସ୍ଥି ମଜ୍ଜାଗତ । କବି ନିଜେ ଶବ୍ଦର ଯାଦୁକର । ବୁଝାପଡ଼େ ଯେମିତି ଇଟାର ଶକ୍ତି ନେଇ କୋଠାଘରଟିଏ ଛିଡ଼ା ହୋଇପଡ଼େ, ଠିକ୍ ସେଭଳି ଶବ୍ଦଙ୍କ ଶକ୍ତି ନେଇ ତାଙ୍କ କବିତାମାନେ ଛିଡ଼ା ହୋଇପଡ଼ନ୍ତି ନିଜ ଲେଖନୀସୃତ ପୁସ୍ତକଙ୍କ ପୃଷ୍ଠାମାନଙ୍କରେ । ଗ୍ରୀକ୍ କିମ୍ବଦନ୍ତୀର ‘ନାର୍ସିସସ୍’ ଚରିତ୍ର ଭଳି ଆତ୍ମ-ପ୍ରେମକୁ ନିଜ କାବ୍ୟ-ଦର୍ଶନ ମାଧ୍ୟମରେ ବିଦ୍ରୁପ କରିଥିବା ଏଇ କବି ବ୍ୟକ୍ତିବାଦକୁ କେଉଁଭଳି ନାପସନ୍ଦ କରିଛନ୍ତି ତା’ରି ନମୁନା ଏଇ ପଂକ୍ତିଟି :

 

            ନିଜ ବନ୍ଦନା ପଢ଼େ, ସଜନିରେ

                        କୁଞ୍ଚିତ କର ନାସା !

            ରୋଷ-କମ୍ପିତ ପକ୍ଷ୍ମରୁ ଢାଳ

                        ହୀନ ହିଂସୁକୀ ଭାଷା !

            ନିଜ ବନ୍ଦନା ପଢ଼େ ସ୍ପର୍ଦ୍ଧାରେ

                        ଗୀତି-ଶ୍ରଦ୍ଧାରେ

            ନବ-ସୌନ୍ଦର୍ଯ୍ୟ ସ୍ନେହ-ଶାଦ୍‍ବଳ ଗଢ଼େ

                        ନିଜ ବନ୍ଦନା ପଢ଼େ !

 

ଜଣକ ଆଗରେ ଆତ୍ମ-ବନ୍ଦନାକୁ କେଉଁଭଳି ଘୃଣ୍ୟ ତଥା ରାଗିଲା ମନରେ ଲୋକେ ଅନାନ୍ତି, ସ୍ନେହ-ଶାଦ୍‍ବଳ ଅର୍ଥାତ୍ ପ୍ରେମ ବିଭୂଷିତ ହରିତ୍ ତୃଣ ଭଳି ରୂପକ (metaphar) ମାଧ୍ୟମରେ କବି ତାହା ପାଠକଙ୍କୁ ଜଣେଇଛନ୍ତି । କବିଙ୍କ ଗୀତିମୟ ଭାବ, ତାଙ୍କ ଦର୍ଶନକୁ ପ୍ରତିହତ କରୁନାହିଁ ବରଂ ଶ୍ରୁତିମଧୁର ଭାବେ ପରିବେଷଣ କରୁଛି । କବି ସେଇ କବିତାଟିର ଅନ୍ୟ ଅଂଶରେ ଜଣେ ସଚେତନ ନାଗରିକ ଭଳି ଅମଲାତନ୍ତ୍ରର ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଯଥା : ‘ମୁଁ କି ରେ ଦଳୁନି ନଥିରେ ନଥିରେ ଦୁର୍ନୀତି-ବ୍ରତ, ଚିତ୍ରିତ ତନୁ, ଦୁଃଖର କ୍ଷତ ? କବି ପୌରାଣିକ କଥାବସ୍ତୁକୁ ଆପଣେଇବା ନ୍ୟାୟରେ ପ୍ରଭୁ ଜଗନ୍ନାଥଙ୍କ ବିଷୟ ଉଲ୍ଲେଖ କଲାବେଳକୁ ଜଗନ୍ନାଥ ଅପରନ୍ତୁ କୃଷ୍ଣଙ୍କ କଥା କହିବା ସାଙ୍ଗକୁ ମୃତ୍ୟୁର କାରଣ ହୋଇଥିବା ‘ଜାରା’ ଜୀବନର କେତେ ଝୁମୁରୁର ଜ୍ଜ୍ୱାଳା ।’ (୩)

 

କବି ଅବକ୍ଷିୟୀ ପ୍ରୀତିର ଡାକରାକୁ କେଉଁଠିବି ପସନ୍ଦ କରିନାହାନ୍ତି । ତେଣୁ ପରୋକ୍ଷରେ ସିଏ ସଂସ୍କୃତ କବି ଜୟଦେବ ରାଧାଙ୍କ ଉଦ୍ଦେଶ୍ୟରେ ଉଚ୍ଚାରିଥିବା ‘ପଦପଲ୍ଲବ ଦେହି’’କୁ ବି ସମାଲୋଚନା କରିବାକୁ ପଛେଇ ନାହାନ୍ତି । ଯଥା :

 

            “ପଦପଲ୍ଲବ ଦେହି !”

                  ଏଇ ଅନୁଦାର ଭିକ୍ଷା ରଚିବି

            କେଉଁ ପରକୀୟା ରାଗରଂଗରେ ଧ୍ୟାୟି ?

            ସ୍ତାବକ ନୋହେ ମୁଁ, ଭୃତ୍ୟ ନୋହେଗୋ,

                  ଦେହ-ଶୃଙ୍ଗାର ପାଇଁ ।

                              (ଲୋଡ଼ା ନାହିଁ)୪

 

କବି ସାମ୍ରାଜ୍ୟବାଦୀ ବ୍ରିଟିଶ୍‍ଶକ୍ତି ବିରୁଦ୍ଧରେ ମସୀଦୀପ୍ତ । ତାଙ୍କ ଲେଖନୀ ଚାହିଁନି କୌଣସି ଅତ୍ୟାଚାରୀକୁ ଭାରତ ଭୂଇଁରେ ପ୍ରଶ୍ରୟ ଦେବାକୁ । ଚାହିଁନି ବିଳାସମୁଖୀ ଜୀବନ, ମଣିଷକୁ ଦଳିମକ୍‍ଚି ସୁଖ ଅନ୍ୱେଷୁଥିବା ଭୋଗୀ ପଲଙ୍କୁ । ଯଥା “କାହୁଁ ଆଇଲାର ବେପାରୀ ବଣିକ ରୋଷେ, ଛିଡ଼ି ଉଡ଼ିନି କି ଥରକୁ ଥର ତା ଡାଳ, ବେଶ୍ୟ-ଦଲାଲି-କୁଲି କଲୋନୀରେ ତୁଠେ ଦୟାର ଚୋଟରେ ଚାଟି ତା ମେଲଡ଼ି-ମାଳ ।” (ସେପାରି ଗଛର ଛାଇ)୫

 

କବି ଅନନ୍ତ ତାଙ୍କ ସମସାମୟିକ ଅନେକ କବି ଯଥା କାଳିନ୍ଦୀଚରଣ ପାଣିଗ୍ରାହୀ, ରାଧାମୋହନ ଗଡ଼ନାୟକ, ବୈକୁଣ୍ଠନାଥ ପଟ୍ଟନାୟକ, ଅନ୍ନଦା ଶଙ୍କର ରାୟ ପ୍ରମୁଖଙ୍କଠୁ ନିଜ ଶୈଳୀ ଓ ଭାବ ମାଧ୍ୟମରେ ଯଥାସମ୍ଭବ ଦୂରେଇ ରଖିଛନ୍ତି । କବିତା ମାଧ୍ୟମରେ ପ୍ରକୃତିର ନୀରାଜନା ଆଧ୍ୟାତ୍ମବାଦ ତଥା ଐଶ୍ୱରିକ ଚେତନାର ନିଜକୁ ଡୁବେଇ ଦେଇ ସାଧାରଣ ମେହନତି ମଣିଷର ସଂଘର୍ଷମୟ ଜୀବନ, ତେଲ ଲୁଣର ସଂସାରଠୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରୁନାହାନ୍ତି । ସେ ଚାହିଁନାହାନ୍ତି ତାଙ୍କ କାବ୍ୟପୁରୁଷ କିମ୍ବା ଅନ୍ୟ ଚରିତ୍ରମାନଙ୍କୁ ନଗରକୈନ୍ଦ୍ରିକ କରି ସମସ୍ତ ସହରତଳି ଜୀବନର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଉପଭୋଗ କରିବାକୁ । ଜୀବନର ଅସଲ ମଞ୍ଜକୁ ସିଏ ପାଖଛଡ଼ା କରିନାହାନ୍ତି, ଅପରନ୍ତୁ ତାଙ୍କୁ ଯାବୁଡ଼ି ଧରିଛନ୍ତି ବେଶ ନିବିଡ଼ ଭାବରେ । କୌଣସି ଅଦୃଶ୍ୟମାନ ପୃଥିବୀର ମାୟାଡ଼ୋରୀରେ ସେ ନିଜକୁ ବାନ୍ଧି ରଖିନାହାନ୍ତି, ବିଚାରଶୀଳ ନ୍ୟାୟବନ୍ତ ସମାଜ ବ୍ୟବସ୍ଥା, ମଣିଷର ସ୍ୱତଃସ୍ପୂର୍ତ୍ତ ଭାବ, ମୁଗ୍ଧ ଆକ୍ଷିରେ ନୀପିଡିତ ମଣିଷ ଆଡ଼କୁ ଦୃଷ୍ଟି ପକେଇ ତା’ର ପ୍ରତିକୂଳ ଜୀବନକୁ ଅନୁକୂଳ କରିବା ପାଇଁ ସିଏ ଆଜୀବନ ଚାହିଁ ଆସିଛନ୍ତି । ତେଣୁ ଶାଶ୍ୱତ ସୌନ୍ଦର୍ଯ୍ୟଗ୍ରାହୀ ହୋଇ କେବଳ ଶ୍ରମଜୀବୀ ମଣିଷର ସୁନ୍ଦରତମ ଅବସ୍ଥିତ ପାଇଁ ସିଏ ତେଜୋଦୀପ୍ତ କରିଛନ୍ତି ନିଜ ସୃଷ୍ଟିଶୀଳ ଦୀପଶିଖାକୁ । ଲାଭଖୋର ଜୀବନର ବସ୍ତୁବାଦୀ ଜଘନ୍ୟ ଲୀଳାକୁ ସିଏ ବାରମ୍ବାର ଏଡ଼ାଇ ଯିବାର ମନୋବୃତ୍ତିକୁ ସାଦରେ ସାଇତି ରଖିଛନ୍ତି ହୃଦୟ ଭିତରେ ।

 

କବି ଅନେକାଂଶରେ ମାର୍କସବାଦର ପଥିକ । ଶୋଷକ ମଣିଷକୁ ପ୍ରତିହତ କରି ଏକ ସାମ୍ୟବାଦୀ ସମାଜର ପରିକଳ୍ପନା ଯେଉଁଠି ଖଟିଖିଆ ମଣିଷ ନ୍ୟାୟତଃ ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରି ପାରିବାର ସାମର୍ଥ୍ୟ ହାସଲ କରିପାରିବ, ଏଇ ସମସ୍ୟା ନେଇ ସେ ମୁଖ୍ୟତଃ ସନ୍ତୁଳିତ । ସମାଜକୁ ସାମାଜିକ- ବିଜ୍ଞାନ ସମ୍ମତ ଚିନ୍ତା ମାଧ୍ୟମରେ କେମିତି ସୁନ୍ଦର ଭାବେ କଢ଼େଇ ନିଆଯାଇପାରିବ, ଏହାହିଁ କବି ଅନନ୍ତଙ୍କ କବିତାର ମୁଖ୍ୟ ସ୍ୱର । ତେଲୁଗୁ ସାହିତ୍ୟରେ ଶ୍ରୀ ଶ୍ରୀ, ଗଦର୍, ଭରବର ରାଓ, ହିନ୍ଦୀ ସାହିତ୍ୟରେ ମୁକ୍ତିବୋଧ, ବଂଗଳା ସାହିତ୍ୟରେ ସୁକାନ୍ତ ଭଟ୍ଟାଚାର୍ଯ୍ୟ, ସୁବାସ ମୁଖୋପାଧ୍ୟାୟ, ବିଷ୍ଣୁ ଦେ, କାଜି ନଜରୁଲ୍ ଇସଲାମ ତଥା ଓଡ଼ିଆ ସାହିତ୍ୟରେ ସଚ୍ଚି ରାଉତରାୟ, ମନମୋହନ ମିଶ୍ର, ରବି ସିଂହ ପ୍ରମୁଖ ଯେଉଁ ଚେତନାର ଅଗ୍ରସୂରୀ, କବି ଅନନ୍ତ ସେଇ ମାର୍ଗରେ ଜୀବନସାରା ଗତି କରି ଚାଲିଛନ୍ତି । ତେବେ ଏଇ ପରିପ୍ରେକ୍ଷୀରେ ସିଏ ଗାନ୍ଧିବାଦ ଯାହା ମୂଳତଃ ଅହିଂସା ଉପରେ ପର୍ଯ୍ୟବେସିତ ତାଙ୍କୁ ହତାଦର କରିନାହାନ୍ତି । ଶ୍ରେଣୀ-ସଂଘର୍ଷ ତଥା ମାର୍କସୀୟ ଚେତନାର ଆୟୁଧ ‘ହିଂସା’କୁ କବି ସଂପୂର୍ଣ୍ଣ ଭଲପାଇବାର ନଜିର୍ କବିତାମାନଙ୍କରେ ମିଳେ ନାହିଁ । ତାଙ୍କ ଭାଷାରେ “ପେଚାଟାଏ ରାବି ଦେଲା ତାରୁଣ୍ୟ ତରୁରେ ! ସ୍ୱପ୍ନର ବାଦୁଡ଼ି ଭୁଲି ମାର୍କସ ଆଉ ଗାନ୍ଧୀର ଭୁଜକୁ, ଚନ୍ଦ୍ରଭାଗା ବୁଡ଼ପାରେ ଅନଙ୍ଗର ଅଙ୍ଗର ମରୁରେ” । (ଆଉ ଏବେ ଡେରି କିଆଁ ) ଏଇ କବିତାଂଶର ସ୍ଥାପତ୍ୟ ଓଡ଼ିଆ ଜୀବନର ଐତିହ୍ୟ ତଥା ଅତୀତକୁ ନେଇ । ଏଠି ‘ପେଚା’ କିନ୍ତୁ ଅଶିବ ତଥା ଅଶୁଭର ପ୍ରତୀକ ଆଦୌ ନୁହେଁ । ତେବେ କବି ବେଳେବେଳେ ଗୀତିଧର୍ମ ତଥା ଛନ୍ଦର ଆଶ୍ରୟ ନେଇ ବାସ୍ତବରେ କ’ଣ ପାଠକଙ୍କୁ କହିବା ପାଇଁ ଚାହୁଁଛନ୍ତି । ସେଇଠି ପ୍ରଶ୍ନବାଚୀ ସୃଷ୍ଟି କରି ଯାଇଛନ୍ତି । କବି କେମିତି ନିଜ ପିଲାଦିନର ସାଥୀ ତଥା ଧୂଳିଘର ଦୁନିଆଁ ସହିତ ସ୍ନେହସିକ୍ତ ତା’ରି ଉଦାହରଣଟିଏ :

 

                        ଧୂଳିର ସଂଗିନୀ ମୋର !

                        ଜହ୍ନର ତାପରେ

                        ଥରେ ଭଲା ଅସଂଶୟ

                        ଥରି ତରଳାଅ

                        ଶାଢ଼ୀ ବଦଳାଅ

                               (ଆଉ ଏବେ ଡେରି କିଆଁ )-୬

 

କବି ଅନେକାଂଶରେ କାବ୍ୟ-ନାୟିକା ତଥା ସଙ୍ଗିନୀକୁ ସମ୍ଭାଷଣ କରିବାକୁ ଚାହିଁଛନ୍ତି କବିତାମାନଙ୍କରେ । ‘ଗୋ’, ‘ଲୋ’ ଭଳି ସମ୍ବୋଧନ ସୂଚକ ଶବ୍ଦ ତାଙ୍କର ଅନେକ କବିତାରେ ଦେଖିବାକୁ ମିଳେ ଯାହା ‘ସଜନି’, ‘ପ୍ରିୟା’ ପ୍ରଭୃତି ଶବ୍ଦଙ୍କ ନିକଟତର । ତଥାପି କାବ୍ୟ-ପ୍ରାଣ ନିର୍ଭୟ ମନୋଭାବ ସମ୍ପନ୍ନ । ସିଏ ଚାହୁଁଛି ବିଦ୍ରୋହର ଉତ୍ଥାନ, ଶାସକ ବିରୁଦ୍ଧରେ ରଣହୁଙ୍କାର । ଯଥା :

 

                        ଏ ସକାଳ, ଶାଣିତ ସକାଳ !

                        ଅବିକ୍ରୀକ ଐତିହ୍ୟର

                        ଗୈରିକ ଚିତ୍କାରେ

                  ଧୂଳି-ଧୂମ-ବିବର୍ତ୍ତିତ

                        ନଗରେ ନଗରେ

                  ଫିଙ୍ଗଚି ତ

                        ଫିରିଙ୍ଗିର ଅସ୍ତ୍ରାଗାରେ

                        ବାରୁଦ-ବର୍ତ୍ତିକା ।

                              (ଅମ୍ଲାନ ସକାଳ-୭)

 

ତାଙ୍କର ଅନ୍ୟ ଏକ କବିତା ସଙ୍କଳନ ‘ଛାଇର ଛିଟା’ ଯାହା ୧୯୬୬ ମସିହାରେ କଟକ ଷ୍ଟୁଡେଣ୍ଟସ୍ ଷ୍ଟୋରଦ୍ୱାରା ପ୍ରକାଶିତ । ତହିଁରେ କାବ୍ୟ-ପୁରୁଷ କେଉଁଭଳି ଉଦାର ତଥା ବଜ୍ରଦୀପ୍ତ, ତା’ରି ପ୍ରାମାଣିକ ତଥ୍ୟ କବିତାରେ ହିଁ ଅନ୍ତର୍ନିହିତ । ଯଥା : “ମୁଁ ଏଇ ଜନ୍ମିଲି, ଆରେ ! ଚଣ୍ଡାଶୋକ-ପ୍ରମତ୍ତ-ବିହାରେ, ହ୍ରେଷାର ଆହ୍ୱାନ ବୁଣି ସମୁଦ୍ଧତ ଖାରବେଳ ବାଜି । ପୁନଶ୍ଚ ସେଇ କବିତାରେ ଦୁର୍ନିବାର ଲଢ଼େଇକୁ ଖୋଲା ନିମନ୍ତ୍ରଣ ଯଥା “ମୁଁ ଏଇ ଜନ୍ମିଲି, ଆରେ ! ଉତ୍ସବର ବନ୍ଧୁକ କ୍ରୀଡ଼ାରେ ନବତମ ଯାତ୍ରୀ ମୁହିଁ, କାହିଁ ଦୂରେ କମାଣେ କମାଣେ, ଆବର୍ତ୍ତିତ ମରଣର ଜୀବନ ପ୍ରମାଣେ” (୮) ଭଳି ଶକ୍ତିଶାଳୀ ପଂକ୍ତି ମାଧ୍ୟମରେ କରିଛନ୍ତି । କବି ଚାହିଁଛନ୍ତି ନିର୍ଭୀକ ହେବାକୁ ।

 

ସମୟର ପ୍ରହେମାନତାକୁ କବି ସ୍ପଷ୍ଟ ରୂପେ ଅନୁଭବିଛନ୍ତି ‘ହେ ଧରଣି’ (୯) କବିତାରେ । ସମୟ ସଚେତନତାର ଏହା ପ୍ରତିରୂପ । ଯଥା-

 

            ତୁମେ ଯେବେ ହୋଇଯିବ ବୁଢ଼ୀ

                        ଛିଡ଼ିଛିଡ଼ି ପଡ଼ିବ ଏ ନଈ

            ଧୁଡ଼ୁ ଧୁଡ଼ୁ ଚମର ଉଆସେ

                        ସରିଯିବ କଳକଳ ରବ ।

 

ଉପରୋକ୍ତ ବକ୍ତବ୍ୟ ଧରଣୀ ସକାଶେ ଉଦ୍ଦିଷ୍ଟ । ବିବର୍ତ୍ତମାନ ଜୀବନରେ ‘କଳକଳ ରବ’ ତାରୁଣ୍ୟର ରଙ୍ଗ ଓ ଉଚ୍ଛାସକୁ ପ୍ରତିନିଧିତ୍ୱ କରୁଥିବାବେଳେ ‘ଧୁଡ଼ୁଧୁଡ଼ୁ ଚମ’ ଠିକ୍ ତା’ର ବିପରୀତ ଅର୍ଥବୋଧକ ଅର୍ଥାତ୍ ଜୀବନ ଉପରେ ସମୟର ଅଂକୁଶର ସୂଚନା ଦେଉଛି । କବିତାରେ ସାଂଗୀତିକତାକୁ କବି ବେଶ୍ ନିଖୁଣ ଭାବରେ ଥୋଇ ପାରିଛନ୍ତି । ‘ରକତ୍ ସାଗରେ ମର୍ମ ଫୁଟେ’ରେ (୧୦) କବି ସମାଲୋଚକର ଦୃଷ୍ଟିକୁ ବେଶ୍ ଶାଣିତ ମାର୍ଗରେ ବାଗେଇ ନେଇଛନ୍ତି । ଛଳନା, ପ୍ରବଞ୍ଚନା ଥିବା ନେତୃପଣକୁ ସିଏ ଆଦୌ ବରଦାସ୍ତ କରି ପାରିନାହାନ୍ତି । ତେଣୁ ତାରି ନିରାଭରଣ କବିତାଟିର ସ୍ପଷ୍ଟୋକ୍ତି ।

 

            କାଲି ଯେ ଶାସିଲା ନାଶିଲା ପରଜା

            ଆସନ ଯାହାର ମଡ଼ାର ଥାକ

            ଆଜି ଯା ଉଆସେ ଦିବସେ ଉଠୁଚି

            କୁଳବୋହୂକୁଳ କରୁଣ ଡାକ

            ଆଜି ତା ଗଳାରେ ଫୁଲର ମାଳ ହୋ

            ବନ୍ଧୁକ ମୁନେ ଧର୍ମ ଥରେ ।

 

ଯେଉଁ ଶାସକ ପ୍ରଜା ଉତ୍ପୀଡ଼କ, ତାଙ୍କରି ମଡ଼ା ଉପରେ ଯିଏ ନିଜର ସିଂହାସନ ଥାପି ବସିଛି, ଯାହାରି ପରାକ୍ରମରେ ସମଗ୍ର ନାରୀକୁଳ ଭୟରେ ଥରହର, ସେଭଳି ବ୍ୟକ୍ତିର ଗଳାରେ ଫୁଲହାର ଦେଇ ସମ୍ବର୍ଦ୍ଦିବାକୁ ନି ଦୁନିଆଁରେ ଶଇତାନୀ ଦଳ ଅଛନ୍ତି, ଯାହା କାବ୍ୟପୁରୁଷକୁ ବ୍ୟଥିତ କରୁଛି । ‘ରକ୍ତ ସାଗର’ ଅତ୍ୟାଚାରିତ ମଣିଷଙ୍କ ପ୍ରତୀକ ।

 

ଅନନ୍ତ ବାବୁଙ୍କ କ୍ଷେତ୍ରରେ ମେହନତି ମଣିଷ ହିଁ ତାଙ୍କ କବିତାର କଞ୍ଚାମାଲ । ସେ ଧନତାନ୍ତ୍ରିକ ସମାଜ ବ୍ୟବସ୍ଥା ବିରୁଦ୍ଧରେ ଖଡ଼ଗହସ୍ତ । ତାଙ୍କରି ପୈଶାଚିକ ପ୍ରବୃତ୍ତି ମନେପକେଇ ଦିଏ ‘ମୟ-ଦାନବ’ର ପୃଥିବୀକୁ ଯାହା ‘ମହାଗଣକ’ କବିତାର ଆଂଶିକ ବିଷୟବସ୍ତୁ । ଯଥା :

 

            ତୁମ ମୋତି ମହଲର ମଥା ଦହି ବହଲେ

            ତୁମ ମୟ-ଦାନବର ଦୁନିଆଁ ଯେ ଦୋହଲେ

            ଧନିକର, ବଣିକର, ତୁମେ ଗଣତନ୍ତ୍ର

            ତରବାରୀ ଶାଣିତ

            ଦରବାରୀ ରାଗିଣୀରେ, ମିଛ ସତ ଭଣି ହେ

            ଛାତିରେ ଖୋଳାଇଲ କେତେ ହୀରା-ଖଣିହେ ।

                              “ଶତାବ୍ଦୀର ଶ୍ରେଷ୍ଟ କବିତା”

 

ଆଧୁନିକ ଓଡ଼ିଆ କବିତା, ଯାହା ବାକ୍‍ରୀତିକୁ କାବ୍ୟିକ ରୀତି ସଂଗେ ଯୋଡ଼ିବାକୁ ପସନ୍ଦ କରିଛି, କବି ଅନନ୍ତ ଏହି ସମୟର ହୋଇ ସୁଦ୍ଧା ଛନ୍ଦ, ତାଳ, ଲୟର ଗୀତିମୟତାକୁ ତାଙ୍କ କବିତାଗୁଡ଼ିକୁ ମୁକ୍ତ ରଖିବାକୁ ଚାହିଁନାହାନ୍ତି । କାବ୍ୟକୃତି ତାଙ୍କ ଦୃଷ୍ଟିରେ ଏକ ଲହରିତ ଝରଣା । କିନ୍ତୁ ଏଇ ପ୍ରବାହ କେବେବି ଶୋଷକର ବୁନିଆଦୀ ପାଖରେ ନତଜାନୁ ହେଇ ନାହିଁ । ମୁକ୍ତ, ନିର୍ଭୀକ ଜୀବନକୁ ଦୀପ୍ତିର ମାଲ୍ୟ ପିନ୍ଧେଇବାରେ ତାଙ୍କ କବିତାର ଶବ୍ଦମାନେ ସଦାବେଳେ ଜାଗତିଆର୍ ରହି ଆସିଛନ୍ତି । ତେଣୁ କବି ଅନନ୍ତ ଯଥାର୍ଥରେ ଓଡ଼ିଆ କବିତା ରାଜ୍ୟର ଅନ୍ୟ ଏକ ଦିଗନ୍ତର ପଥିକ । ଯଦିଓ ସେହି ପଥ ଏବେବି ଅନେକଙ୍କ ସକାଶେ ରୁକ୍ଷ ତଥା ବନ୍ଧୁର ।

 

ସହାୟକ ସୂଚୀ :

୧.

ଅଲୋଡ଼ା ଲୋଡ଼ା (କବିତା) : ଶୀର୍ଷକ ‘ନିଜ ବନ୍ଦନା ପଢ଼େ’, ପ୍ରଥମ ପ୍ରକାଶ ୧୯୬୪

୨.

ତତ୍ରୈବ

୩.

ତତ୍ରୈବ

୪.

ତତ୍ରୈବ (କବିତା)-ଶୀର୍ଷକ, ‘ଲୋଡ଼ା ନାହିଁ’

୫.

ତତ୍ରୈବ (କବିତା) ‘ସେପାରି ଗଛର ଛାଇ’

୬.

ତତ୍ରୈବ (କବିତା) – ଶୀର୍ଷକ, ‘ଆଉ ଏବେ ଡେରି କିଆଁ’

୭.

ତତ୍ରୈବ (କବିତା) ଅମ୍ଲାନ ସକାଳ

୮.

ଛାଇର ଛିଟା (କବିତା) ପ୍ର: କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର, କଟକର, ୧୯୬୬ ପ୍ରଥମ ସଂସ୍କରଣ ‘ମୁଁ ଏଇ ଜନ୍ମିଲି’

 

 

ଏମ୍-୧, ନେତାଜୀ ସୁଭାଷ ଏନକ୍ଲେଭ

ଗାଡ଼କଣ, ଭୁବନେଶ୍ୱର-୭୫୧୦୦୧୭

 

 

***